The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Binay Mohapatra

Romance

3  

Binay Mohapatra

Romance

ଅକସ୍ମାତ

ଅକସ୍ମାତ

4 mins
460


ଭୂବନେଶ୍ୱର ରୂପାଲୀ ଛକ ବସ୍ ଷ୍ଟପ, ସମୟ ପାଖା ପାଖି ଛଅଟା ବାଜିବ । ଅଫିସ ଫେରନ୍ତା ଭିଡ ସମସ୍ତଙ୍କର ଟାଉନ୍ ବସ୍ କୁ ଅପେକ୍ଷା । ଗୋଟିକ ପରେ ଗୋଟିଏ ବସ୍ ଚାଲି ଯାଉଚି ସବୁ ଓଭରଲୋଡେଡ । ଓହଳି ଓହଳି ଯାଉଥିବା ଯାତ୍ରୀ ସତେବା ଷୋଡଶୀ ବଧୂର ଗଭାରେ ବନ୍ଧା ମଲ୍ଲୀଫୁଲର ଗଜରା, ଓହଳି ଆସିଛି ତାର ଖୋସାରୁ, ଏଇନେ ଖସିପଡିବ ଏଇନେ ଖସିପଡିବ, ହେଲେ ଖସି ପଡେନା । ଜାବୁଡି ଧରିଥାଏ ତାର ରେଶମୀ ଖୋଷାକୁ । ହଳଦୀ ବସନ୍ତ ରଙ୍ଗର ଶାଢି ପିନ୍ଧି କଲେଜ ଝିଅଟିଏ ପରି ଆଗକୁ ମାଡି ଯାଉଥିବା ଟାଉନ୍ ବସ୍ ସବୁ ଖୁବ୍ ସନ୍ତର୍ପଣରେ ଚାଲି ଯାଉଥାଆନ୍ତି । କୁଆଡେ ଚାହୁଁ ନଥିବେ ହେଲେ ସବୁ ଦେଖୁଥିବେ । ଜାଗା ନଥିଲେବି ଖାଲିଅଛିର ପ୍ରତିଶୃତି ଦେଇ ଭୁଲେଇ ନେବ ସତେବା ଅତି ଆପଣାର, ତେଣିକି ଭିତରକୁ ଆସାଗଲା ପରେ ସମସ୍ତେ ଏଇଠି ସମାନ, ବସୁଧୈବ କୁଟୁମ୍ବକମ୍, ଆପଣ କିଛି ସ୍ପେସାଲ ଆଶା କରିବାଟା ବଡ ଅନ୍ୟାୟ । ଅନ୍ୟମାନଙ୍କ ପରି ଆପଣଙ୍କୁ ମଧ୍ୟ ଏଠି ଏଡଜଷ୍ଟ କରି ନେବାକୁ ହେବ ।


ହେ...ଇ, ହଠାତ୍ ପିଠିରେ କାହାର ନରମ ହାତର ସ୍ପର୍ଶ ପାଇ ପଛକୁ ବୁଲି ଦେଖିଲି ସ୍ମିତ ହସାଧାରେ ଓଠରେ ନେଇ ଖୁବ୍ ସୁନ୍ଦର ଝିଅଟିଏ ମୋ ପଛରେ ଠିଆ ହୋଇଛି । ପୁରିଲା ପୁରିଲା ଗାଲ, ଦୁଧ ଅଳତା ରଙ୍ଗର ସଜଫୁଟା ଗୋଲାପ ଟିଏ ଅବା ତାର କଜଳ ମଖା ଆଖିରେ ବଡ ଉତ୍ସାହର ସହିତ ମୋ ମୁହଁକୁ ଟୁକ୍ ଟୁକ୍ ଅପଲକ ନୟନରେ ଚାହିଁ ରହିଛି । ଆଖିରୁ ତାର ପଢି ହୋଇଯାଉଥାଏ ଅନେକ ତୃପ୍ତିର ପ୍ରେମ କବିତାଟିଏ, ହାତରେ ତାଳି ବଜେଇ ଅବୋଧ ଶିଶୁଟିଏ ପରି ଏଇନେ ନାଚି ଯିବ ପରା । ଏତେ ଆନନ୍ଦ ତା ହୃଦୟ ଭିତରେ ସତେବା ଲହଡି ମାରୁଥିଲା କିନ୍ତୁ ସେ ତାର ଖୁସିକୁ ଠିକ ଭାବେ ପ୍ରକାଶ କରି ପାରୁ ନଥିଲା । ମୁଁ କିନ୍ତୁ ମନେପକାଇ ପାରୁନଥିଲି ସେଇ ଅନ୍ତରା ଟିକୁ କେଉଁ କବିତା ସିଏ ? ଜଣା ସଂଗୀତଟିଏ ପରି ଲାଗୁଛି । ତାର ସୁର ତ ଝାପ୍ସା ଝାପ୍ସା ମନେ ପଡୁଛି ହେଲେ ମନେ ପଡୁନି ଗୀତଟିର ଶବ୍ଦସବୁ ।


ଆଖିରେ ମୋର ଅଚିହ୍ନା ଅଚିହ୍ନା ସନ୍ଦେହ ତା ହସ ହସ ଚାନ୍ଦ ପରି ମୁହଁଟି ଉପରେ ଢାଙ୍କି ଆଣୁଥିଲା ହାଲକା ବାଦଲର ଛାଇ, ସେ ବର୍ଷିବାକୁ ଥିବା ମେଘ ପରି ଗୁମ ମାରି ଆସୁଥିଲା । ଧୀରେ ଧୀରେ ନୀରବତା ଭାଙ୍ଗି, ମୁଁ ଯେତେବେଳେ କହିଲି, ‘ଚିହ୍ନି ପାରିଲିନି’, ଝିଅଟି ହଠାତ୍ ତଳକୁ ମୁଁହ ପୋତି ତାର ପାଦର କମ୍ପାସରେ ଭୂଇଁରେ ବୃତ୍ତ ଆଙ୍କୁଥିଲା । ପୁଣି ପଚାରିଲି, ଆପଣଙ୍କର ନାଆଟି କଣ ଜାଣି ପାରେକି ? ସେ ସେମିତି ତଳକୁ ମୁଁହ ପୋତି ବୃତ୍ତର ପରିଧୀରେ ପାଦର ବୁଢା ଆଙ୍ଗୁଠି ବୁଲଉ ବୁଲଉ ଚାପା ସ୍ୱରରେ କହିଲା ‘ମିତା’ । ସତେବା ବିଣାର ତାରରେ ଅଜାଣତରେ କାହାର ହାତ ବାଜିଗଲା । ସେ ପୁଣି କହିଲା, 'ଦୁଇବର୍ଷ ପୂର୍ବରୁ ମୁଁ ଢେଙ୍କାନାଳ କଲେଜରେ ପ୍ଲସ ଟୁ ପଢୁଥିଲି, ସେଠି ଆପଣଙ୍କୁ ପ୍ରାୟ ସବୁଦିନ କଲେଜ ଯିବା ଆସିବା ରାସ୍ତାରେ ଦେଖୁଥିଲି, ଆପଣଙ୍କ ନାଆଁ ଜାଣିନଥିଲେ ବି । ଆପଣଙ୍କୁ ଭଲବାବେ ନ ଚିହ୍ନିଲେ ବି, କାହିଁକି କେଜାଣି ମନେହଉଥିଲା ଆପଣ ମୋତେ ଖୁବ୍ ଚିହ୍ନା ଚିହ୍ନା ଲାଗନ୍ତି ଖୁବ୍ ଘନିଷ୍ଟ ଏବଂ ଖୁବ୍ ଆପଣାର ଆପଣାର ଲାଗୁଥିଲେ ଆପଣ । ମୁଁ ଏବେ ଆର୍ ଡି ରେ ବି.ଏ ଫାଇନାଲ ଇଅର ପଢୁଛି । ବାପାଙ୍କ ଟ୍ରାନ୍ସଫର ସେକ୍ରେଟିଏଟକୁ ହୋଇଗଲା । ବହୁତ ଦିନ ପରେ ଆପଣଙ୍କୁ ଦେଖି, ମୁଁ ସବୁ କିଛି ଯେମିତି ଭୁଲିଗଲି ଯେ ଆମେ ପରସ୍ପରକୁ ଚିହ୍ନିନେ, କେବେ କଥା ହୋଇନେ, ହେଲେ ଏମିତି ମନ୍ତ୍ରମୁଗ୍ଧ ସାପଟିଏ ପରି ବିନ୍ ର ସୁରେ ସୁରେ ଟାଣି ହୋଇଆସିଲି ଆପଣଙ୍କ ପାଖକୁ । ସରି, ପ୍ଲିଜ୍ କିଛି ଭାବିବେନି ।


ମୁଁ ବି ବୁଝି ପାରୁନଥିଲି ତାର ଏଇ ଉତ୍ତର ଶୁଣି ମୁଁ କିପରି ପ୍ରତିକ୍ରୀୟା ଦେଖାଇବି । ଯେମିତି ହଠାତ୍ ମୁଁ ମନେ ପକାଇ ପାରୁ ନଥିଲି, ଫୁଲ ବଗିଚାର ସେଇ ନିର୍ଦିଷ୍ଟ ଫୁଲଟିକୁ । ଝାପ୍ସା ଝାପ୍ସା ମନେପଡେ, ହଁ ହଁ କେତେଥର କେତେଥର ଦେଖିଛି ତାକୁ ତାର ସାଙ୍ଗମାନଙ୍କ ସହିତ କଲେଜ ଯିବା, ଆସିବା ବାଟରେ କେବେ କେମିତି ଅଫିସ ସାମ୍ନାରେ । ଟିକେ ପତଳି ଥିଲା ସେତେବେଳେ । ଆଖିରେ ଆଖି ମିଳିନି କେବେ କାରଣ ମୁଁ ତା ଆଡକୁ ଚାହିଁଲେ ସେ ଲାଜରେ ମୁହଁ ତଳକୁ କରି ନେଉଥିଲା ସବୁବେଳେ । କେବେ ଯଦି ସେ ଏକୁଟିଆ ଥାଏ ଆଉ ସାମ୍ନା ସାମ୍ନି ହୋଇଯାଏ ମୁହଁର ରଙ୍ଗ ତାର ବଦଳି ଯାଉଥିଲା । କେଉଁ ଏକ ଅଜଣା ସରମରେ ଲାଲ ହୋଇ ଯାଉଥିଲା ।


କିନ୍ତୁ ପ୍ରାୟ ଦୁଇବର୍ଷ ପରେ ହଠାତ୍ ଏକ ନୁଆ ଜାଗାରେ, ନୁଆ ରୂପରେ ପୁଣି ନୂଆ ଭାବରେ ଦେଖା ହୋଇ ଯିବାଟା ସତେ ଯେପରି ଡେଷ୍ଟିନି ଥିଲା । ବିଧିର ବିଧାନ ବିଟିତ୍ର ହୁଏତ ପ୍ରେମ ଏଇମିତି ଅକସ୍ମାତ ହୁଏ ବିନା କିଛି ପ୍ଲାନିଙ୍ଗ ବିନା କିଛି ଉପକ୍ରମଣିକା ।


ତାକୁ ମୁଁ କଣ କହିବି, କେମିତି କହିବି, କେମିତି ବୁଝେଇ ଦେବି ଯେ ତାପରି ମୋର ବି ସେଇ ସମଦଶା । ମୁଁ ତାକୁ ବହୁ ଦିନ ଧରି ଅପେକ୍ଷା କରିଥିଲି, ପ୍ରତିଦିନ କଲେଜ ସମୟରେ ରାସ୍ତାର ସେଇ ନିର୍ଦିଷ୍ଟ ଜାଗାରେ ଠିଆ ହୋଇ ତାର ଆସିବା ବାଟକୁ ଅପେକ୍ଷା କରୁଥିଲି । ମନେ ମନେ ବହୁତ୍ ଖୋଜୁଥିଲି ତାକୁ ବହୁତ ମିସ୍ କରୁଥିଲି ତାର ସେ କମନୀୟ ମୁହଁଟିକୁ । ହେଲେ ମୋର ଭାବନା ସବୁ ଅଡୁଆ ସୁତା ପରି ଅଡୁଆ ତଡୁଆ ହୋଇ ଯାଉଥିଲେ, ଶବ୍ଦମାନେ ବାଟବଣା ହୋଇ ଯାଉଥିଲେ । ମୁଁ ତାକୁ କହିବାକୁ ଥିବା ମୋର ଶବ୍ଦମାନଙ୍କୁ କ୍ରମନ୍ୱୟରେ ଠିକ୍ ଭାବରେ ଗୋଟିଏ ସୁତାରେ ଗୁନ୍ଥି ପାରୁ ନଥିଲି ।


ହଠାତ୍ ଗୋଟିଏ ଟାଉନ୍ ବସ୍ ଆସିଲା ସେଇଟା ତାରି ଘର ଆଡକୁ ଥିବା ରୁଟ୍ ରେ ଯିବ ଏଥର କିନ୍ତୁ ବସଟି ପ୍ରାୟ ଫାଙ୍କା ତର ତର ହୋଇ ସେ ବସ୍ ଉପରକୁ ଉଠି ଯାଉଥିବା ବେଳେ ବାରମ୍ବାର ମୁହଁ ମୋଡି ମୋତେ ଦେଖୁଥିଲା । ସତେବା ମୋତେ କିଛି ପଚାରୁଥିଲା । ମୁଁ କିନ୍ତୁ ସ୍ଥାଣୁ ପାଲଟି ଯାଇଥିଲି । ସାଇଡ୍ ସିଟରେ ବସିବା ପରେ ମୋତେ ଦେଖି ବାୟ କହି ହାତ ହଲାଇବା ଭିତରେ ଯେପରି ମୋର ମୋହଭଙ୍ଗ ହେଲା । ଅଜାଣତରେ ମୋ ପାଟିରୁ ବାହାରି ପଡିଲା, ଆଇ ମିସ୍ ୟୁ, ପୁଣି କେବେ ଦେଖା ହେବ ? ବହୁତ୍ କିଛି କହିବାକୁ ଥିଲା ।


ମୁଁହରେ ତାର ଫୁଟି ଉଠିଲା ହସର ପତଳା ରେଖାଟିଏ, ସେଇ ହସ ହସ ମୁଁହରେ କହି ପକାଇଲା କାଲି, ଏଇଠି, ଏଇ ସମୟରେ । ବସ୍ ତାର ଗଡି ଚାଲିଲା ଆଗକୁ, ଅପଲକ ଆଖିରେ ମୁଁ ଚାହିଁ ରହିଥିଲି ବସ୍ ଟି ଧିରେ ଧିରେ ମୋ ଆଖିର ପରିଧୀରୁ ବାହାରି ଯାଉଥିଲା ।




Rate this content
Log in

Similar oriya story from Romance