ଅଜାମ୍ବିଳ
ଅଜାମ୍ବିଳ
ଶ୍ରୀଶ୍ରୀ ଗୁରୁଚରଣେ ଶରଣ8 | ଜୟ ଶ୍ରୀରାଧେ . . .
କୃଷ୍ଣାୟ ବାସୁଦେବାୟ ଦେବକି ନନ୍ଦନାୟ ଚ
ନନ୍ଦଗୋପ କୁମାରାୟ ଶ୍ରୀକୃଷ୍ଣାୟ ନମୋନମଃ ।।
ଅଜାମ୍ବିଳ
X X X
ନିବୃତ୍ତି ମାର୍ଗଦ୍ଵାରା ଅର୍ଚ୍ଚିରାଦି (ଜ୍ୟୋତିର୍ମୟ)ମାର୍ଗରେ ଜୀବ କ୍ରମଶଃ ବ୍ରହ୍ମଲୋକରେ ପହଞ୍ଚିଯାଏ ଓ ତାପରେ ବ୍ରହ୍ମାଙ୍କ ସହିତ ମୁକ୍ତ ହୋଇଯାଏ । ତା ଛଡା ଯେଉଁ ପ୍ରବୃତ୍ତି ମାର୍ଗ ଧରିଲେ ତ୍ରିଗୁଣମୟୀ ସ୍ଵର୍ଗାଦି ଲୋକ ପ୍ରାପ୍ତି ହୁଏ ସିନା, ପ୍ରକୃତିଠାରୁ ସମ୍ବନ୍ଧ ତୁଟି ନଥିବାରୁ ଜୀବକୁ ବାରମ୍ଵାର ଜନ୍ମ-ମୃତ୍ୟୁର ଚକ୍ରରେ ଘୁରିବାକୁ ପଡ଼ିଥାଏ ।ଅଧର୍ମ କଲେ ମଣିଷ (ଜୀବକୁ ) ବିଭିନ୍ନ ନରକରେ ପଡିବାକୁ ହୁଏ ।
ମନୁଷ୍ୟ ତାର ମନ-ବଚନ ଓ ଶରୀର ଦ୍ଵାରା ପାପ କରିଥାଏ ସେଯଦି ସେହି ସବୁ କରିଥିବା ପାପକ୍ଷୟ କରିବାକୁ ଇହ ଜନ୍ମରେ ପ୍ରାୟଶ୍ଚିତ ନ କରେ, ତେବେ ମୃତ୍ୟୁପରେ ତାକୁ ନିଶ୍ଚିତ ରୁପେ ବିଭିନ୍ନ ନରକରେ ଘାଣ୍ଟି ହେବାକୁ ହେବ । ଶମନ ପୁରରେ ଯମଙ୍କଠାରୁ ଅନେକ ଯାତନା ଭୋଗିବାକୁ ହେବ ।
ଇହ ଜଗତରେ ଯେକୌଣସି ପ୍ରକାର ଦୋଷ କଲେ ତାକୁ ରାଜଦଣ୍ଡ , ସାମାଜିକ ଦଣ୍ଡ ତଥା ଲୌକିକ ଦଣ୍ଡ ମିଳିଥାଏ ଯଦି ଇହ ଜଗତରେ ଦଣ୍ଡରବିଧାନ ଅଛି । ତାହେଲେ ପାରଲୌକିକ ଦଣ୍ଡ ବା ଶାସ୍ତ୍ରେ।କ୍ତ ହିସାବରେ ନରକ ଯନ୍ତ୍ରଣା ବ୍ୟବସ୍ଥା ନଥିବ କେମିତି ।
ପ୍ରତ୍ୟେକ ମାନବ ତାର ମନରେ ଜାଣୁଛି ଯେ, ସେ ଯାହା କର୍ମ କରୁଛି ତାର ପ୍ରତ୍ୟେକଟି କର୍ମ ଠିକ୍ କି ଭୁଲ୍ କର୍ମ । ଜାଣି ଜାଣି ଅଜଣା ହେଉଛି ମନୁଷ୍ୟ । ଜାଣୁଛି ଯେ, ଏହି ରାସ୍ତାଟା ମୋପାଇଁଭୁଲ୍ | ତଥାପି ସେ ପାପ ବାସନାର ବଶୀବର୍ତ୍ତ ହୋଇ ବାରମ୍ଵାର ପାପକର୍ମରେ ପ୍ରବୃତ୍ତ ହୋଇଯାଉଛି । ଏପରି ହେବାଦ୍ୱାରା ପାପର ପ୍ରାୟଶ୍ଚିତ ହେବା କିପରି ସମ୍ଭବ ।
ମନୁଷ୍ୟ ପ୍ରାୟଶ୍ଚିତ ଆଦିକରି ଯଦି ପାପରୁ ଥରେ ଉଦ୍ଧାର ପାଇଯାଉଛି , ତେବେ ସେ ପୁଣି ଥରେ ପାପ କରିବାକୁ ଆରମ୍ଭ କରିଦେଉଛି । ତା ଅର୍ଥ ହେଲା ହାତୀ ଯେମିତି ଗାଧୋଇସାରି ନିଜ ଦେହରେ ପୁଣି ଧୂଳି ଅଜାଡି ପକାଇଲା ଭଲି ମନୁଷ୍ୟ ମଧ୍ୟ ପ୍ରାୟଶ୍ଚିତ କରିବା ବୃଥା ।
ବସ୍ତୁତଃ କର୍ମ ଦ୍ଵାରା କର୍ମର ସମୁଳେ ନାଶ ହୁଏନାହିଁ ଯିଏ ଆସକ୍ତ ହୋଇ କର୍ମରେ ଲିପ୍ତ ହୁଏ ସେ ହେଉଛି ଅଜ୍ଞାନୀ । ଅଜ୍ଞାନୀ ରହିଥିବା ପର୍ଯ୍ୟନ୍ତ ପାପ ବାସନା ସମ୍ପୁର୍ଣ୍ଣ ରୁପେ ନଷ୍ଟ ହେବନାହିଁ । ତେଣୁ ତତ୍ତ୍ଵଜ୍ଞାନୀ ହିଁ ହେଉଛି ପ୍ରକୃତ ପ୍ରାୟଶ୍ଚିତ ।
ଆମ ଶରୀରରେ ରୋଗ ହେଲେ ରୋଗର ଉପଶମ ପାଇଁ ବା ରୋଗରୁ ସଂମ୍ପୁର୍ଣ୍ଣ ନିରୋଗ ହେବା ପାଇଁ ଠିକ୍ ଔଷଧ ସେବନ କରି ଥାଉଁ । ଆଉ ଶରୀରକୁ ରୋଗ ଯେପରି ପ୍ରବେଶ କରିପାରିବ ନାହିଁ । ସେଥିପ୍ରତି ସଜାଗ ହୋଇଥାଉଁ । ଠିକ୍ ସେହିପରି ପାପ ବାସନାରୁ ବିଭିନ୍ନ ପ୍ରକାର ପାପକର୍ମରୁ ନିବୃତ୍ତ ରହିବା ପାଇଁ କୁ_ସଙ୍ଗ ପରିତ୍ୟାଗ ବା ବର୍ଜନ ନିତାନ୍ତ ଆବଶ୍ୟକ । ଯେତେ ପାପି ହେଲେ ସୁଦ୍ଧା ଯଦି ସେ କାୟମନୋବାକ୍ୟରେ ଭଗବାନଙ୍କର ଶରଣରେ ନିଜକୁ ସମର୍ପିତ କରିଦିଏ ତା ହେଲେ ତାର ଭକ୍ତି ଦ୍ଵାରା ସକଳ ପାପରୁ ମୁକ୍ତ ହୋଇଯାଏ । ଯେପରି କୁହୁଡିକୁ ସୂର୍ଯ୍ୟଙ୍କର ରଶ୍ମୀ ନଷ୍ଟ କରିଦେଇଥାଏ । ଏହି କଥା ତ ପ୍ରକୃତ ସତ୍ୟ କିନ୍ତୁ ଏମିତି ଭକ୍ତ ବିରଳ ।
ଜଣେ ପାପି ପୁରୁଷ ଯଦି ଭଗବତ ଶରଣ ବା ଭଗବାନଙ୍କ ନିକଟରେ ନିଜକୁ ଆତ୍ମସମର୍ପଣ କରିଦେଲେ, ପ୍ରଭୁଙ୍କ ଭକ୍ତମାନଙ୍କ ସେବା କରେ ସେ ପୁରୁଷର ଚିତ୍ତଶୁଦ୍ଧି ହୋଇଥାଏ ।
ଜଗତରେ ଭଗବଦ୍ ପ୍ରାପ୍ତି ରାସ୍ତା ଅତି ଦୁର୍ଗମ । ଏହି ରାସ୍ତାକୁ କେବଳ ଭଗବଦ ଚରଣାଶ୍ରିତ ସାଧୁ , ସନ୍ୟାସୀ, ମୁନି, ଋଷି ଓ ଭଗବଦ୍ ଭକ୍ତ ହିଁ ଆପଣାଇଥାନ୍ତି । ଏହି ଦୁର୍ଗମ ବାଟରେ ଆଗେଇବା ଏତେ ସହଜ ନୁହେଁ । ଭଗବଦ୍ ରାସ୍ତାରେ ପରିଚାଳିତ ବ୍ୟକ୍ତି ପୁଣି ପୁଣି ପାପ କରିବସେ ତାହେଲେ ସେଯେତେ ପୁଣ୍ୟ କରୁଥିଲେ ମଧ୍ୟ ତାର ଫଳ କେବଳ ଶୂନ । ତାର କରିବା କର୍ମ ହିଁ ବୃଥା ।
ଯଦି ଜଣେ ପାପୀ ପୁରୁଷ
ତାର ଜୀବନ କାଳରେ କେବଳ ପାପକର୍ମ କରି ଚାଲେ ତା ହେଲେ ତାର ମୃତ୍ୟୁ ସମୟକୁ ଯଦି ସେ ଭଗବାନଙ୍କର ନାମ ଉଚ୍ଚାରଣ କରିଥାଏ ତେବେ ସେ ଭଗବାନଙ୍କର ଚରଣରେ ଲୀନ ହୋଇଥାଏ । ତାକୁ ଯମ ଦଣ୍ଡ ଲାଗେନାହିଁ । ଯମ ଦଣ୍ଡକୁ ଭୟ ନଥାଏ । ସେହି ବ୍ୟକ୍ତିଙ୍କୁ ବା ସେହି ଆତ୍ମାକୁ ବିଷ୍ଣୁ ଦୂତମାନେ ଆସି ନେଇଯାଇଥାନ୍ତି।ଏଠାରେ ଜଣେ ମହାପାପୀ କେମିତି ଯମ ଯନ୍ତ୍ରଣାରୁ ମୁକ୍ତି ପାଇଁ ଭଗବାନଙ୍କର ଚରଣରେ ଲୀନ ହୋଇଛି ତାହା ସଂକ୍ଷିପ୍ତରେ ପ୍ରକାଶ କରିଛି ।
କାନ୍ୟକୁବ୍ଜ ନଗରରେ ଜଣେ ଦାସୀପତି (ଶୁଦ୍ରାକୁ ରକ୍ଷିତା ସ୍ତ୍ରୀ କରିଥିବା) ବ୍ରାହ୍ମଣ ରହୁଥିଲା । ନାମ ତାର ଅଜାମ୍ବିଳ । ଅଜାମ୍ବିଳର ବୟସ ୮୮ବର୍ଷ ବୟସ । ୧୦ଟି ପୁତ୍ର-କନ୍ୟାଙ୍କର ଜନକ ସେ । ଅଜାମ୍ବିଳର ବୃଦ୍ଧା ବୟସ, ମୃତ୍ୟୁ ଶଯ୍ୟାରେ ଉପସ୍ଥିତ ସମୟ । ଶଯ୍ୟାରେଏହି ସମୟରେ ଦିନେ ହଠାତ୍ ଅଜାମ୍ବିଳ ର ସମ୍ମୁଖରେ ୩ଜଣ ଯମଙ୍କର ଦୂତ ନାଗପାଶ ଧରି ଉଭାହେଲେ । ଅଜାମ୍ବିଳ କୁ ବାନ୍ଧି ନେବାପାଇଁ । ସେହି ଯମଦୂତ ମାନଙ୍କର ବିକଟାଳ ରୁପ ଅଟ୍ଟହାସ୍ୟ ଦେଖି ଅତୀବ ଭୟଭୀତ ହୋଇ ଚିତ୍କାର କରି ଉଠିଲା ଅଜାମ୍ବିଳ . . .
ବୋଇଲା ପୁତ୍ର ନାରାୟଣ
ରଖହେ ମୋହର ଜୀବନ । ( ଭାଗବତ )
ଯମଦୂତଙ୍କ ଭୟରୁ ସେ ନିସ୍ତାର ପାଇବାପାଇଁ ପୁତ୍ରକୁ ଡାକିଛି ହେ ପୁତ୍ର ନାରାୟଣ ତୁ ମୋତେ ଏହି ଯମଙ୍କ ଦୂତଗଣରୁ ଉଦ୍ଧାର କର, ଏତିକି କହି ତାର ପ୍ରାଣବାୟୁ ଚାଲିଯାଇଛି । ଏହି ସମୟରେ "ନାରାୟଣଙ୍କନାମ" ଶ୍ରବଣ କରି ବିଷ୍ଣୁଙ୍କର ଦୂତମାନେ ଅଜାମ୍ବିଳ ପାଖରେ ପହଞ୍ଚିଯାଇଥିଲେ ।
ଏଠାରେ ଉଭୟ ଯମଦୂତ ଏବଂ ବିଷ୍ଣୁଙ୍କ ଦୂତଭିତରେ ଅନେକବାଦ ବିବାଦ ହେଲା ପରେ ବିଷ୍ଣୁ ଦୂତମାନେ ଅଜାମ୍ବିଳଙ୍କୁ ନେଇଯାଇଛନ୍ତି ବିଷ୍ଣୁଲୋକକୁ । ଯମଦୂତମାନେ ସେଠାରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ସଂଜୀବନୀ ପୁରକୁ । ସେଠାରେ ଦୂତଗଣ ପଚାରିଛନ୍ତି ଧର୍ମ ଦେବଙ୍କୁ, ହେ ଧର୍ମରାଜ ଆପଣ ଆମ୍ଭଙ୍କୁ କହନ୍ତୁ ଯେ, ଅଜାମ୍ବିଳ ଥିଲା ମହାପାପୀ । ସେ ତାର ଜୀବନକାଳ ଭିତରେ କେବେ କ୍ଷଣିକ ପାଇଁ ମଧ୍ୟ ସତ୍ କର୍ମ କରିନାହିଁ । କାହାକୁ କିଛିଦାନ କରିନାହିଁ, କିଛି ଧର୍ମ କରିନାହିଁ, କିଛି ପୁଣ୍ୟ ମଧ୍ୟ କରିନାହିଁ । କେବଳ ପାପହିଁ ପାପ କରିଛି । ସେ ବ୍ରାହ୍ମଣ ହୋଇ ମଧ୍ୟ ଶୁଦ୍ର ସ୍ତ୍ରୀ ସଙ୍ଗ କରି ନିଜ ଜୀବନକୁ ଅତିବାହିତ କରିଛି । ଏପରିକି ବ୍ରାହ୍ମଣର କୌଣସି କର୍ମ ମଧ୍ୟ ସେ ଠିକ୍ ଭାବରେ କରିନାହିଁ । ଆଉ ଏତେ ପାପି ହୋଇ ମଧ୍ୟ ଆମ୍ଭଙ୍କୁ ତାର ଆତ୍ମାକୁ ଆଣିବାର ଆମର ଅଧିକାର ହେଲା ନାହିଁ କାହିଁକି।
ଏହି କଥା ଶୁଣି ଧର୍ମରାଜ କହିଲେ ହେ ଦୂତଗଣ ମାନେ ତୁମ୍ଭେ ଶୁଣ. .
ତୁମ୍ଭେମାନେ ଯେଉଁ ଲୋକ ଭଗବଦ୍ ପରାୟଣ, ବିଷ୍ଣୁଙ୍କୁ ପୂଜା କରନ୍ତି, ଭଗବାନଙ୍କର ନାମ ଗୁଣାନୁବାଦ, ଭଗବାନଙ୍କର କୀର୍ତ୍ତନ କରନ୍ତି। ଯିଏ ତୁଳସୀପୁଜନ କରନ୍ତି ସାଧୁସଙ୍ଗ, ମାଳା ତିଳକ ଧାରି, ବୈଷ୍ଣବ, ସେହିମାନଙ୍କୁ ଛାଡ଼ିଦେଇ ଅନ୍ୟମାନଙ୍କୁ ବାନ୍ଧି ଆଣିବ । ହଁ ଆଉ ଗୋଟିଏ କଥା ସଦାସର୍ବଦା ମନେରଖିବ। ଯେଉଁ ବ୍ୟକ୍ତି ମୃତ୍ୟୁ ସମୟରେ ଭଗବାନଙ୍କର ଯେ କୌଣସି ନାମ ଧରି ମୃତ୍ୟୁବରଣ କରେ ସେ ଭଗବାନଙ୍କର ସାନ୍ନିଧ୍ୟ ଲାଭ କରିଥାଏ । ସେ ନାମ ସଙ୍କେତରେ ହେଉ ଅବା ପରିହାସରେ ହେଉ ଅଥବା ନିଜର ପୁତ୍ର ନାମ ହୋଇଥାଉ । ତାହା ସେ ସମୟରେ ବିଚାର କରାଯାଏନାହିଁ। ଯେହେତୁ ସେ ମୃତ୍ୟୁ ଶଯ୍ୟାରେ ଅନ୍ତିମ ସମୟରେ ଭଗବାନଙ୍କର ନାମ ନେଉଛି ।
ତେଣୁ ଆଜି ଏହି ନାମ ବଳରେ ଅଜାମ୍ବିଳ ମୁକ୍ତି ପାଇ ଯାଇଛି ନିଜ ପୁତ୍ରର ନାମ ନାରାୟଣ ରଖି ।
ଆଜି ଆମ୍ଭେ ସମସ୍ତ ମାନବ ସମାଜ ଗୋଟିଏ କଥା ଶିଖିବା ଯେ, ଆଜି ପୁତ୍ରର ନାମ ନାରାୟଣ ରଖି ପାପି ଅଜାମ୍ବିଳ ଯମ ଦଣ୍ଡଠାରୁ ମୁକ୍ତି ପାଇଗଲା । ହେଲେ ଆମେ କାହିଁକି ନୁହେଁ । ଆମ୍ଭେ ସମସ୍ତେ ଚେଷ୍ଟା କରିବା ନିଜର ପୁତ୍ର କିମ୍ବା କନ୍ୟାଙ୍କର ନାମ ଭଗବାନଙ୍କର ସହସ୍ରନାମ ଭିତରୁ ଗୋଟିଏ ନାମ ନିଶ୍ଚୟ ଦେବା । ଯାହା ଆମକୁ ଆମର ମୃତ୍ୟୁ ସମୟରେ ପଥପ୍ରଦର୍ଶକ ହେବ. . ।