Sambit Srikumar

Classics Inspirational Others


4.0  

Sambit Srikumar

Classics Inspirational Others


ଅନ୍ଧାରୀ ଗଳିର ଝିଅ

ଅନ୍ଧାରୀ ଗଳିର ଝିଅ

3 mins 314 3 mins 314

ସେଇ ଝିଅଟି କେଉଁଠୁ ସବୁଦିନ ଆସେ କେହି ଜାଣନ୍ତି ନାହିଁ। ସନ୍ଧ୍ୟା ନଇଁ ଗଲେ ମୁହଁ ଅନ୍ଧାର ବେଳେ ଆସେ ଆଉ ସେଇ ଅନ୍ଧାର ରାତିରେ ହିଁ ପୁଣି ଉଭାନ ହୋଇଯାଏ ଅତ୍ୟନ୍ତ ରହସ୍ଯଜନକ ଭାବେ। ଦିନର ଆଲୁଅ ସେ ଦେଖିନି କେବେ ବି। ଅସୂର୍ଯ୍ୟମପଶ୍ଯା! କେହି କେହି କହନ୍ତି ସେ କାଳେ ଅନ୍ଧାରୀ ଗଳିର ରାଣୀ! ରାତିର ରଜନୀଗନ୍ଧା! କିଏ କେତେ ନାଁରେ ଡାକେ ତାକୁ। କିନ୍ତୁ ତାର ପ୍ରକୃତ ପରିଚୟ କେହି ବି ଜାଣେନା, ଏଇ ଯେମିତି ମୁଁ ଜାଣିଛି ଆମ୍ରାପାଲ୍ଲୀ ବୋଲି।

ଅନେକ ଝିଅ ଏ ପଙ୍କିଳ ଘୃଣ୍ୟ ରାସ୍ତାରେ ପାଦଥାପନ୍ତି ବିବଶତାରେ, ଚରମ ଅସହାୟତାରେ ବଞ୍ଚିବା ପାଇଁ ସବୁ ରାସ୍ତା ବନ୍ଦ ହୋଇଯିବା ପରେ। ସେ କିନ୍ତୁ ଥିଲା ସମସ୍ତଙ୍କ ଠାରୁ ନିଆରା। ନିଜର ସୌଖୀନ ଏବଂ ବିଳାସପୂର୍ଣ୍ଣ ଜୀବନଚର୍ଯ୍ୟା ପାଇଁ ସ୍ଵେଚ୍ଛାରେ ଆମ୍ରାପାଲ୍ଲୀ ଆଜି ସାଜିଛି ଏଇ ଅନ୍ଧାରୀ ସାମ୍ରାଜ୍ଯର ଅପ୍ରତିଦ୍ୱନ୍ଦୀ ସାମ୍ରାଜ୍ଞୀ!

ସେ ବି ଦିନେ ଦେଖିଥିଲା ତାର ନହୁଲି ଆଖିରେ ମତୁଆଲି ସ୍ବପ୍ନ। ସୀମନ୍ତିନୀ ହେବାର ସ୍ୱପ୍ନ। ମାତୃତ୍ୱର ଗୌରବ ଲାଭର ସ୍ବପ୍ନ। ଏମିତି ଅନେକ କିଛି। ଯେବେ ସ୍ବପ୍ନର ମିନାର ଭାଙ୍ଗି ଧୂଳିସାତ୍ ହୋଇଯାଏ, ତେବେ ଆତ୍ମହତ୍ଯା ତ ଏକମାତ୍ର ବିକଳ୍ପ ନୂହେଁ ନା କେବେ ବି? ସଂଘର୍ଷ ନଚେତ୍ ସମର୍ପଣ ବି ହୋଇପାରେ ବିକଳ୍ପ! ସେ ବାଛି ନେଇଥିଲା ସମର୍ପଣର ପନ୍ଥା। ସହଜ ଓ ସୁବିଧାଜନକ ପନ୍ଥା ବିଳାସପୂର୍ଣ୍ଣ ଜୀବନ ଜୀଇଁବାକୁ।

ପ୍ରତିଟି ରାତ୍ରୀରେ ସେ ସଜଉଥିଲା ନିଜକୁ ବଧୁବେଶରେ। ଆନ ପାଶରେ ସମର୍ପିତ କରିଦେଉଥିଲା ଅଲୋଡା ଅଥଚ ଦୁର୍ମୂଲ୍ଯ ତନୁବଲ୍ଲରୀକୁ। ମନ ତ ଆଗରୁ ଦେଇ ବସିଥିଲା ତାର ପ୍ରେମିକ ପ୍ରବର ସଞ୍ଜୟକୁ। ଆଉ କୋଉ ଅଛି ଯେ ନିଜ ପାଖରେ ପୁଣି ଦେବା ପାଇଁ କାହାରିକୁ?

ସେଇ ସଞ୍ଜୟ ପାଇଁ ହିଁ ଦିନେ ପରିବାରର ସମସ୍ତଙ୍କୁ ପର କରିଦେଇ ଘର ଛାଡି ଚାଲିଆସିଥିଲା ଆମ୍ରାପାଲ୍ଲୀ। ବାପ ଭାଇଙ୍କ ମୁହଁରେ ବଦନାମର ଅଲିଭା ଚୁନକାଳି ବୋଳିଦେଇ। ସଞ୍ଜୟକୁ ଚିହ୍ନିବାରେ ଯେଉଁ ଭୁଲ୍ କରିଥିଲା ସେ, ତାର ପ୍ରତିଫଳ ଭୋଗୁଛି ଆଜି। କିନ୍ତୁ ସେ ହାରିନି ଜୀବନ ଠାରୁ କି ଦୁନିଆ ଠାରୁ। ଯାହା କେବଳ ସେ ବିଶ୍ୱାସ କରିବା ଭୁଲିଯାଇଛି ଏଇ ସ୍ବାର୍ଥନ୍ବେଷୀ ମାଂସଲୋଭୀ ପୁରୁଷ ଜାତିଟାକୁ। ଯଦିଓ ସେ ନିତି ଅନେକ ପୁରୁଷଙ୍କର ସଂସ୍ପର୍ଶରେ ଆସେ, ଏକାକାର ହୋଇଯାଏ ସେମାନଙ୍କ ସହ ତଥାପି କାହାକୁ ଭରସି ପାରେନି ଆଉ ଆଗ ପରି। କାରଣ ସବୁ ପୁରୁଷ ସମାନ ତା ପାଇଁ। ସମସ୍ତେ ଖୋଜନ୍ତି ସେଇ ଗୋଟିଏ କଥା ତା ଠାରୁ। ରକ୍ତମାଂସର କଣ୍ଢେଇ ସହ ଖେଳିବା ବିନା ତାର ମନକୁ ବୁଝିବାକୁ କାହାର ଆଗ୍ରହ ନଥାଏ କି ସମୟ...

ବିବାହର ନିର୍ଭର ପ୍ରତିଶ୍ରୁତିରେ ପ୍ରେମିକ ସଞ୍ଜୟ ସହିତ କିଛି ଦିନ ଲିଭ୍-ଇନ୍ ରିଲେସନସିପରେ ରହିବା ପରେ, ଅଚାନକ ଦିନେ ଅତ୍ୟନ୍ତ ରହସ୍ୟଜନକ ଭାବେ ସଞ୍ଜୟ ଗାଏବ୍ ହୋଇଯାଇଥିଲା ସହରରୁ। ସବୁଠାରେ ଖୋଜିଥିଲା ଆମ୍ରାପାଲ୍ଲୀ ତାକୁ ଦୀର୍ଘ ଦିନ ଧରି। ଆଉ କିଏ ତା ଜାଗାରେ ଥିଲେ ହୁଏତଃ ଆତ୍ମହତ୍ୟା କରିଥାନ୍ତା ଅଥବା ନିଜ ବାପ ଭାଇଙ୍କ ପାଖକୁ ଫେରିଯାଇଥାନ୍ତା କିମ୍ବା ଅସରନ୍ତି ସଂଘର୍ଷ କରିଥାନ୍ତା! ସେ କିନ୍ତୁ ବାଛି ନେଲା ଭିନ୍ନ ଏକ ପନ୍ଥା। ଏଇ ପନ୍ଥା ଯେପରି ସହଜ ସେହିପରି କଷ୍ଟକର ବି!

ହୋମ୍ ଲୋନ୍, କାର୍ ଲୋନ୍, ପର୍ସନାଲ୍ ଲୋନ୍ ଏମିତି କେତେ ଲୋନ୍ ର ମହଙ୍ଗା ଇ.ଏମ୍.ଆଇ. ଶୁଝିବାକୁ ତାର ଆଉ କୌଣସି ପନ୍ଥା ନଥିଲା। ଏଇ ବିଳାସୀ ଋଣର ବୋଝ ତା' ପାଇଁ ଏତେ ଅଧିକ ଥିଲା ଯେ, ସାତ ଜନ୍ମର ରୋଜଗାର ମଧ୍ୟ କମ୍ ପଡିଯିବ ଋଣମୁକ୍ତ ହେବା ପାଇଁ। ଏଣୁ ଆମ୍ରାପାଲ୍ଲୀ ବାଧ୍ୟ ହୋଇ ପାଦ ଥାପିଥିଲା ଏ ଅନ୍ଧାରୀ ବଦନାମ ଗଳିରେ। ଆଜି ଆଉ ଲୋନ୍ ନାହିଁ ଶୁଝିବାକୁ ସବୁ ଭୌତିକ ସୁଖର ମାଲିକାନା ସତ୍ବ ହାସଲ କରିନେଇଛି ସେ ତାର ସୁରମ୍ୟ ତନୁବଲ୍ଲରୀର ସୁବିନିଯୋଗରେ। କିନ୍ତୁ ସେ ଅହରହ ଖୋଜି ବୁଲୁଛି ପ୍ରତାରକ ସଞ୍ଜୟକୁ ସବୁଦିନେ ଏଇ ଅମା ଅନ୍ଧାରରେ।

ଅଖଣ୍ଡ ବିଶ୍ବାସ ରହିଛି ତାର, ଦିନେ ନା ଦିନେ ହେବ ଭେଟ ସଞ୍ଜୟ ସହିତ। ସେବେ ତାକୁ ପଚାରିବ କେବଳ ଗୋଟିଏ ପ୍ରଶ୍ନ, "କେଉଁ ଦୋଷରେ ତମେ ମୋତେ କରିଦେଲ ପର?"

ଏମିତି ଏକ ଅନ୍ଧାରୀ ରାତିରେ ଆମ୍ରାପାଲ୍ଲୀ ମୁହାମୁହିଁ ହୋଇଥିଲା ସଞ୍ଜୟ ସହ କେଉଁ ଏକ ଦୂର ସହରରେ। ତା' ନିଜର ପରିଚୟ ପରି ସଞ୍ଜୟର ବି ଅନେକ ପରିଚୟ, ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାମ! କିନ୍ତୁ ତାକୁ ଚିହ୍ନିବାକୁ ବିଶେଷ କଷ୍ଟ କରିବାକୁ ପଡ଼ିନଥିଲା ଯଦିଓ ସଞ୍ଜୟ ବହୁତ ଚେଷ୍ଟା କରିଥିଲା ଖସିଯିବା ପାଇଁ। ସଞ୍ଜୟ ସହ ମୁହାଁମୁହିଁ ହୋଇନଥିଲେ ଭଲ ହୋଇଥାନ୍ତା ହୁଏତଃ। ଯେଉଁ ଭ୍ରମରେ ସେ ଜୀଉଁଥିଲା ବେଶ୍ ଭଲ ଥିଲା। ସଞ୍ଜୟ କେଉଁଠି ଦୁର୍ଘଟଣାରେ ମରିଗଲା ଅବା ନିରୁଦ୍ଦିଷ୍ଟଙ୍କ ଭିଡରେ ହଜିଗଲା ଭାବି ଜୀବନକୁ କାଟି ଦେଇଥାନ୍ତା! କିନ୍ତୁ ସଞ୍ଜୟର ବାସ୍ତବିକତା ତା ପାଇଁ ଥିଲା ଅସହନୀୟ, ଅପ୍ରତ୍ୟାଶିତ, ଅବିଶ୍ୱସନୀୟ! ମଣିଷ ସତରେ କେତେ ତଳକୁ ଖସି ଯାଇପାରେ! ନିଜର ନ୍ଯସ୍ତ ସ୍ବାର୍ଥ ହାସଲ ପାଇଁ କେତେ ଲୋକଙ୍କ ଜୀବନ ନଷ୍ଟ କରିପାରେ ଅନାୟସରେ!

ସଞ୍ଜୟ ଥିଲା ଏ ଅନ୍ଧାରୀ ଗଳିର ଗୋଟେ କାର୍ପଟଦାର, ଦଲାଲ୍! ନିଜର ଆକର୍ଷଣୀୟ ସୌମ୍ୟଦର୍ଶୀ ବ୍ଯକ୍ତିତ୍ବର କାଉଁରୀ ଆକର୍ଷଣରେ ନୀରିହ ଝିଅମାନଙ୍କୁ କୌଶଳରେ ପ୍ରେମ ଜାଲରେ ଫସାଇ ଏଇ ଅନ୍ଧାରୀ ଗଳିରେ ଆଣି ଛାଡି ଦେଇଯାଏ। ଯେଉଁ ଝିଅ ଟିକେ ସ୍ମାର୍ଟ୍ ଥାଏ ତାକୁ ସଞ୍ଜୟ ଏମିତି ଋଣଜାଲରେ ଛନ୍ଦି ଦେଇ ଅଚାନକ ଗାଏବ ହୋଇଯାଏ ଏକୁଟିଆ ଝୁରି ମରିବାକୁ। ତା' ସହ ଦୁଇ ପାଦ ଏକାଠି ଚାଲିବା ପରେ ଝିଅଙ୍କର ଫେରିବାର ବାଟ ସବୁ ବନ୍ଦ ହୋଇଯାଏ ଆପେ ଆପେ। ବାଟ କେବଳ ଫିଟେ ଏଇ ଅନ୍ଧାରୀ ଗଳିକୁ ନଚେତ୍ ଆର ପାରିକୁ...

ଘୃଣା ଆଉ କ୍ରୋଧରେ ସଞ୍ଜୟ ମୁଁହକୁ ଚାପୁଡ଼ାଏ ଯାହା ମାରିଥିଲା ଆମ୍ରାପାଲ୍ଲୀ, କିଛି ପଚାରି ବୁଝିବାକୁ ସ୍ପୃହା ନଥିଲା ତାର। ସବୁ କିଛି ଜଳ ଜଳ ହୋଇ ଦିଶିଯାଉଥିଲା ଅନ୍ଧାରୀ ଗଳିର କ୍ଷୀଣ ଆଲୁଅରେ...।



Rate this content
Log in

More oriya story from Sambit Srikumar

Similar oriya story from Classics