ଅଭିମାନିନୀ ଜଗନ୍ମୋହିନୀ
ଅଭିମାନିନୀ ଜଗନ୍ମୋହିନୀ


ମଳୟକୂଟ ପ୍ରାସାଦର ରାଣୀହଂସପୁର। ହୀରଜଡ଼ିତ ମୋତିମାଣିକ୍ୟଖଚିତ ବାସର ପଲଙ୍କ ଉପରେ ଏକ ମୃଣ୍ମୟୀ ମୂର୍ତ୍ତୀ ସଦୃଶ ବସି ରହିଛନ୍ତି କଳିଙ୍ଗ ରାଜଜେମା ଜଗନ୍ମୋହିନୀ। ବାସକସଜ୍ଜା ନବବଧୂର ରୂପ ଶୃଙ୍ଗାର ଆଗରେ ଫିକା ଫିକା ଲାଗୁଛି ତୁଙ୍ଗଭଦ୍ରା ନଦୀର ଜ୍ୟୋତ୍ସ୍ନାସିକ୍ତ ଜଳରାଶିର ମନୋମୋହିନୀ ରୂପ। କଳିଙ୍ଗ ଗଜପତି ପ୍ରତାପରୁଦ୍ରଦେବଙ୍କ ଏକମାତ୍ର ଅଲିଅଳୀ କନ୍ୟା, ଜଗନ୍ମୋହିନୀ। ଗୋଟିଏ ଚାଉଳରେ ଗଢା ତେଜୋଦ୍ଦୀପ୍ତ ମନୋହାରିଣୀ ରୂପ ସାଙ୍ଗକୁ ଜଣେ ଶାସ୍ତ୍ରଜ୍ଞା , ବିଦୂଷୀ ଭାବେ ସୁପରିଚିତା କଳିଙ୍ଗ କଟକର ରାଜଜେମା। ଆଜି ତଙ୍କର ଚିର ଇପ୍ସିତ ବାସର ରାତି, ହୃଦୟ ସାମ୍ରାଜ୍ୟର ଅଧୀଶ୍ଵର କୃଷ୍ଣଦେବରାୟ ଏଇ ଆସୁଥିବେ ତ; ଯାହାଙ୍କୁ ଦିନେ ସବୁ କିଛି ଦେଇ ଭଲ ପାଇ ବସିଥିଲେ ସେ, ଆଜି ତାଙ୍କର ବିବାହିତା ପତ୍ନୀ। ଯେଉଁ ସୁଗଠିତ ଶରୀର ତାଙ୍କ ଆଖିରୁ ନିଦ ଚୋରେଇ ନେଇଥିଲା, ସେହି ବାହୁବନ୍ଧନରେ ଆଜି ସେ ହେବାକୁ ଯାଉଛନ୍ତି ବନ୍ଦିନୀ। କିନ୍ତୁ ଏ କ'ଣ ! ତାଙ୍କର ସୁକୋମଳ ଅଧର ଆଜି ସେ ମଧୁର ମିଳନ ନିମନ୍ତେ ସଙ୍କୋଚବୋଧ କରୁଛି। ଗଭୀର ଚିନ୍ତାରେ ନିମଗ୍ନା ରାଜଜେମା, ଜଗନ୍ମୋହିନୀ। ତାଙ୍କ ଦୃଶ୍ୟପଟ୍ଟରେ ଗୋଟି ଗୋଟି କରି ଭାସିଉଠୁଛି ଅତୀତର କରୁଣ ଦୃଶ୍ୟାବଳୀ।
ସେତେବେଳେ ବାରବାଟୀ ଦୁର୍ଗରେ ଚାଲିଥାଏ ଦାକ୍ଷିଣାତ୍ୟ ଅଭିଯାନ ନିମନ୍ତେ ସମରାଭ୍ୟାସ, କିନ୍ତୁ ରଣଦୁନ୍ଦୁଭୀର ନିର୍ମମ ନିର୍ଘୋଷ ମଧ୍ୟରେ ରାଣୀଅନ୍ତଃପୁରରୁ ଶୁଭୁଛି ଲାଳିତ୍ୟମୟ ବୀଣାର ମଧୁର ମୂର୍ଚ୍ଛନା। ବୀଣା ବିଶାରଦା ନାଗମାମ୍ବାଙ୍କ ସାନ୍ନିଧ୍ୟରେ ରାଜଜେମା ମୃଦୁଳ ମଧୁର ବୀଣାର ସାଧନାରେ ନିମଗ୍ନା, କିନ୍ତୁ ଆଜି କଳିଙ୍ଗ ଜେମା ଅନ୍ୟମନସ୍କ ଥିବାର ବେଶ୍ ଲକ୍ଷ୍ୟ କରିପାରୁଛନ୍ତି ନାଗମାମ୍ବା। ଯେବେଠାରୁ ନାଗମାମ୍ବାଙ୍କ ଠାରୁ କୃଷ୍ଣଦେବରାୟଙ୍କ ବୀଣା ବାଦନ ସଂପର୍କରେ ଶୁଣିଛନ୍ତି ସେବେଠାରୁ ବୀଣା ଧରିଲେ ଅନ୍ୟମନସ୍କ ହୋଇଉଠନ୍ତି ଉତ୍କଳ ରାଜକୁମାରୀ। ସତେଯେପରି କୃଷ୍ଣଦେବରାୟଙ୍କ ସୁକୋମଳ ହାତର ସ୍ପର୍ଶ, ତାଙ୍କ ଦେହରେ ସୃଷ୍ଟି କରୁଛି ଅପୂର୍ବ ପୁଲକ। ହଠାତ୍ ବୀଣା ଛାଡ଼ି ଉଠିପଡ଼ିଲେ ଜଗନ୍ମୋହିନୀ।ମନରେ କୃଷ୍ଣଦେବରାୟଙ୍କୁ ଦେଖିବାର ଅଦମ୍ୟ ଲାଳସା। କୃଷ୍ଣଦେବରାୟ ଯେ ବର୍ତ୍ତମାନ କଳିଙ୍ଗର ସବୁଠାରୁ ବଡ଼ ଶତ୍ରୁ, ତାଙ୍କୁ ପ୍ରତିହତ କରିବା ନିମନ୍ତେ ପିତା, ପ୍ରତାପରୁଦ୍ରଦେବ ବାହାରିଛନ୍ତି ଦାକ୍ଷିଣାତ୍ଯ ଅଭିଯାନରେ। ଯୁଦ୍ଧ ତ ଅବସଂଭାବି କିନ୍ତୁ ବିନା ଯୁଦ୍ଧରେ ଯେ ନିଜ ହୃଦୟ ହାରିସାରିଛନ୍ତି କଳିଙ୍ଗ ଜେମା। କୃଷ୍ଣଦେବରାୟ ସାଜିଛନ୍ତି ତାଙ୍କ ହୃଦୟ ସାମ୍ରାଜ୍ୟର ନିରଙ୍କୁଶ ସମ୍ରାଟ। ସତରେ ନାରୀ ହୃଦୟ କେତେ କଠୋର ସତେ , ସେ ବୁଝେନା ଜଣେ କ୍ଷତ୍ରୀୟା ରାଜକନ୍ୟାର ଦାୟିତ୍ୱବୋଧ, ଦେଶପ୍ରେମ ତଥା ଶତ୍ରୁ-ମିତ୍ର ଆଦି ଅପହଞ୍ଚ ଇଲାକା ସବୁକୁ। ହୋଇପାରନ୍ତି କୃଷ୍ଣଦେବରାୟ କଳିଙ୍ଗର ଶତ୍ରୁ, ଜଣେ ଯୁଦ୍ଧ ପିପାସୁ ସମ୍ରାଟ କିନ୍ତୁ ଜଗନ୍ମୋହିନୀଙ୍କ ଆଖି ଆଗରେ ଭାସିଉଠୁଛି କେବଳ ତାଙ୍କ ମଧୁର ବୀଣାର ସ୍ବର, ଆଲିଙ୍ଗନ ବ୍ୟାକୁଳ ବଳିଷ୍ଠ ବାହୁ, ଚୁମ୍ବନ ବ୍ୟାକୁଳ ଓଠ ଆଉ ପ୍ରେମ ବ୍ୟାକୁଳ ହୃଦୟ।
ପିତା ପ୍ରତାପରୁଦ୍ରଦେବଙ୍କ ସହ ଦାକ୍ଷିଣାତ୍ଯ ଯୁଦ୍ଧ ଅଭିଯାନରେ ବାହାରିଛନ୍ତି, ଜଗନ୍ମୋହିନୀ।ସଖି, ପରିଚରିକାଙ୍କ ଗହଣରେ ହାତୀ ଉପରେ ବସି କୋଣ୍ଡାବିଡୁ ଅଭିମୁଖେ ଅଗ୍ରସର ହେଉଛନ୍ତି। ଉତ୍କଳର ଶୋଭା ଦେଖି ଯେତିକି ଅଭିଭୂତ ହେଉଛନ୍ତି ରାଜଜେମା, ତା' ଠାରୁ ଅଧିକ ରୋମାଞ୍ଚିତ ହେଉଛନ୍ତି କୃଷ୍ଣଦେବରାୟଙ୍କ ଭାବନା ମାତ୍ରକେ। ହୃଦୟର ନିବୃତ କୋଣରେ ପୁନଶ୍ଚ ସେହି ପ୍ରଶ୍ନ, "କଳିଙ୍ଗର ରାଜଜେମା ହୋଇ କଲିଙ୍ଗର ପରମ ଶତ୍ରୁ ନିକଟରେ ସେ ସମର୍ପିତା ହେଲେ କିପରି?" ରାଜକୁମାରୀ ଭାବରେ ପିତୃରାଜ୍ୟର ପରାଜୟ ସେ କେବେ ବି ସହ୍ୟ କରିପାରିବେ ନାହିଁ କିନ୍ତୁ କ'ଣ ବା କରିପାରିବେ ସେ, ବାରମ୍ବାର ନିଜ ହୃଦୟ ଆଗରେ କାହିଁକି ସେ ହରିଯାଉଛନ୍ତି, ତାହା ସେ ନିଜେ ବି ଜାନିପାରୁନାହାନ୍ତି। ଉତ୍କଳ ସାମ୍ରାଜ୍ୟର ଅଖଣ୍ଡତା ରକ୍ଷା ନିମନ୍ତେ ସେ ପ୍ରାଣ ମଧ୍ୟ ଉତ୍ସର୍ଗ କରିପାରନ୍ତି, ଦେହ ଉପରେ ସିନା ତାଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି କିନ୍ତୁ ତାଙ୍କ ମନ ତ ଚଞ୍ଚଳା। ସେ ଆଉ ରାଜଜେମାଙ୍କର ବଶତା ସ୍ଵୀକାର କରିବା ନିମନ୍ତେ ପ୍ରସ୍ତୁତ ହୋଇ ନାହିଁ, ସେ କେବଳ ଚାହେଁ କୃଷ୍ଣଦେବରାୟଙ୍କ ଦର୍ଶନ, ସ୍ପର୍ଶ ଆଉ ନିବିଡ ଆଲିଙ୍ଗନ। ନାରୀର ମନ ତ ଆଉ ପୁରୁଷର ମନ ପରି ସରଳ ନୁହେଁ। ତା' ଭିତରେ ଅନେକ ସଂଶୟ, ଦ୍ୱନ୍ଦ, ଘୂର୍ଣ୍ଣୀବଳୟ ଆଉ ପୁଣି ଅନେକ ଝଡ଼ର ସମ୍ଭାବନା। ସେହି ମନର ଅଭେଦ୍ଯ ଗିରିଦୁର୍ଗ ଭିତରେ ଆଜି ବନ୍ଦୀ, କଳିଙ୍ଗର ରାଜରାଜେଶ୍ଵରୀ । ସେ ପରା ନାରୀ, ଏଇ ବୋଧହୁଏ ତାଙ୍କର ଏକମାତ୍ର ପରିଚୟ, ସେ ସର୍ବଂସହା ପ୍ରକୃତି, କେବଳ କାମନା ତାଙ୍କର ପୁରୁଷର ପ୍ରେମ। ଜେମାଙ୍କର ସେହି ନାରୀତ୍ଵ, ତାଙ୍କୁ କୃଷ୍ଣଦେବରାୟଙ୍କର ଆହୁରି ନିକଟବର୍ତ୍ତୀ କରାଇପାରିଥିଲା। ସେ ବୁଝୁ ନ ଥିଲା କୌଣସି ଯୁଦ୍ଧ, ସାମ୍ରାଜ୍ୟ ଅଥବା ରାଜନୀତିକୁ। ବଡ଼ ବିଚିତ୍ର ଏଇ ନାରୀ ହୃଦୟ। ଅଦ୍ଭୁତ ଗୋଲକଧନ୍ଦାରେ ପରିପୂର୍ଣ୍ଣ। ଜଗନ୍ମୋହିନୀ ମଧ୍ୟ ଏପରି ଏକ ଗୋଲକଧନ୍ଦା ଭିତରେ ଫସିଯାଇଛନ୍ତି। ଉତ୍କଳ ରାଜ୍ୟର ଶତ୍ରୁ କୃଷ୍ଣଦେବରାୟଙ୍କ ନିକଟରେ ହୃଦୟ ସମର୍ପଣ କରି ।
କୋଣ୍ଡାବିଡୁ ଦୁର୍ଗର ରାଣୀ ଅନ୍ତଃପୁରରେ ରାଗ ଭୈରବୀର ବୀର ବୀଣା ଆଳାପ ମଧ୍ୟ ଶାନ୍ତ କରିପାରୁନାହିଁ ଜଗନ୍ମୋହିନୀଙ୍କ ମନକୁ। ତାଙ୍କ କୋମଳ ମନଟି ସତେ ଯେପରି କାହା ନିଷ୍ଠୁର ପଦାଘାତରେ ଭାଙ୍ଗି ଚୁରମାର ହୋଇଯାଇଛି। ସେ ନିଜେ ନିଜକୁ ସାମ୍ନା କରିପାରୁନାହାଁନ୍ତି। ପିତୃ ରାଜ୍ୟର ଶତ୍ରୁ ପ୍ରତି ଯଦି କନ୍ୟାର ହୃଦୟ ଆତ୍କୃଷ୍ଟ ହୁଏ,ତେବେ ସେ କାହାକୁ ବା ଦୋଷ ଦେବେ !
ରାତିର ଅନ୍ଧକାର ପ୍ରହରରେ କୋଣ୍ଡାବିଡୁ ଉପରେ ଅକ୍ରମଣ କରିଛି କାଞ୍ଚିସେନା। କୋଣ୍ଡାବିଡୁ ଏବେ ପରାଧିନ। ବିଜୟନଗରର ସେନାପତି କଳିଙ୍ଗ ରାଜକୁମାର, ବୀରଭଦ୍ରଙ୍କୁ ବନ୍ଦୀ କରିବା ନିମନ୍ତେ ଆସିବା ବେଳେ ପ୍ରତିହତ କରିଥିଲେ କ୍ଷତ୍ରୀୟ ରାଜକନ୍ୟା ରଣୋନ୍ମାଦିନୀ ଜଗନ୍ମୋହିନୀ। ହାତରେ ତାଙ୍କର ସୁବର୍ଣ୍ଣ ଖଡ୍ଗ । ସମ୍ମୁଖରେ କୃଷ୍ଣଦେବରାୟ, କିନ୍ତୁ ପ୍ରିୟ ମନର ମନିଶଙ୍କ ଉପରେ କିପରି ଖଣ୍ଡା ଚାଳନା କରିବେ ଜଗନ୍ମୋହିନୀ । ମନରେ ତାଙ୍କର ଅମାପ ଦ୍ୱନ୍ଦ, ତଥାପି ତାଙ୍କର ସୁବର୍ଣ୍ଣ ଖଡ୍ଗଟା ସ୍ଵୟଂଚାଳିତ ଭାବେ ଚରମ ଆଘାତରେ ହାଣିବାକୁ ଯାଉଥିଲା କୃଷ୍ଣଦେବରାୟଙ୍କ ମସ୍ତକ କିନ୍ତୁ ତାଙ୍କ ମୁଖ ମଣ୍ଡଳରେ ଯେ ସ୍ମିତହାସ୍ୟର ଝଲକ। ତାଙ୍କ ବଳିଷ୍ଠ ବାହୁବନ୍ଧନରେ ବନ୍ଦିନୀ କଳିଙ୍ଗ ଜେମା, ଜଗନ୍ମୋହିନୀ। ତାଙ୍କ ରୂପ ଲାବଣ୍ୟରେ ଧିରେ ଧିରେ ମୁଗ୍ଧ ହୋଇଉଠୁଛନ୍ତି କୃଷ୍ଣଦେଵରାୟ। ପ୍ରଥମ ଥର ନିମନ୍ତେ ସମ୍ରାଟ ଦେଖୁଛନ୍ତି ଜଣେ ରାଜଜେମାର ସୁକୋମଳ ଅଙ୍ଗରେ ଦୁର୍ଦ୍ଧଷ ଯୁଦ୍ଧର କଠୋରତା। କୃଷ୍ଣଦେଵରାୟଙ୍କ ଆଦେଶ, ଜଗନ୍ମୋହିନୀଙ୍କୁ ରାଜମର୍ଯ୍ୟାଦାର ସହ ବନ୍ଦୀ କରି ବିଜୟନଗର ପଠାଇଦେବା ନିମନ୍ତେ, କିନ୍ତୁ ଅମାତ୍ୟ ତିମିରସୁ ଅଗ୍ରାହ୍ୟ କରିଦେଲେ ଏଇ ପ୍ରସ୍ତାବ ; କଳିଙ୍ଗ ଜେମାଙ୍କୁ ଗଜପତିଙ୍କ ଶିବିରରେ ପହଞ୍ଚାଇବାର ସୁବନ୍ଦୋବସ୍ତ କରାଗଲା, ତଥାପି କୃଷ୍ଣଦେଵରାୟ ଭୁଲିପାରୁନଥିଲେ ବୀରତ୍ଵରେ ଭରା ସେ ତେଜୋଦ୍ଦୀପ୍ତ ଚକ୍ଷୁଯୁଗଳକୁ, ଉତ୍କଳୀୟ ସୌନ୍ଦର୍ଯ୍ୟରେ ଭରପୂର ଲାବଣ୍ୟମୟ ସୁବର୍ଣ୍ଣ ରୂପକାନ୍ତିର ପସରାକୁ ।
ରାଜମହେନ୍ଦ୍ରୀର ରାଜପ୍ରାସାଦରେ ଆଲୁଳାୟିତ କୁନ୍ତଳା ଉନ୍ମାଦିନୀ ଜଗନ୍ମୋହିନୀ। ଦୁଇ ଆଖିରେ ତାଙ୍କର ଆହତ ଅଭିମାନର ଅପର୍ଯ୍ୟାପ୍ତ ଅଶ୍ରୁ। ଏବେ ବି ସେ ଭୁଲି ପାରୁନାହାନ୍ତି, କୃଷ୍ଣଦେଵରାୟଙ୍କ କଠୋର ହାତର କୋମଳ ସ୍ପର୍ଶ। ତାଙ୍କର ସମ୍ମୋହକ ଆଲିଙ୍ଗନ, କିନ୍ତୁ ସେ ଯେ ତାଙ୍କ ଭାଇଙ୍କୁ ଷଡ଼ଯନ୍ତ୍ରପୂର୍ବକ କରିଥିଲେ ବନ୍ଦୀ, କେମିତି ଭୁଲିଯିବେ ଜଗନ୍ମୋହିନୀ ଏତେ ସବୁ ଅପମାନ । କେମିତି କ୍ଷମା ଦେବେ କୃଷ୍ଣଦେଵରାୟଙ୍କୁ, କିନ୍ତୁ କୃଷ୍ଣଦେଵରାୟ ଯେ ଜାଣି ନାହାନ୍ତି ମନେ ମନେ ଜଗନ୍ମୋହିନୀ ତାଙ୍କୁ ଭଲ ପାଇ ବସିଛନ୍ତି ବୋଲି। ଜାଣିଥିଲେ ବୋଧହୁଏ ଅଟକି ଯାଇଥା'ନ୍ତା ଏ ନିର୍ମମ ନର ସଂହାର; କିନ୍ତୁ ଏବେ ବି କେମିତି ଜଗନ୍ମୋହିନୀ ଘୃଣା କରିପାରୁନାହାନ୍ତି କୃଷ୍ଣଦେଵରାୟଙ୍କୁ। ବଡ଼ ବିଚିତ୍ର ଗୋଲକଧନ୍ଦା ସତେ। କିଏ ବା ବୁଝିପାରିବ ନାରୀ ହୃଦୟର ବ୍ୟାକୁଳତାକୁ। ଯୁଦ୍ଧ ବିଭୀଷିକା ମଧ୍ୟରେ କାହାକୁ ବା କହିବେ ଯେ, ଶତ୍ରୁ ପାଖରେ ସେ ନିଜ ହୃଦୟ ହାରି ଯାଇଛନ୍ତି ବୋଲି। ଏସବୁ ତ ଶୋଭା ପାଏନା ବୀରା ଗଜପତି ତନୁଜାଙ୍କୁ। ମନର ଦ୍ଵନ୍ଦକୁ ମନ ଭିତରେ ରଖି କଳିଙ୍ଗନଗର ଅଭିମୁଖେ ଯାତ୍ରା ଆରମ୍ଭ କଲେ ଜଗନ୍ମୋହିନୀ।
ନିଜ ପ୍ରକୋଷ୍ଠରେ ରାଜଜେମା କିନ୍ତୁ ପୂର୍ବ ଠାରୁ ଏକ ଭିନ୍ନ ରୂପରେ। ସେ ଆଉ କୌତୁକମୟୀ ଚପଳା ନୁହନ୍ତି, ପ୍ରତିହିଂସା ପରାୟଣା ବୀରା ରମଣୀ। କୃଷ୍ଣଦେଵରାୟଙ୍କ ଦ୍ଵାରା ଉପେକ୍ଷିତା, ତାଙ୍କ ଦୟା ଲାଭ କରି ବନ୍ଦୀ ହୋଇ ନ ଥିବା ପରାସ୍ତ ରାଜକୁମାରୀ। ବୋଧହୁଏ କୃଷ୍ଣଦେଵରାୟଙ୍କ ଦ୍ଵାରା ବନ୍ଦୀ ହୋଇଥିଲେ ସାର୍ଥକ ହୋଇପାରିଥା'ନ୍ତା ତାଙ୍କ ନାରୀତ୍ଵ। କିନ୍ତୁ ଦୟାର ଥାଳରେ ମିଳିଥିବା ମୁକ୍ତି ତାଙ୍କୁ ଶତଧା ବିଦୀର୍ଣ୍ଣ କରିବାରେ ଲାଗିଛି। ଆଜି ସେ ଜଳୁଛନ୍ତି ପ୍ରତିଶୋଧର ଅଗ୍ନିରେ। ତାଙ୍କୁ ଏବେ କେବଳ ଦରକାର ତାଙ୍କ ଅପମାନର ପ୍ରତିଶୋଧ। ଏହି ଭାବନାରେ ଦିନକୁ ଦିନ କ୍ଷୀଣ ହୋଇଚାଲିଛନ୍ତି ଜଗନ୍ମୋହିନୀ। ରାଜନନ୍ଦିନୀରୁ ପାଲଟିଛନ୍ତି ଭୈରବିନୀ। ତାଙ୍କ ମନ ଭିତରେ ଚାଲିଛି ଆକର୍ଷଣ- ବିକର୍ଷଣର ଅଦ୍ଭୁତ ଗୋଲକଧନ୍ଦା ।
ବିଜୟନଗରର ଅମାତ୍ୟ ଶିରୋମଣୀ ଆଜି ଆସିଛନ୍ତି ରାଜଦରବାରକୁ। ହାତରେ ତାଙ୍କର ସନ୍ଧିପତ୍ର। ଆଉ ସନ୍ଧିର ସର୍ତ୍ତ ହେଉଛନ୍ତି ରାଜଜେମା ଜଗନ୍ମୋହିନୀ, ଅପେକ୍ଷାରେ କେବଳ ଗଜପତିଙ୍କର ସ୍ୱାକ୍ଷର। ଗୋଟିଏ ସ୍ୱାକ୍ଷର ନିର୍ଣ୍ଣୟ କରିବ ରାଜଜେମାଙ୍କର ଭାଗ୍ଯ। ବିବାହ ବନ୍ଧନରେ ଆବଦ୍ଧ ହୋଇ ସେ ଯିବେ କାଞ୍ଚି, ଏକ ଆତ୍ମସମ୍ମାନହୀନା ଅବଳାଟିଏ ପରି । ଏ କି ପ୍ରକାର ଧୃଷ୍ଟତା କୃଷ୍ଣଦେବରାୟଙ୍କର, କ'ଣ ଏହି ସନ୍ଧିସର୍ତ୍ତ ନିମନ୍ତେ ତାଙ୍କୁ ସେ ଦିନ ବନ୍ଦୀ କରି ନ ଥିଲେ ତିମିରସୁ। କ୍ଷଣେ କ୍ଷଣେ ଆନ୍ଦୋଳିତ ହେଉଛି ରାଜଜେମାଙ୍କର ମନ। ତାଙ୍କର କ'ଣ ନିଜସ୍ଵ ଇଚ୍ଛା ବୋଲି କିଛି ନାହିଁ। କେମିତି କରିପାରିବେ ସେ ଏହି ବିବାହ, ସେ ପୁଣି ତାଙ୍କର ପିତାମହଙ୍କର ହତ୍ୟାକାରୀଙ୍କ ସହ। ରାଜନୀତିରେ ଏକ ନାରୀର ସ୍ବର - କ'ଣ ବା ମୂଲ୍ୟ ତା'ର ! ଜଗନ୍ମୋହିନୀ ପାଲଟିଯାଇଛନ୍ତି ଏକ ସ୍ଥାଣୁ ମୂର୍ତ୍ତୀ। ସେ ବର୍ତ୍ତମାନ ଏକ ଅସହାୟା କଣ୍ଢେଇ, କେବଳ ଏକ ସନ୍ଧିର ସର୍ତ୍ତ ମାତ୍ର, ଆଉ କିଛି ବି ଅସ୍ତିତ୍ବ ନାହିଁ ତାଙ୍କର। ଯେଉଁ କୃଷ୍ଣଦେବରାୟଙ୍କୁ ଥରେ ଦେଖିବା ପାଇଁ ସେ ଆତୁର ହୋଇ ଚାଲିଆସିଥିଲେ ଦକ୍ଷିଣମଣ୍ଡଳକୁ, ଆଜି ତାଙ୍କ ପାଖକୁ ଯାଉଛନ୍ତି ଏକ ସନ୍ଧିର ସର୍ତ୍ତ ରୂପେ। ଏହାଠାରୁ ବଳି ଆଉ କି ଲାଞ୍ଚନା, ଅପମାନ ମିଳିପାରିଥା'ନ୍ତା ତାଙ୍କୁ। ଆଜି ପ୍ରଣୟ ପରିଣତ ହୋଇଛି ପ୍ରତିହିଂସାରେ।ସିଏ ନେବେ ଏହି ଉପେକ୍ଷାର ଚରମ ପ୍ରତିଶୋଧ। ସତେ ଯେପରି ସେ ପାଲଟିଯାଇଛନ୍ତି ଏକ ପ୍ରସ୍ତର ଅହଲ୍ୟା, ଆଖିରେ ଲୁହ ନାହିଁ,କି ମନରେ କିଛି ଭାବନା ମଧ୍ୟ ନାହିଁ। ଉତ୍କଳ ଜନନୀକୁ ଶେଷ ପ୍ରଣାମ ପୂର୍ବକ ବିଦାୟ ଜଣାଇଲେ ଜଗନ୍ମୋହିନୀ।
କଳିଙ୍ଗ ଛାଡ଼ି କାଞ୍ଚିରେ ପାଦ ଥାପିଲେ ଜଗନ୍ମୋହିନୀ। ସୁବର୍ଣ୍ଣ ସବାରୀରୁ ଓହ୍ଲାଇ ଦେଖିଲେ ମଳୟକୂଟ ପ୍ରାସାଦରେ ଶ୍ମଶାନର ଶୂନ୍ୟତା। ବିବାହର ସାଜସଜ୍ଜା ତ ଦୂରର କଥା ତାଙ୍କ ସ୍ଵାଗତ ନିମନ୍ତେ କାଞ୍ଚିର ପାଟ ମହାଦେଇ ସୁଦ୍ଧା ଉପସ୍ଥିତ ନ ଥିଲେ ପ୍ରାସାଦରେ। କୃଷ୍ଣଦେବରାୟଙ୍କର ଅନ୍ୟ କିଛି ଯୁଦ୍ଧ ବିଦିତା ରାଣୀମାନେ ବନ୍ଦାପନା ଥାଳ ଧରି ଠିଆ ହୋଇଥିଲେ ଅନ୍ତଃପୁରର ଦ୍ଵାରଦେଶରେ। ଏହି ସବୁ ରାଣୀମାନେ, କେବେ ବି କୃଷ୍ଣଦେବରାୟଙ୍କର ପତ୍ନୀ ହେବାର ସୌଭାଗ୍ଯ ପାଇପାରିନାହାନ୍ତି, କେବଳ ଯୁଦ୍ଧ ବିଜୟର ପ୍ରତୀକ ଏ ମାନେ, ସନ୍ଧିର ସର୍ତ୍ତ ମାତ୍ର। ଏହି ବିଜିତା ସନ୍ତକମାନଙ୍କ ସଂଖ୍ୟା ବୃଦ୍ଧି କରିବେ ଉତ୍କଳ-ଗଜପତି-ନନ୍ଦିନୀ ରାଜରଜେଶ୍ଵରୀ ଜଗନ୍ମୋହିନୀ ; କିନ୍ତୁ ଏହା କିପରି ସମ୍ଭବ। ଗଜପତି କୂଳ ସମ୍ଭୁତା କ୍ଷତ୍ରୀୟ ରାଜକନ୍ୟା ଜଗନ୍ମୋହିନୀ କ'ଣ ଜଣେ ନାମମାତ୍ର ରକ୍ଷିତା ଭାବେ ଶୋଭା ପାଇବେ ମଳୟକୂଟ ପ୍ରାସାଦରେ। ଏହା କି ପ୍ରକାର ଆସ୍ପର୍ଦ୍ଧା କୃଷ୍ଣଦେବରାୟଙ୍କର। ଅପମାନର ଜ୍ବାଳାରେ ଜଳି ଉଠିଲା ଜଗନ୍ମୋହିନୀଙ୍କର ସର୍ବାଙ୍ଗ ଶରୀର। ଦେହରେ ବୋଳି ହୋଇଗଲା ପ୍ରତିଶୋଧର ଗରଳ। କେବଳ ପ୍ରତିଶୋଧ ହିଁ ତାଙ୍କର ଏକାନ୍ତ କାମ୍ୟ। ବାସକସଜ୍ଜା ଜଗନ୍ମୋହିନୀ, ଏହି ମଧୁରାତିକୁ ପରିଣତ କରିଦେବେ କାଳରାତ୍ରୀରେ। କୃଷ୍ଣଦେବରାୟଙ୍କୁ ଅପମାନର ଅଭୁଲା କ୍ଷତ ଦେଲା ପରେ ହିଁ ଶାନ୍ତ ହେବ ତାଙ୍କ ଶିରା ପ୍ରଶିରାରେ ପ୍ରବାହିତ ହେଉଥିବା ଗଜପତି ବଂଶର ଶୋଣିତ ଧାର। ହଠାତ୍ କାହା ପଦଧ୍ଵନିର ଭ୍ରମରେ ପ୍ରକୃତିସ୍ଥ ହୋଇଉଠିଲେ, ଜଗନ୍ମୋହିନୀ । ନିଜର ଆତ୍ମ-ଗ୍ଲାନିରେ ତିଳ ତିଳ ଦଗ୍ଧ ହେଉଛନ୍ତି ସେ।
ନୃପତି କୃଷ୍ଣଦେବରାୟ, କେତେବେଳେ ବାସର ଘର ଭିତରକୁ ଆସି ଠିଆ ହୋଇଛନ୍ତି ସ୍ତବ୍ଧ ଭାବେ, ତାହା ଆଉ ଲକ୍ଷ୍ୟ କରିପାରିନାହାନ୍ତି ଜଗନ୍ମୋହିନୀ। କୃଷ୍ଣଦେବରାୟଙ୍କ ଆଖିରେ ମଧୁ ବାସର ଚମକ। ଧୀରେ ଧୀରେ ଆଗେଇ ଆସୁଛନ୍ତି ଜଗନ୍ମୋହିନୀଙ୍କ ପାଖକୁ, ଆଲିଙ୍ଗନ ବ୍ୟାକୁଳ ମୁଦ୍ରାରେ, କିନ୍ତୁ ଏ କ'ଣ ଦେଖୁଛନ୍ତି କୃଷ୍ଣଦେବରାୟ ଆଳୁଳାୟିତ କୁନ୍ତଳା, ଉତ୍ ଫଣା, ପିଙ୍ଗଳବର୍ଣ୍ଣା ଭୟଙ୍କରୀ ଦୁର୍ଗାମୂର୍ତ୍ତୀଟିଏ। ବାସର ରାତିରେ ଏ କି ଭୈରବୀ ଶୃଙ୍ଗାର ଜଗନ୍ମୋହିନୀଙ୍କର। ହାତରେ ତାଙ୍କର ସୁନାର ଖଡ୍ଗ। ସୁକୋମଳ ଶରୀରରେ ବଜ୍ରସମ ଦୃଢତା। ସେହି ଦୁର୍ଗା ମୂର୍ତ୍ତୀକୁ ଦେଖି ନିଜେ ନିଜକୁ ସାମ୍ନା କରିପାରୁନାହାନ୍ତି କୃଷ୍ଣଦେବରାୟ , କିନ୍ତୁ ନିଜ ମିଥ୍ୟା ଆତ୍ମ-ବଡ଼ିମାକୁ ରକ୍ଷା କରିବାକୁ ଯାଇ ଜଗନ୍ମୋହିନୀଙ୍କ ଆଡ଼କୁ ଗୋଟେ ପାଦ ବି ଅଗ୍ରସର ହୁଅନ୍ତେ; କାଳ-ନାଗୁଣୀ ପରି ଫୁତ୍କାର କରି ଉଠିଲେ ଜଗନ୍ମୋହିନୀ, " ଆପଣ କ୍ଷତ୍ରୀୟଙ୍କ ନାମରେ କଳଙ୍କ ଆଉ ମୁଁ କଳିଙ୍ଗ-ଗଜପତି-ତନୁଜା, ଜଗନ୍ମୋହିନୀ। ଆପଣ ପ୍ରତାପରୁଦ୍ରଦେବଙ୍କ ସାମ୍ରାଜ୍ୟକୁ ଜୟ କରିପାରିଛନ୍ତି ସତ କିନ୍ତୁ ଜଗନ୍ମୋହିନୀର ହୃଦୟ ସାମ୍ରାଜ୍ୟ, ଏବେ ପର୍ଯ୍ୟନ୍ତ ଆପଣଙ୍କ ନିମନ୍ତେ ଅପହଞ୍ଚ। କୃଷ୍ଣଦେବରାୟଙ୍କ ପୁରୁଷାର୍ଥକୁ ଶତଧା ଚୁର୍ଣ୍ଣ କରିବା ପରେ, ନିଜ ହୃଦୟରେ ଶୀତଳତା ଅନୁଭବ କରୁଥିଲେ ଜଗନ୍ମୋହିନୀ।
ବାସର କକ୍ଷରୁ ମୁଣ୍ଡ ପୋତି ବାହାରି ଆସିଲେ ପରାସ୍ତ ସମ୍ରାଟ କୃଷ୍ଣଦେବରାୟ। ଜଗନ୍ମୋହିନୀରୂପୀ ଅଗ୍ନିଶିଖାକୁ ସ୍ପର୍ଶ କରିବାକୁ ଯାଇ ନିଜେ ଦଗ୍ଧ ହୋଇଉଠିଥିଲେ ସେ। ତାଙ୍କ ପୁରୁଷାର୍ଥକୁ ବାରମ୍ବାର ଧିକ୍କାର କରିଥିଲେ ଜଗନ୍ମୋହିନୀ। ଚୂର୍ଣ୍ଣ କରିଚାଲିଥିଲେ ତାଙ୍କ ରାଜକୀୟ ଆତ୍ମବଡ଼ିମାକୁ। କୃଷ୍ଣଦେବରାୟ, ସମଗ୍ର ଭାରତବର୍ଷର ନାରୀମାନଙ୍କ ମନରେ ଘର କରିଥିବା ଇପ୍ସିତ ପୁରୁଷ; ତାଙ୍କୁ କିପରି ପ୍ରତ୍ୟାଖାନ କରିପାରିଲେ କଳିଙ୍ଗର ରାଜଜେମା। ହୃଦୟ ରକ୍ତାକ୍ତ ହୋଇଉଠୁଥିଲା କୃଷ୍ଣଦେବରାୟଙ୍କର। ଅପମାନର ଜ୍ବାଳାରେ ଦଗ୍ଧୀଭୂତ ହୋଇଉଠୁଥିଲେ ସେ। ପତ୍ନୀ ହୋଇ ପତିର ବଶତା ସ୍ଵୀକାର କରିବାକୁ କେମିତି ବା ଜଣେ ନାରୀ ଅସ୍ଵୀକାର କରିପାରିବ। ଏ କି ପ୍ରକାର ଆତ୍ମ-ଗର୍ବ ଜଗନ୍ମୋହିନୀଙ୍କର।
ନାରୀର ଆତ୍ମ-ସମ୍ମାନକୁ ଆତ୍ମ-ଗର୍ବର ମାନ୍ୟତା ଦେବା ସତେଯେପରି ପୁରୁଷର ଜନ୍ମଗତ ଅଧିକାର। କୃଷ୍ଣଦେବରାୟ ବା ସେଥିରୁ ବର୍ତ୍ତିଯା'ନ୍ତେ କିପରି ! ଜଗନ୍ମୋହିନୀଙ୍କ ଆତ୍ମ-ସମ୍ମାନ ଆଗରେ ନିଜକୁ ବହୁତ ଛୋଟ ମନେ କରୁଥିଲେ ବିଜୟୀ ସମ୍ରାଟ,କୃଷ୍ଣଦେଵରାୟ। ଭୁଲିପାରୁନଥିଲେ ଜଗନ୍ମୋହିନୀଙ୍କର କଟାକ୍ଷ। ତେଣୁ ଦେବଦାସୀରୁ ରାଣୀ ପାଲଟିଥିବା ଚେନ୍ନା ଦେବୀଙ୍କ ପ୍ରାସାଦରେ ଜଗନ୍ମୋହିନୀଙ୍କର ରହିବାର ବ୍ୟବସ୍ଥା କରାଇଥିଲେ, କିନ୍ତୁ ଉତ୍କଳ-ଗଜପତି-ନନ୍ଦିନୀ , ଦେବଦାସୀ ଚେନ୍ନାଙ୍କ ସହିତ ଗୋଟିଏ ଅନ୍ତଃପୁରରେ ରହିବା ଅପେକ୍ଷା କୃଷ୍ଣା ନଦୀ ତୀରରେ ଏକ ପରିତ୍ୟକ୍ତ ଦୁର୍ଗରେ ରହିବାକୁ ଶ୍ରେୟସ୍କର ମନେ କରିଥିଲେ।
ସ୍ୱାମୀଙ୍କୁ ଉପେକ୍ଷା କରି ସେ ଆଜି ସ୍ଵେଚ୍ଛା-ନିର୍ବାସିତା। ଯେଉଁ କୃଷ୍ଣାନଦୀର ବକ୍ଷରେ ନୌକା ବିହାର କରୁଥିବା ବେଳେ କୃଷ୍ଣଦେବରାୟଙ୍କୁ ଥରେ ମାତ୍ର ଦେଖିବାର ଇଚ୍ଛା, ଜଗନ୍ମୋହିନୀଙ୍କୁ ବାରବାଟୀରୁ ଟାଣି ଆଣିଥିଲା କୋଣ୍ଡାବିଡୁର ସମର ପ୍ରାଙ୍ଗଣକୁ। ଆଜି ସେହି କୃଷ୍ଣାନଦୀର ସୁକୋମଳ ଶଯ୍ୟାରେ ନିଜେ ନିଜକୁ ନିର୍ବାସିତା ରୂପେ ସଜାଇଛନ୍ତି ଉତ୍କଳ ଗଜପତି ନନ୍ଦିନୀ, ଜଗନ୍ମୋହିନୀ। କୃଷ୍ଣଦେବରାୟଙ୍କ ଆତ୍ମ-ଗର୍ବକୁ ପଦାଘାତ କରି ଆଜି ସେ ପାଲଟିଛନ୍ତି ବିଜୟିନୀ। କାଞ୍ଚିରାଜାଙ୍କ ଧର୍ମପତ୍ନୀ ନୁହେଁ ବରଂ କଳିଙ୍ଗର ବୀରା ରମଣୀ ଭାବେ ଇତିହାସରେ ଚିର ଅମର ଦୁର୍ଜୟ ଅଭିମାନିନୀ, ଜଗନ୍ମୋହିନୀ ।।