Nityananda Nandi

Classics Inspirational

3  

Nityananda Nandi

Classics Inspirational

ଅନୁରାଗ

ଅନୁରାଗ

6 mins
362



ଠିକ ସ୍କୁଲ ଯିବା ପୂର୍ବରୁ ବାପା କହିଲେ ଗୋଟେ ଖବର ଆସିଛି ! ଗୋଟେ ନିଃଶ୍ୱାସରେ ଅନେକ କଥା କହିବାକୁ ଚାହୁଁଥିଲେ ସେ।


ହଉ ଯା ! ସଂଜରେ କଥା ହେବା...କହି ଗ୍ରିଲ ଭିତରୁ ବନ୍ଦ କରିଦେଲେ ମୋ ବାପା।


ବାପାଙ୍କୁ ଦେଖି ହସିବା ଛଡା କିଛି ଉପାୟ ନ ଥିଲା ମୋ ପାଖରେ। 

ସେଇ ଗୋଟାଏ କଥା, ବାହାଘର ଆଉ ବାହାଘର। ଆଉ କଣ ବୟସ ଅଛି, ବାହା ହେବାକୁ। ଏଇ ମାର୍ଚ୍ଚ ମାସରେ ଚାଳିଶ ପୂରିଲା। ଏକଚାଳିଶ ଚାଲିଛି। ଗାଆଁ ସ୍କୁଲ, ପାଞ୍ଚ ମିନିଟ ରାସ୍ତା ଆମ ଘରଠୁ।


ମୁଣ୍ଡ ବିନ୍ଧୁଛି କହିଲି ପ୍ରଧାନ ଶିକ୍ଷକଙ୍କୁ। ବିଶ୍ରାମ କରିବାକୁ କହିଲେ। ଆଜି ମୋ ପାଇଁ ସେ ଛୁଆଙ୍କୁ ପଢେଇବେ ବୋଲି ପ୍ରତିଶ୍ରୁତି ଦେଲେ। ଭାରି ଶାନ୍ତ ସ୍ୱଭାବର ସେ। ଭାରି ଦୟାଳୁ। ସ୍କୁଲ ଅଫିସ ଘରେ ଧାଡିଏ ଆଲମୀରା ପଛ ପଟକୁ ଲାଗି ଖାଲି ଜାଗା। ଶିକ୍ଷକ ମାନେ ସେଇଠି ବସି ରେଷ୍ଟ ନିଅନ୍ତି। ମୁଁ ଯାଇ ବସିଲି ନିରୋଳାରେ। ପ୍ରଧାନ ଶିକ୍ଷକ ଅନୁରାଗ ବାବୁ ମଝିରେ କେତେବେଳେ ପଶି ଆସି ମୋତେ ଅମୃତାଞ୍ଜନ ଶିଶିଟିଏ ବଢେଇ ଦେଲେ ମୁଁ କିଛି ବୁଝି ପାରିନି। ଅନ୍ୟମନସ୍କ ହୋଇ ଧରି ନେଇଥିଲି ତାଙ୍କ ହାତରୁ। ଠିକ ବିବାହ ପରେ ସ୍ତ୍ରୀଙ୍କୁ ସେ ହରେଇଛନ୍ତି ବୋଲି ଶୁଣିଥିଲି। କେବେ କିଛି ସେ କହିନାହାନ୍ତି ବୋଲି ମୁଁ ବି କେବେ କିଛି ପଚାରିବାକୁ ସାହାସ କରିନି। ଦ୍ୱିତୀୟ ବିବାହ କରି ନାହାନ୍ତି ବୋଲି ମୁଁ ଜାଣିଛି। ଅଫିସ ରୁମରେ କେହି କୁଆଡେ ନ ଥିଲେ ଖଟା ମିଠା ଲଜେନ୍ସ ପକେଟରୁ ବାହାର କରି ମୋତେ ଦିଅନ୍ତି। ନା ସିଗାରେଟ, ନା ପାନ। ଖଟା ମିଠା ଲଜେନ୍ସ ହିଁ ତାଙ୍କ ମୁଖ ରୋଚକ। ମୁଁ ବି କିଛି ନ ଭାବି ଧରି ନିଏ ତାଙ୍କ ହାତରୁ। ଭାରି ସରଳ ସହଜ ମଣିଷ। ନଡ଼ା ଝୁଡ଼ିରୁ ଅଚାନକ କେତେବେଳେ ଫୁଲ ଛତୁ ଅଙ୍କୁରିତ ହୋଇ ସାମ୍ରାଜ୍ୟ ବିସ୍ତାର କରେ ପ୍ରାୟ ଜାଣି ହୁଏନି, ଏତେ ବଡ ପୃଥିବୀରେ ଦୁଇଟି ଅଜଣା ମଣିଷ ଭିତରେ ଚୁମ୍ବକୀୟ ଆକର୍ଷଣ। ସ୍ନେହ, ଶ୍ରଦ୍ଧା ଓ ପ୍ରେମର ବହୁରଙ୍ଗୀ ଫୁଲ ସବୁ ଫୁଟିି ବାର ଆଭାସ ମିଳୁଥାଏ, ଧୀରେ ଧୀରେ। ଅନୁରାଗ ବାବୁଙ୍କ ଅନୁରାଗ ଭିତରେ ଛନ୍ଦି ଛନ୍ଦି ଯାଉଥିଲି ମୁଁ... 


ଭାରି ବିନ୍ଧୁଥିଲା ମୁଣ୍ଡଟା। ଅମୃତାଞ୍ଜନ ବାହାର କରି କପାଳ ଉପରେ ଲେପି ଦେଲି। ବିଶ୍ରାମ ଆଉ ନେବି କଣ ! ଚିନ୍ତାରେ ବୁଡ଼ିଗଲି ମୋ ବାହାଘରକୁ ନେଇ, ମୋ ବାପାଙ୍କୁ ନେଇ। ଅଦିନ ରେ କୋଇଲିର କୁହୁ କୁହୁ ରାବ ଶୁଣିଲେ ଭାରି ଅଶୁଭ ଲାଗେ, ମନ ଭିତରେ ଆଶଙ୍କା ଜନ୍ମନିଏ। ଶରତ ସନ୍ଧ୍ୟାର ଅତି ସ୍ୱଚ୍ଛ ପୂର୍ଣ୍ଣମୀ ଜହ୍ନକୁ ଦେଖିଲେ ଛାତି ଭିତରେ ଦକା ପଶେ, ଡାକେ ଦୂର ପର୍ଯ୍ୟନ୍ତ ଫର୍ଚା ଲାଗେ। ଲାଗେ ଯେମିତି ପାଖ ଗାଆଁ ପୋଖରୀ ବନ୍ଧରେ କେହି ଜଣେ ବସିଛି। ମୋ ବାପାଙ୍କଠୁ ଅଚାନକ କିଛି ପ୍ରସ୍ତାବ ପାଇଲେ ମନଟା କାହିଁକି କେଜାଣି ବାଷ୍ପୀଭୂତ ହୋଇଯାଏ ଭୟରେ, ଆଶଙ୍କାରେ, ଯେମିତି କିଛି ଗୋଟାଏ ଅଘଟଣ ଘଟିଯିବ।    


ବାପା ଅମିନ ଥିଲେ, ଜମି ବାଡ଼ି ମାପରେ ଭାରି ଧୁରନ୍ଦର। ଯୁବକ ଅବସ୍ଥାରେ ଭାରି ପରିଶ୍ରମୀ ଥିଲେ ମୋ ବାପା। ସକାଳୁ ସଂଜ ଯାଏ ଜମି ମପା ମପିରେ ବ୍ୟସ୍ତ ରହନ୍ତି। ବେଶି ନ ହେଲେ ବି ମୋ ବାପାଙ୍କ ରୋଜଗାର ଠିକଠାକ୍ ଥିଲା ।

ଅଳ୍ପ ବୟସରୁ ବାପା ଏତେ ଚାଲିଥିଲେ ଯେ ହଠାତ ଦିନେ ଆଣ୍ଠୁ ରେ ଯନ୍ତ୍ରଣା ହେଲା। ଡାକ୍ତର କହିଲେ ତାଙ୍କୁ ଯଥେଷ୍ଟ ବିଶ୍ରାମ ଦରକାର। ତା ନ ହେଲେ ନି ରିପ୍ଲେସମେଣ୍ଟ ବି ଦରକାର ହୋଇପାରେ। ଅଯଥାରେ ଦୁଇ ଲକ୍ଷ ଲାଗିବ। ଭଗ୍ୟଭଲ, ସେତେବେଳକୁ ମୁଁ ଚାକିରୀ ପାଇ ଯାଇଥିଲି, ଆମ ଗାଁ ସ୍କୁଲରେ। 

ବାପାଙ୍କୁ କହିଲି ଆଜିଠୁ ରେଷ୍ଟ୍, ଘର କଥା ମୁଁ ବୁଝିବି। ତାଙ୍କ ଜମି ମପା ଚେନକୁ ବାନ୍ଧି ବାକ୍ସ ଭିତରେ ଲୁଚେଇ ଦେଲି। । ମୋ ହାତ ଧରି ଗାଆଁ ଦାଣ୍ଡରେ ଚାଲିବା ଠାରୁ ଆରମ୍ଭ କରି ଅସଂଖ୍ୟ ଜମି ବାଡ଼ିର ହୁଡା ଉପରେ ଏପାଖରୁ ସେପାଖ, ସେପାଖରୁ ଏ ପାଖ ପର୍ଯ୍ୟନ୍ତ ଧାଇଁ ଧାଇଁ କ୍ଳାନ୍ତଶ୍ରାନ୍ତ ମୋ ବାପା। ଆଜି ସେ ଅସହାୟ, ନିରୁପାୟ। ଚାଲିବାକୁ କଷ୍ଟ ହେଉଛି। ପରସ୍ତ ପରସ୍ତ ହୋଇ ଚମଡା ସବୁ ତାଙ୍କର ଅସଂଖ୍ୟ ପାଦ ଚିହ୍ନରେ ମିଳେଇ ଯାଇଛି। କେତେ ରକ୍ତ ଯେ ବହିଥିବ ତାଙ୍କର କ୍ଷତ ବିକ୍ଷତ ପାଦରୁ। କାହିଁକି କେଜାଣି ଇଚ୍ଛା ହେଲାନି, ବାପା ଆଉ କଷ୍ଟ ପାଆନ୍ତୁ ବୋଲି।


ବଡ ଭାଇ କଥା ନା ଆମ ଘରେ ଆଲୋଚନା ହୁଏ, ନା ମୁଁ ଚିନ୍ତା କରେ ତାଙ୍କ ବିଷୟରେ। ଘର ଜୁଇଁଆ ହୋଇ ମୁମ୍ବାଇରେ ଅଛନ୍ତି ଶ୍ଵଶୁର ଘରେ, ସେଇ ସର୍ତ୍ତରେ ସେ ବାହା ହୋଇଥିଲା ଝିଅଟିକୁ। ଭାଇ ଭାରି ହେଣ୍ଡସମ୍ ଥିଲା ଦେଖିବାକୁ। ଆଇସିଆଇସିଆଇ ବ୍ୟାଙ୍କ୍ ମେନେଜର ହିସାବରେ ଜଏନ କରିଥିଲା ସେ ମୁମ୍ବାଇରେ। ହଠାତ ଦିନେ କଷ୍ଟମର ହୋଇ ଆସିଥିବା ଝିଅଟିକୁ ମନ ଦେଇ ବସିଲା। ଜିଲ୍ଲା ଜଜଙ୍କ ଝିଅ। ବିବାହ ପାଇଁ ଅନେକ ସର୍ତ୍ତ ରଖିଲେ ଝିଅର ବାପା। ଭାଇ ରାଜି ହୋଇଗଲା। ସ୍ଵାଭାବିକ ସେ ଆଉ ଗାଆଁ କୁ ଆସେନି। ଜେନେରେସନ୍ ଗ୍ୟାପ। ଅମିନ କୋଉଠି ଓ ଜିଲ୍ଲା ଜଜ୍ କୋଉଠି !! କେତେ ଆଲୋକବର୍ଷର ତଫାତ ବୋଧେ ଦୁହିଁଙ୍କ ଭିତରେ। ସେଇଥିପାଇଁ ବୋଧେ ବାପା ବୋଉଙ୍କୁ ମୁଁ ଛାଡି ପାରୁନି। ବାପା ମୋତେ ବହୁତ ଭଲ ପାଆନ୍ତି..


କିଛି ପର୍ବ ପର୍ବାଣୀ ଥିଲା ସେଦିନ, ଠିକ୍ ମନେ ନାହିଁ। ପ୍ରଧାନ ଶିକ୍ଷକ ସଅଳ ଯିବା ପାଇଁ ଅନୁମତି ଦେଲେ ସବୁ ମହିଳା ଶିକ୍ଷକ ଙ୍କୁ । ଘରକୁ ଫେରୁଥାଏ । ଟିକିଏ ଦୂରରୁ ଦେଖିଲି ବାପା ଛୋଟେଇ ଛୋଟେଇ ଘରକୁ ଫେରୁଥାନ୍ତି, ଝାଳନାଳ ହୋଇ। ସେ ଜାଣି ନ ଥିଲେ ଯେ ମୁଁ ଏତେ ଶୀଘ୍ର ସ୍କୁଲରୁ ଫେରି ଆସିବି। ତାଙ୍କ ବେଗ ଭିତରେ ଜମି ମାପା ଚେନ ଦେଖି ମୁଁ ଚିତ୍କାର କଲି। ବାପା ! ଡାକ୍ତର କଣ କହିଥିଲେ। ବିଶ୍ରାମ ନେବାକୁ ନା..

ବୋଉ ଗେଟ ପାଖକୁ ଆସି ମୋ ହାତ ଧରି କହିଲା " କାଲି ତୋ ଜନ୍ମ ଦିନ ତ, ଉପହାର କିଣିବେ ତୋ ପାଇଁ। ଝିଅ ପାଇଁ ଝିଅ ପଇସାରେ କଣ ଉପହାର କିଣାଯାଏ, ଚୁପ୍ ହୋଇଯିବାକୁ ବାଧ୍ୟ ହେଲି। ବାପା ଛୋଟେଇ ଛୋଟେଇ ଜମି ମାପିବାକୁ ଗଲେ କିଛି କିଣିବେ ବୋଲି ମୋ ଜନ୍ମଦିନ ପାଇଁ। ସ୍ନେହ କଣ ସରେନି ବୟସ ବଢିଲେ, ନଦୀ ପରି ବହୁ ବର୍ଷୀୟ ଏଇ ସ୍ନେହର ଯୋଜନା। ଗ ଙ୍ଗୋତ୍ରି ପରି ପୁଣ୍ୟ ଆଉ ପବିତ୍ର ବାପା ବୋଉଙ୍କ ସ୍ନେହର ଉତ୍ସଟି। ଯେତେ ବହିଲେ ବି ଜମାରୁ ସରେନି।  

ମୋ ଜନ୍ମଦିନ ପାଇଁ ଉପହାର କିଣିବାର ଇଚ୍ଛା ଆଉ ଛୋଟେଇ ଛୋଟେଇ ଜମି ମାପିବାର ପ୍ରବଳ ଇଚ୍ଛା ଭିତରେ ସ୍ନେହଭରା ଅନେକ ମାନଚିତ୍ର ଆଙ୍କିଯାଏ ଅଜାଣତରେ..ଧନ୍ୟ ମୋ ବାପା।


ବାପା ବୋଉ ଦୁହେଁ ବରିଷ୍ଠ ନାଗରିକ ବର୍ତ୍ତମାନ। ଗତ ପନ୍ଦର ବର୍ଷରେ ଅନେକ ବିବାହ ପ୍ରସ୍ତାବ ନେଇ ଆସିଛନ୍ତି ମୋ ବାପା ମୋ ପାଇଁ। ମୁଁ ବାହା ହୋଇ ଯାଇଥିଲେ ବାପା ବୋଉଙ୍କ କଥା କିଏ ବୁଝିବ। କାଇଦା କସରତ କରି ସବୁ ବିବାହ କୁ ମୁଁ ନିଜେ ଭାଙ୍ଗିଛି, ବାପା ଜାଣି ନାହାନ୍ତି ଏ ସବୁ କଥା। ସେ ତାଙ୍କ ଭାଗ୍ୟକୁ ଦୋଷ ଦେଇ ଚାଲିଛନ୍ତି ନିରନ୍ତର ଭାବରେ। ଯେତିକି ମାଟି ସେ ସମତୁଲ କରନ୍ତି ପ୍ରତିଦିନ, ସେତିକି ମାଟି ମୁଁ ପୁଣି ଥରେ କୋଡିଦିଏ ତାଙ୍କ ଅଜାଣତରେ। ପ୍ରତିଦିନ ଅଡୁଆ ସୂତାକୁ ମନ ଦେଇ ଖୋଲନ୍ତି ସେ, ପୁଣି ଥରେ ମୁଁ ଛନ୍ଦିଦିଏ ସୂତାର ଖିଅକୁ। ସେ ଜାଣି ପାରନ୍ତି ନାହିଁ। କିଛି କଷ୍ଟକୁ ହଜମ କରିବା ପାଇଁ ନୂଆ କିଛି ରାସ୍ତା ଖୋଜି ନେବାକୁ ହୁଏ। ଜୀବନ ଜିଁବା କଣ ଏତେ ସହଜ !! ଜିତୁ ଜିତୁ ହାରିଲେ ବି ବେଳେ ବେଳେ କାହିଁକି କେଜାଣି ମଜା ଲାଗେ ମୁଁ ବୁଝିନି ଆଜି ପର୍ଯ୍ୟନ୍ତ ।


ଆଜି ବାପାଙ୍କୁ ସବୁ କଥା ବୁଝେଇ ଦେବି। ମନଭିତରେ କଷ୍ଟ ପାଇବାର ପରିସମାପ୍ତି ଘଟୁ।


ଘରକୁ ଫେରି ତୁଳସୀ ଚଉରା ଆଗରେ ପ୍ରଦୀପ ଜଳେଇଲି, ଶଙ୍ଖ ବଜେଇଲି ତିନି ଚାରିଥର।

ବୋଉ ଆଉ ଆଗ ପରି ଶଙ୍ଖ ବଜେଇ ପାରେନି। ବାପା ବୋଉ ବାରଣ୍ଡାକୁ ଲାଗିଥିବା ଘର ଭିତରେ ବସିଥିଲେ। ପ୍ରତିଦିନ ପରି ବାପା ବୋଉକୁ ପାଦରୁ ଜୁହାର କଲି।

ବାପା କହିଲେ ସ୍ନେହା ଟିକିଏ ବସିଲୁ !

ଖାଲି ଥିବା ଚେୟାର ଉପରେ ବସିଲି। ତୋ ସ୍କୁଲର ପ୍ରଧାନ ଶିକ୍ଷକ ଅନୁରାଗ ବାବୁ, ତାଙ୍କର ପ୍ରଥମ ସ୍ତ୍ରୀ ମରିଯାଇଛନ୍ତି, ଦ୍ୱିତୀୟ ବିବାହ କରିବେ। ଖେଳ ଶିକ୍ଷକ ମାଳତୀ ହାତରେ ଖବର ପଠେଇଛନ୍ତି ଅନୁରାଗ ବାବୁ, ତୋ ପାଇଁ।

ଦୀର୍ଘ ନିଃଶ୍ୱାସ ମାରି ଚୁପ୍ ରହିଲି। ଆଦୌ ଖରାପ ଲାଗିଲାନି ଯେ ଦ୍ୱିତୀୟ ବିବାହର ପ୍ରସ୍ତାବ ନେଇ ବରଟିଏ ଆଗେଇ ଆସିଛି , ସେ ପୁଣି ମୋର ପ୍ରଧାନ ଶିକ୍ଷକ। ମନ ଭିତରେ କିନ୍ତୁ ବାର ବାର ହାରି ଯାଇଥିବା ଗୋଟାଏ ଅସହାୟ ବାପାଙ୍କୁ ଦେଖୁଥିଲି, ଜୀବନର ଅଙ୍କା ବଙ୍କା ରାସ୍ତାରେ ପରିତ୍ୟକ୍ତ ଏକ ମାଇଲ ଖୁଣ୍ଟ ଉପରେ ବସି ବାର ବାର ଅଣନିଶ୍ୱାସୀ ହେଉଥିବା ଜଣେ ବୃଦ୍ଧ ବାପାଙ୍କ ଛାତି ଭିତର ଯନ୍ତ୍ରଣା ମାପୁଥିଲି। ଯେମିତି ହେଉ ମୋତେ ଥଇଥାନ କରିବାର ତାଙ୍କ ଇଚ୍ଛା ଭିତରେ ସଂଘର୍ଷର ତୀବ୍ରତମ ସ୍ୱରକୁ ମୁଁ ଅନୁଭବ କରୁଥିଲି ଅତି ପାଖରୁ।


କାନ୍ଥରେ ଟଙ୍ଗା ହୋଇଥିବା ଭେନିଟ ବେଗ ଭିତରୁ ପୁରୁଣା ଡାଇରୀ ଟିଏ ବାହାର କରି ବାପାଙ୍କୁ ଦେଖେଇଲି।

ବାପା ! ଏଇଟା ତମ ପୁରୁଣା ଡାଇରୀନା ...

ପ୍ରଥମ ପୃଷ୍ଠାରେ କଣ ଲେଖିଛ ????? 

" ହେ ଭଗବାନ ! ମୋର ଦ୍ୱିତୀୟ ସନ୍ତାନ ବି ପୁଅଟିଏ ହେଉ"

ଯେତେ ବେଳେ ତମର ଏଇ ଡାଇରୀ ମୁଁ ପାଇଥିଲି, ସେତେବେଳେ ମୁଁ ଦଶମ ଶ୍ରେଣୀରେ ପଢୁଥାଏ ବାପା। ପ୍ରଥମେ ତ ମନଟା ଭାରି ବିଷାକ୍ତ ହୋଇଗଲା। ଯଦି ମୋର ଆବଶ୍ୟକତା ନାହିଁ, ତେବେ ଏଇ ଜୀବନଟାକୁ ରଖି ଲାଭ ବା କଣ !!!! ଆତ୍ମହତ୍ୟା କରିବା ଗୋଟାଏ ବିକଳ୍ପ ରୂପେ ଛିଡା ହେଲା ମୋ ଆଗରେ । ବାପା ! ସମ୍ଭବ ହେଲାନି, ମରିବା କଣ ଏତେ ସହଜ। ଭାବିଲି, ଯେଉଁ କାରଣରୁ ବାପା ପୁଅ ଚାହୁଁଥିଲେ, ମୁଁ ଯଦି ତାଙ୍କ ଇଚ୍ଛାକୁ ସମ୍ପୂର୍ଣ୍ଣ କରିପାରେ, ସେ କଣ ଖୁସି ହେବେନି। ସେଇଥି ପାଇଁ ସବୁ ବାହାଘରକୁ ମୁଁ ନିଜେ ଜାଣି ଶୁଣି ଭାଙ୍ଗି ଦେଇଛି, ଆପାତତଃ ତମ ପାଖରେ ପୁଅଟିଏ ହୋଇ ରହିବି ବୋଲି। ଏ ପ୍ରସ୍ତାବରେ ବି ମୁଁ ରାଜି ନୁହେଁ ବାପା। ହଁ, ମୁଁ ଯଦି ବାହା ହୋଇ ପର ଘରକୁ ଚାଲିଯାଏ, ତମ ଦୁହିଁଙ୍କ କଥା କିଏ ବୁଝିବ ?? ଔଷଧ ପତ୍ର, ରୋଷେଇ ବାସ ଅନେକ କିଛି। ବୋଉ କଣ ଆଉ ପାରୁଛି.. ?? ଭାଇ ଆଉ କଣ ଆସିବ ଭାବୁଛ ! ପୁଅ ଚାହୁଁଥିଲ ନା...। ଆପାତତଃ ମୋତେ ପୁଅ ହିସାବରେ ଭାବୁନ କାହିଁକି ? 


ବାପା ! ଏହାପରେ ଆଉ କିଛି ପ୍ରସ୍ତାବ ଆଣିବନି ପ୍ଲିଜ୍। ବଂଶ ରକ୍ଷା କଥା ଭାବୁଛ ତ ? ଭାଇର ପରା ପୁଅ ଆଉ ଝିଅ ହେଲେଣି। ସ୍ଵାମୀ ସୁଖ ପାଇଲିନି ସିନା, ପ୍ରତିବଦଳରେ ଭରପୁର ପିତୃ ମାତୃ ସୁଖ ପାଉଛି ନା...


ବାପା, ବୋଉଙ୍କ ଆଖିରେ ଲୁହ ଦେଖି ମୁଁ ନିଜକୁ ଆଉ ସମ୍ଭାଳି ପାରିଲି ନାହିଁ। ଦୁଇ ଜଣଙ୍କୁ କୋଳେଇ ବସି ପଡ଼ିଲି ଖଟ ଉପରେ..

ବାପା କହିଲେ, ଅନୁରାଗ କହିଛନ୍ତି, ସେ ତୋତେ ବହୁତ ଭଲ ପାଆନ୍ତି। ବିବାହ ପରେ ବି ତୁ ଆମ ଘରେ ରହିବୁ ବୋଲି ରାଜି ଅଛନ୍ତି ସେ । ନା ସେ ବିରୋଧ କରୁଛନ୍ତି ନା ବିରୋଧ କରିବା ପାଇଁ କେହି ଅଛନ୍ତି ତାଙ୍କ ଘରେ, ତାଙ୍କ ଗାଆଁରେ !!

ଚୁପ୍ ରହିଲି, ଭେନିତ୍ ବେଗଟି ଖଟ ତଳକୁ ଖସି ପଡିଲା। ମୋ ହାତ ବାଜିଗଲା ବୋଧେ। ଅନୁରାଗ ବାବୁ ଦେଇଥିବା ଦୁଇ ତିନୋଟି ଖଟା ମିଠା ଲଜେନ୍ସ୍ ବିଛୁଡି ହୋଇ ପଡ଼ିଲା ଏଣେ ତେଣେ। କେତେ ସ୍ନେହ ବୋଳା ଲଜେନ୍ସ ସବୁ। କଥାଟି ମୋତେ ନ କହି ଅନୁରାଗ ବାବୁ ବାପାଙ୍କୁ କହିଲେ କାହିଁକି ? ସଂସ୍କୃତି ନା ସଂସ୍କାର !! ବାପାଙ୍କୁ ଥରେ ଅନେଇଲି, ବୋଉକୁ ଥରେ।

ବାପା ହସିଦେଲେ...

ଝର୍କା ଦେଇ ଗନ୍ଧରାଜ ଫୁଲର ବାସ୍ନା ଭିତରକୁ ପଶି ଆସୁଥିଲା ରଚକାଏ ପବନ ସାଥିରେ...


  



Rate this content
Log in

Similar oriya story from Classics