Nityananda Nandi

Classics Inspirational

4  

Nityananda Nandi

Classics Inspirational

ଅନ୍ତଃସ୍ଵର

ଅନ୍ତଃସ୍ଵର

6 mins
266



ଇଚ୍ଛା ନ ଥାଇ ବି ଏକୁଟିଆ ବଞ୍ଚିବାକୁ ହୁଏ। ନିସଂଗ ଜୀବନ ସହ ନିବିଡ଼ତା। ବିଧିର ଅପୂର୍ବ ବିଧାନ !! 

ହଠାତ କଲିଙ୍ଗ ବେଲ ବାଜିଲେ ଅଡ଼ୁଆ ଲାଗେ। ସେମିତି ଦିନେ ସୁବାସ ବାବୁଙ୍କ ଘରେ ବେଲ ବାଜିଲା। ଅନେକ ପ୍ରଶ୍ନ ମନ ଭିତରେ ..କିଏ ପୁଣି ଆସିଲା ସମ୍ପର୍କ ଯୋଡିବା ପାଇଁ।

ଅନିଚ୍ଛା ସତ୍ତ୍ଵେ କବାଟ ଖୋଲି ବାହାରକୁ ଚାହିଁଲେ ସେ। 


ବାପା !!!

ଆଶ୍ଚର୍ଯ୍ୟ ହୋଇଗଲେ ସୁବାସ ବାବୁ...


କେତେଥର କୋର୍ଟ ଭିତରେ ଦେଖିଛନ୍ତି ସେ ଝିଅଟିକୁ... କେତେ ଅସହାୟ, କେତେ ନିଃସ୍ଵ । ବୋଉର ହାତ ଧରି ଛିଡା ହୋଇ ଅନେଇଥାଏ ମୋତେ। ଜଣେ ଲଢୁଥିଲା ସ୍ତ୍ରୀ'ର ଅଧିକାର ପାଇଁ, ଘର ପାଇଁ, ସମ୍ପତ୍ତି ପାଇଁ। ଆଉ ଜଣେ ବିଚଳିତ ଥିଲା ତାଙ୍କୁ ଥରେ ବାପା ଡାକିବ !!! 


କେସ୍ ଜିତିବା ପରେ ଅନେକ ବର୍ଷ ବିତିଗଲାଣି। ହଠାତ୍ ଝିଅଟିକୁ ଦେଖି ସୁବାସ ବାବୁ କାହିଁକି କେଜାଣି ତରଳି ଗଲେ, ଗୋଟେ ନିଷ୍ଠୁର ନିଃସଙ୍ଗତା ବୋଧେ ତାଙ୍କୁ କାବୁ କରିନେଇଛି। ଜୀବନ ଯୁଦ୍ଧରେ କୋଉଠି ନା କୋଉଠି ସେ ହାରି ସାରିଛନ୍ତି। କୋର୍ଟ କଚେରୀ କଥା ମନ ଭିତରେ ଚାପି ଦେବାର ଗୋଟେ ବିଶାଳ ପରିପକ୍ୱତା, ଅଚାନକ ଶିଥିଳ କରିଦେଲା ସୁବାସ ବାବୁଙ୍କୁ..


ରୂପା !!! ତୁ ....


ହଁ

କୋର୍ଟ ରୁମରେ ବାର ବାର ତୋ ନାଁ ନେଇ ଯୁକ୍ତି ବାଢିଥିଲା ତୋ ବୋଉ, ସେଇଠୁ ମୁଁ ତୋ ନାଁ ମନେ ରଖିଛି ।


ହଁ କହୁ କହୁ ଦୁଇ ଟୋପା ଲୁହ ଝରି ଆସିଲା ରୂପା ଆଖିରୁ । ଜୀବନରେ, କେବେ ଭାବି ନ ଥିଲା ସେ କାହାକୁ ଥରେ ବାପା ବୋଲି ଡାକି ପାରିବ ଏବଂ ସେ ତାକୁ ଝିଅ ବୋଲି ଗ୍ରହଣ କରିବେ ମନ ଭିତରେ !!!


ଜାଣିଛ ବାପା ! କୋର୍ଟ କେସରେ ହାରିଯିବା ପରେ ବୋଉର ମୃତ୍ୟୁକୁ ଗୋଟାଏ ଅପମୃତ୍ୟୁ ଭାବିବା ଛଡ଼ା ମୋ ପାଖରେ କିଛି ଉପାୟ ନ ଥିଲା। ଚାଳିଶ ବର୍ଷ କେମିତି କାଟିଗଲା କେଜାଣି, ଜାଣି ପାରିଲିନି। ଗୋଟାଏ ଟେକ୍ସି ଡ୍ରାଇଭର ସାଥିରେ ରହୁଛି। ବାହା ହେବ ବୋଲି କହିଛି। ବାହା ହେବାର ପ୍ରତିଶୃତିଟି ମୋ ପାଇଁ ଅନେକ କିଛି ଏଇ ବୟସରେ। 


ତୁମେ ସବୁଦିନ ସକାଳେ ପାର୍କ ଭିତରେ ଚାଲୁଥାଅ। ଆମେ ରହୁଥିବା ଛୋଟ ଘରର ଝରକାରୁ ତୁମକୁ ମୁଁ ସବୁଦିନ ଦେଖେ। ସବୁକିଛି ବୁଝିବାର ବୟସ ହୋଇ ନ ଥିଲା ସେତେବେଳେ, ବୋଉ ସହିତ ଆସି କୋର୍ଟ ଭିତରୁ ଖାଲି ଏତିକି ଜାଣିଥିଲି ଯେ ମୁଁ ତୁମର ଝିଅ ନୁହେଁ ବୋଲି। ବୋଉର ନିନ୍ଦା ଅପବାଦ, ଅପମୃତ୍ୟୁ ଓ ଜୀବନ ଚଲା ପଥରେ କକ୍ଷଚ୍ୟୁତ ଗ୍ରହଟିଏ ପରି ଘୁରିବାର ବେଦନା ଭିତରେ ବି ମୁଁ ତୁମକୁ ଘୃଣା କରିବାକୁ ଚାହିଁ ମଧ୍ୟ ଘୃଣା କରି ପାରୁ ନ ଥିଲି। କାହିଁକି କେଜାଣି, ତୁମେ ମୋତେ ମୋ ବାପା ପରି ଲାଗୁଥିଲ। ସେଇ ଦୁର୍ବଳତାର ଶିକାର ହୋଇ ଅର୍ଦ୍ଧସତ୍ୟ ଏଇ ଜୀବନ ଜଳରେ ମୋ ପ୍ରତିବିମ୍ବକୁ ମୁଁ ବାରମ୍ବାର ଦେଖେ। ପ୍ରତିଦିନ ଛୁପି ଛୁପି ତମକୁ ଦେଖି ମନ ଭିତରେ ତମ ଚିତ୍ର ଆଙ୍କେ, ତମକୁ ଦେଖେ ସ୍ୱପ୍ନରେ । ପିତୃ ସୁଲଭ ସ୍ନେହ ମୋ ଦେହରେ ନେସି ହୋଇଯାଏ...ପ୍ରତିଦିନ ସ୍ୱପ୍ନରେ ମୁଁ ପଚାରେ ବାପା ! ବୋଉ ପ୍ରତି ଏତେ ନିଷ୍ଠୁର ହେଲ କାହିଁକି ? ଡିଭୋର୍ଶ କଣ ଗୋଟାଏ ବିକଳ୍ପ ଥିଲା ତମ ପାଇଁ..


ପନ୍ଦର ଦିନରୁ ଅଧିକ ହେବ, ତମେ ଆସିନ। ମନଟା କେମିତି କେମିତି ଲାଗିଲା ଯେ ସାହାସ କରି ଚାଲି ଆସିଛି ତୁମ ଘରକୁ, ଜାଣିବା ପାଇଁ ତୁମେ ଆଉ ଅସୁସ୍ଥ ହୋଇ ପଡିନ ତ !! 

ଦୀର୍ଘ ଚାଳିଶ ବର୍ଷ ପରେ ତୁମ ଘରେ ତୁମ ସହିତ ପ୍ରଥମ ଦେଖା...ଖୁସି ଲାଗିଲା, ପ୍ରଥମ ଦେଖାରେ ହିଁ ତୁମେ ମୋତେ ଚିହ୍ନି ପାରିଛ। 


ତମ ଦେହ ଭଲ ଅଛିତ !!

କିଛି ହାସଲ ନ କରି ସବୁ କିଛି ପାଇବାର ଗୋଟାଏ ବିଶାଳ ଅନୁଭବ ଭିତରେ ମଣିଷର ପରିପକ୍ଵତା ଦ୍ୱିଗୁଣିତ ହୋଇଯାଏ। ଜୀବନକୁ ନୂଆ କରି ଆରମ୍ଭ କରିବାର ଇଚ୍ଛା ପ୍ରବଳରୁ ପ୍ରବଳତମ ହୋଇ ଉଠେ। ଅଫୁରନ୍ତ ଆନନ୍ଦ ପାଇ ବ୍ୟଗ୍ର ହୋଇ ଉଠିଲେ ସୁବାସ ବାବୁ।


ହଁ ଭଲରେ ଅଛି, ଖାଲି ଟିକେ ଦୁର୍ବଳତା ! ସେଇଥିପାଇଁ ପାର୍କ ଯିବା ବନ୍ଦ କରି ଦେଇଛି।


ତମ ପାଇଁ ଚା ଟିକିଏ ବନେଇ ଦେବି।

ସୁବାସ ବାବୁ ହସି ଦେଇ ସମ୍ମତି ପ୍ରଦାନ କରିବା ମାଧ୍ୟମରେ ଅତି ଆପଣାର କାହାକୁ ଗ୍ରହଣ କରି ସାରିଥିଲେ ହୃଦୟ ଆଉ ମନରେ, ପଛକୁ ଫେରି ଦେଖିବାର ସତସାହାସ ହରେଇ ବସିଲେ ସେ...


ବାପା ରୋଷେଇ ଘର ଭିତରକୁ ଯାଇ ଚା, ଚିନି ଦେଖେଇ ଦେଲେ..


ସ୍ମୃତିର ନିଘଞ୍ଚ ଅରଣ୍ୟରେ ନିଆଁ ଲାଗିଲେ କିଛି କିଛି ମନ ବି ଜଳିଯାଏ ତା ସାଥିରେ। ପୂରା ଅରଣ୍ୟକୁ ବଞ୍ଚେଇ ହୁଏନି। ସବୁ କିଛି ଜଳିପୋଡି ପାଉଁଶ ହୋଇ ଯିବା ଆଗରୁ ହାତ ପା'ନ୍ତାରେ ଜୀବନର ମୂଲ୍ୟବାନ ମୁହୂର୍ତ୍ତ ସବୁକୁ ସାଉଁଟି ଆଣିଲେ ସୁବାସ ବାବୁ ନିଜ ହାତରେ...


"ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ସୀମାତୀତ ଗର୍ବ, ଅହଙ୍କାର କଠୋର ହିମାଳୟ ପରି ଧୀରେ ଧୀରେ ବଢୁଥିଲା ମୋ ଭିତରେ । ରୂପା ବୋଉର ଚାରିତ୍ରିକ ସ୍ଖଳନ ଦୃଷ୍ଟିଗୋଚର ହେବା ମାତ୍ରେ ହିଁ ମୁଁ ଵେକାବୁ ହୋଇଗଲି। ସାମାଜିକ ମୂଲ୍ୟବୋଧ, ପୁରୁଷପଣିଆର ଶ୍ରେଷ୍ଠତାକୁ ବଞ୍ଚେଇବା ଥିଲା ଏକମାତ୍ର ବିକଳ୍ପ ମୋ ଆଗରେ । ଦର୍ପଣ କାଚକୁ ସଫା କରି ନିଜ ମୁହଁର ମୂଲ୍ୟାୟନ କରିବା ବେଳକୁ ଅନେକ ବିଳମ୍ବ ହୋଇ ଯାଇଥିଲା। ଜାରଜ ସନ୍ତାନ କୁ ପେଟରେ ବହନ କରି ଛୁପେଇ ନେବାର ପ୍ରଚେଷ୍ଟାରେ ହାରିଗଲା ରୂପାର ବୋଉ। କ୍ଷମା କରିବାର ସତସାହାସ ମୋ ଭିତରେ ନ ଥିଲା..


ଗୋଟାଏ କଥା ବାର ବାର ମନ ଭିତରେ ଘାଣ୍ଟି ହେଲା। ଟେକସି ଡ୍ରାଇଭର ଯଦି ରୂପାକୁ ଧୋକା ଦିଏ ତେବେ ରୂପାର ଭୁଲ କୋଉଠି। ରୂପାର ବୋଉ ସାଥିରେ ସେଦିନ ସେମିତି ଗୋଟାଏ କିଛି ଘଟଣା ଘଟି ନ ଥିବ ବୋଲି, କିଏ କହି ପାରିବ !!!! 


ମାଆ ଝିଅ କୋର୍ଟ କେସରେ ହାରିଗଲେ। କୋର୍ଟର ଚାରି କାନ୍ଥ ଭିତରେ ପ୍ରେମ ପରି ଏକ ସ୍ୱର୍ଗୀୟ ଶବ୍ଦ ଅସ୍ତିତ୍ବ ହରେଇ ବସିଲା ସବୁଦିନ ପାଇଁ। ଗୋଟାଏ ନାରୀ ଚରିତ୍ରକୁ ତିଳ ତିଳ ହତ୍ୟା କରାଗଲା ସର୍ବ ସମକ୍ଷରେ। ଜଣେ ମୋତେ ହରେଇଲା, ଆଉ ଜଣେ ତା ବାପାଙ୍କୁ ହାସଲ ନ କରି ପରିବାର ବ୍ୟଥାରେ ଭାଙ୍ଗି ପଡ଼ିଲା, କୋର୍ଟରୁମ୍ ଭିତରେ। ଦୁଇ ଜଣଙ୍କୁ ଫକ୍ ଫକ୍ କରି କାନ୍ଦିବାର ଦେଖିଲି, ପୁରୁଷପଣିଆର କଠୋର ପରିସୀମା, ଉଷୁମ ଲୁହରେ ଆର୍ଦ୍ର ହେବା ଆଗରୁ କିଛି ଗୋଟାଏ ଜିତି ଯିବାର ଗର୍ବ ପଥର କରି ସାରିଥିଲା ମୋ କଲିଜାକୁ...କେସରେ ଜିତି ଯିବା ପରେ ମନର ସ୍ଵାଭାବିକ ଉତ୍ଫୁଲତା ମୋତେ କିଛି ସମୟ ପାଇଁ ଖାଲି ବିବେକହୀନ ନୁହେଁ, ଅମାନବିକତାର ଖୋଳପା ଭିତରେ ଅହଂକାରୀ ମଣିଷଟିଏ ଗଢି ତୋଳିଲା। 


ନଈରେ ଅନେକ ପାଣି ବହି ଯିବା ପରେ ଆଜି କିନ୍ତୁ ଅନେକ ଅଲଗା ଲାଗୁଛି ପୃଥିବୀଟା।


ତା ପରେ ଦ୍ଵିତୀୟ ବିବାହ, ଶେଫାଳୀ ଓ ପରେ ପରେ ଦୁଇ ଝିଅଙ୍କ ଦୁନିଆକୁ ଆଗମନ ଭିତରେ ମୋ ଜୀବନ ବହୁତ ବଦଳି ଗଲା। ଆଜି ସେମାନେ ସବୁ ବିଦେଶରେ। ଶେଫାଳୀ ଗୋଟାଏ ଝିଅ ପାଖରେ ରହି ତା ଛୋଟ ଛୁଆକୁ ଘରେ ଜଗୁଛି। ଅନ୍ୟ ଝିଅଟି ଖୁସିରେ ଅଛି ତା ବର ସହିତ। ମୋର ଆବଶ୍ୟକତା ସେ ମନେ କରିନାହିଁ। ମୁଁ ଏଇ ଛୋଟ ସହର ଆଉ ଛୋଟ ଘର ଭିତରେ ଆବଦ୍ଧ ହୋଇଗଲି, ସବୁଦିନ ପାଇଁ। ସବୁ ଥାଇ ବି ମନଟା ସର୍ବହରା, ମୁଁ ଆଜି ନିଃସ୍ଵ।


ରୂପା ଠିକ କହିଛି,  ଦଶ ଦିନରୁ ଅଧିକ ହେବ, ମୁଁ ଚାଲିବାକୁ ଯାଇନି ବୋଲି ସେ ମୋତେ ଦେଖି ପାରିନି। ଏଇ ଅତିକ୍ରାନ୍ତ ବୟସରେ ଦେହକୁ ଆଉ କଣ ସମ୍ଭାଳି ହେଉଛି। ଦୁଇ ଝିଅଙ୍କୁ କହିଲି ମୋ ଅସୁସ୍ଥତା କଥା। ଜଣେ ଲେଖିଲା, "ଗେଟ୍ ୱେଲ ସୁନ୍"। ଆଉ ଜଣେ ଲେଖିଲା "ଟେକ୍ କେଆର୍ ଡାଡି"।  

ଜୀବନର ରାସ୍ତା ଅଚାନକ କୋଉ ମୋଡ଼ ନିଏ, କଣ ଜାଣିହୁଏ !!

କିଛି ପାଇବାର ଇଛା, ନ ପାଇବାର ଆଉ କିଛି ଯନ୍ତ୍ରଣାର ମିଶ୍ରଣ ରେ ତ ଜୀବନର ସବୁ ସମ୍ଭାବନା ଫେଣ୍ଟି ହେଉଥାଏ..."


ଚା ନେଇ ରୂପା ଆସିଲା ଭିତରକୁ.. ତା ଫଟା ଶାଢ଼ୀର ଆଁଚଳ କୁ ଦେଖି ଯେତିକି ମର୍ମାହତ ହେଲେ ସୁବାସ ବାବୁ, ସେତିକି ମାତ୍ରାରେ ଆବିଷ୍କାର କଲେ ସେ ଜୀବନର ଏକ ନିଷ୍ଠୁର ସତକୁ। ବାପା ଥାଇ ବି ନ ଥିବାର ଅନୁଭବ ଜୀବନ ଯାତ୍ରାକୁ କେତେ ପ୍ରଭାବିତ କରେ, ବୁଝିଲେ ସୁବାସ ବାବୁ। ଫଟା ଶାଢ଼ୀର ଧାରେ ଧାରେ ଜୀବନର ଅସ୍ତିତ୍ବ କୁ ଖୋଜୁଥିଲେ ସେ। ଦୀର୍ଘ ଚାଳିଶ ବର୍ଷ ଭିତରେ କେତେ ଥର ସେ ମୋତେ ଖୋଜି ନ ଥିବ....ଟିକିଏ ସ୍ନେହ ପାଇଁ।


"ଆଉ ଗୋଟାଏ ନିହାତି ସତ ଯେ ମୋ ଅନୁପସ୍ଥିତି କୁ ଅନୁଭବ କରି ରୂପା ଖୋଜି ଖୋଜି ଆସିଛି ମୋ ଘରକୁ। ଆଉ ମୋ ନିଜ ଝିଅ ମାନେ ଦୁଇ ଧାଡ଼ି ମେସେଜ ପଠେଇ ସମ୍ପର୍କର ସରଳ ରେଖା କୁ ଆଉ ଟିକିଏ ସ୍ପଷ୍ଟ କରିବା ପାଇଁ ପ୍ରୟାସ କରିଛନ୍ତି। ସେମାନେ ବି ପରାଧୀନ, ଆଉ ଗୋଟାଏ କଷ୍ଟ ଦାୟକ ସତ୍ୟ ଏଇ ଜୀବନରେ...ଇଚ୍ଛା କରି ବି କିଛି କରି ପାରନ୍ତି ନାହିଁ"।

ରୂପା ! ତୁ ଭଲରେ ଅଛୁ ତ ???

ଆଖିରୁ ଝରି ଆସିବା ଲୁହ ଭିତରେ ଅଭିମାନ ଓ ସ୍ୱାଭିମାନ ର ମହାସମୁଦ୍ରଟିଏ...ଗୋଟାଏ ନୀଳ ମୁକ୍ତା ର ସନ୍ଧାନ ପାଇଛି ରୂପା, ସେଇ ସମୁଦ୍ର ଭିତରେ।


ଅଧା ଚା ଆଉ ଗୋଟାଏ କପକୁ ଢ଼ାଳି ବଢେଇ ଦେଲେ ରୂପା ହାତକୁ। ରୂପା ହସି ଦେଲା। ବାପାଙ୍କ ଠୁ ଚାଳିଶ ବର୍ଷର ସ୍ନେହର ପ୍ରାପ୍ୟ ଏଇ ଅଧା କପ ଚା ଭିତରେ ଭରିଗଲା।


କାଲି ସଂଜରେ ଆସିବୁ କହି ରୂପା କୁ ବିଦାୟ ଦେଲେ ସୁବାସ ବାବୁ।

*****

ରୂପା ବାପାଙ୍କ ସହିତ ଧୁମ୍ ଗପିଲା, ତା ପରଦିନ।


ତୁମେ କଣ ଖାଇବାକୁ ଭଲ ପାଅ, ମୁଁ ଜାଣିବାକୁ ସୁଯୋଗ ପାଇନି ବାପା। ପାର୍କ ପାଖ ପାନଦୋକାନ ରୁ ତୁମେ ପାନ କିଣ, ମୁଁ ଦେଖିଛି। ତମ ପାଇଁ ଦଶଟି ପାନ ଆଣିଛି।

ବାପା ଗଦ୍ ଗଦ ହୋଇ ଉଠିଲେ ଖୁସିରେ। ହସି ଦେଲେ.. ବାପାଙ୍କ ଅଳ୍ପ ହସ ଭିତରେ ଦିଗ ବଳୟବ୍ୟାପି ମମତା ମନ ଆକାଶରେ ଇନ୍ଦ୍ରଧନୁର ରଙ୍ଗ ପରି ଝୁଟି ଆଙ୍କିଲା..

ରୂପା ବାହାରିଲା ଘରକୁ , ହାତରେ ବେଗଟିଏ ଧରେଇ ଦେଲେ ସୁବାସ ବାବୁ କହିଲେ, ପାଖରେ ରହୁଛୁ, ମଝିରେ ମଝିରେ ଆସିବୁ !

ମନା କରିବନି ବାପା ! ପ୍ରତିଦିନ ଆସି ତମ ପାଇଁ କିଛି ରାନ୍ଧି ଦେଇ ଯିବି। ଭାବ ବିହ୍ୱଳ ହୋଇ ପଡିଲେ ସୁବାସ ବାବୁ। ରୂପା ନିଜକୁ ଆଉ ସମ୍ଭାଳି ପାରିଲା ନାହିଁ। ଗେଟ୍ ଖୋଲି ବାହାରି ଗଲା।

ଘରେ ଯାଇ ବେଗ ଖୋଲି ଦେଖିଲା ରୂପା, ବାପା କଣ ଦେଇଛନ୍ତି !! ହାତଲେଖା ଛୋଟ ଚିଠିଟିଏ, ବେଗ ଭିତରେ।


ରୂପା !

ଅନୁତାପ ନିଆଁରେ ଜଳି ଜଳି ପାଉଁଶ ହୋଇଯାଇଥିବା ତୋ ବାପା ର ଅନ୍ତଃସ୍ଵରକୁ କାନ ଡେରି ଶୁଣିିବୁ। ସୂର୍ଯ୍ୟ ଚନ୍ଦ୍ର ତାରା ଯେତିକି ସତ, ତୁ ବି ମୋ ଝିଅ, ଠିକ୍ ସେତିକି ସତ। ମନର ସୂକ୍ଷ୍ମ ତନ୍ତୁରେ ବି ସମ୍ପର୍କ ଗଢି ହୁଏ। ଏମିତି ବି ଦେଖ୍ ! ରକ୍ତ ମାଂସ ସମ୍ପର୍କରେ ଅନେକ ଥାଇ ବି ଆଜି ମୁଁ ସମ୍ପୂର୍ଣ୍ଣ ଏକା । ସମୟକୁ ଅତିକ୍ରମ କରି ଅନେକ ଆଗରେ ଚାଲିଛନ୍ତି ମୋ ଠାରୁ ଜନ୍ମିତ ସନ୍ତାନ ମାନେ। ଜୀବନରେ କିଏ ଆଗରେ, କିଏ ପଛରେ କିଛି ମହତ୍ୱ ରଖେନି। କିଏ ସାଥିରେ ଅଛି, ତାହାହିଁ ମୂଖ୍ୟ। ଜୀବନର ଏଇ ସମ୍ପର୍କର ଭିଡ ଭିତରେ ଅଚାନକ ତୋ ସହିତ ଦେଖା ହେବା ମୋ ପାଇଁ ସବୁଠୁ ବଡ଼ ଘଟଣା, ମୋ ଜୀବନରେ। ଆଜି ମୁଁ ମୋ ଝିଅ କୁ ଫେରି ପାଇଛି !!!! ଆଉ ତୁ ହିଁ ସବୁଦିନ ମୋ ସାଥିରେ ରହିବୁ !!


ଆଉ ଗୋଟାଏ କଥା। ତୋ ପାଇଁ ପୋଷ୍ଟ ଅଫିସରେ ଜମା ଥିବା ମୋଟ ତିନି ଲକ୍ଷ କୋଡିଏ ହଜାର ପଚିଶ ଟଙ୍କା ଆଜି ଉଠେଇ ଆଣି ଏଇ ବେଗ ଭିତରେ ରଖିଛି, ତୋ ଖର୍ଚ୍ଚ ପାଇଁ। ଭାବିବୁନି ଯେ ପଇସା ଦେଇ ତୋ ସ୍ୱାଭିମାନ ଉପରେ ଆଘାତ କଲି...। ଏ ପଇସା ଉପରେ ତୋର ବି ସେତିକି ଅଧିକାର, ଯେତିକି ଅଧିକାର ମୋର ଆଉ ଦୁଇ ଝିଅ ସବୁବେଳେ ସାବ୍ୟସ୍ତ କରି ମୋ ଠାରୁ ଅନେକ କିଛି ନେଇଛନ୍ତି। ମୋ ପାଇଁ ଜମାରୁ ଚିନ୍ତା କରିବୁନି, ପ୍ରତିମାସ ପାଞ୍ଚ ହଜାର ପେନସନ ପାଏ, ଚଳିଯିବି। ସବୁଦିନ ଥରେ ଥରେ ଆସିବୁ, ମୁଁ ଖୁସି ହେବି। ତୋ ସାନ ଭଉଣୀ ମାନେ ସମସ୍ତେ ବିଦେଶରେ, ଦାୟୀ ଦାୟିତ୍ୱରେ ସେମାନେ କଣ ଆସି ପାରିବେ। ତୋ ବାପା


ଅମାନିଆ ଲୁହ ଆଖିରୁ ବୋହି ଆସି କେତେବେଳଠୁ ହୃଦୟ ଆଉ ମନକୁ ଭିଜେଇ ସାରିଥିଲା, ରୂପା ବୁଝି ପାରିନି। ଜୀବନର ଚଳଚଞ୍ଚଳ ଭିଡ ଭିତରେ ରାସ୍ତାଟିଏ ଆପେ ଆପେ ଖୋଜି ହୋଇଯାଏ ବୋଲି ବୁଝି ପାରୁଥିଲା ରୂପା.... ମାଆର ଫୋଟୋ କୁ ଅନେଇ କହିଲା ବୋଉ ! ତୁ ସିନା କୋର୍ଟରେ ହାରିଗଲୁ, ମୁଁ କିନ୍ତୁ ଜିତି ଯାଇଛି..



Rate this content
Log in

Similar oriya story from Classics