ଅକାଳକୁଷ୍ମାଣ୍ତ
ଅକାଳକୁଷ୍ମାଣ୍ତ
ଗତ ରବିବାର ଦିନର କଥା। ବିଚିତ୍ର ଓ କିଛି ପିଲା ମିଶି ଚାକିରୀ ଜାଗାରେ ଗୋଟିଏ ଭଡ଼ା ଘର ନେଇ ରହୁଥାଆନ୍ତି। ଛୁଟି ଦିନରେ ରୋଷେଇ କରିବା ତା'ର ପୁରୁଣା ସଉକ। ତେଣୁ ସେଦିନ ମଧ୍ୟାହ୍ନ ଭୋଜନରେ ଖାସି ମାଂସ ରନ୍ଧା ଚାଲିଥାଏ। ହଠାତ୍ ଫୋନ୍ ବାଜି ଉଠିଲା। ରୋଷେଇ ଘରୁ ହାତ ପୋଛି ପୋଛି ବିଚିତ୍ର ଦୌଡ଼ି ଆସି ଦେଖେ ତ, ଅଜଣା ଫୋନ୍ ନମ୍ବର୍ ରୁ ଫୋନ୍ ଆସୁଛି। ଫୋନ୍ ଉଠେଇ "ହ୍ୟାଲୋ" କହୁ କହୁ ଫୋନ୍ କଟିଗଲା। କୌଣସି କମ୍ପାନୀ ବିଜ୍ଞାପନ ଫୋନ୍ ହୋଇଥିବ ଭାବି ସେ ଫୋନ୍ ଥୋଇ ଦେଇ ପୁଣି ରୋଷେଇରେ ମନ ଦେଲା। ଠିକ୍ ଦୁଇ ଘଣ୍ଟା ପରେ ପୁଣି ସେହି ନମ୍ବରରୁ ଫୋନ ଆସିଲା। ଏଥର ଠିକ୍ ସମୟରେ ଫୋନ୍ ଉଠାଇ "ହ୍ୟାଲୋ" କହୁ କହୁ ସେପଟୁ ଗମ୍ଭୀର ସ୍ୱରରେ ଶୁଭିଲା, "ବିଚି କହୁଛୁ?" ସ୍ୱରଟି ଚିହ୍ନା ଚିହ୍ନା ଲାଗୁଥିଲେ ବି ମନେ ପକାଇ ପାରିଲା ନାହିଁ ବିଚିତ୍ର। "ଆଜ୍ଞା! ମୁଁ ବିଚିତ୍ର କହୁଛି, ଆପଣ କିଏ କହୁଛନ୍ତି" ବୋଲି ପଚାରି ଦେଲା। ମୃଦୁ କାଶ ଶବ୍ଦର ଧ୍ୱନି ସହିତ ସେପଟୁ ଶୁଭିଲା, "ମୁଁ ନୀଳ ମାଷ୍ଟ୍ରେ କହୁଛି, ଚିହ୍ନି ପାରୁଛୁ?" ସାଙ୍ଗେ ସାଙ୍ଗେ ବିଚିତ୍ର ନିଜର ବସିଥିବା ସ୍ଥାନରୁ ଉଠିପଡ଼ି "ଆଜ୍ଞା ସାର୍! ଭୂମିଷ୍ଠ ପ୍ରଣାମ ଜଣାଉଛି। ଏଇ ଅଧମକୁ ଏମିତି ଅବେଳରେ ମନେ ପକାଇଲେ? ଆପଣ କେମିତି ଅଛନ୍ତି ସାର୍? ଦେହ ଭଲ ଅଛି? ଗୁରୁମା' କେମିତି ଅଛନ୍ତି? ସନା କେମିତି ଅଛି?" ଏକା ନିଃଶ୍ୱାସକେ ଏତେ ପ୍ରଶ୍ନ ପଚାରି ପକାଇଲା। ସତେ ଯେମିତି ଅକସ୍ମାତ୍ ଅତୀତରୁ ହଜି ଯାଇଥିବା କେହି ଜଣେ ଆଜି ମିଳି ଯାଇଛନ୍ତି। ମାଷ୍ଟ୍ରେ ଆଜ୍ଞାଙ୍କ ବଡ଼ ବଡ଼ ଚଷମା ପିନ୍ଧା ଆଖି, ହାତରେ ଚଉକଷିଆ ବେତ, ଧୋବ ଫରଫର ଧୋତି କୁର୍ତ୍ତା ପିନ୍ଧା ଚେହେରାଟି ତାର ଆଖି ଆଗରେ ନାଚି ଗଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ତା'ର ଫୋନ ନମ୍ବର ପାଇଲେ କେମିତି? ଆଉ ମନେ ବି ରଖିଛନ୍ତି! କାରଣ ସେ ସବୁଠୁ ଗଧ ଓ ଅକାଳକୁଷ୍ମାଣ୍ତ ଥିଲା ସାରଙ୍କ ପାଇଁ। ଏମିତି କୋଉ ଦିନ ନାହିଁ ସେ ଚଉକଷିଆ ବେତ ପାହାରରେ ତା ପିଠି ଫାଟିନି। କିନ୍ତୁ ପାଠ ହେଲା ନାହିଁ ତା ଦେଇ। ତା'ର ମନ କବିତା, ଗଳ୍ପ, ନାଟକ ଆଦି ରଚନା କରିବାରେ ଆଉ କାଳ୍ପନିକ ଦୁନିଆ ଭିତରେ ହିଁ ହଜି ଯାଉଥିଲା।ପଞ୍ଚମ ଶ୍ରେଣୀରେ ବୃତ୍ତି ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ଆଉ ପଢ଼ାପଢ଼ି ନ କରି ଘରୁ ଲୁଚିକରି ପଳାଇ ଆସିଥିଲା ମାଡ଼ ଭୟରେ। ସହରରେ ଗୋଟିଏ ହୋଟେଲରେ ରହି ରୋଷେଇ ଶିଖି ସେଠାରେ ଶିଶୁ ଶ୍ରମିକ ଭାବରେ କିଛି ଦିନ କାମ କରିବା ପରେ, ଏବେ ନିଜର ଗୋଟିଏ ହୋଟେଲ ଖୋଲିଛି।ଲେଖାଲେଖିର ନିଶାରେ ମତୁଆଲା ମନ, ତାକୁ ହୋଟେଲ ମାଲିକ କମ୍ ଗୋଟିଏ ବିଶିଷ୍ଟ କଥାକାର ଭାବରେ ଅଧିକ ପରିଚିତ କରାଇ ଦେଇଥିଲା ସେ ସହରରେ।ସହରର ଗୋଟିଏ ବଡ଼ ନାଟକ ଏକାଡେମୀ ତରଫରୁ ସମ୍ମାନଜନକ ପୁରସ୍କାର "ନାଟକ ଶିରୋମଣି" ଭାବରେ ମଧ୍ୟ ଆଭୂଷିତ ସିଏ। ଏଇ ଅଧମ ବିଚିତ୍ର ଯେ ଦିନେ ସାର୍ ଙ୍କ କାମରେ ଆସିବ ସେ ନିଜକୁ ବିଶ୍ଵାସ କରିପାରୁ ନ ଥିଲା। ମାଷ୍ଟ୍ରେ ଆଜ୍ଞାଙ୍କ କଥା ପଚାରୁ ପଚାରୁ ଜାଣି ପାରିଲା, ସାର୍ କିଛି ଗୋଟିଏ ଅସୁବିଧା ଭିତରେ ଅଛନ୍ତି। କିନ୍ତୁ କ'ଣ ଖୋଲି ପଚାରି ପାରିଲା ନାହିଁ। କି ସାର୍ ମଧ୍ୟ କହିଲେ ନାହିଁ। ବିଚିତ୍ର ପଚାରି ଥିବା ପ୍ରଶ୍ନଗୁଡି଼କ ମଧ୍ୟରୁ ଦୁଇଟିର ଉତ୍ତର ମିଳିଲା। ତା'ର ନମ୍ବର ଖବରକାଗଜରେ ପ୍ରକାଶିତ ଗୋଟିଏ ଲେଖା ମାଧ୍ୟମରେ ପାଇଲି, ଆଉ ଗୋଟିଏ ପ୍ରଶ୍ନର ଉତ୍ତର ଗୁରୁମା ପାଞ୍ଚ ମାସ ତଳୁ ଆରପାରିକୁ ଚାଲିଗଲେଣି। ଏତିକି କହୁ କହୁ ସାର୍ ଙ୍କ କାଶ ବଢ଼ିଗଲା ଯେ ଆଉ କଥା ହୋଇ ପାରିଲେ ନାହିଁ। ଖାଲି ଶୁଭାଶୀର୍ବାଦ ଦେଇ "ଲେଖାଟି ଅତ୍ୟନ୍ତ ଉଚ୍ଚକୋଟୀର ଥିଲା....ଭଲରେ ଥାଆ.... ଆହୁରି ଆଗକୁ ଯାଆ.... ନାଁ କର" ବୋଲି କହି ଫୋନ୍ କାଟି ଦେଲେ। ସେଇ ଫୋନ୍ ପରେ ବିଚିତ୍ର ମନକୁ କାଇଁ ବିଚିତ୍ର ଭାବନା ମାନ ଧସେଇ ପଶିବାରୁ, ଦୀର୍ଘ ଦଶ ବର୍ଷର ବ୍ୟବଧାନ ପରେ ସିଏ ଗାଆଁକୁ ଯିବାକୁ ଅଣ୍ଟା ଭିଡ଼ିଲା। ସିଏ ଭାବିଥିଲା କିଏ ଆଉ ମନେ ରଖିଥିବେ ମ ମୋ ଭଳିଆ ଅକାଳକୁଷ୍ମାଣ୍ଡକୁ। କୋଉ ବଡ଼ ତୀର ମାରିଲା ଭଳିଆ କାମ କରିଛି? କିନ୍ତୁ ବସ୍ ଧରି ଗାଆଁରେ ପହଞ୍ଚିଲା ପରେ ତା'ର ବିସ୍ମୟର ସୀମା ରହିଲା ନାହିଁ। ସମସ୍ତେ ତାକୁ ଦେଖି ଚିହ୍ନିଲେ ମଧ୍ୟ ଆଉ ବାଃ ବାଃ କରୁଥିଲେ। ନିଜ ଘରକୁ ଯିବା ଆଗରୁ ସିଏ ଆଗ ନୀଳ ମାଷ୍ଟ୍ରେଙ୍କ ଘର ଆଡ଼କୁ ଚାଲିଲା। ଗାଆଁର ପରିବେଶ ବଦଳି ସାରିଥିଲା ଏତେ ବର୍ଷ ଭିତରେ। ଗୋଟିଏ ବି ଚାଳଘର ନାହିଁ। ଗାଁ ଭିତରକୁ ବିଦ୍ୟୁତ୍ ସରବରାହ ହୋଇ ସାରିଥିଲା। ଇଣ୍ଟରନେଟ ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି। ତଥାପି ତାରି ଭିତରେ ସିଏ ନିଜର ପିଲାଦିନର ସ୍ମୃତିକୁ ସାଉଁଟି ଆଣୁଥିଲା, ଏଠି ଏଇଟା ଥିଲା....ସେଠି ସେଇଟା ଥିଲା ମନେ ମନେ ଭାବି ଭାବି ଆଗକୁ ଆଗକୁ ଯାଉଥାଏ। ପାଦ ଅଟକି ଗଲା ଗୋଟିଏ ଜୀର୍ଣ୍ଣ ଶୀର୍ଣ୍ଣ କୁଡ଼ିଆ ଆଗରେ। ଏଇ ତ....ଏଇ ପରା ଆମର ଚାଟଶାଳୀ ଥିଲା। ବାହାରୁ ଶୁଣିଲା ଭିତରେ ଜଣେ କିଏ କାଶୁଛନ୍ତି। ଠିକ୍ ଫୋନରେ ଶୁଣିଥିବା ସେଇ ଲହରିଆ କାଶର ଧ୍ୱନି। ଚମକି ପଡ଼ିଲା। ସାର୍ କ'ଣ ଏ ଅବସ୍ଥାରେ ଅଛନ୍ତି? ନା ନା ସିଏ କାଳ୍ପନିକ ବିଷୟବସ୍ତୁକୁ ଚଷି ଚଷି ସବୁ କଥାରେ କଳ୍ପନା କରି ନେଉଛି ଇଆଡ଼ୁ ସିଆଡ଼ୁ କଥା। ସେ ଶୁଣିଥିଲା, ସାର୍ ଙ୍କ ପୁଅ ସନା କୁଆଡ଼େ ପାଠ ପଢ଼ି ବଡ଼ ହାକିମ ପାହ୍ୟାରେ ଅଧିକାରୀ ଅଛି। ସାର୍ ଏଠି କୁଆଡ଼ୁ ଆସିବେ? ପୁଣି ଜୋରରେ କାଶ ଶବ୍ଦର ଧ୍ୱନି ଶୁଣି ଆଗପଛ ବିଚାର ନ କରି ପଶିଗଲା କୁଡ଼ିଆ ଭିତରକୁ। ତା'ର ସବୁ କଳ୍ପନା ଜଳ୍ପନା ସତ ବୋଲି ଆଖିରେ ଦେଖି ଆଶ୍ଚର୍ଯ୍ୟ ହୋଇ ଅନାଇ ରହିଥିଲା। ଜୀର୍ଣ୍ଣ ଶୀର୍ଣ୍ଣ ଚେହେରାର ରୋଗୀ ମଣିଷ ଗୋଟିଏ ସାମ୍ନାରେ.... ଭଙ୍ଗା ଦଦରା ଖଟିଆ ଉପରେ ଶୋଇ ରହିଛନ୍ତି, ପାଖରେ ଔଷଧପତ୍ର ଖେଳେଇ ହୋଇ ପଡ଼ିଛି, ଅଇଁଠା ବାସନରେ ମାଛି ଭଣଭଣ ହେଉଛନ୍ତି। ବଡ଼ ଅପ୍ରୀତିକର ପରିବେଶ ଥିଲା। ଯେଉଁ ମଣିଷକୁ ଦିନେ ଟିପଟପ୍ ସଫା ଇସ୍ତ୍ରୀ ମରା ଧୋତି କୁର୍ତ୍ତା ପିନ୍ଧିଥିବାର ସେ ଦେଖିଥିଲା, ଆଜି ଖଣ୍ଡିଏ ମସିହା, ଚିରା ଧୋତି ଖଣ୍ଡେ ଆଉ ବେକରେ ଗାମୁଛା ପଡ଼ିଛି, ଏ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏ କ'ଣ? ମୁଁ ସ୍ୱପ୍ନରେ ଭ୍ରମଣ କରୁନି ତ! ଧିରେ ଧିରେ ଯାଇ ସାର୍ ଙ୍କ ପାଖରେ ଛିଡ଼ା ହୋଇ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲା। ମୁଣ୍ଡ ଉଠାଇ ସାର୍ ଦେଖିବାକୁ ଚେଷ୍ଟା କରୁ କରୁ ପଚାରିଲେ, "କିଏ?"...."ସାର୍ ମୁଁ ବିଚିତ୍ର ଆପଣଙ୍କର ଛାତ୍ର ଥିଲି। ଆପଣ ଏଇ କିଛି ଦିନ ଆଗରୁ ମୋତେ ଫୋନ୍ କରିଥିଲେ.... କ'ଣ କେଜାଣି ମନ ହେଲା ଯେ, ଆପଣଙ୍କର ସ୍ୱର ମୋତେ କେମିତି କେମିତି ଲାଗିଲା, ଚାଲି ଆସିଛି ଦେଖିବାକୁ। ଭଲ ବି ହେଲା ଚାଲି ଆସିଛି। ନ ହେଲେ ଆପଣଙ୍କର ଏ ଅବସ୍ଥା କେମିତି ଜାଣି ଥାଆନ୍ତି?" ବିଚିତ୍ର କହିଲା। ଘରର ଆଉ ମଣିଷର ପରିସ୍ଥିତି ଦେଖି ବିଚିତ୍ର ସବୁ ଅନୁମାନ କରି ସାରିଥିଲା। ସାର୍ ଙ୍କ ମନରେ କୌଣସି ଆଘାତ ନ ଲାଗୁ ତେଣୁ କିଛି ନ ପଚାରି, ଘରକୁ ଆଗ ସଫା ସୁତୁରା କରି ପକାଇଲା। ତାପରେ ସାଙ୍ଗରେ ଆଣିଥିବା ସାର୍ ଙ୍କ ପାଇଁ ନୂଆ ଧୋତି କୁର୍ତ୍ତା ପିନ୍ଧାଇ ଦେଲା। ଭାତ ଡାଲମା ରାନ୍ଧି ଦେଇ ବାସନ ସଫା କରି ସାର୍ ଙ୍କୁ ଖୁଆଇ ଦେବା ସହିତ ସାର୍ ଙ୍କୁ ହାତ ଯୋଡ଼ି ଅନୁରୋଧ କଲା ଯେ, "ସାର୍ ଆଜି ମୁଁ ଯାହା ବି ହୋଇଛି କେବଳ ଆପଣଙ୍କ ପ୍ରେରଣା ପାଇ। ତେଣୁ ଏଇ ଅଧମ ଅକାଳକୁଷ୍ମାଣ୍ତକୁ ଆପଣଙ୍କର ସେବା କରିବାକୁ ସୁଯୋଗ ଦେଇ କୃତାର୍ଥ କରନ୍ତୁ। ଚାଲନ୍ତୁ ମୋ ସହିତ ସହରକୁ, ମୋର ତ କେହି ନାହିଁ.... ଆପଣ ମୋ ବାପା ସମାନ.... ଆପଣଙ୍କର ହାତ ମୋ ମୁଣ୍ଡ ଉପରେ ଥାଉ।" ବହୁତ ଅନୁରୋଧ କରିବା ପରେ ସାର୍ ରାଜି ହେଲେ ସାଙ୍ଗରେ ଯିବା ପାଇଁ। ତା ପରଦିନ ସକାଳୁ ବସ୍ ଧରି ବିଚିତ୍ର ସାର୍ ଙ୍କୁ ନେଇ ବସାକୁ ଫେରି ଆସିଲା। ବସ୍ ରେ ଆସୁଥିବା ସମୟରେ ନୀଳ ମାଷ୍ଟ୍ରେ ଭାବୁଥିଲେ, "ଭଗବାନଙ୍କ ଲୀଳା କି ବିଚିତ୍ର! ଜନ୍ମ କଲା ପୁଅ ପାଠ ପଢ଼ି ଉଚ୍ଚଶିକ୍ଷିତ ହୋଇ ଚାକିରୀ ପାଇଲା ପରେ ପିତାମାତାଙ୍କ ନାମ ମଧ୍ୟ ଭୁଲି ଗଲା। ଚାକଚକ୍ୟ ଜୀବନରେ ମସଗୁଲ୍ ହୋଇ ସେ ଉଚ୍ଚରେ ଆଜି। କିନ୍ତୁ ଯାହାକୁ ଦିନେ ତିରସ୍କାର କରି କରି ଅକାଳକୁଷ୍ମାଣ୍ତ ବୋଲି ଆଖ୍ୟା ଦେଇ ନାକ ଟେକୁଥିଲି, ସିଏ ଏଇ ମାଟିରେ ମିଶିବା ସମୟରେ ସାହା ହେଲା। ସେ ବି ରକ୍ତ ସମ୍ପର୍କ ନୁହେଁ କି ବର୍ଷ ବର୍ଷ ଧରି ସମ୍ପର୍କରେ ଥିଲା.... ଗୋଟିଏ ଥର କଥାବାର୍ତ୍ତାରେ ମୋ ପାଖକୁ ଦୌଡ଼ି ଆସିଲା। ଅଥଚ.... ସତରେ ସେ ଉଚ୍ଚରେ କିଛି କିମିଆ ଅଛି ବୋଧହୁଏ, ସେଠି ପହଞ୍ଚି ଗଲେ ମଣିଷ ବୁଦ୍ଧି, ବିବେକ, ଭଲମନ୍ଦ ସବୁ ପାଶୋରି ଦିଏ। ବୟସ ଢଳିବା ପରେ ଉଚ୍ଚ ଶିକ୍ଷିତ ଉଚ୍ଚ ପଦସ୍ଥ ଜନ୍ମ କଲା ପୁଅ ପର କରି ଦେଲା, କିନ୍ତୁ ଅଧା ପାଠୁଆ ଅକାଳକୁଷ୍ମାଣ୍ତ ଛାତ୍ର ଆଦରି ନେଲା ସମ୍ମାନର ସହିତ..।"
