STORYMIRROR

Sudeshna Misra

Action Inspirational Others

4  

Sudeshna Misra

Action Inspirational Others

ଅଦରକାରୀ

ଅଦରକାରୀ

2 mins
399

ନିଜ ପାହାଡିଆ ଡଙ୍ଗର ଜମିରୁ ଯାହାକିଛି ମିଳେ ସେଥିରେ ବର୍ଷକର ତିନିମାସ ପାଇଁ ଚାଉଳ ଆଉ ଅଳ୍ପ ବିରି ହେଇଥାଏ।ବସନ୍ତ ଋତୁରେ ମହୁଲ ଗୋଟାନ୍ତି ତାପରେ ଟୋଲା । ପଛକୁ ପଛ କେନ୍ଦୁ, କୁସୁମ, ଅନ୍ୟାନ୍ୟ କୋଳି ତଥା କନ୍ଦା ମୂଳ, ଆହୁରି କେତେ କଣ ମିଳିଯାଏ। ପୁଣି କେନ୍ଦୁପତ୍ର, ଶାଳପତ୍ର ଇତ୍ୟାଦି ସଂଗ୍ରହ କରି ଚଳିଯାଆନ୍ତି ସେମାନେ। ବାକି ମାସତକ କୁଲି ବୁତ୍ତି କରନ୍ତି। ସବୁବେଳେ ତ କୁଲିକାମ ପାଆନ୍ତିନି। ପୁରା ହିସାବ କଲେ, ବର୍ଷରେ ଦୁଇତିନି ମାସ ମଜୁରୀ କାମ ମିଳିଥାଏ। ଦିନକୁ ଦୁଇବେଳା ଭାତ ମିଳିଗଲେ, ହେଇଗଲା। ଛାଏଁ ଉଠୁଥିବା ବାଡି ଶାଗ ସହିତ ତେନ୍ତୁଳି ଓ ଲଙ୍କା ଚକଟା ମିଳିଗଲେ ସେମାନେ ଶାନ୍ତି , ଅଧିକ ଚାହାଁନ୍ତିନି। ଆଦିବାସୀ କାଲି ଦେଖେନି, ଆଜି ପାଇଁ ବଞ୍ଚେ।

ସେଦିନ ଗାଁ ରେ ମିଟିଂ ହେଲା । ଫରେଷ୍ଟ ଗାର୍ଡ କହିବା ଅନୁଯାୟୀ ଗାଁ ମୁଖିଆ ଏଇ ସଭା ଡାକିଥିଲେ। ଜଙ୍ଗଲ କିପରି ସୁରକ୍ଷିତ ରହିବ ସେଥିପାଇଁ ଗୋଟେ କମିଟି ଗଢା ହେଲା। ନିୟମ ସବୁ କରାହେଇ ଖାତାରେ ଲେଖା ହେଲା।

ଗାଁ କମିଟି କୁ ନ ଜଣେଇ କେ‌ହି ଗଛ କାଟିବେନି। ଯେତିକି କାଠ ଜାଳେଣୀ ଓ ଘର ତିଆରି ପାଇଁ ଦରକାର କମିଟିକୁ ଜଣେଇବେ। ଆଉ ଅଧିକ କାଠ ଦରକାର ହେଲେ ନିର୍ଦ୍ଧାରିତ ଶୁଳ୍କ ଦେଇ ନେଇପାରିବେ। ଗାଁ ପାଣ୍ଠି ବଢିବ।

ନ ଜଣେଇ ଗଛ କାଟିଲେ ଜୋରିମାନା ହେବ।

ଏଇ ଗାଁ ର ଲୋକମାନେ ଜଙ୍ଗଲକୁ ପାଳିକରି ଜଗିବେ , ବାହାରଲୋକଙ୍କୁ ପୁରେଇ ଦେବେନି।  ଏହି ରିଜୋଲ୍ଯୁସନ୍ ରେ ଲେଖା ଲେଖି ଓ ଦସ୍ତଖତ ପରେ ପାଖ ଜଙ୍ଗଲରେ ବୃକ୍ଷ ରୋପଣ ଉତ୍ସବ ଉଦ୍ଘାଟିତ ହେଲା। ଆସିଥିବା ଚାରାଗଛ ଗୁଡ଼ିକୁ ସମାରୁ ପରଖୁ ଥିଲା। "ସାଗୁଆନ୍, ଇଉକାଲିପଟାସ୍,ପିଆଶାଳ ଜାତୀୟ ଗଛସବୁ, କେବଳ ଆସବାବ ପତ୍ର ହେବାପାଇଁ ଏ କାଠ ଯୋଗ୍ୟ। ପୁଣି ଇଉକାଲିପଟାସ୍ ଗଛ ପାଖରେ ଅନ୍ୟ ଗଛ ତ ଉଠିବ ବି ନାହିଁ। ଏସବୁ କାଠ ସହରର ବଡ଼ବଡ଼ିଆଙ୍କ ଘରେ ପଲଙ୍କ ଓ ଚୌକି ଟେବୁଲ୍ ପାଇଁ ବ୍ୟବହୃତ ହେବ। ଆଉ ଆମମାନଙ୍କର ଦରକାରୀ ଆମ୍ବ, ପଣସ, ଅଁଳା, ବାହାଡା ମହୁଲ ଚାରା ତ ନାଁହିଁ। ତାଛଡା ଗୋଟେ ବି ଔଷଧୀୟ ଗଛ ନାହିଁ। ମୋଟା ମୋଟି ଆମର ଦରକାର ର କିଛିବି ଗଛ ନାହିଁ।‌ ଏସବୁ ଗଛକୁ ପୁଣି ଜଗିବା ପାଇଁ ସେମାନେ ରାତି ଅନିଦ୍ରା ହେବେ।" ଗୋଟେବି ଗଛ ଲଗେଇବା କୁ ଇଚ୍ଛା ନଥିଲା , ବିଦ୍ରୋହ କରିଉଠୁଥିଲା ମନଟା। କିନ୍ତୁ ଦି ତିନି ଦିନର ମଜୁରୀ ମିଳିଯିବ ବୋଲି କାମ କରିବାକୁ ସ୍ଥିର କଲା ସମାରୁ। କାଲି ଠୁତ ଚୁଲି ଲାଗିନି, ଘରେ ।

ଗଲାସନ କଥା ମନେ ପଡ଼ିଗଲା ସମାରୁର । ଏମିତି ପାଳିକରି ଜଗୁଥିଲେ। ଦିନେ ରାତିରେ ଜଗିଥିବା ଦିଜଣ ଗ୍ରାମବାସୀ ଦେଖିଲେ ଗୋଟେ ଟ୍ରକରେ କଟା ହୋଇଥିବା କାଠ ଲଦା ହେଉଛି। ଆଶ୍ଚର୍ଯ୍ୟ ହେଇ ଯାଇ ପଚାରିଲେ। ବାଟ ଓଗାଳିଲାରୁ ଉଚ୍ଚବାଚ୍ଯ ଓ ପରେ ପରେ ଗୁଳି ଶବ୍ଦ। ଆଉ ଟ୍ରକ୍ ଷ୍ଟାର୍ଟ କରି କାଠ ମାଫିଆମାନେ ଯିବାକୁ ଉଦ୍ୟମ ସମୟରେ ଆଉଥରେ ଗୁଳି ଫୁଟେଇଲେ। ତାଙ୍କ ଗାଁର ବୁଦ୍ଧିଆ ଗୋଡ଼ରେ ଗୁଳି ବାଜିଲା। ଯନ୍ତ୍ରଣାରେ ପଡ଼ିଗଲା ସେ ଆଉ ଏଇ ମଉକାରେ ଖସିଗଲେ କାଠ ମାଫିଆମାନେ। ଆଉ ସେବେଠୁ ବୁଦ୍ଧିଆ ଗୋଟେ ଗୋଡ଼ ହରାଇ ଜୀବିକା ଶୂନ୍ୟ। ଚବିଶି ବର୍ଷର ଭେଣ୍ଡିଆ ଲୋକଟାର ପିଲାଛୁଆ ଭୋକ ଉପାସରେ ଅଛନ୍ତି ଏବେ। ଫରେଷ୍ଟର ପ୍ରଥମ ବୃକ୍ଷର ଚାରାଟି ରୋପଣ କଲାବେଳେ ସମସ୍ତେ ତାଳି ମାରୁଥିଲେ। ବୁଦ୍ଧିଆ ଦୁଇହାତରେ ତାଳିମାରିବାକୁ ଚେଷ୍ଟା କରୁଥିଲା ବେଳେ ତା ଆଶା ବାଡି ପଡ଼ିଗଲା ତଳେ ଆଉ ତା ସହିତ ନିଜେ ବୁଦ୍ଧିଆ ବି। ତା ବଡ଼ଭାଇ ସମାରୁ ପାଟିରୁ ବାହାରି ପଡିଲା "ନା ନା ଆମର ଏ ଗଛ ସବୁ ଲଗେଇବା ଦରକାର ନାହିଁ "  ସେ ଶବ୍ଦ ଏତେ ଯୋରରେ ଥିଲାଯେ ଉଦଘାଟକ ମହାଶୟ ଓ ଆଉ ସମସ୍ତେ ଚମକି ପଡ଼ିଲେ। ଆଉ ଜଙ୍ଗଲରେ ପ୍ରତିଧ୍ୱନୀ ହେଉଥିଲା 'ଦରକାର ନାହିଁ ଦରକାର ନାହିଁ ।


Rate this content
Log in

Similar oriya story from Action