Kiran Mishra

Others

3  

Kiran Mishra

Others

ବୋଉର ଚେତାବନୀ

ବୋଉର ଚେତାବନୀ

3 mins
609



   ସୁନୁ ନାନୀ ବାହାଘର ପାଇଁ ଘର ବେଶ୍ ଚଳଚଞ୍ଚଳ ଥିଲା। ବୁନୁ ନାନୀ ବାହାଘରର ଦଶବର୍ଷ ପରେ ସୁନୁ ନାନୀ ବାହାଘର।ତେଣୁ ସମସ୍ତେ ବେଶ୍ ଉତ୍ସାହିତ ଥାଉ। ବଡ଼ ଦୁଇ ନାନୀଙ୍କ ବାହାଘର ବେଳକୁ ମୁଁ ଛୋଟ ଥିବା ହେତୁ ବିଶେଷ କିଛି ଜାଣିନଥିଲି। ଘରେ ସାନ ଝିଅ ତଥା ଟିକେ ବଡ଼ ହୋଇଯାଇଥିବାରୁ ପ୍ରାୟ ସବୁ ଦାୟିତ୍ବ ମୋ ଉପରେ ଥାଏ। ମୁଁ ବି ବେଶ୍ ଉତ୍ସାହରେ ମାତି ଥାଏ। ଭାଇନା ଦୂରରେ ଥାଏ। ନନା ଏତେ ଦଉଡ ଧାପଡ କରି ପାରୁନଥାନ୍ତି। ସବୁ କାମ ମତେ ଓ ବୋଉକୁ ବୁଝିବାକୁ ପଡୁଥାଏ।


ସେତେ ବେଳେ ଆଜି ଭଳି ଯେଉଁ ଝିଅଟି ବାହା ହୁଏ , ସେ ନିଜ ବାହାଘର କାମ କିଛି କରେନି । ତା ଭିତରେ ଲଜ୍ଜା ଯେତିକି ଥାଏ, ସମାଜର ସମାଲୋଚନା ଭୟ ଅଧିକ ଥାଏ। ମୁଁ ଦେଖିଛି ମୋ ବାହାଘର ବେଳେ ବୋଉ ଓ ନାନୀ ବଡ଼ି ପକେଇଲା ବେଳେ ବହୁତ୍ ହଇରାଣ ହେଉଥିଲେ। ମୁଁ ଟିକେ ବଡ଼ି ପାରି ଦେବାରୁ ନାନୀ ସଙ୍ଗେ ସଙ୍ଗେ କହିଲା,

--ନା ,ଲୋ ତୁ ପାରେନା ଲୋକ ଦେଖିବେ। ସମାଜ ଓ ଲଜ୍ଜା ହେତୁ ସୁନୁ ନାନୀ ମଧ୍ୟ କିଛି କରୁ ନଥାଏ।ଆମେ

ଯାହା କରିବା କଥା ମା ଝିଅ କରୁଥାଉ। ବାଜା ବାଲା, ମଣ୍ଡପ,ଭୋଜି ବୁଝାବୁଝି କରିବାରେ ମାମୁଁ ଟିକେ ଟିକେ ସାହାଯ୍ୟ କରୁଥାନ୍ତି।


ଗହଣା ବୋଉ କିଛି କିଛି ଆଗୁଆ କରିଥାଏ।ମଧ୍ୟବିତ୍ତ ପରିବାର ମା'ଟିଏ ଝିଅଟିଏ ଥିଲେ ପରିବାର ଖର୍ଚ୍ଚରୁ ବଞ୍ଚାଇ ଗହଣା କିଛି ଓ ବାସନ କିଛି କରିଦେଇଥାଏ। ମୁଁ ବି ଦେଖିଛି ମୋ ବୋଉ ଭିତରେ ସେହି ଗୁଣଟିକୁ। ସମଗ୍ର ଜୀବନ ନିଜର ସୁଖ, ସୈାଖୀନକୁ ବଳିଦେଇ ପିଲାଙ୍କ ପାଇଁ ସଞ୍ଚୟ କରୁଥୁଲା। ଅଳ୍ପ କିଛି ବାସନ ଓ ଗହଣା

ତା ସଞ୍ଚିତ ପଇସାରେ କରିଥିଲା। ସେଥି ପାଇଁ ବେଳେ ବେଳେ ମିଛ କହିଥାଏ। ମା ମାନେ ପିଲାଙ୍କ ମଙ୍ଗଳ ପାଇଁ ଯେଉଁ ମିଛ କହିଥାନ୍ତି ସେଇଟା ବୋଧେ ସତ ଠାରୁ ଆହୁରି ସତ,ସେଥି ପାଇଁ ସେ ନିନ୍ଦା କ'ଣ ବରଂ ପ୍ରଶଂସାର ପାତ୍ର ହେବା ଉଚିତ୍।


 ବାକି ଗହଣା,ଶାଢ଼ୀ,ବାସନ ଇତ୍ୟାଦି ମୁଁ ଓ ବୋଉ ମିଶି କିଣାକିଣି କରୁଥିଲୁ।ବେଭାର ଶାଢ଼ୀଠୁ ଆରମ୍ଭ କରି ଝିଅ ଶାଢ଼ୀ ବାଛିବା ପର୍ଯ୍ୟନ୍ତ ସବୁ ମୋ ପସନ୍ଦରେ ହଉଥାଏ। 

। ଝିଅ ବାହାଘରର ସବୁଠୁ ଆକର୍ଷଣ ପେଡ଼ି ସଜ୍ଜା। ଝିଅ,ଶାଶୁ, ଜୋଇଁ ଓ ନଣନ୍ଦ ପେଡ଼ି ସଜେଇବା ଦାୟିତ୍ବ ମଧ୍ୟ ମୋର। ସେ ସମୟରେ ସବୁଠୁ ସବୁ ଜିନିଷ ଯୋଗାଡ଼ କରି ଦେବାଟା ମଧ୍ୟ ଗୋଟେ ଚର୍ଚ୍ଚାର ବିଷୟ ଥାଏ। ଶାଶୁଘର ଲୋକ ସମସ୍ତେ ପେଡ଼ି ଖୋଲି ସବୁ ଜିନିଷ ଆସିଛି କି ନାହିଁ ଦେଖନ୍ତି। ଛୋଟ ଛୋଟ କଥା ବି ବେଶ୍ ଆନନ୍ଦ ଦେଉଥିଲା।ସବୁ କିଣାକିଣି ଦାୟିତ୍ବ ମୋର। ସତକଥା କହିବାକୁ ଗଲେ ମତେ ଏଗୁଡାକ କରିବାକୁ ବହୁତ ଭଲ ବି ଲାଗୁଥିଲା। ଖାଲି ବାହାଘର ପାଇଁ ଜିନିଷ କିଣା କିଣି ନୁହେଁ, ମୁଁ ବି ବାହାଘରରେ କ'ଣ ପିନ୍ଧିବି, କେମିତି ସଜେଇ ହେବି ସେ ବିଷୟରେ ଚିନ୍ତା କରୁଥାଏ।

ବାହାଘର ଯେତିକି ଲାଗୁଥାଏ ମୋ ବ୍ୟସ୍ତତା ସେତିକି ବଢ଼ି ଯାଉଥାଏ।


 ସେ ବର୍ଷ ଥାଏ ମୋର ବି.ଏ ଶେଷ ବର୍ଷ। ବାହାଘର ପରେ ମୋର ପରୀକ୍ଷା।ପାଠ ପଢା ସୁନୁ ନାନୀ ବାହାଘର ଆୟୋଜନ ପାଇଁ ଚୁଲିକି ଯାଇଥାଏ।ବୋଉ ଲକ୍ଷ କରୁଥାଏ ମୁଁ ବାହାଘର ପାଇଁ ପାଠ ପାଖ ମାଡୁ ନଥାଏ।ବୋଉ ସ୍ବଳ୍ପ ଶିକ୍ଷିତ ହେଲେ ମଧ୍ୟ ପାଠ୍ୟ ମହତ୍ୱ ବେଶ୍ ବୁଝେ।


   ପିଲା ବେଳୁ ବୋଉ ସନ୍ଧ୍ୟା ହେଲେ ପାଠ ପଢ଼ିବାକୁ ତାଗିଦା କରେ। ଖାଲି ତାଗିଦା କରେନି ବହି ଖାତାରେ ମଲାଟ ମଡାଇ ଦିଏ।ପଢିଲା ବେଳେ ପାଖରେ ବସେ।ପଞ୍ଚମ ଷଷ୍ଠ ପର୍ଯ୍ୟନ୍ତ ସେ ପାଠ ପଢାଇ ଦିଏ ଓ ବୁଝେଇ ଦିଏ। ମୋର ସୁନୁ ନାନୀ ବାହାଘରେ ଏତେ ମାତ୍ରା ରେ ସଂଶ୍ଲିଷ୍ଟ ହେବା ତାର ପସନ୍ଦ ନଥିଲା। ସେଇଟା ଯେ ମୋର ମୁଖ୍ୟ ପରୀକ୍ଷା ସେ ଜାଣିଥିଲା। ସେ ଚାହୁଁ ଥିଲା ମୁଁ ସବୁବେଳେ ବାହାଘରରେ ନମାତି ପଢା ପଢି ମଧ୍ୟ କରେ।

 ପିଲାବେଳୁ ମୁଁ ଦେଖିଛି ବୋଉ ଆମକୁ କେବେ ମାରିବା ତ

ଦୂରର କଥା ଗାଳି ମଧ୍ୟ ବେଶୀ ଦିଏନି।କିନ୍ତୁ ଆମେ ସବୁ ଭଉଣୀ ଓ ଭାଇନା ବୋଉକୁ ଡରୁ। ତା' ପଦେ ପଦେ କଥା ଆମକୁ ଠିକ୍ ରାସ୍ତା ଦେଖାଇ ଦିଏ।


 ଦିନେ ମୁଁ ଓ ବୋଉ ଖାଇ ବସିଥାଉ ।ସୁନୁ ନାନୀ ମାମୁଁ ଘରକୁ ଯାଇଥାଏ।ଖାଇବା ମଝିରେ ସେ ପଚାରିଲା ,

--ଝିଅ ଆଉ କେତେ ଦିନ ପରୀକ୍ଷା ରହିଲା‌

ମୁଁ କହିଲି ,

-- ଆଉ ଦୁଇ ମାସ ରହିଲା।

ମୋର ଉତ୍ତର ଶୁଣି ସେ ଗମ୍ଭୀରତା ସହ କହିଲା,

--ବୁଝିଲୁ ଝିଅ ଯେଝା ଭାଗ୍ୟ ନେଇ ଯିଏ ଯିବେ, ସେ ତା ଭାଗ୍ୟ ନେଇ ଯିବ,ତୁ ତୋ ଭାଗ୍ୟ ନେଇ ଯିବୁ। ମୁଁ ଦେଖୁଛି ତୁ ବାହାଘରରେ ଏତେ ମାତୁଛୁ ପଢା ନା ଧରୁନୁ।ଏ ସମୟ ଚାଲି ଗଲେ ଆଉ ଆସିବନି।


 ତା'ର ପରେ ବୋଉ ଆଉକିଛି କହିନଥିଲା। ବୋଉର ଗୋଟିଏ ବାକ୍ୟ ମୋ ମନରେ ଗଭୀର ପ୍ରଭାବ ପକାଇ ଥିଲା। ସେଇଟି ଥିଲା, " ଯେଝା ଭାଗ୍ୟ ନେଇ ଯିଏ ଯିବ"। ମୁଁ ତାପରେ ସ୍ବପ୍ନରାଜ୍ୟରୁ ବାସ୍ତବ ଜଗତକୁ ସିଧା ଚାଲି ଆସିଥିଲି।ମତେ ବୋଉର ସେଇ କଥାଟି ମତେ ସେଦିନ

ପ୍ରେରଣା ହିଁ ଦେଇଥିଲା‌।ପରିଶ୍ରମ ମଧ୍ୟକରି ଭଲ ରେଜଲ୍ଟ ପାଇଥିଲି। ବୋଉର ସେହି ଚେତାବନୀ ନିଶ୍ଚୟ ମୋ ଜୀବନ ଗଢିବାରେ ସହାୟକ ହୋଇଥିଲା।


Rate this content
Log in