ବିପଦରେ ସାହାସ
ବିପଦରେ ସାହାସ




ଶ୍ଵେତା ଘରୁ ବାହାରିବା ବେଳକୁ ଝୁପୁ ଝୁପୁ ବର୍ଷା ହେଉଥାଏ। ବର୍ଷାକୁ ଦେଖି ବୋଉ କହିଲେ,
-- ଆଜି ନଗଲେ କ'ଣ ଚଳନ୍ତାନି! ଅଦିନିଆ ବର୍ଷା ଟା କେମିତି ହଉଛି ,ତୁ ପ୍ରିନ୍ସିପାଲ୍ ଙ୍କୁ କହି ରହିଯାଉନୁ।
ବୋଉ କଥା ଶୁଣି ଚିଡି ଯାଇ ଶ୍ଵେତା କହିଲା,
--ତୁ କ'ଣ ଜାଣିଛୁ କହିଲୁ । କାଲି ଲାଷ୍ଟ ୱ।ର୍କିଙ୍ଗ୍ ଡେ , ଯେମିତି ହେଲେ ସାଇନ୍ କରିବାକୁ ପଡିବ। ଖୋଲିବା ଦିନ ମୁଁ ଯଦି ନଯାଇ ପାରିବି ବହୁତ ଅସୁବିଧା ହୋଇଯିବ।ବର୍ଷା କମି ଯିବନି।
ବୋଉ ଉପରେ ଗର ଗର ହୋଇ,ଅନିଚ୍ଛାରେ ଶ୍ଵେତା ଛତା ଖଣ୍ଡେ ଓ ଛୋଟ ବ୍ୟାଗ୍ ଟିଏ ଧରି ଭୁବନେଶ୍ଵର ଅଭିମୁଖେ ବାହାରିଲା।ଚନ୍ଦନପୁରରୁ ଭୁବନେଶ୍ୱର ପ୍ରାୟ ପଚାଶ କିଲୋମିଟର।ବାଟରେ ଅନେକ ଛୋଟ ଛୋଟ ଯାଗାରେ ଗାଡ଼ି ରହି ରହି ଆସୁଥାଏ। ଉତ୍ତରା ପାଖରେ ଆକାଶରେ ପ୍ରଚଣ୍ଡ କଳାହାଣ୍ଡିଆ ମେଘ ଘୋଟି ଆସିଲା।ସେ ମେଘ ଦେଖି ଶ୍ଵେତା ମନରେ ଭୟ ଆସିଗଲାଣି।ଧିରେ ଧିରେ ବର୍ଷା ବଢିଲା। ବରମୁଣ୍ଡା ବସଷ୍ଟାଣ୍ଡ ରେ ମୁଷଳ ଧାରାରେ ବର୍ଷୁଛି।ବର୍ଷା ପାଇଁ ସେଦିନ ବସ୍ ରେ କମ ଯାତ୍ରୀ ମଧ୍ୟ ଥିଲେ। ଏମିତି ବର୍ଷାରେ ଘରେ ଥିଲେ ଶ୍ଵେତା ବର୍ଷାକୁ ଖୁବ୍ ଉପଭୋଗ କରେ। ଆଜି କିନ୍ତୁ ତାକୁ ବିରକ୍ତ ଲାଗୁଛି
ଯାତ୍ରୀମାନେ ଗୋଟିଏ ଗୋଟିଏ ଓହ୍ଲାଇ ଯେଝା ବାଟରେ ଯିଏ ଯାଉଥାନ୍ତି। ବସଷ୍ଟାଣ୍ଡ ଭିତରେ ପଶିବା ପୂର୍ବରୁ କଣ୍ଡକ୍ଟର ଶ୍ଵେତାକୁ କହିଲା ,
--ମା ଓହ୍ଲାନ୍ତୁ! ଏଇଠୁ ବସ୍ କୁ ଆମେ ଗ୍ୟାରେଜକୁ ନେବୁ।
--ଆଉ ଆଗକୁ ଯିବନି।
--ନା । ଆପଣ ଅଟୋ ଦେଖି ଚାଲି ଯାଆନ୍ତୁ।
ବସ୍ ଷ୍ଟାଣ୍ଡ ରୁ ହାଉସିଂବୋର୍ଡ କଲୋନୀ ଗୋଟେ କିଲୋମିଟର ହେବ। ଶ୍ଵେତା କୋୖଣସି ଉପାୟ ନପାଇ ବାଧ୍ୟ ହୋଇ ବସ୍ ରୁ ଓହ୍ଲାଇଲା ଗଲା। ବସଟି ଛାଡି ଗ୍ୟାରେଜ ଆଡେ ଚାଲିଗଲା। ବରମୁଣ୍ଡା ବସଷ୍ଟାଣ୍ଡ ଅସାମାଜିକ ଲୋକଙ୍କ ଆଡ଼୍ଡାସ୍ଥଳୀ। ପ୍ରବଳ ବର୍ଷା ଓ
ପବନକୁ ସେ ଛତା ଖଣ୍ଡକ ବା କୁ ବତା ଭଳି କୋଉ ମୁହୂର୍ତ୍ତରେ ଉଡ଼ାଇ ଦେବ। ଲୋକଙ୍କ ସଂଖ୍ୟା ଖୁବ୍ ନଗଣ୍ୟ। ଛତା ଖଣ୍ଡକ ଧରି ଆଠ ଦଶ ପାହୁଣ୍ଡ ଯାଇ କି ନାହିଁ, ଦୁଇଟି ଲୋକ ତା'ର ବାଟ ଓଗାଳିବା ଆରମ୍ଭ କରିଦେଲେ। ଲୋକ ଦୁଇଟି ଆକଣ୍ଠ ମଦ୍ୟ ପାନ କରିଥିଲେ। ଭୟଭୀତ ହୋଇ ଶ୍ଵେତା ଗୋଟିଏ କ୍ୟାବିନ ତଳକୁ ଚାଲି ଗଲା ।କ୍ୟାବିନରୁ କିଛି ପାନ ଓ ଚକୋଲେଟ୍ କିଣିଲା। ସେ ଲୋକ ଦୁଇଟି ଏପଟେ କିଛି ଲୋକ ଥିବାର ଦେଖି ପାଖରେ ଥୁଆ ହୋଇଥିବା ଗୋଟିଏ ବସରେ ଭିତରେ ପଶି ଯାଇଥିଲେ।ମଝିରେ ମଝିରେ ବିକଟାଳ ରଡି କରୁଥାନ୍ତି।
କ୍ୟାବିନ ତଳେ ବର୍ଷାର ଛିଟିକା ଏତେ ପଡ଼ୁଥିଲା ଯେ ଶ୍ଵେତା ଅଧା ଓଦା ହୋଇଗଲାଣି। ବାଧ୍ୟ ହୋଇ ଶ୍ଵେତା ପାଖ ରେ ଥିବା ଗୋଟିଏ ଝୁମ୍ପୁଡି ହୋଟେଲ ଭିତରକୁ ପସିଗଲା। ହୋଟେଲରେ ଦଶ ବାର ଜଣ ଖାଉଥିଲେ।ସେମାନଙ୍କୁ ଦେଖି ମନରେ ତା'ର କିଛି ଦମ୍ଭ ଭାବ ଆସୁଥିଲା। ବର୍ଷାର ବେଗ କିନ୍ତୁ କମୁ ନଥିଲା ।ଲାଗୁଥିଲା ସତେ ଯେମିତି ବାଦଲ ଫଟା ବର୍ଷା ହେଉଛି। କିଛି ସମୟ ପରେ ହୋଟେଲ୍ ଲୋକ ବି ଗୋଟିଏ ପରେ ଗୋଟିଏ ଖାଲି ହୋଇଯାଉଥିଲା। ସେଠି ଯେଉଁ ଦୁଇ ତିନି ଜଣ ଲୋକ ଥିଲେ ଶ୍ଵେତାକୁ ବି ସେମାନେ ଠିକ୍ ଲାଗୁ ନଥିଲେ।
କିନ୍ତୁ ସେ ଯିବ କେମିତି! ସେ ଯିବାକୁ ଥିବା ରାସ୍ତାରେ ଜଣେ ବି ଲୋକ ଯାଉ ନାହାଁନ୍ତି।
ଧୀରେ ଧୀରେ ଶ୍ଵେତା ସାହାସ ସଞ୍ଚୟ କଲା।ପାଖ କ୍ୟାବିନ୍ କୁ ଜଣେ ଲୋକ ପାନ ଖାଇବାକୁ ଆସିଥାନ୍ତି।ଶ୍ଵେତା ତାଙ୍କ ନିକଟକୁ ଯାଇ ପଚାରିଲା,
--ଆପଣ କୁଆଡେ ଯିବେ।
ଭଦ୍ରଲୋକ ଜଣଙ୍କ କହିଲେ
--କାଳୀ ମନ୍ଦିର ଯିବି। କାଇଁ କ'ଣ ହେଲାକି?
ଶ୍ଵେତା ଭୟରେ କହିଲା ,
--ଦୁଇଟି ମଦୁଆ ମତେ ହଇରାଣ କରୁଛନ୍ତି । ଆପଣ ମୋ ସହିତ କାଳୀ ମନ୍ଦିର ପର୍ଯ୍ୟନ୍ତ ଚାଲିଗଲେ ,ସେଠୁ କଲୋନୀ ଅଳ୍ପ ବାଟ ମୁଁ କଲୋନୀ ଭିତରକୁ ଚାଲିଯିବି।
ଲୋକଟି ହସିଲା । ସେ ବୋଧେ ଶ୍ଵେତା କଥା ବିଶ୍ଵାସ କରୁ ନଥିଲ। ଶ୍ଵେତା ଲୋକଟି ପଛେ ପଛେ ଆସିଲା।
କିଛି ବାଟ ଆସିବା ପରେ ,ସତରେ ସେ ମଦୁଆ ଦୁଇଟି ପୁଣି ବସ୍ ରୁ ବାହାରି ଶ୍ଵେତା ପଛରେ ଗୋଡ଼େଇବା ଆରମ୍ଭ କଲେ। ଶ୍ଵେତା ସହିତ ଆସିଥିବା ଲୋକ ଜଣକ ଗୋଟିଏ ମଦୁଆକୁ କାବୁ କଲେ। ଆରଟି ଶ୍ଵେତାର ନିକଟକୁ ଆସି ଶ୍ଵେତା ବେକରେ ପିନ୍ଧିଥିବା ଚେନ ଆଡ଼କୁ ହାତ ବଢଉ ଥିଲା। ଶ୍ଵେତା ପ୍ରାଣ ଭୟରେ ଧାଉଁଥିଲା ଓ ଧରିଥିବା ଛତାଟିରେ ଲୋକଟି ମୁହଁ କୁ ଗେଞ୍ଜୁଥାଏ। ଲୋକଟି ତା ପାଖ ପଶି ପାରୁ ନଥାଏ। ଶ୍ଵେତା ସେତେବେଳେ ଜାଣିଲା ଯେ ଚେନ ପାଇଁ ସେମାନେ ତା ପିଛା କରୁଥିଲେ। ସେ ସମୟରେ ଏପରି ଚେନ୍ ଲୁଟେରା ନଥିଲେ।
ଠିକ୍ ସମୟରେ ଗୋଟିଏ ଭଦ୍ରକ ବସ୍ ଆସୁଥାଏ।ଲୋକଟି ସହିତ ଶ୍ଵେତା ର ରାସ୍ତା ଉପରେ ଧସ୍ତାଧସ୍ତି ଦୃଶ୍ୟ ଦେଖି ବସ୍ ଟି ରଖିଲା ଶ୍ଵେତା ଆଖି ମୁଦି ବସ୍ ରେ ଚଢି ଗଲା।
ସେଠୁ ରାଜଧାନୀ କଲେଜ ଅଧା କିଲୋମିଟର ବାଟ। ରାଜଧାନୀ କଲେଜ ଛକରେ ଓହ୍ଲାଇଲା ବେଳକୁ ତା ଦେହରେ ଜୀବନ ନଥିଲା। ସେଠି ଓହ୍ଲାଇଲା ବେଳେ ଯୋଗକୁ ଗୋଟେ ଚିହ୍ନା ପିଲା ଦେଖା ହେଲା।ତା ସ୍କୁଟର ରେ ଜୀବନ ବିକଳରେ ଘରୁକୁ ଆସିଲା। ସେଦିନ ଘରେ ପହଞ୍ଚି ସିଧା ଯାଇ ଖଟ ଉପରେ ବସିଗଲା। ଭାଉଜ ଓ ଭାଇନାଙ୍କ କ'ଣ ହେଲା ର ପ୍ରଶ୍ନର ସେ କୈାଣସି ଉତ୍ତର
ଦେଇ ପାରୁ ନଥାଏ। କିଛି ସମୟ ପରେ ଆମୁଳଚୂଳ ବର୍ଣ୍ଣନା କଲା। ଭାଇ ବସ୍ ଷ୍ଟାଣ୍ଡ ଗଲା ବେଳକୁ ସେମାନେ କୁଆଡେ ଚାଲି ଗଲେଣି
ତା ପରଦିନ ପୋଲିସ ଷ୍ଟେସନରେ ଭାଇ ସହିତ ଯାଇ ଗୋଟେ ଏଫ. ଆଇ.ଆର ଦେଲା । ସେଦିନ ପୋଲିସ ପଚାରିଥିଲା,
--ତୁମେ ସେ ଲୋକଙ୍କୁ ଚିହ୍ନି ପାରିବ।ଦେଖ ଏ ଫୋଟ ସବୁ।
କେତେଗୁଡ଼ିଏ କ୍ରିମିନାଲ ଙ୍କ ଫୋଟ ଦେଖାଇ ଥିଲେ। ଶ୍ଵେତା ଭୟରେ ସେଦିନ ସେଲୋକଟିର ମୁହଁ ମଧ୍ୟ ମନେ ରଖି ପାରିନି।ତାକୁ ସମସ୍ତ ସମାନ ଲାଗୁଥିଲେ।
। ଖରା ବର୍ଷା ରୁ ରକ୍ଷା କରୁଥିବା ଛତାଟି ସେଦିନ ତାର ଇଜ୍ଜତ ମଧ୍ୟ ରଖିଦେଲା। ବିପଦ ସମୟରେ ବୋଧେ ମନ ଦୃଢ କଲେ ସାହାସ ଆସିଯାଏ।ସେଇ ସାହସ ହିଁ ମଣିଷକୁ ରକ୍ଷା କରେ। ଶ୍ଵେତାର ମାନସ ପଟରେ ସେ ବର୍ଷା ଏକ ଅଭୂଲା ସ୍ମୃତି ହୋଇ ରହିଗଲା।