ଅଲୋଡା ପୃଷ୍ଠା (ଅଷ୍ଟମ ଭାଗ)
ଅଲୋଡା ପୃଷ୍ଠା (ଅଷ୍ଟମ ଭାଗ)
ଛୁଟିଦିନ ସାଙ୍ଗକୁ ନିର୍ଜିବ ଡାଏରୀର ଜୀବନ୍ତ ଫର୍ଦ୍ଦ ଭୋକଶୋଷ ଭୁଲେଇ ଦେଇଥିଲା ଆଜି। ଓଲଟାଇଲି ପୃଷ୍ଠା।
ରେଜିଷ୍ଟ୍ରି ପତ୍ରଟିଏ ପାଇଲି ମୁଁ। ବାପା ଲେଖିଥିଲେ ବାହାଘର ତାରିଖ ସ୍ଥିର ହୋଇସାରିଛି, ଠିକ୍ ସମୟରେ ଆସି ପହଞ୍ଚିଯିବୁ ଓ ଚିଠିର ଉତ୍ତର ଦେବୁ। ସଙ୍ଗେସଙ୍ଗେ ଉତ୍ତର ଲେଖି ପଠେଇଦେବା ସହ ମୋର କିଛି ଇଞ୍ଜିନିୟରିଂ ସମୟର ଅନ୍ତରଙ୍ଗ ସାଙ୍ଗମାନଙ୍କୁ ପତ୍ର ଦ୍ବାରା ସୁଚିତ କଲି।
ଭାବିପତ୍ନୀ କିପରି ହୋଇଥିବ, ସୁନ୍ଦର, ଗୁଣର ଦେଖି ହିଁ ବାପାବୋଉ ସ୍ଥିର କରିଥିବେ, ତାଛଡା ଆମଘରେ ନିର୍ବନ୍ଧ ପ୍ରଥା ନାହିଁ ତେଣୁ ସିଧା ବାହାଘର। କଥାବାର୍ତ୍ତା ହେବାର ସୁଯୋଗ ବି ନାହିଁ। ମତେ ବି ନଦେଖି ଭାବିପତ୍ନୀ ବି ରାଜି ହୋଇଯାଇଛି ମାନେ ସେ ବି ନିଶ୍ଚୟ ଭଲ ଝିଅଟିଏ ହୋଇଥିବ ଭାବି ମନେମନେ କୁରୁଳି ଉଠୁଥିଲି ମୁଁ।
ବାହାଘରର ଅଳ୍ପ କିଛିଦିନ ପୁର୍ବରୁ ଘରେ ପହଞ୍ଚିଗଲି ମୁଁ। ଘରେ ଖାଲି ଶ୍ୱଶୁରଘର କଥା। ବଡଘର ତଥା ଧନୀଘର ଏକମାତ୍ର କନ୍ୟା। ମୁଁ ପଚାରିଲି, ବାପା, ସେମାନେ ମୋତେ ଦେଖିବାକୁ ଜିଦ୍ କରିନାହାନ୍ତି କି ? ହସିଦେଇ ବାପା କହିଲେ ତୋ ବାପାର ଅଞ୍ଚଳସାରା ଖ୍ୟାତି ଅଛି, ତାଛଡା ସେମାନଙ୍କୁ ମୁଁ କହିଲି, ମୋ ପୁଅ ଦେଖିବାକୁ ଠିକ୍ ମୋପରି ଓ ସେମାନେ ବି ରାଜି ହୋଇଗଲେ। ସୁନ୍ଦର ବ୍ୟବହାର। ତାଛଡା ବୋହୁ ବି ସୁନ୍ଦର, ସରଳ।
ମନଟା ଖୁସିରେ ଭରିଗଲା ଯେତେବେଳେ ବୋଉ ଭାବିସ୍ତ୍ରୀର ଫଟୋଟି ମୋ ହାତକୁ ବଢେଇଦେଲା। ଶାରୀଟିଏ ହାତରେ ଧରି ଠିଆ ହୋଇଥିଲା ସେ। ମୁଁ ଅନୁଭବ କଲି ପଶୁପକ୍ଷୀପ୍ରେମୀ ଝିଅଟି ନିଶ୍ଚୟ ଘରଟିକୁ ବାନ୍ଧି ରଖିବ। ମୁଁ ପ୍ରକୃତରେ ଭାଗ୍ୟବାନ। ବୋଉ କହିଲା, ବାବୁରେ ! ତୋ ବାପା ଯୌତୁକ ବିରୋଧି । ତେଣୁ ତୋ ଶ୍ୱଶୁରଘର ଲୋକଙ୍କ ପାଖରେ ସର୍ତ୍ତ ରଖିଛନ୍ତି କେବଳ ବରଯାତ୍ରୀଙ୍କୁ ସମ୍ମାନ କରିବେ ଓ ଯାନିଜଉତୁକ କିଛି ଦେବେନାହିଁ। ତୋ ଶ୍ୱଶୁରଘର କହିଲେ ନା ନା ଗୋଟିଏ ବୋଲି ଝିଅ। ଆମେ ଯୌତୁକ ଦେବୁନାହିଁ କିନ୍ତୁ ସମ୍ମାନ କରିବୁ।
ବାହାଘର ଦିନ ଉପନୀତ ହେଲା। ଧୁମଧାମରେ ବାହାଘର ବି ସମାପ୍ତ ହେଲା।
ବାସର ରାତି। ସବୁ ଝିଅର ସ୍ୱପ୍ନର ରାତି। ରାତିସାରା ଗପିଚାଲିଲି ମୁଁ। ଆଁ କରି ଅନେଇରହିଥିଲା ସେ। ମୁଁ କହିଚାଲିଥିଲି ତମେ ଏ ଘରର ଝିଅପରି ରହିବ କିନ୍ତୁ ମୋ ବାପାବୋଉଙ୍କୁ ସମ୍ମାନ ଦେବ। ହଁ ଭରିଲା ସେ। କହିଲା ମୋର କିଛିଟା ଅନୁରୋଧ ରଖିବ ? ଖୁସିରେ ହଁ ଭରିଲି ମୁଁ। ସ୍ତ୍ରୀ ଆରମ୍ଭ କଲା, ତମ ଭଉଣୀ ପରି ମୁଁ ବି ଡ୍ରେସ ପିନ୍ଧିବି, ମୁଁ କିଛିଟା ଦରକାରୀ ଜିନିଷ ସାଙ୍ଗରେ ଆଣିଛି ମାନେ ଏଇ ଯେମିତି ଭିଡିଓପ୍ଳେୟାର ଓ କିଛି ଆଧୁନିକ ସାମଗ୍ରୀ। ସେଗୁଡିକ ମୋ ବ୍ୟତିତ ଆଉ କେହି ବ୍ୟବହାର କରିବେ ନାହିଁ। ଖୁସିରେ ହଁ ଭରିଲି ମୁଁ।
ପରଦିନ ସକାଳେ......
ଓଃ ପୁଣି ଡାଏରୀର ପୃଷ୍ଠା ଝାପସା ହୋଇଗଲା। ଆଖିମାଡି ପଢିବାରେ ଲାଗିଲି ମୁଁ।
ବୋଉ କହିଲା, ପୁଅରେ ! ବୋହୁକୁ କହ ଶାଢି ପିନ୍ଧି ପ୍ରସ୍ତୁତ ହୋଇଯିବ, ସାହିପଡିଶାର ଝିଅ ବୋହୁ ଦେଖିବାକୁ ଆସିବେ। ମୁଁ ପ୍ରତିବାଦ କରି କହିଲି, ନା ଲୋ ବୋଉ, ସେ ଶାଢି ପିନ୍ଧିବନି, ଡ୍ରେସ ହିଁ ପିନ୍ଧିବ। ବଲବଲ କରି ଅନେଇଥିଲା ବୋଉ। ଦେଖୁଦେଖୁ ମୋର ପାନିପଥ ଫେରିଯିବା ସମୟ ଉପନୀତ ହୋଇସାରିଥିଲା। ଚାଲାକ୍ ତଥା ଆତ୍ମନିର୍ଭରଶୀଳ ବାପାବୋଉ ବୋହୁକୁ ସାଙ୍ଗରେ ନେଇଯିବାକୁ ବାଧ୍ୟ କଲେ। ଉପରକୁ ନା ନା କହିଲେ ବି ମନ ଚାହୁଁଥିଲା ନବବିବାହିତାକୁ ସାଙ୍ଗରେ ନେଇଯିବାକୁ। ସେୟା ହିଁ ହେଲା। ମୁଁ ସସ୍ତ୍ରୀ ଚାଲିଗଲି ପାନିପଥ।
ସୁନ୍ଦର ଲାଗିବାରେ ଲାଗିଲା ଜୀବନ।
କ୍ରମଶଃ........