Binay Mohapatra

Romance Tragedy

3  

Binay Mohapatra

Romance Tragedy

ଅନୁରାଗୀ

ଅନୁରାଗୀ

5 mins
198


ମୁଁ ମୋ ଗାଁ ଛାଡି, ଖାସ୍ ତୁମରି ପାଇଁ ମୁଁ ତୁମ ସହରକୁ ଧାଇଁ ଆସି ଥିଲି । ତୁମ କମନୀୟ ରୂପର ମୋହରେ ମୁଁ ମୋ ଗାଁ ଆଉ ତାର ଭିଜା ମାଟିର ସେଇ ମିଠା ମିଠା ମହକକୁ ଭୁଲି ଗଲି । ମୋର ସରଳିଆ ଗାଉଁଲି ମନ ତୁମର ଛଳନାକୁ, ତୁମର ପ୍ରେମ ବୋଲି ଭାବି ନେଲା । ତୁମର ସେ ଖିଲି ଖିଲି ହସ, ତୁମ ଆଖିର ଚଞ୍ଚଳତାରେ ମୋର ମନ ହଜି ଗଲା । ବିନା କିଛି ଆଶାରେ ମୁଁ ମୋର ମନ, ମୋର ହୃଦୟ ତୁମକୁ ସମର୍ପି ଦେଇ ଥିଲି । ହେଲେ କିଏ ଜାଣି ଥିଲା, ତୁମ ପାଇଁ ପ୍ରେମ କେବଳ ଏକ ଖେଳ ଥିଲା !


ତୁମେ ଭଲ ଖେଳାଳୀ ଥିଲ, ଖେଳ କିପରି ଖେଳନ୍ତି ତାହା ତୁମ ଭଲ ଭାବେ ଜାଣି ଥିଲ । ମୋ ମନକୁ ନେଇ ଖୁବ୍ ମସ୍ତିରେ ଲୁଚକାଳି ଖେଳିଲ । ତୁମେ ଖୁବ୍ ଭଲ ଖେଳିଲ, ଖେଳନା ଭାଙ୍ଗିବା ପର୍ଯ୍ୟନ୍ତ ତା ସହିତ ମନ ଭରି ଖେଳିଲ, କିନ୍ତୁ ଖେଳ ସରି ଗଲା ଭାବି, ଖେଳ ଅଧାରେ ଖେଳନା ଫୋପାଡି ଦେଇ ଚାଲି ଗଲ । ଖେଳନା ଭାଙ୍ଗିବା ଆଗରୁ ଥରଟିଏ ବି ଭାବିଲନି, ଖେଳନାର ବି ଗୋଟେ ହୃଦୟ ଥାଏ, ତାକୁ ଏମିତି ହତାଦରରେ ଫୋପାଡି ତୁମେ କିପରି ଯେ ଚାଲି ଯାଇ ପାରିଲ ?


ତୁମ ପାଇଁ ପ୍ରେମ, କେବଳ ଟାଇମ୍ ପାସ ଖେଳଟିଏ ଥିଲା । ତୁମେ ମୋ ପ୍ରେମର ପ୍ରତିଦାନରେ ଏ କଣ ଦେଇ ଦେଲ ?


ଆସିବା ଆଗରୁ ଥରଟିଏ ବି କହିଲନି, ମୋ ପାଇଁ ତୁମର ପ୍ରେମ, ପ୍ରେମ ନଥିଲା । ପ୍ରେମ, ତୁମ ପାଇଁ କେବଳ ପିଲା ଦିନର ମିଛ ମିଛିକା କଣ୍ଢେଇ ଖେଳ ପରି ଥିଲା । ତୁମେ ଚାଲି ଆସିଲ, ତୁମ ବିନା ଜୀବନଟା ମୋର ଶୁନ୍ ଶାନ୍ ନିଛାଟିଆ ହୋଇ ଗଲା । ତୁମକୁ ଦେଖିବା ପାଇଁ ଆଜି ମୁଁ ମୋର ଗାଁ ଛାଡି, ତୁମ ସହରକୁ ଚାଲି ଆସି ଥିଲି ।


ସେଦିନ ତୁମ ଘର ସାମ୍ନା ବତୀ ଖୁଣ୍ଟକୁ ଆଉଜି ସେଇଠି ସେମିତି ସାରା ରାତି ଠିଆ ହୋଇ ତୁମ ଘରର କବାଟ ଆଡକୁ ଚାହିଁ ରହି ଥିଲି । ଭାବୁ ଥିଲି, ତୁମ ପାଇଁ ମୋ ମନ ଯେପରି ବ୍ୟାକୁଳ ହେଉଛି, ତୁମ ହୃଦୟରେ ମଧ୍ୟ ମୋ ପାଇଁ ସେମିତି ପ୍ରେମର ହିଲ୍ଲୋଳ ଉଠୁ ଥିବ । ପ୍ରେମର ନିଆଁ କୁଆଡେ ଦୁଇ ହୃଦୟରେ ଏକା ବେଳେ ଜଳି ଉଠେ । ଦୁଇଟି ମନକୁ ଏକା ବେଳେ ମତୁଆଲା କରି ଦିଏ । ଏଇ ଟିକକ ଆଶାରେ ମୋ ଆଖି ପଲକ ପକାଇବା ଭୁଲି ଗଲା, ତୁମ ଘରର ବାଲକୋନୀ, ଘରର କବାଟ ଉପରେ ସେମିତି ଅଟକି ରହି ଗଲା ।


ସକାଳ ହେଲା, ତୁମେ ତୁମ ବାଲକୋନୀର କବାଟ ଖୋଲିଲ । ସେଇଠି ଠିଆ ହୋଇ ଅଳସ ଭାଙ୍ଗିଲ, ଥରେ ଆକାଶକୁ ଦେଖିଲ, ଦୂର ଦିଗବଳୟରେ ଉଇଁ ଆସୁଥିବା ନାଲିଆ ସୂର୍ଯ୍ୟକୁ ଦେଖିଲ, ତାପରେ ବହୁତ ଡେରିରେ ଥରେ ତଳକୁ ଚାହିଁଲ । ତୁମ ନଜର ମୋ ଉପରେ ପଡିଲା । ମୁଁ ଭାବୁ ଥିଲି ତୁମେ ମୋତେ ଦେଖି ଚମକି ପଡିବ, ଆଶ୍ଚର୍ଯ୍ୟ ହୋଇ ଯିବ, ବଡ ପାଟି କରି ମୋତେ ପାଖକୁ ଡାକିବ। ହେଲେ ତୁମେ ନିରବ ଥିଲ । ମୋତେ ଦେଖି ଟିକେ ହସି ଦେଲ ସିନା, କିନ୍ତୁ ଥରଟିଏ ପଚାରିଲ ନାହିଁ, ମୁଁ କେତେ ବେଳେ ଆସିଲି, ସେଇଠି ଠିଆ ହୋଇ କଣ କରୁଛି !


କିଛି ନଦେଖିଲା ପରି ତୁମେ ଘର ଭିତରକୁ ଚାଲି ଗଲ । ଯେପରି, ଆମର କିଛି ସମ୍ପର୍କ ନଥିଲା, ତୁମେ ମୋତେ ଚିହ୍ନି ନଥିଲ । ସେଠାରେ ମୋର ଉପସ୍ଥିତି ତୁମ ପାଇଁ ହୁଏତ ସେମିତି କିଛି ବିଶେଷ ଘଟଣା ନଥିଲା । କବାଟ ବନ୍ଦ କରି ତୁମେ ନିଜ କାମରେ ଲାଗି ଗଲ । ତୁମେ ଭୁଲି ଗଲ ଯେ, କେହି ଜଣେ ତୁମ ପାଇଁ ତଳେ, ରାସ୍ତା ଉପରେ ଅପେକ୍ଷା କରି ଠିଆ ହୋଇଛି।


ମୁଁ ଭାବୁ ଥିଲି ତୁମେ ପ୍ରେମ ପାଗଳୀ ରାଧା ପରି ହୁଏତ ସୁଧ ବୁଧ ହରାଇ ଧାଇଁ ଆସିବ ମୋ ପାଖକୁ । ବତୀ ଖୁଣ୍ଟକୁ ଆଉଜି, ତ୍ରିଭଙ୍ଗୀ ଠାଣିରେ ଠିଆ ଏଇ ଗାଉଁଲି ପ୍ରେମିକକୁ କୁଣ୍ଢେଇ ଧରିବ, ମୁଁ କେତେ ବେଳେ ଆସିଲି ବୋଲି ପଚାରିବ । ମୋ ବିନା ତୁମ ଜୀବନ ନିସଙ୍ଗ ଭାବଶୂନ୍ୟ ହୋଇ ଯାଇଛି ବୋଲି କହିବ । ହେଲେ ମୋ ଭାବନା କେବଳ ଭାବନାରେ ହିଁ ରହି ଗଲା । ବେଳ ଉଛୁର ଯାଏ ମୁଁ ସେଇଠି ଅପେକ୍ଷା କରି ଅଖିଆ ଅପିଆ ଠିଆ ହୋଇଥିଲି, କିନ୍ତୁ ତୁମେ ଥରଟିଏ ବି ମୋତେ ଦେଖିଲନି, କିମ୍ବା ପଦଟିଏ କଥା କହିବାକୁ ଆସିଲନି ।


ମୋ ପ୍ରେମ ପାଇଁ, ମୁଁ ମୋ ଗାଁ ଭୁଲି ଗଲି, ଗାଁ ଛାଡି ଦେଲି, ବାପା ମାଆ ଘର ପରିବାର ସବୁ ଭୁଲି ଗଲି । ହେଲେ ତୁମେ ତୁମ ସହର, ତୁମ ଆଭିଜାତ୍ୟ, ତୁମ ପ୍ରାଚୁର୍ଯ୍ୟ ଭରା ଉତୁଙ୍ଗ ଅଟ୍ଟାଳିକା, ତୁମର ସ୍ୱପ୍ନ ପାଇଁ ମୋ ପ୍ରେମକୁ ଭୁଲି ଗଲ । ଏତେ ସବୁ ଦେଖି ବୁଝି କିଏ କଣ ପ୍ରେମ କରେ ? କହନ୍ତି ପ୍ରେମ କାଳେ ଅନ୍ଧ, ପ୍ରେମ ଅନ୍ଧ ନୁହେଁ ବରଂ ପ୍ରେମର ବଡ ବଡ ଦୁଇଟି ଆଖି ଥାଏ, କିନ୍ତୁ ଆବେଗର ସେଇ ଆଖି-ଝଲସା କିରଣରେ ପ୍ରେମିକର ଆଖି ଜଳକା ହୋଇ ଯାଏ । କିଛି ଦେଖି ପାରେନା, କିଛି ବୁଝି ପାରେନା । ପ୍ରେମରେ ମୁଁ ଠିକ୍ ସେମିତି ଅନ୍ଧ ହୋଇ ଯାଇ ଥିଲି, ପ୍ରେମ ସତେ କପଟି ମାଲ୍ୟାଣୀର କୁହୁକର ଇନ୍ଦ୍ରଜାଲ ଥିଲା ।


ମନ ଭାବୁ ଥିଲା ଆଖିର କଥା, ଆଖି ଭାବୁ ଥିଲା ମନର କଥା । ଆଖି ଭାବୁ ଥିଲା, କେମିତି ବୁଝେଇ ଦେବ ଏଇ ପାଗଳା ମନକୁ, ଆରେ ପାଗଳା, ସବୁ ଆଖି ଦେଖା ସତ ହୋଇ ନଥାଏ, ସବୁ ସତ ବି ଆଖିକୁ ଦିଶେନା । ଥରେ ଆଖିରେ ଆଖି ମିଶି ଗଲେ କାହାକୁ ପ୍ରେମ ହୋଇ ଯାଏନି । ତୋତେ ଦେଖିକି କିଏ ଥରେ ହସି ଦେଲା, ତା ମାନେ ନୁହେଁ ସେ ତୋତେ ତା ହୃଦୟ ଦେଇ ଦେଲା । ପ୍ରେମ ଏମିତି ହୁଏନା । ପ୍ରେମ କିଛି କାମ ନୁହେଁ, ପ୍ରେମ ଏକ ତପସ୍ୟା ପ୍ରେମ କେବଳ ଏକ ଅନୁଭବ । ପ୍ରେମର ଅନୁଭବ କେବଳ ପ୍ରେମ କରି ହିଁ ଜାଣିହୁଏ, କିନ୍ତୁ ତୁମେ ତ କେବେ ପ୍ରେମ କରି ହିଁ ନଥିଲ । ତୁମେ କେବଳ ପ୍ରେମର ଖେଳ ଖେଳି ଥିଲ । ତୁମ ପାଇଁ ପ୍ରେମ, ସତେ ଯେପରି କେଉଁ ଏକ ନାଟକରେ ପ୍ରେମିକା ଭୂମିକାରେ କିଛି କ୍ଷଣର ଅଭିନୟ ଥିଲା ।


ପ୍ରେମ କେମିତି ହୁଏ ସେ କଥା କେହି ଜାଣିନି । ସେ କେମିତି ଗଣିତ, କଣ ତାର ଫର୍ମୁଲା କଣ ସେ କଥା କେହି ଜାଣେନା । ପ୍ରେମ କେବେ ଦେଖି ହୁଏନା, ପ୍ରେମ କାହାକୁ ଦେଖେଇ ହୁଏନା, କେବଳ ପ୍ରେମ କରି ପ୍ରେମକୁ ଅନୁଭବ କରାଯାଇ ପାରେ । ହେଲେ ମୋର ଅବୁଝା ମନ, ଭାରି ମନୁଆ, ତୁମ ପ୍ରେମର ମରୀଚିକାକୁ ଦେଖି ପାଣି ବୋଲି ଭାବି ନେଲା । ମନ ଭାବୁ ଥିଲା ଆଖିର କଥା, ଆଖି ସବୁ ଦେଖେ କାହିଁକି? ଦେଖିକି ବିଶ୍ୱାସ କରେ କାହିଁକି ? କାହିଁକି ଆଖିର ରାସ୍ତା ଖୋଲା ରହି ଯାଏ । ହରିଣୀର ତେରଛା ନଜରର ତୀର ସିଧା ଯାଇ ହୃଦୟକୁ ଘାଇଲା କାହିଁକି କରେ ।


ଆଖି ଦେଖାକୁ ସତ ମଣିବିନି ଯଦି ତେବେ ଦୁନିଆଁ କାହିଁକି କହେ, "ଯାହା ନ ଦେଖିବ ବେନି ନୟନେ, ପରତେ ଯିବନି ଗୁରୁ ବଚନେ" ! କଣ ସତ, କଣ ମିଛ, କିଏ କହି ଦେବ ମୋତେ । ମନ କହୁ ଥିଲା ତାର ସେଇ ପ୍ରଥମ ଦେଖାରେ ପ୍ରେମ ହିଁ ଥିଲା, ଯେବେ ଆଖିରେ ଆଖି ମିଶିଲା ସେତେ ବେଳେ ହୃଦୟ ବୀଣାରେ ଯେଉଁ ଝଙ୍କାର ଶୁଭି ଥିଲା, ସେଇ ତ ପ୍ରେମ ଥିଲା । ତାର ସେଇ ଲାଜୁକି ହସ, ସତେ କହି ଗଲା ସେ ମୋତେ ପ୍ରେମ କରେ । କିନ୍ତୁ ଏତେ ସବୁ ଘଟଣାକୁ କେବଳ ଗୋଟିଏ ଘଟଣା ବୋଲି ମାନି ନେବାକୁ ମନ ପ୍ରସ୍ତୁତ ନଥିଲା । ପ୍ରେମ ଗୋଟାଏ ଘଟଣା ଅବା ଦୁର୍ଘଟଣା କିଛି ବୁଝି ପାରୁ ନଥିଲା ।


ପ୍ରେମ ସତେ ଯେମିତି ଗୋଟାଏ ସମ୍ମୋହନ, ଗୋଟାଏ ସ୍ୱପ୍ନ । ରାତି ପାହି ଯାଏ, ସ୍ୱପ୍ନ ଭାଙ୍ଗି ଯାଏ, ମନ କିନ୍ତୁ ସ୍ଵପ୍ନକୁ ସ୍ୱପ୍ନ ବୋଲି ମାନି ନେଇ ପାରେନା । ସ୍ୱପ୍ନକୁ ସତ ମଣି ନିଏ । ପ୍ରେମ ଗୋଟାଏ ମାୟା, ଆଉ ମନ ସେଇ ମାୟା ମୃଗର ପଛେ ପଛେ ଅଣନିଶ୍ଵାସୀ ହୋଇ ଧାଇଁ ବୁଲେ । ମାୟା ଭଲ ଲାଗେ, କିନ୍ତୁ ମାୟାରୁ ଖସି ଚାଲି ଯିବା ପାଇଁ ବୈରାଗ୍ୟ ବାରମ୍ବାର ହାତ ଠାରି ଡାକେ । ପ୍ରେମର ପଙ୍କରେ ମନ ଯେପରି ଫସି ଯାଇଛି । ଗୋଟିଏ ହାତ ଧରି ମାୟା ଟାଣୁଛି ଅନ୍ୟ ହାତଟିକୁ ବୈରାଗ୍ୟ ଟାଣି ଧରିଛି । ଗୋଟେ ଦିଗରେ ନିରାଶାର କଳା ଅନ୍ଧକାର, ଅନ୍ୟ ଦିଗରେ ଆଶାର ଉଜ୍ଜଳ ଆଲୋକ ।


ମନ ଯାହାକୁ ପ୍ରେମ କରୁଛି, ସେ ଏଇ ମନକୁ ପ୍ରେମ କରେ, କି ନାହିଁ କେହି ଜାଣେନା, କିନ୍ତୁ ଯିଏ ମୋତେ ଭଲ ପାଏ, ମୋତେ ତାର ନିର୍ଭୟ ଅଫୁରନ୍ତ ପ୍ରେମାଲିଙ୍ଗନରେ ସାଉଁଟି ନେବା ପାଇଁ ବାହୁ ପଶାରି ବ୍ୟାକୁଳ ଭାବରେ ଅନାଇ ବସିଛି, ତାର ଆମନ୍ତ୍ରଣକୁ କିପରି ଆଣ ଦେଖା କରି ଦେବି ? ବୈରାଗ୍ୟର ହାତ ଛାଡି ମାୟାର ଘନ ଅନ୍ଧାରରେ ଆଉ ଥରେ କିପରି ବାଟ ବଣା ହୋଇ ଯିବି ? ଅନୁରାଗ ଅପେକ୍ଷା ବୈରାଗ୍ୟ ହିଁ ଶ୍ରେୟଂ ।


ବୈରାଗ୍ୟ ପଚାରିଲା, ପ୍ରେମିକାର ପ୍ରେମ ନପାଇ ତୁମକୁ ଦୁଃଖ ଲାଗୁନି ?


ମନ କହିଲା, ମୋତେ କାହିଁକି ଦୁଃଖ ଲାଗିବ? ମୁଁ ଏମିତି ଜଣକୁ ହରାଇଲି, ଯିଏ ମୋତେ ପ୍ରେମ କରୁ ନଥିଲା । କିନ୍ତୁ ସେ ତାର ଅଜାଣତରେ ଏପରି ଜଣକୁ ହରାଇ ବସିଲା, ଯିଏ ତାକୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉ ଥିଲା, ଦୁଃଖ ତାକୁ ଲାଗିବା କଥା ।


ବୈରାଗୀ ବି ତ ପ୍ରେମିକଟିଏ । ସେ ପ୍ରଭୁ ପ୍ରେମର ଅନୁରାଗୀ- ବୈରାଗୀ ।



Rate this content
Log in

Similar oriya story from Romance