Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Sambit Srikumar

Drama Tragedy


4.5  

Sambit Srikumar

Drama Tragedy


ଅଧର୍ମ ବିତ୍ତ

ଅଧର୍ମ ବିତ୍ତ

5 mins 169 5 mins 169


ଓଡ଼ିଶା ବିଶେଷ କରି ଭୁବନେଶ୍ଵରରେ ଉଚ୍ଚ ଗୁଣାତ୍ମକମାନର ଗଞ୍ଜେଇ ମିଳେ ବୋଲି କିଛି ଦିନ ତଳେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏମିତି ତ ଓଡ଼ିଶାର ଖବର ଜାତୀୟ ଗଣମାଧ୍ୟମରେ ସ୍ଥାନ ପାଏ ନାହିଁ। ଏଇ ଯେମିତି ଫଣି ବାତ୍ୟାଟା ଝାଡ଼ଖଣ୍ଡରେ ବିଭିଷିକା ସୃଷ୍ଟି କରିଥିବା କଥା ଗୋଟିଏ ଅଗ୍ରଣୀ ସମ୍ବାଦପତ୍ରର ଶିରୋନାମା ମଣ୍ଡନ କରିଥିଲା ଯହିଁରେ ଓଡ଼ିଶା ବାବଦରେ ଆଦୌ ଉଲ୍ଲେଖ ନଥିଲା। ତେବେ ଗଞ୍ଜେଇର ଗୁଣବତ୍ତାକୁ ନେଇ ଓଡ଼ିଶାର ନାମ ଚର୍ଚ୍ଚା ହେବାଟା ସୁନାମ ଅଥବା ଦୁର୍ନାମ ତାହା ବିତର୍କର ବିଷୟ! ଏକାମ୍ରକାନନରେ ମହାଦେବଙ୍କ ସ୍ଵୟମ୍ଭୁ ହୋଇ ବିରାଜମାନ କରିବା ଆପାତତଃ ଗଞ୍ଜେଇ ସିଦ୍ଧାନ୍ତକୁ ପ୍ରମାଣିତ କରୁଛି ବୋଲି ବୋଧହୁଏ।


ଶସ୍ତା ଚିଜର ବହୁଳ ଲୋକପ୍ରିୟତା ଚିରକାଳ ପରୀକ୍ଷିତ! ଅର୍ଥନୀତିର ଏହି ତତ୍ତ୍ବ ମୁତାବକ ନିଶାଖୋରଙ୍କ ମଧ୍ୟରେ ଗଞ୍ଜେଇର କାଟତି କାହିଁରେ କେତେ। ଏହା ବାଦ୍ ଧାର୍ମିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନରେ ଏହାର କିଞ୍ଚିତ୍ ବ୍ୟବହାର ତର୍କସଙ୍ଗତ ନହେଲେ ମଧ୍ୟ ଚଳନୀୟ। ଅନେକଙ୍କର ଅନେକାଂଶରେ ଏହି ସମ୍ବନ୍ଧୀୟ ଅନୁଭୂତି ରହିଥିବ! ମନରେ ସ୍ବତଃ ପ୍ରଶ୍ନ ଆସେ ଯେ, ରାଜଧାନୀ ଭୁବନମୋହିନୀ ଭୁବନେଶ୍ବର ତ କଙ୍କ୍ରିଟ୍ ଜଙ୍ଗଲରେ ଭର୍ତ୍ତି, ଏପରିକି ନାଳ ନର୍ଦ୍ଦମା ଜଳ ପ୍ରବାହର ମାର୍ଗଗୁଡିକ ସଙ୍କୁଚିତ ହୋଇଯାଇ ଅସରାଏ ବର୍ଷା ହେଲେ କୃତ୍ରିମ ବନ୍ଯା ପରିସ୍ଥିତି ସୃଷ୍ଟି ହୋଇଛି, ତେବେ ଏଠାରେ ଗଞ୍ଜେଇ ଚାଷ ହେଉଛି କେଉଁଠି? କିନ୍ତୁ ଏଠି ଉତ୍ପାଦ ସହିତ ଉପଭୋକ୍ତା ଭରପୁର! ଚାହିଦା ଓ ଯୋଗାଣ ମଧ୍ୟରେ ଉତ୍ତମ ସମନ୍ବୟ ରହିଛି ବଜାରରେ। 


ରାଜଧାନୀର ମଧ୍ୟସ୍ଥଳରେ ଅବସ୍ଥିତ ସମ୍ଭ୍ରାନ୍ତ ଇଲାକା ଶହିଦନଗରର ରୂପାଲି ଛକ। ଦୂର୍ଗା ମଣ୍ଡପର ଠିକ୍ ବୀପରିତ ପାର୍ଶ୍ବରେ ଥିବା ଫୁଲ ଦୋକାନ ମଝାମଝି ନାମ ଫଳକ ବିହିନ ଛୋଟ କେବିନଟିଏ। କାଠ ଆଉ ଟିଣରେ ତିଆରି ହୋଇଥାଏ କେବିନଟି। ଦିନ ସାରା ସବୁବେଳେ ବନ୍ଦ ପଡିଥାଏ। ମାତ୍ର ନିତି ସନ୍ଧ୍ୟା ହେଉ ହେଉ ଜନ ଗହଳି ଜମିବାରେ ଲାଗେ। ଗୁଡ଼ ମାଠିଆକୁ ଜନ୍ଦା ପିମ୍ପୁଡ଼ି ଧାଡ଼ି ବାନ୍ଧିବା ପରି ଗ୍ରାହକଙ୍କ ଧାଡ଼ି ଲମ୍ବିଥାଏ କିନ୍ତୁ ସଭିଏଁ ଶୃଙ୍ଖଳା ରକ୍ଷା କରି ଉତ୍ସୁକତାର ସହ ଠିଆ ହୋଇ ରୁହନ୍ତି। ମାତ୍ର କିଛି ସମୟର ବ୍ୟବଧାନରେ ଜାଗାଟି ଶୂନଶାନ ହୋଇଯାଏ। ଆଗ ପଛ ହୋଇ ସଭିଙ୍କୁ ଜନିଷ ମିଳେ। ବିଳମ୍ବକୁ ନେଇ କେବେ ବି କାହାଠାରୁ କିଛି ଆପତ୍ତି ଅଭିଯୋଗ ଶୁଣେ ନାହିଁ ଦୋକାନୀଟି।


ଏମିତି ସେଇଠି କଣ ବିକ୍ରି ହୁଏ ସଦାସର୍ବଦା କୌତୂହଳର ବିଷୟ ମାମୁଲି ଦେଖଣାହାରୀଙ୍କ ନିମନ୍ତେ। ବଡ଼ ରହସ୍ୟମୟ ସେଇ ଦୋକାନଟି, ଦୋକାନୀ ବି! ଦୋକାନୀ କେତେବେଳେ ଆସେ କେତେବେଳେ ଯାଏ କେହି ବି ଟେର୍ ପାଆନ୍ତି ନାହିଁ। କେହି କେହି ତ କହନ୍ତି ଯେ, ଦୋକାନୀଟି କାଳେ ଦିନକୁ ଘଡିଏ ଦୋକାନ ଖୋଲି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରେ ମାସକୁ। ଏକଥାର ସତ୍ଯାସତ୍ଯ ବିଷୟରେ ଅନୁସନ୍ଧାନ କରିବାକୁ ବା କାହାକୁ ତର ସହୁଛି? କାହାର ବା କଣ ଯାଉଛି କାହା ରୋଜଗାରରୁ? କଥାରେ ନାହିଁ, "ପେଟ ପୋଷ ନାହିଁ ଦୋଷ?" ହଁ, କୋଉ ଅମୂଲ୍ୟ ଜିନିଷ ବିକୁଥିବ ନିଶ୍ଚୟ, ସେଇଥିପାଇଁ ତ ତା' ପାଖରେ ଏତେ ଗହଳି।


*********


ଶହୀଦନଗରରେ ଭଡାଟିଆ ଭାବେ ନୂଆ ନୂଆ ବାସ କରୁଥିବା ସିଦ୍ଧାର୍ଥ ବାବୁଙ୍କ ଘରେ ତ୍ରିନାଥ ମେଳା ଅନୁଷ୍ଠିତ ହେବାକୁ ଯାଉଥାଏ। ପାଖ ଆଖଣ୍ଡଳମଣି ମନ୍ଦିରର ପୂଜକ ହରି ନନା ମେଳା ପାଇଁ ଆବଶ୍ୟକ ସାମଗ୍ରୀର ଲମ୍ବା ତାଲିକାଟେ ଧରାଇ ଦେଇଥାନ୍ତି। ସବୁ ସାମଗ୍ରୀ ତ ହାଟରେ ମିଳିଯିବ। ହେଲେ ଏଇ ଅବକାରୀ ଜିନିଷଟା କେଉଁଠି ମିଳିବ? ମନେ ମନେ ପ୍ରମାଦ ଗଣୁଥାଆନ୍ତି ସିଦ୍ଧାର୍ଥ ବାବୁ। ତାଙ୍କର ଚିନ୍ତିତ ମୁଖମଣ୍ଡଳକୁ ଅବଲୋକନ କରି ଅଫିସ୍ ପିଅନ ମାଧବ ପଚାରିଲା, "ସାର୍! କଣ ହୋଇଛି ଆପଣଙ୍କର? କଣ ପାଇଁ ଏତେ ଚିନ୍ତା?"


: ନାଇଁ, କିଛି ନାହିଁ। ତ୍ରିନାଥ ମେଳା ପାଇଁ ଗଞ୍ଜେଇ ଦରକାର। ମୁଁ ତ ଏଠି ନୂଆ। ସହଜେ ଇଏ ତ ରାଜଧାନୀ। ଆଇନକାନୁନ ବେଶ୍ କଡାକଡି। ଏଠି ବା ମୁଁ ଗଞ୍ଜେଇ ପାଇବି କେଉଁଠୁ? କୋଉ ଗାଁଗଣ୍ଡା ହୋଇଛି ଯେ, ବିଲବାଡ଼ିରୁ ମିଳିଯିବ...


: ସାର୍... ଏଇ ଗୋଟେ କଥା? ଏଇଥିପାଇଁ ଏତେ ଚିନ୍ତା? କେତେ ଦରକାର କୁହନ୍ତୁ? ଟ୍ରକରେ ଟ୍ରକେ ଆଣି ଗଦେଇ ଦେବି।


ପିଅନ ମାଧବର କଥା ଶୁଣି ସିଦ୍ଧାର୍ଥ ବାବୁଙ୍କ ମୁଖମଣ୍ଡଳ ଉଜ୍ଜ୍ବଳ ଦିଶିଲା। ମସ୍ତବଡ଼ ସମସ୍ଯାର ସମାଧାନ ହୋଇଗଲା ଜାଣ। ଦେବ ଦେବ ମହାଦେବ ହେଉଛନ୍ତି ଭୋଳାନାଥ, ଆଶୁତୋଷ। ଟିକିଏ ଗଞ୍ଜେଇ ବନ୍ଦୋବସ୍ତ ହୋଇଗଲେ, ମହାଦେବ ପ୍ରୀତ ହୋଇଯିବେ। ମନୋବାଞ୍ଛା ପୂର୍ଣ୍ଣ କରିଦେବେ। ଏମିତି ଚିନ୍ତା କରି ସିଏ ମାଧବ ଠାରୁ ଦୋକାନର ଠିକଣା ବୁଝିବାକୁ ଚାହିଁବାରୁ ଏଥିରେ ବାଧା ଦେଇ ମାଧବ କହିଲା, "ମୁଁ ଆଣି ଦେବି ସାର୍। ଆପଣ କାହିଁକି କି ଯିବେ ସେଠିକି?"


ଆଉ କଥା ବଢାଇବାକୁ ଚାହିଁଲେ ନାହିଁ ସିଦ୍ଧାର୍ଥ ବାବୁ। ତ୍ରିନାଥ ମେଳାର ପୂର୍ବଦିନ ମାଧବ କେଉଁଠାରୁ ଅବକାରୀ ସାମଗ୍ରୀ ଆଣି ତାଙ୍କ ପାଖରେ ପହଞ୍ଚାଇ ଦେଲା। ହରି ନନା ମନୋଯୋଗ ସହକାରେ ମେଳା ସମାପନ କଲେ। ଆମନ୍ତ୍ରିତ ଅତିଥିବୃନ୍ଦ ସଭିଏଁ ପ୍ରସାଦ ସେବନ କରି ଯିଏ ଯାହାର ବସାକୁ ବାହୁଡ଼ି ଗଲେ। ଆଗକୁ ଯେବେ ଯେବେ ତ୍ରିନାଥ ମେଳା ଅନୁଷ୍ଠିତ ହୁଏ ମାଧବ ଅବକାରୀ ସାମଗ୍ରୀ ଯୋଗାଇ ଦିଏ ଚାହିଦା ମୁତାବକ।


ସିଦ୍ଧାର୍ଥ ବାବୁ ରାଜ୍ୟ ସରକାରଙ୍କ ଅଧୀନରେ ତୃତୀୟ ଶ୍ରେଣୀ କର୍ମଚାରୀ ଭାବରେ ଯୋଗ ଦେଇଥିଲେ। ବିଭିନ୍ନ ସ୍ଥାନରେ ଭ୍ରମି ଭ୍ରମି ଏବେ ଭୁବନେଶ୍ୱରରେ ଅବସ୍ଥାପିତ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ଲାଭ କରି ଉତ୍ତୋରତର ଉନ୍ନତି କରିଚାଲିଛନ୍ତି। ରାଜଧାନୀରେ ଏକାଧିକ ବାସୋପଯୋଗୀ ଜମି, ଲକ୍ଷ୍ମୀସାଗରରେ ତ୍ରିତଳ ବାସଗୃହ, ଘର ତ ନୁହେଁ ରାଜ ଉଆସ! ଭଳି କିଭଳି ନାମୀଦାମୀ ଗାଡି ତାଙ୍କ ଘରର ଶୋଭା ବୃଦ୍ଧି କରୁଥାନ୍ତି।


ଆଖପାଖର ସାହି ପଡିଶା ଲୋକଙ୍କ ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ ସଭିଏଁ ସିଦ୍ଧାର୍ଥ ବାବୁଙ୍କ ଧନସମ୍ପତ୍ତି ଦେଖି କରି ରକ୍ତ ଚାଉଳ ଚୋବାଉଥାଆନ୍ତି। ତାଙ୍କର ଅମାପ ଐଶ୍ଵର୍ଯ୍ୟ ଆନ ଲାଗି ଗାତ୍ରଦାହର କାରଣ ପାଲୋଟିଥାଏ। କିନ୍ତୁ କେହି କେବେ ତାଙ୍କର ଧନାର୍ଜନର ସୂତ୍ର ବିଷୟରେ ଜାଣିବା ପାଇଁ ଚାହାଁନ୍ତି ନାହିଁ। ଚାକିରୀ ବାଦ୍ ସିଏ ଆଉ କିଛି ବାଣିଜ୍ୟ ବ୍ୟବସାୟ କିମ୍ବା ଷ୍ଟକ୍ ମାର୍କେଟରେ ସେୟାର କାରବାର କଥା ଅନେକ କହନ୍ତି। କିନ୍ତୁ ପ୍ରକୃତ ଗୁମୁର ତ୍ରିନାଥ ମେଳା! ତ୍ରିଦେବ ଯାହା ଉପରେ ପ୍ରୀତ, ତ୍ରିଦେବଙ୍କ କୃପା ଯାହା ଶୀର୍ଷରେ ରହିଛି ତାହାର ବା କଣ ଅଭାବ ଅସୁବିଧା?


ସକଳ ଐଶ୍ଵର୍ଯ୍ୟ ମଧ୍ୟରେ ଜୀବନ ଜୀଉଁଥିଲେ ମଧ୍ୟ ସିଦ୍ଧାର୍ଥ ବାବୁଙ୍କର ଗୋଟିଏ ଦୁଃଖ ରହିଯାଇଥାଏ ମନରେ। କେବେ ବି କାହା ଆଗେ ପ୍ରକାଶ କରି ପାରନ୍ତି ନାହିଁ ସେଇ ଦାରୁଣ ଯନ୍ତ୍ରଣା ବୋଧକୁ। ତାଙ୍କର ଏକମାତ୍ର ପୁତ୍ର ରୋହିତ। ପାଞ୍ଚ ପାଞ୍ଚ ଥର ପରୀକ୍ଷା ଦେଇ ଥିଲେ ମଧ୍ୟ ମ୍ଯାଟ୍ରିକ୍ ହିଡ ଡେଇଁ ପାରିଲା ନାହିଁ କି କଲେଜ୍ ମାଟି ମାଡିଲା ନାହିଁ। କିନ୍ତୁ ରୋହିତର ଷ୍ଟାଇଲ୍ କହିଲେ କାହିଁରେ କଣ... ବଲିଉଡ୍ ତାରକା ବି ତା' ସାମ୍ନାରେ ଫିକା ପଡିଯିବା ଥୟ! ସବୁଦିନ ନୂଆ ନୂଆ ଡ୍ରେସ୍ ପିନ୍ଧି କାର୍ କିମ୍ବା ବୁଲେଟ୍ ଧରି ସେ ଧାଏଁ ରାଜଧାନୀର ରାଜପଥରେ। ଲୋକ ଦେଖି ଗାଡ଼ି ତା'ର କଳା ଧୂଆଁ ଛାଡ଼େ। ସେଇ ଧୂଆଁରୁ ଜଣାପଡେ ଯେ, ସିଦ୍ଧାର୍ଥ ବାବୁଙ୍କ ପୁଅ ରୋହିତ ଯାଉଛି ବୋଲି।


ଦିନ ସାରା ପ୍ରେମ ପକ୍ଷୀଟିଏ ହୋଇ ସେ ଉଡିବୁଲେ ଏ କଲେଜରୁ ସେ କଲେଜ୍। କେବେ କେଉଁ ପାର୍କରେ ତ ଆଉ କେବେ କେଉଁ ରେସ୍ତୋରାଁରେ ନୂଆ ନୂଆ ସାଥି ସହ ଘୁରିବୁଲେ ଅବାଧରେ। ଅନେକ ଅନୂଢ଼ା କନ୍ଯାଙ୍କୁ ନିଜର ପ୍ରେମ ଜାଲରେ ଫସାଇ ଖୁବ୍ ସ୍ବାଛନ୍ଦ୍ୟରେ ଜୀଉଁଥିଲା ରୋହିତ। ପ୍ରତି ମାସରେ ବଦଳନ୍ତି ତା'ର ପ୍ରୀତି ବାନ୍ଧବୀ। କିନ୍ତୁ କେହିବି ତା'ର ଚରିତ୍ର ଉପରେ ଆକ୍ଷେପ କରିବାକୁ ସାହାସ କରି ପାରନ୍ତି ନାହିଁ। "ଅର୍ଥ ଯେବେ କଥା କହେ, କେହିବି ବ୍ଯାକରଣ ଯାଞ୍ଚ କରନ୍ତି ନାହିଁ!"


******


ଅଚାନକ ଦିନେ ଅବକାରୀ ବିଭାଗ ଚଢାଉ କଲା ରୁପାଲି ଛକର ସେଇ ବିଖ୍ୟାତ ନାମହୀନ ଦୋକନଟି ଉପରେ। ବିପୁଳ ପରିମାଣର ମାଦକ ଦ୍ରବ୍ଯ ଓ ନଗଦ ଅର୍ଥ ଜବତ କରାଗଲା। ଦୋକାନୀକୁ ବେଆଇନ୍ ଗଞ୍ଜେଇ କାରବାର ଅଭିଯୋଗରେ ଗିରଫ କରାଗଲା। ଟିଭି ପରଦାରେ ଏଇ ଖବରଟି ଘନ ଘନ ପ୍ରସାରିତ ହେଉଥାଏ। ସିଦ୍ଧାର୍ଥ ବାବୁ ସନ୍ଧ୍ୟାର ଖବର ଦେଖିବାକୁ ଟିଭିର ସୁଇଚ୍ ଅନ୍ କଲେ। ଖବରଟା ଦେଖୁ ଦେଖୁ ତାଙ୍କର ଚହଟ ଚିକ୍କଣ ମୁଖମଣ୍ଡଳ ବିଷର୍ଣ୍ଣ ଦେଖାଗଲା। ଏହା ଦେଖି ଧର୍ମପତ୍ନୀ ହରପ୍ରିୟା ଦେବୀ ପଚାରିଲେ, "କଣ ହେଲା? ଦେହ ଭଲ ଲାଗୁ ନାହିଁ ନା କଣ?


: ନା... ହଁ... ସବୁ ଠିକ୍ ଠାକ୍ ଅଛି। ତୁମେ ଏତେ ବ୍ୟସ୍ତ ହେବା ଦରକାର ନାହିଁ।


: କି କଥା କହୁଛ? ମୁଁ ବ୍ଯସ୍ତ ହେବିନି ତ ଆଉ କିଏ ହେବ?


: ନାଇଁ ହେ। ଏଇ ରାଜଧାନୀରେ ଏବେ ନିଶା ବେପାର ବଢୁଛି। ଯୁବ ପୀଢ଼ି ଏହାର ଶିକାର ହେଉଛନ୍ତି। ଏଇ ଦେଖୁନ ଟିଭିରେ କଣ କହୁଚି...


: ହଉ ହେଲା। ସେଥିରେ ତମର କଣ ଯାଏ?


: ନାଇଁ କିଛି ନାହିଁ ଯେ, ସମାଜର ଅବସ୍ଥା କଣ ହେଲାଣି ଭାବିବା ବେଳକୁ ଦୁଃଖ ଲାଗୁଛି...


: ଛାଡ଼ ସେ ନ୍ଯୁଜ୍ ଚ୍ୟାନେଲ୍। ରିମୋଟ୍ ଦିଅ ସିରିଏଲ୍ ଦେଖିବି...


ପତ୍ନୀ ହରପ୍ରିୟାଙ୍କ ହାତକୁ ରିମୋଟ୍ ବଢାଇ ଦେଇ ବେଡ଼ରୁମକୁ ଚାଲି ଗଲେ ସିଦ୍ଧାର୍ଥ ବାବୁ।


ପରଦିନ ଦେହ ଖରାପ ଅଛି କହି ଅଫିସ୍ ଗଲେ ନାହିଁ। ଅଫିସ୍ କାମରୁ ଛୁଟି ନେଇ କିଛି ଦିନ ପାଇଁ ବାହାରକୁ ଚାଲିଗଲେ।


ରାଜଧାନୀ ଭୁବନେଶ୍ଵରରେ ଅବକାରୀ ବିଭାଗର ଚଢାଉ ପରେ ପରେ ନିଶା କାରବାରର ତଦନ୍ତ କରିବା ପାଇଁ ଅର୍ଥନୈତିକ ଅପରାଧ ଶାଖାକୁ ଦାୟିତ୍ଵ ଅର୍ପଣ କରାଯାଇଛି ବୋଲି ଖବରକାଗଜରେ ପ୍ରକାଶ ପାଏ। ଏହା ଦେଖି ସିଦ୍ଧାର୍ଥ ବାବୁଙ୍କ ସ୍ବାସ୍ଥ୍ୟବସ୍ଥା ସତକୁସତ ବିଗିଡ଼ିବାକୁ ଆରମ୍ଭ କରେ। ପାଣି ପରି ଅର୍ଥ ଶ୍ରାଦ୍ଧ ହେଉଥିଲେ ମଧ୍ୟ କିଛି ବି ସୁଧାର ଘଟେ ନାହିଁ। 

ନିଶା କାରବାରର ଖିଅ ଖୋଜିଖୋଜି ଦିନେ ପୋଲିସ୍ ସିଦ୍ଧାର୍ଥ ବାବୁଙ୍କୁ ଗିରଫ୍ କରିବା ପାଇଁ ଜାମିନ ବିହୀନ ଗିରଫ ପରୱାନା ଜାରି କଲା। କିନ୍ତୁ ସିଦ୍ଧାର୍ଥ ବାବୁ ଫେରାର୍ ଥିଲେ। ତାଙ୍କର ସମସ୍ତ ସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ ନୋଟିସ୍ ଲଟକା ହେଲା ଘରର ସଦର ଦ୍ବାରରେ। ଏବେ ଚେତା ପଶିଲା, ଚୈତନ୍ୟ ଉଦ୍ରେକ ହେଲା। ପୋଲିସ୍ ପାଖରେ ବାଧ୍ଯ ହୋଇ ଆତ୍ମସମର୍ପଣ କଲେ। ପରଦିନ ସକାଳେ ସମସ୍ତ ଖବରକାଗଜର ଶିରୋନାମାରେ ତାଙ୍କର ଚର୍ଚ୍ଚା। ରାଜଧାନୀରେ ଗଞ୍ଜେଇ କାରବାରର ପ୍ରମୁଖ କାର୍ପଟଦାର ଥିଲେ ସିଦ୍ଧାର୍ଥ ବାବୁ। ସୁଦୂର ଉପାନ୍ତ ଅଞ୍ଚଳରୁ ଗଞ୍ଜେଇ ତାଙ୍କର ଗାଡିରେ ଆସି ପହଞ୍ଚଥିଲା ରାଜଧାନୀରେ। ଏଠାରେ ବିକ୍ରି ହେବା ସହ ବାହାରକୁ ବି ଚାଲାଣ କରି ଅଜସ୍ର ଅର୍ଥ ଉପାର୍ଜନ କରୁଥିଲେ ସିଏ। ଗଞ୍ଜେଇ କାରବାର ନେଇ ମାଓବାଦୀଙ୍କ ସହିତ ସିଧାସଳଖ ସମ୍ପର୍କ ରହିଥିବା ନେଇ ଦୃଢ଼ ପ୍ରମାଣ ମିଳିଥିଲା ପୋଲିସ୍ ହାତରେ। 

ସବିଶେଷ ବିବରଣୀ ଖବରକାଗଜରୁ ପଢି ତାଙ୍କ ଅଫିସର ବିଶ୍ବସ୍ତ ପିଅନ ମାଧବ ମନେ ମନେ ଭାବୁଥିଲା, "ମଣିଷ ଚିହ୍ନିବାକୁ ଯାହା ମୋର ଏ ଜନ୍ମଟା କମ୍ ପଡିଗଲା!" 




Rate this content
Log in

More oriya story from Sambit Srikumar

Similar oriya story from Drama