ଅନୁଭୁତି – ୧୪ ( ଅହଂ )
ଅନୁଭୁତି – ୧୪ ( ଅହଂ )


ଅନେକ ଦିନ ତଳର କଥା। ମୋର ପୋଷ୍ଟିଂ ହେଲା ଗୋଟିଏ ବ୍ଲକର ବିଡିଓ ଭାବରେ। ମୁଁ ଏହା ପୂର୍ବରୁ ଦୁଇଟି ବ୍ଲକରେ ବିଡିଓ ଭାବରେ କାମ କରି ସାରିଥାଏ । ତେଣୁ ମୋର ଏହି ସଦ୍ୟତମ ନିଯୁକ୍ତି ପାଇଁ ମୋର କିଛି ଚିନ୍ତା କରିବାର ନଥିଲା। ମୁଁ କାର୍ଯ୍ୟରେ ଯୋଗଦେବା ପାଇଁ ଯାଇ ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଲି। ମୁଁ ଯେତେବେଳେ ଜିଲ୍ଲାପାଳଙ୍କର କୋଠରି ଭିତରକୁ ପଶିବାକୁ ଯାଉଛି ସେତେବେଳେ ଜିଲ୍ଲପାଳଙ୍କ ବ୍ୟକ୍ତିଗତ ସହକାରୀ ଓ ଅର୍ଦ୍ଦଳୀ ଏକା ସ୍ବରରେ ଚିତ୍କାର କରି ଉଠିଲେ ଓ ଅର୍ଦ୍ଦଳୀ ମହୋଦୟ କାଳ ବିଳମ୍ବନକରି ମୋ ଡେଣାଟି ଭିଡିଧରି ଜିଲ୍ଲାପାଳଙ୍କ କୋଠରି ଦୁଆର ମୁହଁରୁ ବସ୍ତୁତଃ ଘୋସାଡି ଆଣିଲେ। ମୁଁ ଯାହା ଜାଣିଲି ମୋର ଦୋଷ ହେଲା ଜିଲ୍ଲାପାଳଙ୍କୁ ଦେଖା କରିବାର ଯେଉଁ ପଦ୍ଧତି ସେହି କର୍ଯ୍ୟାଳୟରେ ଅନୁସୃତ ଥିଲା ମୁଁ ସେହି ଅନୁସାରେ ଜିଲ୍ଲାପାଳଙ୍କ କକ୍ଷ ଭିତରକୁ ଯାଉ ନଥିଲି। ମୋର ଏ ଦୂରାବସ୍ଥା ପରେ ମୁଁ ବ୍ୟକ୍ତିଗତ ସହକାରୀଙ୍କୁ ମୋର ପରିଚୟ ଦେବାକୁ ଉଚିତ୍ ମନେ କଲିନି । କେବଳ ମୋର ନାମ ଏବଂ କେଉଁଠାରୁ ଆସିଛି ଲେଖି ଏକ ଚିର୍କୁଟ ତାଙ୍କୁ ବଢେଇ ଦେଲି। ମୋତେ ସେହି କୋଠରି ବାହାରେ ପଡିଥିବା ଏକ ଭଙ୍ଗା ଚଉକିରେ ବସି ଅପକ୍ଷା କରିବାକୁ କୁହାଗଲା ।
ପ୍ରାୟ ଏକ ଘଣ୍ଟା ଅପେକ୍ଷା କରିବା ପରେ ମୋତେ ଜଣେଇ ଦିଆଗଲା କି ଜିଲ୍ଲାପାଳ ଅନ୍ୟ କାମରେ ବ୍ୟସ୍ତ ଥିବାରୁ ସେଦିନ ସାକ୍ଷାତ ସମ୍ଭବ ନୁହେଁ । ମୁଁ ଫେରି ଆସିଲି । ମୁଁ ଯେହେତୁ ସେହି ସହରରେ ନୂଆ ଥିଲି କୋଉଠି ରାତି କଟେଇବି ଜାଣି ପାରିଲିନି । ଜଣେ ସାଙ୍ଗକୁ ଫୋନ କଲି । ସେ ମୋତେ ପ୍ରଚୂର ଗାଳି ଦେଲା। କହିଲା ସିଧା ତ ବ୍ଲକକୁ ଯାଇ କାର୍ଯ୍ୟଭାର ଗ୍ରହଣ କରି ଥାଆନ୍ତୁ ସେଠିକି କାହିଁକି ଯାଇଥିଲୁ। ମୋର ଯିବାର କାରଣ ସମ୍ପର୍କରେ ମୁଁ ଆଉ ତା ସହିତ କିଛି ଆଲୋଚନା ନକରି ପଚାରି ବୁଝି ଗୋଟିଏ ପାଖ ହୋଟେଲକୁ ଯାଇ ପହଞ୍ଚିଲି। ରାତ୍ରି ଯାପନର ବ୍ୟବସ୍ଥା ହେଇଗଲା ପରେ ମୁଁ ଟିକିଏ ଆଶ୍ବସ୍ତ ହେଲି।
ପରଦିନ ସକାଳୁ ସକାଳୁ ମୁଁ ପ୍ରସ୍ତୁତ ହୋଇ ଜିଲ୍ଲାପାଳଙ୍କର ଆବାସିକ କାର୍ଯ୍ୟାଳୟକୁ ଗଲି । ସେଠି ମଧ୍ୟ ସେହି ଅବସ୍ଥା। ସେଠି ଅବସ୍ଥାପିତ ଅର୍ଦ୍ଦଳୀ ମୋତେ ବୁଝେଇବାକୁ ଲାଗିଲେ କି ଜିଲ୍ଲାପାଳ କାହାରିକୁ ଆବାସିକ କାର୍ଯ୍ୟାଳୟରେ ସାକ୍ଷାତ କରନ୍ତି ନାହିଁ । ତେଣୁ ତାଙ୍କର ଉପଦେଶ ହେଲା ମୁଁ ବରଂ ସଦର ମହକୁମା କାର୍ଯ୍ୟାଳୟକୁ ଚାଲିଯିବା ଉଚିତ୍। ସତ କହିଲେ ମୁଁ ପୁନର୍ବାର ସେହି କାର୍ଯ୍ୟାଳୟକୁ ଯିବାକୁ ଇଚ୍ଛା କରୁ ନଥିଲି। ମୁଁ ସେହି ଅର୍ଦ୍ଦଳୀଙ୍କୁ ଅନୁରୋଧ କଲି ମୋ ଆସିବା କଥା ଜିଲ୍ଲାପାଳଙ୍କୁ ଜଣେଇବାକୁ। ସେ ମୋତେ ଫେରିଯିବାକୁ ବାଧ୍ୟ କରୁଥିବାରୁ ମୁଁ ଟିକିଏ ଉଚ୍ଚ ପାଟିରେ ଜିଲ୍ଲାପାଳଙ୍କୁ ଶୁଣେଇଲା ପରି ବଡପାଟିରେ କହିଲି। ଜିଲ୍ଲାପାଳ ହୁଏତ ଶୁଣି ପାରିଲେ ମୋ ପାଟି। ସେ ବାହାରକୁ ଆସି ମୋ ସହିତ କଥା ହେଲେ ଏବଂ ଅର୍ଦ୍ଦଳୀ ମହୋଦୟଙ୍କୁ ବିରକ୍ତ ହେଲେ ।
ମୁଁ ଶୁଣିଥିଲି ନିର୍ବାଚନ ପାଇଁ ଖୁବ୍ କମ ସମୟ ଥିବାରୁ ଜିଲ୍ଲାପାଳ କୌଣସି ନୂଆ ଅଧିକାରୀଙ୍କୁ ସେହି ବ୍ଲକରେ ଯୋଗଦେବାକୁ ଅନୁମତି ଦେଉ ନଥିଲେ । ମୁଁ ମୋର କଥାବର୍ତ୍ତା ସମୟରେ ସ୍ପଷ୍ଟ ଭାବରେ ତାଙ୍କୁ ସେ ବିଷୟରେ ପଚାରି ନେବାକୁ ଉଚିତ୍ ମନେ କଲି। ଜିଲ୍ଲାପାଳ ମୋତେ କାର୍ଯ୍ୟଭାର ଗ୍ରହଣ କରିବାକୁ ଅନୁମତି ଦେଲେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଛି ସମୟ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦେଲେ। ମୁଁ କାର୍ଯ୍ୟାଳୟରେ ପହଞ୍ଚିବାର କିଛି ସମୟ ପରେ ଜିଲ୍ଲାପାଳ ପହଞ୍ଚିଲେ ଓ ତାଙ୍କ ସହିତ ତାଙ୍କ କୋଠରି ଭିତରକୁ ଯିବାକୁ ଇସାରା ଦେଲେ। ପୁଣି ସେହି ଅର୍ଦ୍ଦଳୀ ଆସି ମୋ ଡେଣା ଭିଡିବାକୁ ଲାଗିଲେ । ମୁଁ କିନ୍ତୁ ଏଥର ତାଙ୍କୁ ଛିଞ୍ଚାଡି ଦେଇ ଜିଲ୍ଲାପାଳଙ୍କ କୋଠରି ଭିତରକୁ ପଶିଲି। ଜିଲ୍ଲାପାଳ ଅର୍ଦ୍ଦଳୀଙ୍କର ବ୍ୟବହାର ସହିତ ମୋ ଆଚରଣକୁ ଦେଖିପାରିଥିଲେ। ସଙ୍ଗେ ସଙ୍ଗେ ସେ ତାଙ୍କର ବ୍ୟକ୍ତିଗତ ସହାୟକଙ୍କୁ ଡାକି ମୋତେ ପରିଚୟ କରିଦେବା ସହିତ ତାଙ୍କର କୋଠରି ଭିତରକୁ ମୋ ଅବାଧ ପ୍ରବେଶ ପାଇଁ ନିର୍ଦ୍ଦେଶ ଦେଲେ।
ଚାକିରୀ ସମୟରେ ମୁଁ ଅଧିକାଂଶ ସମୟ ଜିଲ୍ଲାମାନଙ୍କରେ କାଟିଛି । ମୁଁ ଅନୁଭବ କରିଛି ଯେ ଜିଲ୍ଲାର ଜିଲ୍ଲାପାଳ ଯେତେବେଳେ ଭାବି ନିଅନ୍ତି ଯେ ସେ ହେଉଛନ୍ତି ତାଙ୍କ ସାମ୍ରାଜ୍ୟର ସମ୍ରାଟ ଏବଂ ସମସ୍ତ ଅଧସ୍ତନ କର୍ମଚାରୀ ତାଙ୍କର ଗୁଲାମ ସେତେବେଳେ କାର୍ଯ୍ୟାଳୟ ଭିତରେ ଏତାଦୃଶ ଘଟଣା ଘଟେ। ମୋ ସହିତ ଘଟିଥିବା ସେଦିନର ଏହି ଘଟଣାଟି ଆଖି ପିଛୁଳାକେ ସାରା ଜିଲ୍ଲାର ଅଧିକାରୀମାନଙ୍କ ଭିତରେ ପ୍ରଚାରିତ ହେଇ ସାରିଥିଲା। କାଁ ଭାଁ ନେତା ମଧ୍ୟ ନିଜର ଭୃକୁଞ୍ଚନ କରି ମୋ ଆଚରଣକୁ ତର୍ଜମା ଆରମ୍ଭ କରି ସାରିଥାଆନ୍ତି। ଏହା ଭିତରେ ଜିଲ୍ଲାପାଳଙ୍କର ବ୍ୟକ୍ତିଗତ ସଚିବ ମୋର କାର୍ଯ୍ୟଭାର ଗ୍ରହଣ କରିବା କଥା ବ୍ଲକ ଅଫିସ୍ କୁ ଜଣେଇ ଦେଇଥାଆନ୍ତି। ତେଣୁ କିଛି ସମୟ ଅପେକ୍ଷା କରିବା ପରେ ବ୍ଲକରୁ ଜଣେ ଅଧିକାରୀ ସରକାରୀ ଗାଡି ସହିତ ଆସି ପହଞ୍ଚିଲେ ମୋତେ ବାଟ କଢେଇ ନେବାପାଇଁ ଓ ଅଳ୍ପ କିଛି ସମୟ ପରେ ମୁଁ ମୋ ନିଜ କାର୍ଯ୍ୟାଳୟକୁ ଯିବାକୁ ପ୍ରସ୍ତୁତ ହେଲି।
ସାମାନ୍ୟ ସରକାରୀ ଔପଚାରିକତା ସାରି ମୁଁ ବସ୍ତୁତଃ ବ୍ଲକର ଦାୟୀତ୍ବ ଗ୍ରହଣ କଲି। ମୁଁ ଦେଖିଲି ଅଫିସ୍ର କର୍ମଚାରୀମାନେ ମୋତେ ବହୁତ ସନ୍ଦେହ ଆଖିରେ ଦେଖୁଥାଆନ୍ତି। ମୋ ମନରେ ଆସୁଥିଲା ପ୍ରଥମ ଦିନରେ ସେମାନେ ବା କେମିତି ମୋତେ ବିଶ୍ବାସ କରି ପାରନ୍ତେ । ତେଣୁ ମୁଁ ସମସ୍ତନୁ ଟିକିଏ ସହଜ କରେଇବାକୁ ମୋର ପ୍ରୟାସ ଜାରି ରଖିଲି। ଯେଉଁ ଅଧିକାରୀ ମୋତେ ପାଛୋଟି ଆଣିବାକୁ ସୁଦୂର ସଦର ମହକୁମାକୁ ଯାଇଥିଲେ ତାଙ୍କରି ଠାରୁ ଜାଣିଲି ଯେ ମୋ ବିଷୟରେ ଟିକିନିକି ଖବର ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ସହାୟକଙ୍କ ଜରିଆରେ ଦେବାପାଇଁ ତାଙ୍କୁ ନିର୍ଦ୍ଦେଶ ରହିଥିଲା। ତେଣୁ କର୍ମଚାରୀ ମାନେ ଦ୍ବନ୍ଦରେ ପଡି ହତବାକ୍ ଭାବେ ଠିଆ ରହିଥିଲେ। ଏଥିରେ ଆଶ୍ଚର୍ଯ୍ୟ ହେବାର ନଥିଲା। ବ୍ଲକ ଅଫିସ୍ରେ ଯିଏ ଚାକିରୀ କରିଥିବେ ସେମାନେ ଅବଶ୍ୟ ଜାଣିଥିବେ ଯେ ସେଠି କେହି କାହାର ସାଙ୍ଗ ସଥୀ କି ଭାଇ ବନ୍ଧୁ ନୁହନ୍ତି । ପରସ୍ପରର ଗୋଛି କାଟି ଦେବାକୁ ସମସ୍ତେ ସବୁବେଳେ ପ୍ରସ୍ତୁତ।
କିଛି ସମୟ ପରେ ମୁଁ ପାଖରେ ରହିଥିବା ଅଭ୍ୟର୍ଥନା ଗୃହକୁ ଯାଇ ମୋର ଦ୍ବିପହରର ଖାଇବା ପାଇଁ ପ୍ରସ୍ତୁତ ହେଲି । ଦେଖିଲି କିଛି ଲୋକ ଆସି ମୁଖ୍ୟ ଦରଜା ପାଖରେ ଠିଆ ହେଲେ ଓ ମୋ ପାଇଁ ଖାଇବା ପରସି ଦେଇ ଫେରି ଯାଉଥିବା ମୋର ଜଣେ ସହକର୍ମୀଙ୍କୁ ନିର୍ଦ୍ଦେଶ ଦେଲେ ମୋତେ ଡାକିବା ପାଇଁ । ମୁଁ ସେ ସବୁକୁ ଅଣଦେଖା କରି ମୋର ଖାଇବା ଆରମ୍ଭ କଲି। ଅଳ୍ପ ସମୟ ପରେ ଦୁଇ ଜଣ ମୋ କୋଠରି ଭିତରକୁ ପସି ଆସି ମୋତେ ପ୍ରଶ୍ନ କଲେ ଯେ ମୁଁ କାହିଁକି ସେ ଡାକିବା ମାତ୍ରେ ବାହାରକୁ ଗଲି ନାହିଁ। ଯାହା ହେଉ ସେମାନେ ନିଜ ପରିଚୟ ଅତି ଶିଘ୍ର ଦେଇଦେଲେ କି ସେମାନଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ସାଂସଦଙ୍କର ଜ୍ବାଇଁ ଏବଂ ଅନ୍ୟ ଜଣେ ସାଂସଦଙ୍କର ସ୍ଥାନୀୟ ପ୍ରତିନିଧି। ପରେ ମୁଁ ଜାଣିଲି ଯେ ସାଂସଦଙ୍କ ଜ୍ବାଇଁ ସେହି ବ୍ଲକରେ ଜଣେ ପ୍ରାଥମିକ ଶିକ୍ଷକ ଯିଏ ଶିକ୍ଷକତା କମ କରନ୍ତି କିନ୍ତୁ ରାଜନୀତି ଅଧିକ କରନ୍ତି । ସ୍କୁଲକୁ ଯାଆନ୍ତି ନାହିଁ । ବ୍ଲକର ଛୋଟଛୋଟ ଠିକାଦାରୀ କରନ୍ତି। ସେମନଙ୍କର ବ୍ୟବହାରରେ ମୁଁ ଅତିଷ୍ଠ ହେଲେବି ଯେହେତୁ ଅଫିସ୍ରେ ମୋର ସେଦିନ ପ୍ରଥମ ଦିନ ଥିଲା ମୁଁ ସେମାନଙ୍କୁ ଅଫିସ୍ରେ ଅପେକ୍ଷା କରିବାକୁ କହିଲି।
ତାଙ୍କର ସମସ୍ୟାଟି ଥିଲା ମାନନୀୟ ସାଂସଦଙ୍କ ପାଣ୍ଠିରୁ କିଛି ଅନୁଦାନ ଆସିଥିଲା ପାଖ ଗାଁରେ ହାଇସ୍କୁଲ ତିଆରି ହେବା ପାଇଁ କିନ୍ତୁ ଅନ୍ୟାନ୍ୟ ସବୁ ଔପଚାରିକତା ସରିଥିଲେ ମଧ୍ୟ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ନକ୍ସା ଅନୁଯାୟୀ ଜମିରେ ଚିହ୍ନ ଦେଉ ନଥିଲେ। ସହକାରୀ ଯନ୍ତ୍ରୀଙ୍କ ଠାରୁ ଜାଣିଲି ସ୍କୁଲ ବିଦ୍ଧିବଦ୍ଧ ଭାବେ ପଞ୍ଜିକୃତ ନଥିଲା ଅଥବା କୌଣସି ପଞ୍ଜିକୃତ ସଂସ୍ଥା ଦ୍ବାରା ନିର୍ମିତ ହେଉନଥିଲା। ସ୍କୁଲ ପାଇଁ ଜଣେ ଅନୁସୂଚୀତ ଜାତିର ବ୍ୟକ୍ତି ଏକ ଡେସିମିଲ ଜମି ଦାନ ସୂତ୍ରରେ ଦେଇଥିଲେ ଯାହାର ପରିସୀମାକୁ ଲାଗି ଆଉ ଅଧିକ ପଚାଶ ଡେସିମିଲ ସରକାରୀ ଜମି ଥିଲା ଯାହାକୁ ସ୍କୁଲ ତିଆରି କରୁଥିବା ବ୍ୟକ୍ତି ପରବର୍ତ୍ତି ପର୍ଯ୍ୟାୟରେ ସାଂସଦଙ୍କ ହସ୍ତକ୍ଷେପରେ ନିଜ ନାମରେ କରେଇନେବାର ସ୍ବପ୍ନ ଦେଖୁଥିଲେ। ମୁଁ ନିଜେ ଘଟଣା ଅନୁଧ୍ୟାନ କରିବି କହି ସେହିଦିନ ଘଟଣାଟିକୁ ଏଡେଇଦେଲି।
ଯେହେତୁ ମୋତେ ସୂଚୀତ କରା ଯାଇଥିଲା କି ସାଂସଦଙ୍କ ପାଣ୍ଠିରୁ ଉକ୍ତ ସ୍କୁଲ ପାଇଁ ଅନୁଦାନ ରାଶି ମିଳିସାରିଛି ମୁଁ ବିଳମ୍ବ ନକରି ସରଜମିନ ତଦନ୍ତ କରିବାକୁ ଉକ୍ତ ଗାଁକୁ ସହକାରୀ ଯନ୍ତ୍ରୀଙ୍କୁ ସାଙ୍ଗରେ ନେଇ ଗଲି । ସ୍ଥାନୀୟ ତହସିଲଦାରଙ୍କ ଠାରୁ ଜାଣିଲି ପାଖ ସରକାରୀ ଜମି ଟି ଗୋଚର କିସମର ତେଣୁ କିସମ ପରିବର୍ତ୍ତନ କରି ସମ ପରିମାଣର ଜମି ଉକ୍ତ ଗ୍ରାମରେ ଗୋଚର ପାଇଁ ନିର୍ଦ୍ଦିଷ୍ଟ ନକଲେ ତାହା ଉପରେ କୌଣସି ନିର୍ମାଣ କରିହବନି । ମୁଁ ସେହି କଥା ଉଲ୍ଲେଖ କରି ଅନ୍ୟାନ୍ୟ ଔପଚରିକତା ସମ୍ପୂର୍ଣ୍ଣ କରିବାକୁ ତହସିଲଦାରଙ୍କୁ ଅନୁରୋଧ କରି ଚିଠିଲେଖିଲି। ମୋର ଏତାଦୃଶ କାର୍ଯ୍ୟଶୈଳୀରେ ଖୋଦ୍ ସାସଂଦ ବିରକ୍ତି ପ୍ରକାଶ କଲେ ଏବଂ ଦଣ୍ଡିତ କରିବାକୁ ଧମକ ଦେଲେ।
ସାଂସଦଙ୍କର ବିରୋଧୀଭାବେ ଜଣାଶୁଣା କିଛି ଲୋକ ମୋ ପାଇଁ ଛତା ଧରି ଆସି ମୋ ପାଖରେ ଛିଡା ହେବାର ପ୍ରୟାସ କଲେ। ମୁଁ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କଲି। ମୋ କଥାକୁ ଜିଲ୍ଲାପାଳ ଅଣଦେଖା କରି ପ୍ରକାରାନ୍ତରେ ସାଂସଦଙ୍କ ପ୍ରସ୍ତାବକୁ ସମର୍ଥନ କଲେ ଓ ସାଂସଦ ପାଣ୍ଠିକୁ ବିନିଯୋଗ କରିବାରେ ମୋର ଅସାମର୍ଥ୍ୟତା ପାଇଁ ମୋ ଠାରୁ କୈଫତ ତଲବ କଲେ। ମୁଁ ଯଥାର୍ଥ ଘଟଣା ସମ୍ପର୍କରେ ପୁଣି ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ଅବଗତ କଲି। କିନ୍ତୁ ମୁଁ ଅନୁଭବ କଲି ସେ ଦିନ ଠାରୁ ଜିଲ୍ଲାପାଳ ପ୍ରତିଟି କଥାରେ ମୋର ଭୁଲ ଖୋଜି ବୁଲିଲେ ଏବଂ ବିଭିନ୍ନ ସଭା ସମିତିରେ ମୋତେ ବାଧିଲା ଭଳି କଥା କହିବା ଆରମ୍ଭ କରିଦେଲେ। ମୋତେ ସାହାଯ୍ୟ କରିବାକୁ ମୋର ସହକର୍ମୀ ମାନେ ଅଣ୍ଟା ଭିଡିଲେ। ସାଂସଦ ଜଡିତ ଥିବା ସମସ୍ତ ବ୍ଲକରେ ଏକ ପ୍ରକାରର ଅସହଯୋଗ ଆନ୍ଦୋଳନର ସୂତ୍ରପାତ ହେଲା କହିଲେ ଚଳେ।
ମୋର ବନ୍ଧୁମାନେ ସାଂସଦଙ୍କ ସହିତ ସାଲିସ୍ କରିନେବାକୁ ମୋତେ ପ୍ରରୋଚିତ କରିବାକୁ ଲାଗି ପଡିଲେ। କିଛିଦିନ ପରେ ସାଂସଦଙ୍କର ଏକ କାର୍ଯ୍ୟକ୍ରମ ସ୍ଥିର ହେଲା ପାଖରେ ଅନ୍ୟ ଏକ ଗ୍ରାମକୁ। ସାଂସଦ ବ୍ଲକ ଅଞ୍ଚଳ ପଶିବା ପୂର୍ବରୁ ମୋର ବଦଳି ନିର୍ଦ୍ଦେଶ ମୁଁ ପାଇ ସାରିଥିଲି। ମୁଁ ତୁରନ୍ତ କାର୍ଯ୍ୟଭାର ହସ୍ତାନ୍ତର କରିଦେଇ ବ୍ଲକ ପରିସର ଛାଡିଦେଲି। ମୁଁ ପରେ ଶୁଣିଲି ସାଂସଦଙ୍କୁ ଉକ୍ତ ଗ୍ରାମବାସୀ ପଚାରିଥିଲେ ନୂଆ ବିଡିଓ କାହିଁକି ବଦଳି ହେଲେ । କୌଣସୀ ଉତ୍ତର ପାଇବା ଆଗରୁ ଗ୍ରାମବାସୀ ଉତ୍ୟକ୍ତ ହେଇ ଯାଇଥିଲେ।