ଅପଦେବତା
ଅପଦେବତା


ମୁହୂର୍ତ୍ତ ମାନେ ହିଁ ବିଚାର କରନ୍ତି ମଣିଷର
ଚରିତ୍ର , କେବେ ଦସ୍ୟୁ ରତ୍ନାକର ତ କେବେ ଋଷି ବାଲ୍ମୀକି ।
--------
ଫୋନ୍ କିଏ ବାହାର କଲା , ଅନେକ ଥର ଏଇ କଥାଟା ଭାବେ ମେହାନୀ । ଜୀବନର ଗୁଡାଏ ମଧୁର ଭାବାବେଗ ଚୋରେଇ ନେଲା । ମଣିଷ କୁ ଗୋଟେ ନିର୍ଜୀବ ବସ୍ତୁର କ୍ରୀଡ଼ନକ ସଜେଇ ଦେଲା । ଚେତନା ଆଉ ଭାବନା ଉପରେ ବେଜାଏ ଆବିଳତା ଭରି ଦେଲା । ମେହାନୀକୁ ଏଇ ଯନ୍ତ୍ରଟା ଭାରି ଯନ୍ତ୍ରଣା ଦେଇଛି । ତେଣୁ ପ୍ରବଳ ଘୃଣା କରେ ସେ ଏଇ ଯନ୍ତ୍ର ପ୍ରତି ।
ଆରୁଷ , ସେଦିନ ଯଦି ସେ ମେସେଜ ପାଇ ନଥାନ୍ତେ ଓଃ ! କେତେ ସୁନ୍ଦର ଥାଆନ୍ତା ଜୀବନ ଆଜିବି !
-------------
ମେହାନୀ ସେଦିନ ସରପ୍ରାଇଜ ଦେବାର ପ୍ଲାନ କରିଥିଲା । ତାଙ୍କ ପ୍ରଥମ ଆନିଭର୍ସରି ; ଖୁ' ଗୁଡ଼େ ହଲଚଲ ମନ ଭିତରେ । ଯୁଗ୍ମ ଜୀବନର ସଫଳ ଗୋଟିଏ ବର୍ଷ : କେତେ ସଜଳ ସ୍ମୃତି , ମିଠା ରାତି , ପ୍ରେମ ଗପ , ଖୁଜୁବୁଜୁ । ଏସବୁ କୁ ଫେଣ୍ଟି ଦେଇ ସ୍ୱପ୍ନ କନ୍ଭାସ୍ ରେ ଜୀବନ ଚିତ୍ର ଆଙ୍କିବାର ସୁଖ ଉପଭୋଗ କରିବା ଭାଗ୍ୟର ବିଷୟ ।
ଲା' କାର୍ଲା କଫି ପଏଣ୍ଟ , ସହରର ବେଷ୍ଟ । ଆହୁରି ପୁଣି କେକ ବି ବନାଏ ଏକଦମ ଟେଷ୍ଟି । ସେଇଠି କିଛି ମୁହୂର୍ତ୍ତ ସବୁବେଳେ ସ୍ୱପ୍ନିଳ । ଆରୁଷ ଭଲ ପାଆନ୍ତି ସଣ୍ଡେଇ , ଟୁଟି ଫ୍ରୁଟି ଆଉ ଭ୍ୟାନିଲା କଂବିନେସନ୍ ର । ମେହାନୀ ର ପସନ୍ଦ ଆରୁଷ ଆଖିର ସେ ଚମକ । ସେଥିପାଇଁ ସେ ସିକ୍ରେଟ ପାର୍ଟି ବନ୍ଦୋବସ୍ତ କରିଥିଲା । ଭିଡରେ ନୁହେଁ ଏକାନ୍ତରେ ଏକଦମ । ସେ ଆରୁଷ ଆଉ ରାତିର ସ୍ନିଗ୍ଧତା । ବିଶାଳ କେକ ଆଉ ସ୍ୟାମ୍ପେନ୍ର ଯୁଗଲବନ୍ଦୀ । ଇସ୍ !
ଯେହେତୁ ସରପ୍ରାଇଜ ଦେବାକୁ ଥିଲା ସେ ଏକା ଯାଇଥିଲା ଲା କାର୍ଲା , ବସିଥିଲା ଅପେକ୍ଷା ରେ ଆରୁଷ ପାଇଁ । ପୁରା କ୍ୟାଫେ ବୁକ କରିଥିଲା ସେମାନଙ୍କ ପାଇଁ । ହେଲେ ସବୁ ସ୍ୱପ୍ନ ସତ ହେବ ଏମିତି ସନ୍ଧିପତ୍ର ଟିଏ କେହି କରିପାରେନି ଅଦୃଷ୍ଟ ସହ ।
ଆରୁଷ ଗୋଟେ ଫରେନ ଡେଲିଗେଟ୍ ସହ ମିଟିଂ ରେ ବ୍ୟସ୍ତ ଥିଲେ । କର୍ପୋରେଟ ଜଗତରେ ଏମିତି ବେଜାଏ ବ୍ୟସ୍ତତା । ଆସିବାକୁ ଡେରି କଲେ । ଲା' କାର୍ଲା , ଟିକେ ସହରର ହୋ ହଲ୍ଲା ଠୁ ଦୂରରେ । ସେଠି ଏକାକୀ ଡେରି ରାତିପର୍ଯ୍ୟନ୍ତ ବସିବା ବିପଦ ପୂର୍ଣ୍ଣ ହେଇପାରେ , ଆରୁଷ ଆସିବାରେ ଡେରି କରିପାରନ୍ତି , କିଛି ଦୁର୍ଘଟଣା ଘଟି ପାରେ , ଅସାମାଜିକ ଲୋକଙ୍କ ପ୍ରାଦୁର୍ଭାବ ସମସ୍ୟା ତିଆରି ପାରେ । ଓଃ ! ଏସବୁ ଭାବି ନଥିଲା ସେ ।
----------
କ୍ୟାଫେ ମ୍ୟାନେଜରର ପ୍ରତିରୋଧକୁ ବେଖାତିର କରି ଅସାମାଜିକ ଲୋକ ଦୁଇଟା ଭିତରକୁ ଧସେଇ ପଶିଲେ । ସଜ୍ଜିତ ସମାବେଶକୁ ଖିନଭିନ କରିଦେଲେ । କେକ୍ ଟାକୁ ଦଳିଚକୁଟି ଦେଲେ , ସ୍ୟାମ୍ପେନ୍ ସମାରୋହ କୁ ବର୍ବାଦ କରିଦେଲେ , ଆଉ ଆଉ ଆଉ ...... ମେହାନୀ ସହ ଓଃ !
କ୍ୟାଫେର ସେଇ ୱେଟର୍ ପ୍ରତିରୋଧ କରିବାର ଚେଷ୍ଟା କଲା ବୋଲି ତାକୁ ଆକ୍ରମଣ କଲେ । ମ୍ୟାନେଜର ପୁଲିସ୍ ସହାୟତା ନେବାକୁ ଚେଷ୍ଟା କଲା ବେଳକୁ ଫୋନ୍ ଛଡେଇ ନେଲେ । ଏସବୁ ଘଟଣା ଏମିତି ଅପ୍ରତ୍ୟାଶିତ ଭାବେ ଘଟିଲା ଯେ ମେହାନୀ କିଛି ବୁଝିବା ପୂର୍ବରୁ ସବୁ ନଷ୍ଟ ଭ୍ରଷ୍ଟ ହେଇଗଲା ।
ସେଇ ମୁହୂର୍ତ୍ତରେ କେଉଁଠୁ ଆସିଥିଲେ ସେ ଅଚିହ୍ନା ମଣିଷ ଜାଣିନି ମେହାନୀ । କିନ୍ତୁ ସେ ପଟ ପରିବର୍ତ୍ତନ କରିଦେଲେ । କେତେ ଶକ୍ତ ତାଙ୍କର ଚେହେରା ଓଃ ! ଦୁଇଟା ଲୋକଙ୍କୁ ବେଶ ସହଜରେ କାବୁ କରିନେଲେ । ମେହାନୀ କୁ ଆସନ୍ନ ବିପଦରୁ ମୁକୁଳେଇ ନେଲେ । ସଜାଡି ଦେଲେ ଗୋଟେ ନିରୀହ ଜୀବନ । ଖୁସି ହେବା ଉଚିତ ମେହାନୀ । ଈଶ୍ୱରଙ୍କୁ ଧନ୍ୟବାଦ ଦେବା ଉଚିତ ।
କିନ୍ତୁ ସେଭଳି କିଛି କରିପାରିଲା ନାହିଁ ମେହାନୀ । ଦେବଦୂତ ସିନା ଜୀବନ ବଞ୍ଚେଇଲେ କିନ୍ତୁ ତା' ହାତ ଗଢ଼ା ନୀଡ଼ ! ନା' ବଞ୍ଚେଇ ହେଲାନି ଆରୁଷଙ୍କ ବିଶ୍ୱାସ , ତାଙ୍କ ମୋହ , ତାଙ୍କ ଯୁଗ୍ମ ଜୀବନର ଉଷ୍ମତା ।
ସେ ଦୁଇ ଅସାମାଜିକ ସେଠୁ ଛତ୍ରଭଙ୍ଗ ଦେବା ସମୟରେ ଜଣେ ମେହାନୀକୁ ଜୋରରେ ଧକ୍କା ଦେଇ ତା' ମୋବାଇଲ ଛଡେଇ ନେଲା । ପଡିଗଲା ମେହାନୀ , ତୀବ୍ର ଆଘାତ ଲାଗିଲା ମୁଣ୍ଡରେ , ବେହୋସ ହେଇଗଲା ସେ । ତା' ପରେ ଗୋଟେ ଉନ୍ମାଦର ରାତ୍ରୀ , ପ୍ରଥମ ଆନିଭର୍ସରି କାଳ ରାତ୍ରୀ ହେଇଗଲା ।
ମେହାନୀର ପରିଚୟ , ତା' ଠିକଣା , ତା' ନିଜ ଲୋକଙ୍କ ଫୋନ୍ ନମ୍ବର ଏସବୁ କିଛି ନଥିଲା କ୍ୟାଫେ ମ୍ୟାନେଜର ପାଖରେ । ସେ ଜାଣନ୍ତି ମ୍ୟାମ୍ ଙ୍କୁ କିନ୍ତୁ ସାର୍ ଙ୍କ ଫୋନ୍ ନମ୍ବର ନଥିଲା । ମେହାନୀ ହିଁ ସବୁବେଳେ ନିଜ ଫୋନ୍ ବ୍ୟବହାର କରି କ୍ୟାଫେ ସହ ଯୋଗାଯୋଗ କରେ । କ୍ୟାଫେ ରେ ତା' ନମ୍ବର ରେଜିଷ୍ଟର୍ ହେଇ ଅଛି କିନ୍ତୁ ଆରୁଷଙ୍କର ନାହିଁ । ତେଣୁ ତା' ଦୁର୍ଘଟଣା ବିଷୟରେ ଆରୁଷଙ୍କୁ ଅବଗତ କରାଯାଇ ପାରିଲା ନାହିଁ। ସେ ବୋହୋସ ଥିଲା , ତାକୁ ଡାକ୍ତରଙ୍କ ସହାୟତା ଲୋଡ଼ା ଥିଲା । ସେ ଅଚିହ୍ନା ମଣିଷ , ସୌରଭ ତାକୁ ହସ୍ପିଟାଲ ନେଲେ , ଚିକିତ୍ସାର ବନ୍ଦୋବସ୍ତ କଲେ । କିନ୍ତୁ ଏସବୁ କିଛି ଆରୁଷଙ୍କୁ ଜଣେଇବାର ସୁଯୋଗ ପାଇଲେ ନାହିଁ ।
ଆରୁଷ ଙ୍କ ସହ ଯୋଗାଯୋଗ କଲେ ସେ ଦୁଇ ଅସାମାଜିକ । ମେହାନୀ ଜଣେଇ ନଥିଲା କ୍ୟାଫେ କଥା । ମେସେଜ କରିଥିଲା , '' ଡାର୍ଲିଂ ମିଟିଂ ସରିଲେ ଫୋନ୍ କରିବ । କଥା ଅଛି ତୁମ ସହ ।''
ଆରୁଷ ଫୋନ୍ କଲେ ଯେବେ ସେଇ ଲୋକ ଉଠେଇଲା ଫୋନ୍ । ଅଶ୍ଳୀଳ ସ୍ୱରରେ କହିଲା , '' ତୋ ମାଲଟା ମସ୍ତ , ଭାରି ଟେଷ୍ଟି । ଶ' ତୁ ଟା ଲକି । ଆଉ ତା' ୟାର ସୁପର ଲକି । ''
ଆରୁଷ କିଛି ବୁଝୁ ନଥିଲେ । କିଏ ଏସବୁ କହୁଛି ? କେଉଁଠି ମେହାନୀ ? କ'ଣ ସବୁ ଘଟୁଛି ? ସେ ପୁଣି ଫୋନ୍ କଲେ ଆଉ ସେମିତିହିଁ କିଛି ଶୁଣିଲା । ସ୍ତ୍ରୀର ଚରିତ୍ର ସଂହାର କରୁଥିବା କିଛି ନିଶାସକ୍ତ ଅଭିବ୍ୟକ୍ତି । ସ୍ତ୍ରୀ ର ଦେହ ଭୂଗୋଳର ନଗ୍ନ ଚିତ୍ର । ଓଃ ! ମେହାନୀ ତୁ କେଉଁଠି ?
ସାରା ରାତି ଖୋଜିଲେ ଆରୁଷ ମେହାନୀକୁ । ପୋଲିସର ସହାୟତା ନେଲେ । କିନ୍ତୁ ମିଳିଲା ନାହିଁ ସ୍ତ୍ରୀ । ଏମିତି ବିତିଲା ସାରା ରାତି । ସକାଳେ ଆସିଲା ମେହାନୀର ହୋସ । ନିଜକୁ ପାଇଲା ସେ ହସ୍ପିଟାଲରେ । କିଛି ମନେ ନଥିଲା ଆଉ । ସୌରଭ ଆସି ତାକୁ ତା' ଘର ଠିକଣା ମାଗିଲେ । ଆରୁଷଙ୍କ ନମ୍ବର ନେଇ ଫୋନ୍ କଲେ । ଆରୁଷ ଆସିଲେ , ଭେଟିଲେ , ବୁଝିଲେ , ଜାଣିଲେ । କିନ୍ତୁ କିନ୍ତୁ ବିଶ୍ୱାସ କଲେ ନା' ନାହିଁ ?
ମେହାନୀ ସେଦିନ ଯୋଡିଏ ଅପରିଚିତ ଲୋକଙ୍କ ହାବୁଡ଼ରେ ପଡିଗଲା । ସେମାନେ ଫୋନ୍ ଛଡେଇ ନେଇ ଅଶ୍ଳୀଳ କଥା ଗୁଡ଼େ କହିଲେ ଆରୁଷଙ୍କୁ । ସୌରଭ ଜୀବନ ରକ୍ଷା କଲେ ମେହାନୀର ଏସବୁ ଶୁଣିଲା ପରେ ବି କେଉଁଠି ଗୋଟେ ଦ୍ଵିଧା ରହିଗଲା ।
ମେହାନୀ ଏକାକୀ ଏଭଳି କ୍ୟାଫେରେ କାହିଁକି ବନ୍ଦୋବସ୍ତ କଲା ? ତାଙ୍କୁ ନଜଣେଇ କାହିଁକି ଆସିଲା ? ସୌରଭ କାହିଁକି ଏତେ ଆତ୍ମୀୟତା ସହ ଦାୟିତ୍ୱ ନେଲେ ? ସେ ଲୋକ ଦୁଇଟା କାହିଁକି କହିଲେ , '' ତା' ୟାର ଟା ନଥିଲେ ତୋ ଚିଡ଼ିଆ ଟା କୁ ପୂରା ଟେଷ୍ଟ କରିପକେଇଥାନ୍ତୁ ବେ ?''
---------------
ସେ ରାତିର ଦୁର୍ଘଟଣା ପରେ ଆଉ କେବେ ବିଶ୍ୱାସ ଜିତି ପାରିଲା ନାହିଁ ମେହାନୀ । ଆରୁଷଙ୍କ ଭିତରେ ଗୋଟେ ସ୍ୱାମୀତ୍ୱ ଅହରହ ସନ୍ତୁଳି ହେଲା । ସ୍ତ୍ରୀ ର ଚରିତ୍ର ଉପରେ ଗୋଟେ ପ୍ରଶ୍ନବାଚୀ ଲାଗିଗଲା ସବୁଦିନ ପାଇଁ ।
ପରବର୍ତ୍ତୀ ଜୀବନରେ ମେହାନୀ ପାଇଁ ଗୋଟେ ଅନୁତ୍ତରିତ ପ୍ରଶ୍ନ ହେଇଗଲେ ଅଚିହ୍ନା ମଣିଷ ସୌରଭ । ଏକାନ୍ତରେ ବାରମ୍ବାର ଏଇ ପ୍ରଶ୍ନ ଆସୁଥିଲା ମନରେ " ଯେଉଁ ଅଚିହ୍ନା ମଣିଷ ତା' ଲାଗି ଦେବଦୂତ ଥିଲେ ସେଇ ରାତିରେ ସେଇ ମଣିଷ ସୌରଭଙ୍କ ପାଇଁ ଅପଦେବତା ସାଜିଲେ କାହିଁକି ?