ଅବଶୋଷର ଧୂଆଁ
ଅବଶୋଷର ଧୂଆଁ
ସାନଭଉଣୀ ଘରେ ପହଂଚୁ ପହଂଚୁ ଯିଏ ପ୍ରଥମେ ସ୍ୱାଗତ କରେ, କୁଣିଆ,କୁଣିଆ କହି, ସେ ଆଜି ନିରୁତ୍ତର, ତା ପରେ ଯିଏ ଦଉଡିଆସି ମୋ ବଡ଼ଝିଅ ବୋଲି ସସ୍ନେହେ କୁଣ୍ଢେଇ ପକାନ୍ତି ମୁଣ୍ଡିଆ ମାରିବାକୁ ନଦେଇ, ତାଙ୍କ ଖଟ ଶୂନ୍ୟ ପଡିଛି ଭଉଣୀ ତ ନିଜର, ସେ ନିଶ୍ଚୟ ଖୁସିର ଅଭ୍ୟର୍ଥନା ଢ଼ାଲିଦେବ, ଆଲ୍ହାଦିତ ହେବ ନିଶ୍ଚୟ ମୋ ଅପା, ଆସିଛି କହି, ହେଲେ ତାର ସମସ୍ତ ଆନ୍ତରିକତା ଉର୍ଦ୍ଧରେ ତା ଶାଶୁ, ମାଉସୀଙ୍କର ଭଲପାଇବା, ଆଉ ଖୋଜିଲେ ମିଳିବ ନାହିଁ, କେତେଥର କହିଛନ୍ତି, ତୋ ଘରକୁ ଥରେ ଯିବି ବଡ଼ଝିଅ, ହେଲେ ଆସିପାରିନାହାନ୍ତି ଏଇଥିପାଇଁ ଯେ ଛବିସବର୍ଷ ହେଲାଣି ତାଙ୍କ ପାଖେ ରହିଆସୁଥିବା ଶୁଆଟି ତାଙ୍କୁ ଛାଡି ରହିବ କେମିତି ? ମୁଁ ଆଶ୍ଚର୍ଯ୍ୟରେ ଯେବେ ଅନାଏ, ମାଉସୀ କହନ୍ତି, ଦୁଇଦିନ ପାଇଁ ଝିଅ ଘରକୁ ଯାଇଥିଲି ଯେ, ତୋ ଭଉଣୀ ହାତରୁ ଖାଇଲାନି, ଋଷି ଅଭିମାନ କରି ଖାଲି ମାଆ ମାଆ ଡାକ ଛାଡିଲା ଯେ ମୁଁ ଆସିଲା ପରେ ଖିଆପିଆ କଲା, ଆଉ ତାକୁଛାଡି କୁଆଡେ ଯିବି ବଡ଼ଝିଅ ସତକୁ ସତ ମାଉସୀ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯିବା ପରେ ଶୁଆଟି ନିର୍ବେଦ ହୋଇଗଲା, ଡାକୁନି ଆଉ, କହୁନି ଶବ୍ଦଟେ, ପୁଣି ଖାଉନି କିଛି, ସେଥିରେ ଗୋଟିଏ ଆଖିକୁ ଦିଶୁନି ତାର, ପଶୁଡାକ୍ତର କହିଲେ ବାର୍ଦ୍ଧକ୍ୟ ଜନିତ ଏସବୁ ଏମିତି ହୁଏ ଆଉ ପରିବାର ବୁଝିଥିଲେ, ସେ ଝୁରୁଛି ମାଉସୀଙ୍କୁ l
ସେଦିନ ଆମେ ପହଂଚିବା ପରେ ମୁଁ ପ୍ରଥମେ ଯାଇ ପଞ୍ଜୁରୀ ପାଖେ ଠିଆ ହୋଇ, ଡାକିଲି ଆସ୍ତେ, ମିଠୁରେ, କୁଣିଆ ବୋଲି ଡାକିବୁନି କି? ମାଉସୀ ତ ନାହାଁନ୍ତି, ଆମକୁ ତୁ ସ୍ୱାଗତ ନକଲେ କିଏ କରିବ କହ? ଉଠିଲା ମିଠୁ ଡାକିଲା ମାଆ ମାଆ, ଦଉଡି ଆସିଲେ ସମସ୍ତେ, ଛେନାପୋଡ଼ ଦେଲା ଭଉଣୀ, ଅଳ୍ପ ଖାଇଲା, ମୋ ଟିକି ନାତୁଣୀ ଖୁସିରେ ଶୁଆ ଦେଖି ଚମତ୍କୃତ ହୋଇ ରଡି କରିବାରେ, ମିଠୁ ବି ତା ସହ ତାଳ ଦେଇ ରଡି କଲା, ସମସ୍ତେ ସେ ଦୃଶ୍ୟରେ ହେଲେ ବିଭୋର l
ଖିଆ ପିଆ, ଦୁଃଖ ସୁଖ ଭିତରେ, ଫେରିଆସିଲା ବେଳେ ମିଠୁ ପାଖକୁ ଆଉ ଯାଇପାରିନଥିଲି ତ ଅବଶୋଷ ର ଧୂଆଁ ରେ କୁହୁଳି ବାଟରେ ଫୋନ କଲି ସାନଭଉଣୀକୁ ତ ସେ କହୁଥିଲା ହଁ ଅପା ତୁମେ ସବୁ ଗଲା ପରେ କୁଣିଆ ଆଉ ମାଆ ମାଆ ହେଲା, ଏଵେ ଶୋଇଗଲାଣି, ମୋ ଆଖିରୁ ମିଠୁପାଇଁ ଦୁଇଧାର ଲୁହ ଗଡି ଆସୁଆସୁ ମାଉସୀଙ୍କ ହସ ହସ ମୁଁହ ଦେଖାଯିବା ସହ ବଡ଼ଝିଅ ଡାକ କର୍ଣ୍ଣପଟଳରେ ଗୁଞ୍ଜରିତ ହେଉଥିଲା, ଦୀର୍ଘନିଶ୍ବାସ ଟିଏ ବାହାରି ଆସୁଥିଲା କେବଳ l
