Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Kiran Mishra

Others


3  

Kiran Mishra

Others


ପାଟଶାଢ଼ୀ

ପାଟଶାଢ଼ୀ

3 mins 337 3 mins 337


 ଫନୀରେ ନାନା ଅସୁବିଧାରେ ବ୍ୟତିବ୍ୟସ୍ତ ହୋଇ ଯିବାରୁ ସ୍ବାମୀ ଅଭୟ କହିଲେ,-ମାନି ତୁମେ ପୁଅକୁ ଧରି ଗାଁ କୁ କିଛିଦିନ ଚାଲି ଯାଉନ,ଏଠି ସବୁ ସୁବିଧା ହେଲେ ଆସିବ।ଭାଇନା ଭାଉଜ ବି ଖୁସି ହେବେ। ମମତା ମଧ୍ୟ ଲାଇଟି ପାଣିର ଅସୁବିଧା ରେ ଅତିଷ୍ଠ ହୋଇ ଯାଇଥିବାରୁ

ସ୍ବାମୀଙ୍କ କଥାରେ ରାଜି ହୋଇଗଲା।


 ଦୀର୍ଘ ପନ୍ଦର ବର୍ଷ ଗାଁ ଛାଡି ଆସିବା ପରେ କେବେ ହେଲେ ଗାଁ କୁ ରହିବା ଉଦ୍ଦେଶ୍ୟରେ ଯାଇନି।ଯେବେ ଯାଇଛି ତାକୁ ସେଠି ସବୁ ଅସୁବିଧା ଲାଗିଛି। ସହରୀ ସୁବିଧା ଗାଁ ରେ ମିଳେନି। ଏଥର ଭାବିଲା ଅତିକମରେ ଲାଇଟ୍ ଓ ପାଣି ସୁବିଧା ତ ଗାଁ ରେ ଅଛି,ପୁଅକୁ ଧରି ବାହାରି ପଡ଼ିଲା।ପୁଅ ବି ଏସି ନଥିବାରୁ ଗରମରେ ଅତିଷ୍ଠ ହେଉଥିବାରୁ ରାଜି ହୋଇଗଲା। ମା ପୁଅ ସକାଳୁ ସକାଳୁ ବସ୍ ରେ ବସି ଗାଁ ରେ ପହଞ୍ଚି ଗଲେ।ବଡ଼ ଯାଆ,ଦେଢଶୁର ପୁତୁରା ସମସ୍ତ ତାଙ୍କୁ ଦେଖି ଖୁସୀ ହୋଇଗଲେ। ପହଞ୍ଚିଲା ପରେ ବଡ଼ ଯାଆ କହିଲେ ,

--ମାନି ଯା ମ ମାଆ ପୁଅ କୂଅ ମୂଳେ ଧୁଆଧୂଇ ହୋଇ ପଡ଼, ଆଉ ପଖାଳ ଗଣ୍ଡେ ଖଣ୍ଡ ଖାଇ ଟିକେ ଶୋଇପଡ଼। 

 ମାନି ପୁଅକୁ ଧରି କୂଅ ମୂଳକୁ ଧୁଆଧୂଇ ହେବାକୁ ଗଲା।

ଆଗରୁ ସେଠି ବାଲ୍ଟି ଓ ଦଉଡ଼ି ଥିଲା ।ପାଣି କାଢି ପୁଅକୁ ଧୋଇ ହେବାକୁ ଦେବାରୁ,ପୁଅ କହିଲା,

---ମାମା କେତେ ଥଣ୍ଡା ପାଣି ମୁଁ ଆଗ ଭଲରେ ଗାଧୁଏ।ଓହୋଃ !! କେତେ ଶାନ୍ତି ଲାଗୁଚି ମାମା।


ବଡ଼ ଯା ଏପଟେ ପାଟି କରୁଥାନ୍ତି

--ବେଶି ଗାଧୁଅ ନା କୂଅ ପାଣି ଧରିବ,ଦେହ ଖରାପ ହେବ। ମମତା ନିଜେ ବି ଦି ବାଲ୍ଟି ଗାଧେଇ ପଡ଼ିଲା। ସତରେ କେତେ ଶାନ୍ତି ଲାଗୁଛି।ଘ ରକୁ ଆସି ଲୁଗା ବଦଳାଇ ମା ପୁଅ ଦୁଇ ଜଣ ବଡ ଯାଆ

କରିଥିବା ପଖାଳ ,ଶାଗ ଭଜା, ଆଳୁ ଛୁଇଁ ଭଜା ଓ ଝୁଡୁଙ୍ଗ ମଞ୍ଜିଫୁଟା ପାଗ ଖାଇ ଖୁବ୍ ଶାନ୍ତି ଲାଗିଲା। ବଡ଼ ଯାଆଙ୍କ ହାତର ପଖାଳ ତୋରାଣୀ ଖୁବ୍ ସୁଆଦ।ବାଡି ଘରେ ମଶିଣାଟେ ପକାଇ ଗଡ଼ିଗଲେ।


ଭୁବନେଶ୍ୱର ଭଳି ଗୁଳୁଗୁଳି ଗାଁ ରେ ନାହିଁ।ଅବଶ୍ୟ ବାରମ୍ବାର କରେଣ୍ଟ ଯାଉଥିଲା,ତଥାପି ରହି ହେଉଥିଲା। ବାଡି ଆଡୁ ପବନ ଟିକେ ଟିକେ ଆସୁଥାଏ।  ଗାଁ ରେ ରହିବା ଭିତରେ ଦୁଇ ଯାଆ ସବୁଦିନ ଚାରିଟା ବେଳେ ଘର କାମ ସାରି‌ ପବନ ଖାଇବାକୁ ଟିକେ କୂଅ ମୂଳକୁ ଚାଲି ଯାନ୍ତି। ଅନ୍ୟ ପଡୋଶୀ ସ୍ତ୍ରୀ ଲୋକମାନେ ମଧ୍ୟ କୂଅ ମୂଳକୂ ଆସନ୍ତି।ମମତା ବହୁତ ଦିନ ପରେ ଆସି ଥିବାରୁ ସମସ୍ତେ ଖୁସୀ ହୁଅନ୍ତି।


  ସେମାନଙ୍କ କଥାବାର୍ତା ମମତାକୁ ବହୁତ ଭଲ ଲାଗୁଥିଲା।ସେଥିରେ ଆତ୍ମୀୟ ଭାବରହିଥିଲା। ସାଧାରଣ ଜୀବନ ଯାପନ କରୁଥିଲେ ବି କାହାର କାହା ପ୍ରତି ଈର୍ଷା ଭାବ ନଥିଲା, କି ଅନ୍ୟକୁ ହେୟ ମନେ କରିବାର ପ୍ରବୃତ୍ତି ନଥିଲା। କେହି କାହାର ଶାଢ଼ୀ ଗହଣାର ବଢେଇ କରୁନଥିଲେ।କେବଳ ସୁଖ ଦୁଃଖ ଭିତରେ ସିମିତ ଥିଲା ସେ କଥା।

 

  ମମତାର ଭାବୁଥିଲା ଭୁବନେଶ୍ଵରର ଦାଶ ବାବୁଙ୍କ ସ୍ତ୍ରୀ ସୁନିତା କଥା। । ଚାରିଟା ବେଳେ ଯଦି ଟିକେ ପାର୍କରେ ଦେଖା ହୋଇଗଲାମମତା ପିନ୍ଧିଥିବା ଶାଢ଼ୀକୁ ଦେଖି କହିବ,

--ନାନୀ ଆପଣ ଏ ଶାଢ଼ୀଟା କେତେ ଟଙ୍କା ରେ କିଣିଲେ ?

 ମମତା ଯାହା ଦାମ୍ କହିବ ତାକୁ ଶୁଣି କହିବ,

 --- ହଁ ମୋର ଏମିତି ଗୋଟେ ଆଛି ଯେ ସେଇଟା ଟିକେ ଅଧିକ ଦାମ।ସେଇଟା ବୋଧେ କ୍ୱ।ଲିଟି ରେ ଭଲ ଅଛି।

 ମିସେସ୍ ମହାନ୍ତି ଯେ କି ଗୋଟିଏ ଗହଣାର ଦୋକାନ। ଅନ୍ୟମାନଙ୍କୁ ଏତେ ହେୟ ଦୃଷ୍ଟିରେ ଦେଖନ୍ତି ତାଙ୍କ ଆବଭାବରୁ ପରିଷ୍କାର ଜଣା ପଡିଯାଏ।

 ବେଳେ ବେଳେ ମମତାକୁ ଇଚ୍ଛା ହୁଏ କହି ଦେବାକୁ "ଉପରି ପଇସାରେ ଏତେ ଭାଉ ଖାଇବା କଥା ନୁହେଁ"। 

 ସବୁ ଯାଗାରେ ବଡିମା ଦେଖାଇବାର ପ୍ରତିଯୋଗୀତା।

ବେଳେ ବେଳେ ଅଣନିଃଶ୍ବାସୀ ଲାଗେ । ବାହାରକୁ ମନ ପରିବର୍ତ୍ତନ କରିବାକୁ ଯାଇ ଭାରାକ୍ରାନ୍ତ କରି ଫେରିବାକୁ ପଡେ।


 ଗାଁ ରେ ରହିବା ଭିତରେ ମମତା ଦେଖିଲା ବଡ଼ ଯା ଖୁବ୍ କମ୍ ଶାଢ଼ୀ ଗହଣାର ଖୁବ୍ ସନ୍ତୁଷ୍ଟ।ସେ ଦେଇଥିବା କଟନ ଶାଢ଼ୀ କେତେଗୁଡ଼ିଏ ପିନ୍ଧୁଛନ୍ତି।ତା ଭିତରେ ବି ସୁନ୍ଦରତା ଫୁଟି ଉଠୁଛି।ଏ ଭିତରେ ଭୁବନେଶ୍ୱରରେ ଲାଇନ ଓ ପାଣି ଆସିଗଲା । ପୁଅର ସ୍କୁଲ ଖୋଲିଥିବାରୁ ଅଭୟ ଫୋନ୍ କଲେ ,

--ପୁଅର ସ୍କୁଲର ଲାଷ୍ଟ ୱର୍କିଙ୍ଗ ଡେ ତେଣୁ ଚାଲି ଆସ।

ଦଶମ ଶ୍ରେଣୀ ତେଣୁ ମାଆ ପୁଅ ବାଧ୍ୟ ହୋଇ ଆସିବାକୁ ବାହାରିଲେ। ସମସ୍ତେ ମନଦୁଃଖ କରୁଥାନ୍ତି।

 ଆସିଲା ବେଳକୁ ମମତା ଗୋଟିଏ ପାଟ ଶାଢ଼ୀ ବାହାର କରି ବଡ଼ ଯାଆଙ୍କୁ କହିଲା,

--ନାନି ଏ ଶାଢ଼ୀଟା ରଖ।ପିନ୍ଧିବ।

 ବଡ଼ ଯାଆ ଶାଢୀଟିକୁ ଟିକେ ଦେଖି କହିଲେ,

--ପାଟ ଶାଢୀ ମୁଁ କଣ କରିବି। ମୁଁ ବା କୁଆଡେ ଯାଉଛି।

ବରଂ ତୁ ବାହାରେ ରହୁଛୁ ତୁ ପିନ୍ଧିବୁ।ଯଦି ହେବ ଆର ଥର ଆସିଲା ବେଳେ କଟନ୍ ଶାଢ଼ୀ ଦିଖଣ୍ଡ ଆଣିବୁ।ଏ ଶାଢୀ ମୁଁ ରାଖିବିନି। ମମତାକୁ ଫେରାଇ ଦେଇଥିଲେ ସେ ସେଇ ଦାମି ଶାଢୀଟି। ମମତା ମଧ୍ୟ ବାଧ୍ୟ କରିପାରି ନଥିଲା ଭାବୁଥିଲା,ସେମାନେ ସେମିତି ସନ୍ତୁଷ୍ଟ ହୋଇଥାନ୍ତୁ। କେତେ ଶାନ୍ତିରେ ସେମାନେ ଅଛନ୍ତି। ଖଣ୍ଡେ ଶାଢ଼ୀ ଦେଇ ଅସନ୍ତୋଷର ବୀଜ କାହିଁକି ସେ ରୋପଣ କରିବ। ଯେଉଁ ଅସନ୍ତୋଷର ବହ୍ନି ସହରୀ ଜୀବନକୁ ଅଶାନ୍ତ କରୁଛି

ଅନ୍ତତଃ ଏମାନେ ତ ସେଥିରୁ ମୁକ୍ତ ଅଛନ୍ତି।


Rate this content
Log in