Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Kiran Mishra

Inspirational


2.7  

Kiran Mishra

Inspirational


ଅଯୋଗ୍ୟ

ଅଯୋଗ୍ୟ

4 mins 462 4 mins 462

 --ସୋମେଶ ବାବୁ ଆପଣଙ୍କର ପୁଣି ପୁଅଟିଏ ହୋଇଛି । ସେଦିନ ଡାକ୍ତରଙ୍କ ଠାରୁ ଡାକ୍ତରଙ୍କ ଠାରୁ ଏହି କଥାଟି ଶୁଣି ଖୁସୀରେ ଫାଟି ପଡ଼ିଥିଲେ ସୋମେଶ । 

 ସ୍ତ୍ରୀ ଙ୍କ ହାତରୁ ପୁଅ କୁ ନେଲା ବେଳେ କହିଥିଲେ,


--ବୁଝିଲ ଅଲିଭା ମୁଁ ଭାବୁଥିଲି ଦୁଇଟା ପୁଅ ହେଲେ ଜଣଙ୍କୁ ଡାକ୍ତର ଓ ଆଉ ଜଣଙ୍କୁ ଇଞ୍ଜିନିୟର କରିବି । ଭଗବାନ ମୋ ମନବାଞ୍ଛା ପୁରଣ କରିଛନ୍ତି । ମୁଁ ଆଜି ବହୁତ ଖୁସି । ଏଇ ଟିକୁ ଡାକ୍ତର କରିବି ଯେ, ଆମେ ବୁଢ଼ା ବୁଢ଼ୀ ହେଲେ ଏ ହିଁ ଆମର ଦେଖା ରେଖା କରିବ । ମୁଁ ସିନା ଶିକ୍ଷକଟିଏ ହେଲି ,ଦେଖିବ ମୋ ପୁଅମାନେ କେତେ ବଡ଼ ବଡ଼ ଚାକିରୀ କରି ମୋ ନାଁ ରଖିବେ । ଦୁଇ ପୁଅଙ୍କ ଜନ୍ମ ସମୟରୁ ସେମାନଙ୍କ ଭବିଷ୍ୟତ ସୋମେଶ ବାବୁ ନିର୍ଣ୍ଣୟ କରି ସାରିଥିଲେ । ପିତା ଯାହା ନହୋଇ ପାରେ,ପୁଅ ଠାରେ ତା ଦେଖିବାକୂ ଚାହେଁ ।

ବଡ଼ପୁଅ ସିଦ୍ଧାନ୍ତ ଜନ୍ମର ଚାରି ବର୍ଷ ପରେ ଦ୍ଵିତୀୟ ପୁଅ ଶଶାଙ୍କର ଆଗମନରେ ଖୁବ୍ ଖୁସି ଥାନ୍ତି ସୋମେଶ । ଖୁବ୍ ଭଲ ପଢୁ ଥିଲେ ମଧ୍ୟ ନିଜେ ଅର୍ଥାଭାବରୁ ଡାକ୍ତର କି ଇଞ୍ଜିନିୟରଟିଏ ହୋଇ ପାରିଲେନି । ସେଥିପାଇଁ ମନରେ କ୍ଷୋଭ ଭାବଥାଏ । ସିଦ୍ଧାନ୍ତ ଓ ଶଶାଙ୍କକୁ ପିଲାବେଳୁ ଉତ୍ତମ ଶିକ୍ଷା ଦେବା ପାଇଁ ଚାହୁଁ ଥିଲେ । ବଡ଼ପୁଅ ସିଦ୍ଧାନ୍ତ ପିଲାବେଳୁ ପାଠରେ ଖୁବ୍ ତେଜ ଥିଲା । ସୋମେଶ ଆଶାନୁରୂପେ ଫଳ ମଧ୍ୟ ପାଉଥିଲେ । ସେ ଯେ ତାଙ୍କର ଆକାଂକ୍ଷା ଚରିତାର୍ଥ କରିବ ଏଥିରେ ସନ୍ଦେହ ନଥିଲା । ଶଶାଙ୍କର କିନ୍ତୁ ପିଲାବେଳୁ ପାଠ ପ୍ରତି ମନ ନଥିଲା । ଖେଳ ପ୍ରତି ପ୍ରବଳ ଆଗ୍ରହ । ପାଠରେ ଦୁର୍ବଳ ହେତୁ ସବୁ ବେଳେ ବାପାଙ୍କଠାରୁ ମାଡ଼ ଖାଏ । ସୋମେଶ କୁହନ୍ତି,


-- ପାଠ ନ ପଢିଲେ କରିବୁ କ'ଣ! ଭବିଷ୍ୟତ ଅନ୍ଧାକାର । ସେ ଖେଳ କ'ଣ ତତୋ ପୋଷିବ । ଶଶାଙ୍କ କିନ୍ତୁ ଖେଳ ଛାଡ଼ି ପାରେନା । ବାପାଙ୍କୁ ତାର ପ୍ରବଳ ଭୟ । ଖେଳରେ ଅନେକ ପୁରସ୍କାର ପାଇଲେ ବି ବାପା କେବେବି ଖୁସୀ ‌ହୁଅନ୍ତିନି । ବରଂ ତିରସ୍କାର କରି କୁହନ୍ତି,


--ଏଗୁଡାକ ମୋ ଆଖି ସାମ୍ନାରୁ ହଟ୍ଟା । ଯେଉଁ ଦିନ ପାଠରେ ପୁରସ୍କାର ପାଇବୁ ମୁଁ ଖୁସୀ ହେବି । ସିଦ୍ଧାନ୍ତକୁ ଦେଖି ସେ କେମିତି ପ୍ରତ୍ୟେକ ଶ୍ରେଣୀରେ ପ୍ରଥମ ହୋଇ ପୁରସ୍କୁତ ହେଉଛି । ଶଶାଙ୍କ ତା'ପରେ ଆଉ କେବେ ନିଜର ସଫଳତା ସଂପର୍କରେ ବାପାଙ୍କୁ କୁହେ ନାହିଁ । କାରଣ ସେ ସଫଳତାରେ ସେ ବିଫଳତାକୁ ହିଁ ଦେଖୁଥିଲେ । ପାଠ ପ୍ରତି କିନ୍ତୁ ‌ସେ କେବେବି ଆଗ୍ରହ ଜନ୍ମାଇ ପାରେନି । ଖେଳ ଶିକ୍ଷକଙ୍କର ସେଥିଲା‌ ପ୍ରିୟପାତ୍ର ।


  ଯେଉଁ ଦିନ ଶଶାଙ୍କ ଅଷ୍ଟମ ଶ୍ରେଣୀରେ ଫେଲ୍ ହୋଇଗଲା ସେଦିନ ବାପାଙ୍କ ଠାରୁ ପ୍ରବଳ ମାଡ଼ ଖାଇଲା । ତା ପରଦିନ ସକାଳୁ ଶଶାଙ୍କ ଘରେ ନଥିଲା । ପୁଅର ଅଯୋଗ୍ୟ ପଣ ପାଇଁ ବାପା ଲଜ୍ଜିତ ମନେ କରୁଥିଲେ । ମା ଅଲିଭା କାନ୍ଦି କାନ୍ଦି ବାପାଙ୍କୁ ଦୋଷାରୋପ କରୁଥାନ୍ତି । ବଡ଼ ଭାଇ ସିଦ୍ଧାନ୍ତ ଓ ବାପା ଅନେକ ଖୋଜା ଖୋଜି କଲେ । ଶଶାଙ୍କର କିନ୍ତୁ କୌଣସି ଖବର ଆଉ ମିଳି ନଥିଲା । ମା କିନ୍ତୁ ମନେମନେ ଝୁରୁଥାନ୍ତି । ବାପା ଦାମ୍ଭିକତାର ଖୋଳପାରେ ଥାଇ ଦୋଷୀ ମଣୁଥାନ୍ତି ।


*  *  *  *  

 ବଡ଼ ପୁଅ ଧୀରେ ଧୀରେ ବାପାଙ୍କର ସ୍ବପ୍ନକୁ ସାକାର କରିବାର ପ୍ରୟାସ କରୁଥାଏ । ଯେଉଁ ଦିନ ସିଦ୍ଧାନ୍ତ ଇଂଜିନିୟରିଂ ପଢି ଗୋଟିଏ ଭଲ କମ୍ପାନୀରେ ଚାକିରୀ ପାଇଗଲା ସେଦିନ ସେମେଶ ବାବୁ ଖୁସିରେ ଫାଟି ପଡ଼ିଥିଲେ । କିନ୍ତୁ ମା ଅଲିଭା ଖୁସୀ ଭିତରେ ବି ଦୁଃଖକୁ ଭୁଲି ପାରୁନଥିଲେ । ଶଶାଙ୍କ ଯିବା ଆଠ ବର୍ଷ ହୋଇଗଲା ବୋଲି ଗଣୁଥିଲେ ।

 ଦିନେ ସିଦ୍ଧାନ୍ତ ଟି.ଭି ରେ ବସି କ୍ରିକେଟ୍ ମ୍ୟାଚ୍ ଦେଖୁଥାନ୍ତି । ରାଜ୍ୟସ୍ତରୀୟ ଖେଳ ଚାଲିଛି । ସିଦ୍ଧାନ୍ତକୁ ଲାଗିଲା ତା ଭିତରେ ସେ ଶଶାଙ୍କକୁ ଦେଖୁଛି । ହେଲମେଟ ପିନ୍ଧା ବ୍ୟାଟିଙ୍ଗ କରୁଥିବା ପିଲାଟିଏ ଭିତରେ ସେ ଯେମିତି ଭାଇ ଶଶାଙ୍କକୁ ଦେଖୁଥିଲା । ବାପାଙ୍କୁ ଡାକି କହିଲା,

--ବାପା ଦେଖିଲେ,ସେ ପିଲାଟି ଆମ ଶଶାଙ୍କ ଭଳି ଲାଗୁନି !


 ବାପା ବି ଦେଖିଲେ ଓଡ଼ିଶା ତରଫରୁ ଖେଳୁଥିବା ଖେଳାଳିମାନଙ୍କ ଭିତରେ ଗୋଟିଏ ପିଲା ଶଶାଙ୍କ ଭଳି ଟିକେ ଟିକେ ଲାଗୁଛି । କିନ୍ତୁ ଯେତେବେଳେ ଖେଳାଳିଟିର ନାଁ ଶୁଣିଲେ ଶ୍ରୀମୟ ସେତେବେଳେ ଆଖିର ଧୋକା ବୋଲି ଭାବିନେଲେ । ଦୀର୍ଘ ନିଶ୍ଵାସ ଭିତରେ ଉଭୟ ବାପ ପୁଅ ନିଜର ଦେଦନାକୁ ଚାପି ଦେଲେ ।


 ସେଦିନ କିନ୍ତୁ ସିଦ୍ଧାନ୍ତ ମନରେ ସନ୍ଦେହ ଆସିଥିଲା । ତା ମନ କହୁଥିଲା ଶ୍ରୀମୟ ହିଁ ଶଶାଙ୍କ । କିଛି ଦିନ ପରେ ଭୁବନେଶ୍ଵର ଆସି ଖେଳାଳି ମାନଙ୍କ ହଷ୍ଟେଲରେ ଶ୍ରୀମୟକୁ ଦେଖା କରିବାକୁ ଚାହିଁଲା । ହଷ୍ଟେଲ ବାହାରେ ଶ୍ରୀମୟକୁ ଆସିବାକୁ କହି ବାହାରେ ଅପେକ୍ଷାରେ ଥାଏ । କିଛି ସମୟ ପରେ ଗୋଟିଏ ପିଲା ଆସି କହିଲା -

--ଶ୍ରୀମୟ ତ ହଷ୍ଟେଲରେ ନାହାନ୍ତି ଘରକୁ ଯାଇଛନ୍ତି । ଶ୍ରୀମୟର ଘର , ଗାଁ ବିଷୟରେ ଯାହା ପଚାରିଲେ ବି ପିଲାଟି କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିଲାନି । ସେଦିନ ନିରାଶରେ ସିଦ୍ଧାନ୍ତକୁ ଫେରିବାକୁ ପଡ଼ିଲା ।

  ସିଦ୍ଧାନ୍ତ ଫେରିବାର ଚାରି ଦିନ ପରେ ହଠାତ୍ ଦିନେ ସନ୍ଧ୍ୟାରେ ଦୁଆରେ ଖଟ୍ ଖଟ୍ କରି କେହି ଡାକୁଥିବାରୁ ସିଦ୍ଧାନ୍ତ ଆସି କବାଟ ଖୋଲିଛି । ଶ୍ରୀମୟକୁ ଦେଖି ଚମକି ପଡିଛି-

--ତାହେଲେ ଶଶାଙ୍କ ଓ ଶ୍ରୀମୟ ଜଣେ । ମୋ ଅନୁମାନ ତାହେଲେ ସତ । କୁଣ୍ଢେଇ ପକାଇଛି ଭାଇକି ।


ମା'କୁ ଡାକ ପକାଇଛି, ମା ଦେଖ ତୋ ଶଶାଙ୍କ ଆସିଛି । ଶଶାଙ୍କକୁ ଝୁରି ଝୁରି ଅଧା ପାଗଳୀ ମା ଆସି ପୁଅକୁ ଧରି ଭୋ ଭୋ ବାହୁଡ଼ି ବାହୁଡ଼ି କାନ୍ଦୁଥାନ୍ତି । ବାପା ନିଜକୁ ଦୋଷୀ ମଣି ପୁଅ ନିକଟକୁ ଆସିବାକୁ ନିଜର ସାହାସ ହରାଇ ବସିଥିଲେ ।


 ଶଶାଙ୍କ ତାଙ୍କ ନିକଟକୁ ଯାଇ ପାଦ ତାଙ୍କ ଧରି କହିଛି,

--ତୁମ ଅଯୋଗ୍ୟ ପୁଅ ଆଜି ଯୋଗ୍ୟ ହୋଇ ଫେରିଛି ବାପା । ତୁମେ ଯେଉଁ ଖେଳକୁ ଘୃଣା କରୁଥିଲ ,ସେଇ ଖେଳ ମତେ ଅର୍ଥ ଓ ସମ୍ମାନ ଉଭୟ ଦେଇଛି ବାପା ।

  ସେଦିନ ମୁଁ ଯଦି ଘରୁ ଲୁଚିକରିଯାଇ ନଥାନ୍ତି ଆଜି କେବେ ବି ଏ ସ୍ଥାନରେ ପହଞ୍ଚି ପାରି ନଥାନ୍ତି । ସେଦିନ ମୁଁ ଘରୁ ଗଲାପରେ କ୍ରୀଡା ଶିକ୍ଷକ ମାନସ ସାର୍ ଙ୍କ ଘରକୁ ଗଲି । ତୁମକୁ କହିଥିଲେ ତୁମେ କେବେବି ଛାଡି ନଥାନ୍ତ । ସେ ମତେ ଭୁବନେଶ୍ଵର ସ୍ପୋର୍ଟସ ହଷ୍ଟେଲ ନେଇଗଲେ ।


ସେହି ମୋର ଅଭିଭାବକ ହୋଇ ମୋର ନାମ ଶ୍ରୀମୟ ରଖିଲେ । ହୁଏତ ଶଶାଙ୍କ ନାଁ ରଖିଥିଲେ ମୁଁ ସେଠାରେ ଅଛି ବୋଲି ତୁମ ପାଖରେ ଖବର ପହଞ୍ଚି ଯାଇଥାନ୍ତା । ମୁଁ ଆଜି ଏ ସ୍ଥାନରେ ପହଞ୍ଚିବା ପଛରେ ମାନସ ସାରଙ୍କ ଅବଦାନ ଅନେକ । ମୋ ଭିତରେ ଥିବା ପ୍ରତିଭାକୁ ସେ ଚିହ୍ନି ପାରିଥିଲେ । ସେଦିନ ଭାଇକୁ ଦୂରରୁ ଦେଖି ଚିହ୍ନି ପାରିଥିଲି କିନ୍ତୁ ମନେ ମନେ ଶପଥ କରିଥିଲି ପ୍ରଥମ ପଇସା ପାଇଲା ପରେ ଘରକୁ ଆସିବି । ଆଜି ମୋର ତପସ୍ୟା ପୂର୍ଣ୍ଣ ହେଲା । ଶଶାଙ୍କ ବାପାଙ୍କୁ ଦୁଇ ଲକ୍ଷ ଟଙ୍କା ଧରାଇ କହିଲା-


 --ଏଇଟା ମୋର ପ୍ରଥମ ରୋଜଗାର ବାପା ।

ସୋମେଶ ବାବୁ କହିଲେ,


--ମତେ କ୍ଷମା କରିଦେ ପୁଅ । ମୁଁ ତ ତତେ ଅଯୋଗ୍ୟ କହିଥିଲି । କେବଳ ପାଠ ଜଣଙ୍କୁ ଯୋଗ୍ୟ କରି ନଥାଏ । ତୁ ତୋ ଯୋଗ୍ୟତା ପ୍ରମାଣ କରି ମୋ ଆଖି ଖୋଲି ଦେଲୁ । ସୋମେଶଙ୍କ ଆଖିରୁ ପଶ୍ଚାତାପର ଅଶ୍ରୁ ଧାର ଧାର ବୋହି ଯାଉଥିଲା।


Rate this content
Log in

More oriya story from Kiran Mishra

Similar oriya story from Inspirational