Goutam Mohanty

Abstract Classics

3  

Goutam Mohanty

Abstract Classics

ଅଦୃଶ୍ୟ ଲୁହ

ଅଦୃଶ୍ୟ ଲୁହ

4 mins
186



ଆଜି ଦାସ ବାବୁଙ୍କର ବାରପତ୍ର ଖାଇବାରେ ଲୋକଙ୍କର ଢେର ଭିଡ । ବଡଘର ଖାନା ଖାଇବାର ମଜା ଆଜି ଗାଁ ଲୋକଙ୍କ ତୁଣ୍ଡରେ । ଗୋଟି ଗୋଟି କରି ଛପନ ପ୍ରକାର ବ୍ୟଞ୍ଜନ ଖଞ୍ଜି ଦେଇଛନ୍ତି ପପେର ପ୍ଲେଟ ଉପରେ ।ତା ସାଙ୍ଗକୁ ପାହାଳ ରସଗୋଲା ଓ ରସମଲାଇ ଖାଇବାର ମଜା ଖାଦ୍ୟର ସ୍ୱାଦକୁ କରୁଛି ଦୁଇ ଗୁଣିତ ।


    ଓଃ!! କି ଶାନ୍ତି।। ଆତ୍ମା ତୃପ୍ତ ହୋଇଗଲା କହି ଢକ୍କାରଟିଏ ପକାଇଲେ ଶଙ୍କରା ନନା । ସତରେ ଖାଇବାଟା ଭାରି ଭଲ ଲାଗିଲା ; ନୁହେଁ କିରେ ଗୋପାଳ ? ପ୍ଲାଷ୍ଟିକ ଗ୍ଲାସରୁ ପାଣିତକ ଢକ ଢକ କରି ଦୁଇ ଢକ ପିଇ ଆଙ୍ଗୁଳି ଗୁଡାକୁ ଚାଟି ଗୋପାଳ ଉତ୍ତର ଦେଲା ହଁ ନନା, ଖାଇବାଟା ପୁରା ଜମିଗଲା । 

   ଦାସ ବାବୁ ଥିଲେ ଜଣେ ମହାନ୍ ବ୍ୟକ୍ତି । ଗରୀବଙ୍କ ଈଶ୍ବର । ଲୋକ ମାନଙ୍କ ପାଇଁ ତାଙ୍କ ହୃଦୟ କାନ୍ଦେ । ସେଥିପାଇଁ ତ ସେମାନଙ୍କ ଖୁସିରେ ନିଜର ସୁଖ ସାଉଁଟିବାକୁ ଭାରି ଭଲ ପାଆନ୍ତି ସେ  । ମାସେ ନୁହେଁ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ପାଞ୍ଚ ବର୍ଷ କାଳ ରୋଗ ଶଯ୍ୟାରେ ପଡି ମୋହ ଭଙ୍ଗ ଦେଇ ସାରିଥିଲେ ଜାଣ । ସେଥିରେ ପୁଣି ସ୍ୱର୍ଗତଃ ପତ୍ନୀ ଓ ସୁଦୂର ଆମେରିକାରେ ବାସ କରୁଥିବା ଦୁଇ ଦୁଇଟି ପୁଅ ବୋହୂ । ଆହାଃ ପଦେ କହିବାକୁ ପାଖରେ ନାହାଁନ୍ତି କେହି । ନା କେହି ଅଛି ଦେହ ମୁଣ୍ଡରେ ହାତ ବୁଲାଇ ଦେବାକୁ । ସାହାରା ଟିକକ ଯାହା ନ୍ୟସ୍ତ ହୋଇ ରହିଛି ଚାକର ପିଲାଟି ଉପରେ । 

 

     ଅସହ୍ୟ ଯନ୍ତ୍ରଣାରୁ ମୁକୁଳିବା ପାଇଁ ଅନେକ ଥର ଫୋନ୍ କଲେଣି ପୁଅ ପାଖକୁ । ଦାନ ଧର୍ମ କରି ଶ୍ମଶାନ ଯାତ୍ରାର ମାର୍ଗ ସୁଗମ୍ୟ କରିବାର ଇଛା ହୋଇ ପାରୁନି ଚରିତାର୍ଥ । ପୁଅ ମାନଙ୍କ ପାଖରେ ଯେ ସମୟର ଅଭାବ ଏ କଥା କହି ଫୋନ୍ କାଟି ଦିଅନ୍ତି ସେମାନେ । ଅସୁସ୍ଥ ପିଣ୍ଡଟିର ଭାର ଦିନକୁ ଦିନ ଅସହ୍ୟ ହେବାକୁ ଲାଗିଥିଲା ଯେମିତି । ତାଙ୍କ ମୁହଁରୁ ସ୍ପଷ୍ଟ ପଢି ହେଉଥିଲା ଜର୍ଜରିତ ପ୍ରାଣର ଅକୁହା କାହାଣୀ ସବୁ।    

             

        ଆପଣଙ୍କର ମନେଅଛି ନନା !!


 ଦୀର୍ଘ ସାତ ବର୍ଷ ତଳର କଥା । ଯେଉଁ ସନ ଗାଆଁ ରେ ଧୋଇ ଆସିଥିଲା । ସେ ସମୟର ଧୁମ୍ରମୟ ଦୃଶ୍ୟ ଏବେବି ନାଚି ଯାଉଛି ଆଖି ଆଗରେ  । ବନ୍ୟା ଜଳର ଅକ୍ତିଆରରେ ଜଳମଗ୍ନ ହୋଇ ସାରିଥିଲା ସମଗ୍ର ଗାଆଁ । ପଟୁ ମାଟିର ପୁଟ ଚଢାଇ ସବୁକିଛି ହରାଇ ସାରିଥିଲେ ସେମାନଙ୍କ ସତ୍ତା । 

      ଧାନ ଫସଲ ଗଲା। ଘର ବୁଡିଲା , ଢିଅ ହଜିଲା । ସବୁକିଛି ହରାଇ ସର୍ବସ୍ବାନ୍ତ ହୋଇ ଗଲୁ ଆମେ । ସାହାଯ୍ୟ ଓ ସହାନୁଭୂତିର ଆଶା ସବୁକିଛି ଫସର ଫାଟି ମିଳାଇ ସାରି ଥିଲା ନଦୀ ବନ୍ଧ ଉପର ପାଲ ଟଣା ଘର ଭିତରେ ।କିଛି ଲୋକ ସାପ କାମୁଡାରେ ମଲେ ତ କିଛି ଭାସି ଗଲେ ବନ୍ୟାର ସେ ଉତ୍ତାଳ ସୁଅରେ । ସେହି ସମୟରେ ଦେବ ଦୂତ ଟିଏ ସାଜି ଦାସ ବାବୁ ହାଜର ହେଲେ ମଟର ବୋଟ୍ ମାଧ୍ୟମରେ । ନିଜ ସଞ୍ଚିତ ଅର୍ଥ ବ୍ୟୟ କରି ଆମ ମାନଙ୍କ ପାଇଁ ଯୋଗାଡି ବସିଥିଲେ ଦୁଇ ଓଳି ଦୁଇ ମୁଠା ଖାଦ୍ୟ । ଦଳ ଦଳ କରି ସ୍ଥାନାନ୍ତରିତ କରାଇ ଥିଲେ ଉପଯୁକ୍ତ ସ୍ଥାନକୁ । 

ଏମିତି ଦେବ ତୁଲ୍ୟ ମଣିଷକୁ କେବେ କଣ ଭୁଲି ହୁଏ? ଜଣା ନାହିଁ, କାହିଁକି ଈଶ୍ବର ତାଙ୍କ ଉପରେ ଏମିତି ଦାଉ ସାଜିଲେ । କତରା ଲଗା କରାଇ ଆମ ମାନଙ୍କ ଉପରୁ ତାଙ୍କ ଆଶୀର୍ବାଦ ଭରା ହାତ ଟିକୁ କାଢିନେଲେ ।

 

ହଁ ରେ ଗୋପାଳ, ସବୁକିଛି ମନେ ଅଛି ମୋର । ସେ କଥା ବି ମନେ ଅଛି - ଯେବେ ଆମ ଗାଆଁ ପିଲାମାନେ ଦାଦନ ଖଟିବାକୁ ଯାଇ ରୁଗ୍ଣ ଅବସ୍ଥାରେ ଫେରୁଥିଲେ ସୁରଟରୁ । କିଛି ପିଲାଙ୍କର ମୃତ୍ୟୁ ଆଲୋଡନ ସୃଷ୍ଟି କରି ସାରିଥିଲା ଗାଆଁ ଭିତରେ । ଚାରିଆଡେ ହା ହା କାରର କରୁଣ ଦୃଶ୍ୟ । ଆର୍ଥିକ ଦୂରାବସ୍ଥା ବାଧ୍ୟ କରୁଥିଲା ସେମାନଙ୍କୁ ଯିବାପାଇଁ ସୁରଟ । ଚୁଲି ଜଳିବା ପାଇଁ ଲୋଡା ହୁଏ ଅର୍ଥ । ତେଲ ଲୁଣ ସଂସାର ର ଅଭାବ ବାଧ୍ୟ କରୁଥିଲା ସେମାନଙ୍କୁ ହେବାପାଇଁ ଦାଦନ ଶ୍ରମିକ ।  

       

      ସେତେବେଳେ ମଧ୍ୟ ଏଇ ଦାସ ବାବୁ ଆଗେଇ ଆସିଥିଲେ ସହାୟତାର ମସାଲ ଧରି । ଆମ ପରି ମୂର୍ଖ ମଣିଷ ମାନଙ୍କୁ ଦେଖାଇ ଦେଇଥିଲେ ଆଲୋକର ରାହା । ଗାଆଁ ରେ କୁଟୀରଶିଳ୍ପର ପ୍ରଚାର ପ୍ରସାର ତଥା ହସ୍ତଶିଳ୍ପର ତାଲିମ୍ ନିମନ୍ତେ କରିଥିଲେ ବନ୍ଦୋବସ୍ତ । ଆଉ ଆଜି ଦେଖ୍ ଗୋପାଳ ବଦଳି ଯାଇଛି ଆମ ଗାଆଁର ଚିତ୍ର ।ହଜି ଯାଇଛି ଆମ ଆର୍ଥିକ ସଙ୍କଟ ।

ହେଲେ ନନା , ଆଉ ଗୋଟିଏ କଥା ଭୁଲି ଯାଇଛନ୍ତି ବୋଧେ ।।

:- କୋଉ କଥା କିରେ ? ହାତ ଧୋଉ ଧୋଉ ପଚାରିଲେ ନନା ।  

      

   ନନା ଆପଣଙ୍କର ମନେ ଅଛି ସ୍କୁଲ ତିଆରି କଥା ? ଗାଆଁ ଠାରୁ ଦଶ ମାଇଲ୍ ଦୂରରେ ସ୍କୁଲ ହେତୁ ଆମ ପିଲା ମାନେ ପାଠ ଦୁଇ ଅକ୍ଷର ପଢିବା ପାଇଁ କେତେ ଯେ ହୀନସ୍ତା ହେଉ ନଥିଲେ !! ପାଠ ପଢିବାକୁ ଆଗ୍ରହ ଥିଲେ କଣ ହେବ ଦୂରତାର ଭୟରେ ସବୁକିଛି ପଡି ଯାଉଥିଲା ଶିଥିଳ । ଛୁଆଙ୍କୁ ମଣିଷ କରିବା ଥିଲା ଆମ ପାଇଁ ସ୍ୱପ୍ନର କଥା । 

   ହେଲେ , ଯେବେଠୁ ଦାସ ବାବୁ ଆମ ଗାଆଁରେ ନିର୍ମାଣ କରାଇଥିଲେ ଦେୟ ମୁକ୍ତ ବେସରକାରୀ ବିଦ୍ୟାଳୟ । ସେବେ ଠାରୁ ଆମ ପିଲା ମାନଙ୍କ ପାଇଁ ସହଜ ହୋଇଛି ଶିକ୍ଷାର ରାସ୍ତା । କିଛି ପିଲା ତ ଏବେ ଆମ ଗାଆଁର ଗର୍ବ ହୋଇ ସାରିଲେଣି । ବହୁତ ଖୁସି ଲାଗେ ଏସବୁ ଭାବିଲେ । ହେଲେ ଏବେ କଣ ହେବ ? ତାଙ୍କ ଅନ୍ତେ ସବୁକିଛି ପୁଣିଥରେ ଫେରି ଯିବନି ତ ପୂର୍ବାବସ୍ଥାକୁ ! ଭାବିଲେ ଭୟ ମଧ୍ୟ ଲାଗେ ।


      ପୁଣି ବିଷର୍ଣ୍ଣ ହୋଇଯାଏ ମନଟା ଯେବେ ଭାବିଦିଏ ଦାସ ବାବୁଙ୍କ କଥା ।ଜଣେ ଧର୍ମାତ୍ମା ମଣିଷ ସିଏ । ତାଙ୍କ ବିୟୋଗରେ ସାରା ଗାଁ ମର୍ମାହତ । ଦୁଇ ଦୁଇଟି ପୁଅ ଥାଇ ମଧ୍ୟ ମୁଖାଗ୍ନି ଦେବା ତ ଦୂରର କଥା । ମୃତ୍ୟୁ ସମୟରେ ପାଟିରେ ପାଣି ମୁଦେ ପାଇ ପାରିଲେନି ସେ । ଜନ୍ମ ଦେଲେ , କୋଳାଇ କାଖେଇ ମଣିଷ କଲେ । ଏ ଦୁନିଆ ଦାଣ୍ଡରେ ଜଣ ଜଣ କରି ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ଛିଡା ମଧ୍ୟ କରାଇଲେ । ଅଥଚ ପୁଅ ମାନେ ଭୁଲିଗଲେ ସେମାନଙ୍କ କର୍ତ୍ତବ୍ୟ । ଜୀବିତ ଅବସ୍ଥାରେ ବାର ବାର ଡାକି ଥକି ପଡିଲେ ସେ, ଅଥଚ ପିଲା ମାନଙ୍କୁ ଶୁଣା ଗଲାନି ତାଙ୍କ ଅସ୍ପଷ୍ଟ ସ୍ୱର  । ମାତ୍ର ଆଜି ଚାଲି ଆସିଛନ୍ତି ଦେଖାଇ ହେବାକୁ ପିତୃ ପ୍ରେମ । ଟଙ୍ଗାଇବାକୁ ମୃତ ଫଟୋରେ ଫୁଲହାର। 

  

    କଣ କହିବିରେ ଗୋପାଳ ! 


ସେଦିନ କଥା ମନେ ପଡିଗଲେ ଆଖିରେ ମୋ ଜକାଇ ଆସୁଛି ଲୁହ । ଦୋହଲି ଯାଉଛି ମନ । ଭାବିଥିଲି ଦାସ ବାବୁଙ୍କ ସହ ଭେଟ ହେଲେ କିଛି ମୁହୂର୍ତ୍ତ ପାଇଁ ତାଙ୍କ ମୁହଁରେ ଖେଳିଯିବ ହସ । ହେଲେ ମୁଁ ଯାହା ଦେଖିଲି ମୋ ପକ୍ଷେ ବର୍ଣ୍ଣନା କରିବା ଅସମ୍ଭବ । ଏମିତି ଦଣ୍ଡ ଈଶ୍ବର କୋଉ ଶତ୍ରୁକୁ ନ ଦିଅନ୍ତୁ । ବହୁତ ମର୍ମଭେଦୀ ଯନ୍ତ୍ରଣାରେ। କହିବାକୁ ଶବ୍ଦ ନାହିଁ । 

    

ବାୟୁ ଚାଳିତ ଗଦିରେ ଶୋଇ ରହି ବାଉଳି ହେଉ ଥାନ୍ତି ପୁଅ ପୁଅ । ଆଖି ସାରା ଲେଞ୍ଜେରା ଭର୍ତ୍ତି । ହାତ ପାଦରୁ ମାଂସ ତକ ମିଳାଇ ଯାହା ବାକି ରହି ଯାଇଥିଲା କେଇ ଖଣ୍ଡି ହାଡ । କେବଳ ଯାହା ପାଟି ଖୋଲି ବ୍ୟକ୍ତ କରି ପାରୁଥିଲେ ଦର ଖଣ୍ଡି ଶବ୍ଦରେ ନିଜର ଭାବନା ସେତିକି । ଚାକର ପିଲାଟି ମନ ବୁଝି ଘଣ୍ଟାକୁ ଘଣ୍ଟା ପିଇ ଦେଉଥିଲା ବେଦନା ରସରୁ ଚାମୁଚିଏ ।   

     ଧର୍ଯ୍ୟ ଧରି ରହି ପାରିଲିନି ମୁଁ । ଉଠି ଚାଲି ଆସିଲି ସେଠୁ ।

ତା ପର ଦିନ ଶୁଣିଲି ତାଙ୍କ ବିୟୋଗର ଖବର ।ମୃତ୍ୟୁର ଦୁଇଦିନ ପରେ ଯାଇଁ ପୁଅ ବୋହୂ ଅବତରଣ କଲେ ଦାସ ବାବୁଙ୍କ ଘରେ । ଧନ୍ୟ କହିବ ଯାହା ... ।


     ଏ ଲୋକ ଦେଖାଣିଆ ଫଟୋରେ ଫୁଲ ହାର ଚଢାଇ, ସହ ସହ ଲୋକ ଖୁଆଇଲେ କଣ ମିଳିଯିବ ଶାନ୍ତି ତାଙ୍କ ଆତ୍ମାକୁ ! ନା ପୂର୍ଣ୍ଣ କରିହେବ ତାଙ୍କ ଅବଶୋଷର ଶୂନ୍ୟ ମାର୍ଗ ।

 ଏହି ସବୁ ଭିତରେ ଅଜାଣତେ ବହି ଚାଲିଥିଲା ଦୁଇ ଜଣଙ୍କ ଆଖିରୁ ଲୁହ । ଘର ଭିତରେ ଦର ହସା ଫୋଟୋ ଫ୍ରେମ୍ ଭିତରୁ ଚାହିଁ ରହିଥିଲେ ଦାସ ବାବୁ । ଖାଲି ଯାହା ଅଦୃଶ୍ୟ ହୋଇ ମିଳାଇ ଯାଉଥିଲା ତାଙ୍କର ଅଦୃଶ୍ୟ ଲୁହ ।

   

                   #ସିଧାକଥା


Rate this content
Log in

Similar oriya story from Abstract