ଅହମିକା
ଅହମିକା


--ଜାଣିଛ ବୋଉ ଆଜି ଜିଦି ଧରିଛନ୍ତି ବସିଛନ୍ତି, କହୁଛନ୍ତି ଗାଁ ରେ ନେଇ ତାଙ୍କୁ ଛାଡି ଦେବାକୁ । ସକାଳେ ତ ଖାଇ ନଥିଲେ । ବହୁତ କଷ୍ଟରେ ଦିହି ପହରେ ତାଙ୍କୁ ବୁଝାଇ ଖୁଆଇଛି । ତୁମ ଆସିବାକୁ ସେ ଅପେକ୍ଷା କରିଛନ୍ତି । ତୁମେ ତାଙ୍କୁ ବୁଝାଅ । ମୋ ମୁଣ୍ଡ କିଛି କାମ କରୁନି ।
ଅଫିସ୍ ରୁ ଫେରି ସ୍ତ୍ରୀ ଲତିକାଙ୍କ ଠାରୁ ଏତକ ଶୁଣି ଦେବେନ୍ଦ୍ର ବି ଉଦାସ ହୋଇ କହିଲେ,
--ମୁଁ ବି କ'ଣ କରିବି ଲତିକା !! ବୋଉ ତ ପିଲା ପରି ହଉଛି । ମୁଁ ଜାଣିଛି ଏଠି ଯେମିତି ଅଛି କୋଉଠି ବି ସେ ଏତେ ସୁବିଧା ପାଇବନି । ନବେ ବର୍ଷ ରେ ଆମେ ଗାଁରେ ଛାଡ଼ିଲେ ଲୋକ ତ ଯାହା କହିବେ, ଆମ ବିବେକ ବି ବାଧା ଦେବ ।
ଶୁଭ ତା ରୁମ୍ ରୁ ଚାଲିଆସି କହିଲା
-- ତୁମେ ପାପା ମମି କାହିଁକି ମା'ଙ୍କ କଥା ଶୁଣୁଛ । ମା’ ଏଇଠି ରହିବେ ମା'ଙ୍କୁ କୁଆଡେ ମୁଁ ଯିବାକୁ ଦେବିନି । ସବୁ ଠିକ୍ ହୋଇଯିବ ।
ପିଲାମାନଙ୍କ କଥାବାର୍ତ୍ତା ଶୁଣି ଭିତର ଘରୁ ଜେଜେ ମା ଲଇଁ ଲଇଁ ଆସି ବୋହୂକୁ କହିଲେ,
--ଆଲୋ ବୋହୂ ଦେବ ତ ଅଇଲାଣି ତାକୁ କହିଲୁ ତ, କାଲି ମତେ ନେଇ ଗାଁ ରେ ଛାଡି ଆସିବ ବୋଲି ।
ଜେଜେମା ଙ୍କ କଥାଶୁଣି ଅଳ୍ପ ଶୁଣା ଯାଉଥିବା ଜେଜେମା ଙ୍କୁ ନାତି ଶୁଭ ବଡ଼ ପାଟିରେ କହିଲା,
--ଆଲୋ ବୁଢୀ ଏ ବୟସରେ ତୁ କ'ଣ ଗାଁରେ ଏକା ରାନ୍ଧି ଖାଇ ପାରିବୁ । ତତେ ସେଠି କିଏ ଖାଇବାକୁ ହେବ ! କିଏ ତୋ ଦେହ ପା କଥା ବୁଝିବ ! ତୋର ଏଠି କିଛି ଅସୁବିଧା ହେବନି । ଏଇଠି ରହ ।
ବୁଢ଼ୀ ନାତିକୁ ଭୟ କରି କହିଲେ,
--ନାଇଁ ତୋ ବାହାଘର ପରେ ତ ମୁଁ ଯେମିତି ହେଲେ ଯିବି, ଭାବୁଛି ଆଗରୁ ପାଳେଇବି ।
--ଶୁଣୁ ଜେଜେ ମା !! ତୁ ଯାହା କହିବୁ ଶାଶ୍ଵତୀ ସବୁ ମାନିବ । ତୁ କହିଲୁ ସେ ରୋଷେଇ ଘରକୁ ଯିବନି । ସେ ଏଥିରେ ରାଜି । ତୁ କହିଲୁ ତତେ ଛୁଇଁବ ନି । ଏଥିରେ ମଧ୍ୟ ସେ ରାଜି । ତୁ କାହିଁକି ତା ସତ୍ତ୍ବେ ଗାଁକୁ ଯିବାକୁ ବାହରିଛୁ ।
--ଆରେ ଶୁଭ ଯାହା ହେଲେବି ମୁଁ ନୈଷ୍ଠିକ ବ୍ରାହ୍ମଣ ଘରର ବିଧବା ସ୍ତ୍ରୀ ଲୋକ, ସେମାନେ ପାଣି ଅଛୁଆଁ ଜାତି । ମୋ କାୟା ଅପବିତ୍ର ହେବନି ! ମୁଁ କୁମ୍ଭିପାକ ନର୍କରେ ପଡିବିନି !ଆରେ ଏ ବୟଷରେ ମତେ ବିଟାଳିବୁ । ତୋ ମା ତା ହାତରୁ ଖାଉ, ମୁଁ କିନ୍ତୁ ତା ହାତରୁ ଖାଇ ପାରିବିନି କି ନର୍କରେ ପଡିବିନି ।
ଶାଶୁଙ୍କର ଅବିଗୁଣିଆ କଥା ଶୁଣି ଲତିକା କହିଲେ,
--ଯୁଗ ଯାଇ କୋଉଠି ହେଲାଣି ବୋଉ । ମୁଁ ଶାଶ୍ଵତୀକୁ ଏତେ ବୁଝାଇଲି, ତା'ର ତ ଏକା ଜିଦ୍ ଆମ ଶୁଭକୁ ବାହା ହେବ । ଜାଣିଛ ବୋଉ କେତେ ଭଲ ଝିଅଟିଏ ସେ । ବହୁତ ଭଲ ପାଠ ପଢିଛି । ତାକୁ ବାହାରେ ମଧ୍ୟ ଉଚ୍ଚ ଦରମାରେ ଚାକିରୀ ମିଳିଥିଲା, କିନ୍ତୁ ସେ ସବୁକୁ ଛାଡି ସେ ଓଡ଼ିଶାରେ ଚାକିରୀ କଲା । ଦୂରରେ ଚାକିରୀ ପାଇଥିଲା ଯେ ବଦଳି ହୋଇ ଆମ ସହରକୁ ଆସିଛି,କେବଳ ଆମ ପାଖରେ ରହିବ ବୋଲି । ମଣିଷକୁ ଚିହ୍ନ ବୋଉ ଜାତିକୁ ନୁହଁ । ତୁମେ ତ ବୟସରେ ବଡ଼ ମୁଁ ତୁମକୁ କ'ଣ ବୁଝାଇ ବି ।
--ମୁଁ କ'ଣ କରିବି ମୁଁ ତ ସେମିତି ଚଳିଛି । ମତେ ଡର ମୋ କାୟା ମାରା ହୋଇଯିବ । ଘରେ ରହିଲେ କାଳେ ମତେ ସେ ଛୁଇଁ ଦେବ । ତା'ହେଲେ ତ କାୟା ଅପବିତ୍ର ହେବ । ସେ ରୋଷେଇ ଘରେ ପଶିଲେ ରୋଷେଇ ଘର ବି ମାରା ହେବ । ଏମିତି ଅବସ୍ଥାରେ ମୁଁ ଖାଇ ପାରିବିନି । ଆମର ବ୍ରାହ୍ମଣ ଘର ପୂଜା ପାଠ କଲା ବେଳେ ଅନ୍ୟ ଜାତି ଛାଇ ବି ପଡିବା କଥା ନୁହେଁ ।
ବୋଉଙ୍କ କଥା ଶୁଣି ଦେବେନ୍ଦ୍ର କହିଲେ,
--ବୋଉ ସେ ଝିଅ ବାହା ହେଲେ ଆମ ଜାତିର, ଆମ ଗୋତ୍ରର ହୋଇ ଯିବନି କି !
ତାକୁ ତ ଲତିକାର ଭାଇ ବାହା କରିବେ । ତା' ବାପା ମା ମଧ୍ୟ ଏଥିରେ ରାଜି । ତା'ହେଲେ ତ ସେ ଆମ ଜାତିର ହୋଇଗଲା । ଏଥିରେ ଅସୁବିଧା କଣ ଅଛି !
ଆଉ ତୋ କାମ କରିବାକୁ ତ ମୁଁ ଓ ଲତିକା ଅଛୁ । ସେ କାହିଁକି ତୋ କାମ କରିବ ।
-- ତୁମେମାନେ ଯଦି କହୁଚ ରହିବି, ହେଲେ ତା'କୁ କହିବ ମୋଠୁ ଦୂରେଇ ରହିବା । ରୋଷେଇ ଘର, ଠାକୁର ଘରକୁ ଯିବନି । ପାଣି ଛୁଇଁବନି ।
ଏତକ କହି ତାଙ୍କ ଘର ଭିତରକୁ ବୁଢ଼ୀ ଚାଲିଗଲେ ।
ଲତିକା ଚିନ୍ତିତ ହୋଇ କହିଲେ ।
--ବୁଝିଲ ମୋ ମୁଣ୍ଡ କିଛି କାମ ଦଉନି । ସେ ଝିଅକୁ ଯଦି ଏମିତି କହିବେ ଏଇଟା ଛୁଁ ନା ସେଇଟା ଛୁଇଁ ନା । ତା' ହେଲେ ତାକୁ ଅପମାନ ଲାଗିବନି ।
ଶୁଭ କହିଲା,
--ତୁ ବ୍ୟସ୍ତ ହେ ନା ମାମା । ଶାଶ୍ଵତୀ ସବୁ ଜାଣିକି ଆସୁଛି । ତା'ପରେ ସେ ଭଲ ଝିଅଟିଏ । ସବୁ ଚଳାଇ ନେବା ।
--ହଁ ରେ ମୁଁ ବି ମା'ଙ୍କ କଥା ତାକୁ କହିଛି । ତାକୁ କହିଛି ,ଦେଖେ ମୁଁ ସିନା କିଛି କହିବିନି କିନ୍ତୁ ମୋ ଶାଶୁ ବୁଢ଼ୀ ଲୋକ, ଯଦି କିଛି କହିବେ ତା’ ହେଲେ କଥା ଧରିବୁନି ।
ସେ କ'ଣ କହିଲା ଜାଣିଛୁ, ମା’ ଯଦି କିଛି କୁହନ୍ତି ସେ କହିଲା ବେଳେ ମୁଁ କାନରେ ଇଅର ଫୋନ୍ ଲଗେଇ ଗୀତ ଶୁଣିବି କିନ୍ତୁ ତାଙ୍କୁ କିଛି କହିବିନି । ସତରେ ଶୁଭ ମତେ ଚିନ୍ତା ଲାଗୁଛି । ସେ ଝିଅକୁ ମନା କରିବା ସତ୍ତ୍ୱେ ଏଠିକି ବଦଳି ହୋଇ ଆସୁଛି । କ'ଣ ନା ଆପଣଙ୍କ ପାଖରେ ରହିବି । କେମିତି ଝିଅଟେ କେଜାଣି ଏତେ କହିଲା ପରେ ବୁଝୁନି । ଯାହା ସେ ଜଗନ୍ନାଥ କରିବେ ।
ସେମାନଙ୍କ କଥା ବାର୍ତ୍ତା ନସରୁଣୁ ଦାଣ୍ଡ ଦୁଆରେ ଖଟ ଖଟ ଶବ୍ଦ ଶୁଣା ଗଲା । ଶୁଭ ଯାଇ ଦୁଆର ଖୋଲି ଦେଖେ ତା ଭାବି ଶାଶୁ ଓ ଶ୍ଵଶୁର ଆସିଛନ୍ତି । ପୂର୍ବରୁ କୌଣସି ଖବର ନଦେଇ ହଠାତ୍ ସେମାନଙ୍କୁ ତାଙ୍କ ଘରକୁ ଆସିବାର ଦେଖି ଦେବେନ୍ଦ୍ର ପଚାରିଲେ,
--ଆରେ ଆପଣମାନେ ହଠାତ୍...
ଦେବେନ୍ଦ୍ରଙ୍କ କଥା ଶୁଣି ଝିଅର ବାପା କହିଲେ,
--ଆମକୁ ଭୂଲ୍ ବୁଝିବେ ନି । ଆମେ ଆମ ନିଷ୍ପତ୍ତି ପରିବର୍ତ୍ତନ କରିଛୁ । ଆମେ ଝିଅକୁ ବୁଝାଇଲୁ ନବେ ବର୍ଷରେ ବୁଢ଼ୀଙ୍କୁ ଅସନ୍ତୁଷ୍ଟ କଲେ ତୋର କିଛି ମଙ୍ଗଳ ହେବନି । ଦିନେ ଅଧେ ପାଇଁ ନୁହଁ, ସବୁ ଦିନ ପାଇଁ ସେ ଘରକୁ ଯିବୁ । ସେ ନୈଷ୍ଠିକ ବ୍ରାହ୍ମଣ ବିଧବା,ସେ ଯଦି ଅଶାନ୍ତି ହେବେ ତୁମେ କେହି ବି ଶାନ୍ତିରେ ରହି ପାରିବିନି । ସେଥିରେ ଆମ ଝିଅ ମାନି ଯାଇଛି । ଜେଜେ ମା'ଙ୍କୁ ଅଶାନ୍ତି କରି ସେ ବିବାହ କରିବାକୁ ଚାହୁଁନି । ଆପଣ ଅନ୍ୟ ଯାଗାରେ ବିବାହ ଦେଖନ୍ତୁ ।
ଝିଅ ବାପାଙ୍କ କଥା ଶୁଣି ଦେବେନ୍ଦ୍ର ପଚାରିଲେ,
--ଆପଣ କ'ଣ ଅନ୍ୟ ଯାଗାରେ ଝିଅକୁ ବିବାହ ଦେବେ ।
--ନା ସେଥିରେ ବି ସେ ରାଜି ନୁହେଁ । କିନ୍ତୁ ଏ ବାହାଘର ଆମେ ଜଣେ ବୃଦ୍ଧାଙ୍କୁ ଅସନ୍ତୁଷ୍ଠ କରି କରିବୁନି ।
ବାପା ମା ଫେରିଗଲା ପରେ ଶାଶ୍ଵତୀ ଫୋନରେ ଶୁଭକୁ ଡାକିଲା ।
ଶାଶ୍ଵତୀ ପରିବାରର ନିଷ୍ପତ୍ତିରେ ଶୁଭ କିନ୍ତୁ ବିଚଳିତ ହୋଇ ଯାଇଥିଲା । ଅଭିମାନ ଆସିଥିଲା ଶାଶ୍ଵତୀ ଉପରେ ।
ଭାବିଲା ଯିବନି । କିନ୍ତୁ ଶାଶ୍ଵତୀର ବାରମ୍ବାର ଫୋନ୍ ଓ ଅନୁରୋଧରେ
ତା' ଘର ପାଖ ପାର୍କକୁ ଗଲା । ପାର୍କର ଗୋଟିଏ ବେଞ୍ଚରେ ଉଭୟେ ବସିଲେ । ଶାଶ୍ଵତୀର ଆଖିରେ ଥିଲା ଲୁହ ।
-ଶୁଭ ମୋ ଉପର ରାଗିଛ ନା ।
ଶୁଭକାନ୍ତ ନିରବ ।
-- ଯଦି ସତରେ ତୁମେ ମତେ ଭଲ ପାଉଥିବ ତେବେ ମୋ ନିଷ୍ପତ୍ତିରେ ତୁମେ ସହମତ ହେବ । କହିଲ ଆମ ଭଲ ପାଇବା କ'ଣ ଏତେ ଦୁର୍ବଳ ଯେ ଆମେ ଜଣେ ନବେ ବର୍ଷର ବୁଢୀଙ୍କୁ ଅଶାନ୍ତି କରି ବିବାହ କରିବା । ସେ ବିବାହରେ କ'ଣ ଶାନ୍ତି ପାଇବା । ଯେଉଁ ବାହାଘରରେ ସମସ୍ତେ ଖୁସୀ ନୁହନ୍ତି ସେ ବାହାଘରରେ ଆମେ କେମିତି ଖୁସୀ ହୋଇ ପାରିବା । ପ୍ରଥମେ ଭାବିଲି ବୁଢୀ ମା'ଙ୍କୁ ପଟେଇ ଦେବି ।
କିନ୍ତୁ ବାପା ବୁଝାଇଲେ, ମା'ପୁରୁଣା କାଳିଆ ଲୋକ ଏତେ ସହଜରେ ତା'ଙ୍କ ଚଳଣୀକୁ ଛାଡି ପାରିବେ ନି । ବରଂ ଘରେ ଅଶାନ୍ତି ବଢିବ । ତେଣୁ ପଛକୁ ଫେରିଗଲି । ଆମ ପ୍ରେମରେ ଖାଲି କଣ ସ୍ବାର୍ଥ ଅଛି ଶୁଭ । ତୁମେ କାନ୍ଦନି, ତୁମେ କାନ୍ଦିଲେ ମତେ କିଏ ଧର୍ଯ୍ୟ ଦେବ ଶୁଭ ।
କିଛି ସମୟ ଚୁପ ରହି ଶୁଭ କହିଲା,
--ମୁଁ ତୁମକୁ କେବଳ ଭଲ ପାଉଥିଲି ଶାଶ୍ଵତୀ, ତୁମର ଏପରି ନିଷ୍ପତ୍ତି ପରଠାରୁ ତୁମପ୍ରତି ମୋ ମନରେ ତୁମ ପ୍ରତି ସମ୍ନାନ ଭାବ ଆସୁଛି ।
ଆଉ ଗୋଟେ କଥା ତୁମକୁ କହୁଛି ଶାଶ୍ଵତୀ, ତୁମ ବାପାଙ୍କ ଠାରୁ ଶୁଣିଲି ତୁମେ ବିବାହ କରିବ ନାହିଁ ବୋଲି,ମୁଁ ବି ତୁମକୁ କହୁଛି ମୁଁ କେବେ ବି ବିବାହ କରିବିନି । ଆମର ଏ ଭଲ ପାଇବା ଶାଶ୍ଵତ ହୋଇ ରହିବ । ତୁମେ ମତେ କେବେ ବିବାହ କରିବାକୁ ବାଧ୍ୟ କରିବନି ।
ସେଦିନ ଶୁଭର କଥାଶୁଣି କଇଂ କଇଂ କାନ୍ଦି ପକାଇଥିଲା । ଉଭୟେ ଭଗ୍ନ ହୃଦୟରେ ଘରକୁ ଫେରିଥିଲେ ।
ଝିଅର ମା’ ବାପା ଚାଲିଗଲା ପରେ ଘରେ ଏକ ବିଷାଦର ଛାୟା ଖେଳିଯାଇଥିଲା । ଦୁଇ ଦିନ ଭିତରେ ବୁଢ଼ୀ ଅନୁଭବ କଲେ ଘରେ କିଛି ଗୋଟେ ଘଟିଛି । ସମସ୍ତଙ୍କ ମନ ଖରାପ । ନାତି, ପୁଅ । ସମସ୍ତଙ୍କୁ ପଚାରିଲ କ'ଣ ହୋଇଛି ପଚାରିଲେ କେହି କିଛି କହିଲେନି । ଶେଷରେ ବୋହୂକୁ ପଚାରିଲେ,
--ଆଲୋ ବୋହୂ ! ଶୁଭର ଆଉ ପୁଅର କ'ଣ ହୋଇଛି କି ! ସମସ୍ତଙ୍କ ମନ ଦୁଃଖ ହେଲା ଭଳି ଲାଗୁଛି ।
--ବୋଉ ଶୁଭର ବାହାଘର ଭାଙ୍ଗିଗଲା । ସେଇଥି ପାଇଁ ସମସ୍ତଙ୍କ ମନ ଦୁଃଖ ।
--କାଇଁ କ'ଣ ହେଲା କି??
--ତୁମକୁ ଅଶାନ୍ତି କରି ସେ ଝିଅ ବାହା ହେବାକୁ ଚାହୁଁ ନି ।
--ମୁଁ ତ କହିଲି ବାହାଘର କର । ସେ କିନ୍ତୁ ମତେ ଛୁଇଁବନି,କି ରୋଷେଇ ଘରକୁ ଓ ଠାକୁର ଘରକୁ ଯିବନି, କି ପାଣି ଛୁଇଁବି ।
--ଏହା କ'ଣ ସମ୍ଭବ ବୋଉ । ଘରେ ରହିବ କିନ୍ତୁ କୌଣସି ଜିନିଷ ଛୁଇଁବନି । ସେ ବି ଜଣେ ମଣିଷ ବୋଉ । ଏ ଅଜବ ସର୍ତ୍ତାବଳୀ ରେ ସେ କ'ଣ ଚଳି ପାରିବ । ମୁଁ ବି ଜାଣିଛି ଯାହା କଲେ ବି ତୁମେ ଅସନ୍ତୁଷ୍ଟ ହେବ । ତେଣୁ ଭାଙ୍ଗିଗଲା ଭଲ ହେଲା ।
ବୁଢ଼ୀ କିଛି ନକହି ତାଙ୍କ ରୁମ୍ କୁ ଚାଲିଗଲେ । ମନରେ ଅନେକ ଭାବନା ସୃଷ୍ଟି ହେଲା । ସେ'ତ ବୟସର ଅପରାହ୍ନରେ ପହଞ୍ଚଲେଣି । ତାଙ୍କ ଯୋଗୁଁ ପିଲାଙ୍କର ଖୁସି ମାଟିରେ ମିଶିଯାଉଛି । ବିବେକର ଦଂଶନରେ ବ୍ୟତିବ୍ୟସ୍ତ ହୋଇଗଲେ । ଭାବିଲେ ସତରେ କେତେ ଭଲ ଝିଅଟିଏ ତାଙ୍କୁ ଅଶାନ୍ତି କରିବନି ଭାବି ବାହାଘର ଭାଙ୍ଗି ଦେଲା ଅଥଚ ସେ କେତେ ସ୍ବାର୍ଥି । ଏ ଘରକୁ ଆସିବାକୁ କେତେ ସର୍ତ୍ତ ରଖୁଛନ୍ତି ।
ତାଙ୍କ ପାଇଁ ସେ ଏତେ ବଡ଼ ସ୍ବାର୍ଥ ତ୍ୟାଗ କଲା । ଅଥଚ ସେ !!
ସେଦିନ ରାତିରେ ସେ ଶୋଇ ପାରିଲେନି ।
ପର ଦିନ ସକାଳୁ ଗାଧୋଇ ଠାକୁର ପୂଜା କରି ପୁଅକୁ କହିଲେ
ଚାଲ ମତେ ଟିକେ ଶାଶ୍ଵତୀ ଘରକୁ ନେଇ ଚାଲେ । ବୋଉଙ୍କ ଜିଦ୍
ରେ ବାଧ୍ୟ ହୋଇ ଦେବେନ୍ଦ୍ର, ଲତିକା ଓ ଶୁଭ ତାଙ୍କ ଘରକୁ ନେଇ ଗଲେ ।
ବୁଢ଼ୀ ପହଞ୍ଚିଲା ପରେ ଶାଶ୍ଵତୀ ଓ ତା'ମା ବାପା ଆସି ସେମାନଙ୍କୁ ଭିତରକୁ ନେଇଗଲେ । ଶାଶ୍ଵତୀକୁ କୋଳେଇ ବୁଢ଼ୀ କଇଁ କଇଁ କାନ୍ଦି କହିଲେ,
--ଏ ବୁଢ଼ୀଟାକୁ କ୍ଷମା କରି ଦେବୁନି ଝିଅ । ମୁଁ ତୁମ ମାନଙ୍କ ନିକଟରେ ଦୋଷୀ । ତୁ ମୋ ଲାଗି ଏତେ ବଡ଼ ତ୍ୟାଗ କରୁଛୁ ମୁଁ ମୁର୍ଖ ତତେ ବୁଝି ପାରୁନଥିଲି । ତୁ ପରା ମୋ ଶୁଭକୁ ଭଲ ପାଉ, ତେବେ ବାହା ହେବାକୁ ମନା କରି ଦେଲୁ କେମିତି ।
--ନାଇଁ ଜେଜେ ମା’, ମୁଁ ଶୁଭକୁ ଭଲପାଏ ସତ, କିନ୍ତୁ ତୁମେ ଯଦି ଏ ବାହାଘରେ ଖୁସି ନହେବ, ତେବେ ଆମେ କେମିତି ଖୁସି ହୋଇପାରିବୁ ।
ଏଇ କାରଣରୁ ମୁଁ, ବାପା ଓ ବୋଉ ଏ ବାହ ଘର ପାଇଁ ମନା କରିଥିଲୁ । ଆମ ଭଲ ପାଇବାରେ ତ୍ୟାଗ ବି ଅଛି ଜେଜେ ମା ।
--ନାଇଁରେ ମା’ ତୁମ ଖୁସିରେ ମୋର ମଧ୍ୟ ଖୁସି । ଏ ବାହାଘର ନିଶ୍ଚୟ ହେବ ।
ଶୁଭ ଥାଇ କହିଲା,
--ହେଲେ ଜେଜେ ମା’ ତୁମର କିଛି ଆଉ ସର୍ତ୍ତ ନାହିଁ ତ!!
--ହଁ ମୋର ଗୋଟିଏ ସର୍ତ୍ତ ଅଛି ଶାଶ୍ଵତୀ ଆମ ଘରକୁ ମୋ ନାତୁଣୀ ବୋହୂ ହୋଇଯିବ!!
ଶାଶ୍ଵତୀର ମା' ରସଗୋଲା ଆଣି ଥୋଇବାରୁ ବୁଢ଼ୀ କହିଲେ
--ମୁଁ ରସୋଗଲା ଖାଇବି, କିନ୍ତୁ ଶାଶ୍ଵତୀ ହାତରୁ ।
ସମସ୍ତେ ବୁଢ଼ୀଙ୍କୁ ଆଶ୍ଚର୍ଯ୍ୟର ସହ ଚାହିଁ ରହିଲେ ।