ନିଷିଦ୍ଧ ଇଲାକା
ନିଷିଦ୍ଧ ଇଲାକା
ଅମାବାସ୍ୟାର ଘନ ଅନ୍ଧାର ରାତି । ଶୂନ୍ ଶାନ୍ ରାସ୍ତାରେ ମଣିଷ ତ ଦୂରର କଥା କୁକୁରଟିଏ ବି ଦେଖାଯାଉନାହାନ୍ତି । ଆଜି ହିଁ ଅଧା ବାଟରେ ସ୍କୁଟି ଖରାପ ହେବାର ଥିଲା, ନିଜକୁ ନିଜେ ମନେ ମନେ ଗାଳି କରୁଛି ସୁନୟନା । କାହିଁକି ସେ ସମୀରଙ୍କ ସହ ଘରକୁ ଯିବା ପାଇଁ ମନା କରିଲା କେଜାଣି ! ଅଫିସରୁ ଫେରିବା ବେଳେ ବିଳମ୍ବ ହୋଇଯାଇଥିବାର ଦେଖି ସୁନୟନାକୁ ଘରେ ନେଇ ଛାଡ଼ି ଦେଇ ଆସିବେ ବୋଲି କହୁଥିଲେ ସମୀର । କିନ୍ତୁ ତାଙ୍କୁ ମନା କରିଦେଇଥିଲା ସେ । ସମୀର, ସୁନୟନାର ଉପରସ୍ଥ କର୍ମଚାରୀ । ଦେଖିବାକୁ ବି ଖୁବ୍ ସୁନ୍ଦର । ଗୋରା ରଙ୍ଗର ଦେହ, ସୁନ୍ଦର ବଳିଷ୍ଠ ଚେହେରା । ଏବେ ପର୍ଯ୍ୟନ୍ତ ଅବିବାହିତ ଥିବାରୁ ଅଫିସର Most Eligible Bachelor ଭାବରେ ବେଶ୍ ଜଣାଶୁଣା । ସମୀରଙ୍କୁ ନିଜ ପ୍ରେମ ଜାଲରେ ବାନ୍ଧି ରଖିବା ପାଇଁ ଅଫିସର ତରୁଣୀମାନଙ୍କ ମଧ୍ୟରେ ଏକ ରକମ ପ୍ରତିଯୋଗିତା ଚାଲିଥାଏ, କିନ୍ତୁ ଏ ସବୁ ପ୍ରତି କେବେ ବି ଦୃଷ୍ଟି ଦିଅନ୍ତି ନାହିଁ ସମୀର, ସତେ ଯେମିତି କାହିଁ କେତେ କାଳରୁ ନିଜ ପାଇଁ ଜଣେ ପ୍ରକୃଷ୍ଟ ପ୍ରେମିକା ଖୋଜି ପାଇଛନ୍ତି ସେ । ସମୀର କେବେ ମୁହଁ ଖୋଲି କିଛି କହି ନ ଥିଲେ ମଧ୍ୟ ସୁନୟନା ବେଶ୍ ଭଲ ଭାବରେ ବୁଝି ପାରିଥିଲେ ସମୀରଙ୍କର ତା' ପ୍ରତି ଥିବା ଦୁର୍ବଳତାକୁ । ସୁନୟନା, ଶ୍ୟାମଳ ରଙ୍ଗର ସୁନ୍ଦର ତରୁଣୀ, ନୀଳ ରଂଗର ଆଖିଦୁଇଟି ଖୁବ୍ ସମ୍ମୋହକ ହୋଇଥିବାରୁ ବାପା-ମାଆ ତା' ନାମ ରଖିଥିଲେ, ସୁନୟନା । ସେ ବହୁତ ଥର ଅନୁଭବ କରିଛି ସମୀରଙ୍କ ନିରବ ଭଲ ପାଇବାର ଅଦୃଶ୍ୟ ଉଷ୍ମତାକୁ, କିନ୍ତୁ ଅନ୍ୟ ସହକର୍ମୀମାନଙ୍କ ଟାହି ଟାପରାକୁ ଡରି ମନର ଭାବକୁ ମନ ଭିତରେ ହିଁ ଦେଇଛି କବର । ସେଇଟା ହିଁ ମୁଖ୍ୟ କାରଣ ଥିଲା ଆଜି ସମୀରଙ୍କ ସହ ଘରକୁ ନ ଫେରିବାର, ଯଦି କିଏ କେବେ ସେ ଦୁଇ ଜଣଙ୍କୁ ଏକାଠି ଦେଖେ, ତେବେ କିଛି କାରଣ ନ ଥାଇ ଅଯଥାରେ ବହୁତ ଥଟ୍ଟା ପରିହାସର ଶିକାର ହେବାକୁ ପଡ଼ିବ, ସମୀରଙ୍କୁ ମନା କରି ସ୍କୁଟି ଧରି ଘରକୁ ବାହାରିଥିଲା ସେ, କିନ୍ତୁ ଅଧା ବାଟରେ ସ୍କୁଟି ଖରାପ ହୋଇଗଲା, ମୋବାଇଲରେ ବି ନେଟୱର୍କ ନାହିଁ।
ଏମିତିରେ କ'ଣ ବା କରିବ ସୁନୟନା, ରାସ୍ତା ମଝିରେ ଠିଆ ହୋଇ ଭାବୁଥାଏ ସେ । ତା' ଜେଜେ ମାଆ କହୁଥିଲେ ଏଇ ରାସ୍ତାରେ କୁଆଡ଼େ ଗୋଟେ ଅତୃପ୍ତ ଆତ୍ମା ପ୍ରତି ଅମାବାସ୍ୟା ରାତିରେ ଘୂରି ବୁଲେ, ଲୋକମାନଙ୍କୁ ମାରି ତାଙ୍କ ଆତ୍ମା ଉପରେ କବ୍ଜା କରିବା କୁଆଡ଼େ ତା'ର ଅତିପ୍ରିୟ । ସୁନ୍ଦରୀ ତରୁଣୀମାନଙ୍କର ସୌନ୍ଦର୍ଯ୍ୟ ହରଣ କରି ସେ କୁଆଡେ ସଦା ସର୍ବଦା ଯୌବନର ରସ ଆସ୍ଵାଦନ କରିପାରେ । ଆଜି ତ ଅମାବାସ୍ୟାର ରାତି, ଅବଶ୍ୟ ଭୂତ ପ୍ରେତଙ୍କ ଉପରେ ବିଶ୍ଵାସ କରୁ ନ ଥିଲା ସୁନୟନା । ନିଜେ ନିଜକୁ ବୁଝାଇ କହିଲା ଆଜିକାଲି ଭୂତମାନଙ୍କ ଠାରୁ ମଣିଷମାନଙ୍କୁ ବେଶି ଡ଼ର, ସବୁବେଳେ ଖବରକାଗଜରେ ଧର୍ଷଣ ଆଉ ହତ୍ୟାର ଖବର । ଧୀରେ ଧୀରେ ଡରିବାକୁ ଆରମ୍ଭ କରୁଥିଲା ସେ, ତଥାପି ମନ ଭିତରେ ସାହସ ସଞ୍ଚୟ କରି ସ୍କୁଟିକୁ ଗଡ଼େଇ ଗଡ଼େଇ ଚାଲି ଚାଲି ଆଗକୁ ବଢିଲା, ମଝିରେ ମଝିରେ ନେଟୱର୍କ ସର୍ଚ୍ଚ୍ ବି କରୁଥାଏ କିନ୍ତୁ କିଛି ଲାଭ ନାହିଁ ନା କିଏ କେହି ଲୋକ ମିଳୁଛନ୍ତି ନା ମୋବାଇଲର ନେଟୱର୍କ ଆସୁଛି । କିଛି ବାଟ ଚାଲି ଚାଲି ଯିବା ପରେ ସୁନୟନା ଦେଖିଲା ସେହି ଭୂତ କୋଠିଟିକୁ, ଯେଉଁଠି ତା' ଜେଜେ ମାଆ କାହାଣୀର ଅଶରିରୀଟି ରହେ । ହଠାତ୍ କାହିଁକି ନିଜର ନିଜର ଲାଗିଲା ସୁନୟନାକୁ ସେ କୋଠାଘରଟି, ସତେ ଯେମିତି କିଏ ତା'କୁ ହାତ ଠାରି ଡ଼ାକୁଛି ସାହାଯ୍ୟ କରିବା ନିମନ୍ତେ, ତା'କୁ ଶୁଭୁଛି ଗୋଟେ ଝିଅର କରୁଣ କ୍ରନ୍ଦନର ସ୍ୱର । ଡରିଗଲା ସୁନୟନା, କ'ଣ ତା' ଜେଜେ ମାଆର ଭୂତ କାହାଣୀ ସତ ! ସତରେ କ'ଣ ଏଇଟା ଭୂତର ଘର !!! ତା' ହୃଦୟ ସ୍ପନ୍ଦନକୁ ବି ସ୍ପଷ୍ଟ ରୂପେ ଶୁଣିପାରୁଥିଲା ସୁନୟନା । ଶୀତେଇ ଉଠୁଥିଲା ତା' ସମଗ୍ର ଶରୀର, କେମିତି ବାହାରିବ ଏ ବିଷମ ପରିସ୍ଥିତିରୁ, ମନରେ ଅନେକ ସଂଶୟ ।
ଗଭୀର ଚିନ୍ତାରେ ପଡ଼ିଥିଲା ସୁନୟନା । ଠିକ୍ ଏହି ସମୟରେ ହଠାତ୍ କାରର ହର୍ଣ୍ଣ ଶୁଣି ପ୍ରକୃତିସ୍ଥ ହେଲା ସୁନୟନା, କାରଟି ଆସି ସୁନୟନା ପାଖରେ ଅଟକିଗଲା, କାର୍ ଭିତରୁ ବାହାରି ଆସିଲା ସମୀର । ସମୀରକୁ ଦେଖି ପିଣ୍ଡରେ ପ୍ରାଣ ପଶିଲା ସୁନୟନାର ତଥାପି ସୁନୟନା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ସମୀର ତୁମେ ଏଠି କେମିତି ? ଅତି ସାଧାରଣ ଭାବରେ ଉତ୍ତର ରଖିଲେ ସମୀର, ତୁମ ପାଖରେ ମୋର ଗୋଟେ ଜରୁରୀ ଫାଇଲ ରହିଯାଇଛି, ତୁମ ଫୋନ୍ ନ ଲାଗିବାରୁ ତୁମ ଘର ନମ୍ବରକୁ ଫୋନ୍ କରିଥିଲି ଓ ସେଠାରୁ ଜାଣିବାକୁ ପାଇଲି ଯେ, ତୁମେ ଏବେ ପର୍ଯ୍ୟନ୍ତ ଘରେ ପହଞ୍ଚିନାହଁ ତେଣୁ ତୁମକୁ ଖୋଜି ଖୋଜି ମୁଁ ଏଠି ପହଞ୍ଚିଗଲି । ଚାଲ ଏବେ ତୁମକୁ ନେଇ ଘରେ ଛାଡ଼ିଦେବି, ସ୍କୁଟି ଥାଉ ପରେ ମୁଁ ନେଇକି ତୁମ ଘରେ ଦେଇଦେବି । ଡରି ଡରି କାର୍ ପାଖକୁ ଗଲା ସୁନୟନା କାହିଁକି କେଜାଣି ତା'କୁ କିଏ ରୋକିବା ପରି ମନେ ହେଉଥିଲା, ଏବେ ବି ସେ ଶୁଣିପାରୁଥିଲା ଗୋଟେ ଝିଅର କରୁଣ କାନ୍ଦଣା, ଯେତେ ଚେଷ୍ଟା କରି ବି କାର୍ ଭିତରକୁ ପାଦ ବଢେଇ ପାରୁ ନ ଥିଲା ସେ । ଅଜଣା ଭୟର ଆଶଙ୍କାରେ କିଛି ସମୟ ପାଇଁ ଅଟକିଗଲା ସୁନୟନା । ପଛକୁ ବୁଲି ଦେଖିଲା ବେଳକୁ ଯେଉଁ ସମୀରର ଭଦ୍ର ଚେହେରା ଓ ସୌମ୍ୟ ବ୍ୟବହାର ଦିନେ ତା' ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା, ସେ ସମୀର ଆଖିରେ ଆଜି କାମନାର ଜ୍ୱାଳା । ଗୋଟାପଣରେ ସେ ଯେମିତି ଝୁଣି ଝୁଣି ଖିନ ଭିନ୍ କରିଦେବ ସୁନୟନାର ସମଗ୍ର ଅସ୍ମିତାର ସତ୍ତାକୁ । ସମୀରକୁ ଏକ ଶକ୍ତ ଧକ୍କା ଦେଇ ଦୌଡ଼ିଲା ସୁନୟନା, ଆଉ ତା' ପଛେ ପଛେ ସମୀର । ଏହି ଅନ୍ଧାର ଶୂନ୍ୟ ଇଲାକାରେ ସେ ଭୂତ କୋଠିଟି ହେଉଛି ଏକମାତ୍ର ଆଶ୍ରୟ, ହୋଇଥାଉ ପଛେ ସେ କେଉଁ ଦୁଷ୍ଟ ଆତ୍ମାର ଘର, କିନ୍ତୁ ସେ ଆତ୍ମା ତା' ଇଜ୍ଜତ ସହିତ ତ ଖେଳିବ ନାହିଁ, ସେ ଆତ୍ମାର ପାଦ ତଳେ ପଡ଼ି ସେ ଆଶ୍ରୟ ଭିକ୍ଷା କରିବ, ଜୀବନରେ ମରିଯିବ ପଛେ ସମୀରର କଳଙ୍କିତ ମନସାକୁ ଚରିତାର୍ଥ ହେବାକୁ ଦେବନି ସେ,,,
ମନର ଭୟକୁ ମନ ଭିତରେ ଚାପି ଭୂତକୋଠି ଭିତରେ ପାଦ ରଖିଲା, ସୁନୟନା । ତୀବ୍ରରୁ ତୀବ୍ରତର ହୋଇଉଠୁଥିଲା କ୍ରନ୍ଦନର ସ୍ୱର । ମୋବାଇଲର ଟର୍ଚ୍ଚ୍ ଅନ୍ କରି ଦେଖିଲା ତା' ଆଗରେ ଠିଆ ହୋଇଛି ଏକ ଯୁବତୀର ଅତୃପ୍ତ ଆତ୍ମା, ଦେହରେ ତା'ର ସୂତା ଖଣ୍ଡେ ବି ନାହିଁ । ସମଗ୍ର ଶରୀରରେ ଶୁଖିଲା କ୍ଷତର ଚିହ୍ନ, ବହୁତ ଭୟଙ୍କର ଦେଖା ଯାଉଛି । ମୋବାଇଲର ଆଲୁଅରେ ସ୍ପଷ୍ଟ ଦେଖିପାରୁଛି ସୁନୟନା, ତୋଫା ଜହ୍ନ ଆଲୁଅରେ ସମୀର ଆଉ ତା'ର ଦୁଇ ଜଣ ସାଙ୍ଗ ମିଶି ଦୁଷ୍କର୍ମ କରିଥିଲେ ଏଇ ଝିଅଟି ସହ, ନିଜର ପାଶବିକ ପ୍ରବୃତ୍ତିକୁ ଶାନ୍ତ କରିବା ପରେ କୋମଳ ଝିଅଟିକୁ ଦେଇଥିଲେ ଜୀଅନ୍ତା କବର, ଏଇ କୋଠିର ବଗିଚାରେ, ନିଷ୍ପ୍ରଭ ହୋଇଗଲା ସବୁ ଆଲୁଅ, ନିଜର କୋହ ସମ୍ଭାଳି ନ ପାରି ସୁନୟନା ଦୃଢ ଭାବେ ଆଲିଙ୍ଗନ କରିଲା ସେ ଅତୃପ୍ତ ଆତ୍ମାର ଛାୟାକୁ । ଧୀର ଭାବରେ ଆତ୍ମାଟି କହିଲା, ମୁଁ ତୁମକୁ ବଞ୍ଚେଇ ପାରିବି ସେ ସଇତାନ୍ କବଳରୁ, ତୁମେ ମୋତେ ଦୟାକରି ମୁକ୍ତ କର ଏ ନିଷିଦ୍ଧ ଇଲାକାରୁ । ମୋ ମୃତ୍ୟୁ ପରେ ମୋ ଆତ୍ମା ପ୍ରତିଶୋଧ ଲାଳସାରେ ଅତୃପ୍ତ ହୋଇ ରହିଗଲା । ମୁଁ ମୋର ଦୁଇ ଜଣ ହତ୍ୟାକାରୀଙ୍କୁ ଉଚିତ୍ ଦଣ୍ଡ ଦେବା ପରେ, ଏକ ସିଦ୍ଧ ଗୁଣିଆର ସାହାଯ୍ୟ ନେଇ ସମୀର ମୋତେ ଏଇଠି ବାନ୍ଧି ରଖିଛି ଆଉ ଭୂତର ଭୟରେ ରାତି ତ ଦୂରର କଥା, ଦିନରେ ମଧ୍ୟ କିଏ ଏଠାକୁ ଆସନ୍ତି ନାହିଁ । ସେବେଠାରୁ ଏହି ଇଲାକା ପାଲିଟିଛି ଏକ ନିଷିଦ୍ଧ ଇଲାକା । ଏତେ ଦିନ ପରେ ତୁମେ ଆସି ପାଦ ଦେଇଛ ଏଠି, ଦୟାକରି ମୋତେ ମୁକ୍ତ କର, ମୁଁ ମୋ ମୃତ୍ୟୁର ପ୍ରତିଶୋଧ ନେବା ପରେ ହିଁ ମୁକ୍ତି ପାଇପାରିବି । ଅଶରିରୀଟିର କଥା ଶୁଣିବା ପରେ, ସୁନୟନା ଖୋଲି ଚାଲିଲା ଗୁଣିଆ ଦ୍ଵାରା ବନ୍ଧା ଯାଇଥିବା ରକ୍ଷା-ସୂତ୍ରର ଦିବ୍ୟ କଵଚ, ଶକ୍ତିଶାଳୀ ହୋଇଉଠୁଥିଲା ଯୁବତୀର ଆତ୍ମା, ସୁନୟନାକୁ ଖୋଜି ଖୋଜି ଭୂତ କୋଠିରେ ପହଞ୍ଚିଲାଣି ସମୀର, ସୁନୟନା ଆଡ଼କୁ ପାଦ ବଢେଇବା ପୂର୍ବରୁ ଅଶରିରୀଟିର ମୃତ୍ୟୁ ଫାଶରେ କବଳିତ ହୋଇଛି, ସମୀର । ଅତୃପ୍ତ ଆତ୍ମାଟିର ବିକଟାଳ ଅଟ୍ଟହାସ୍ୟରେ ସଂଜ୍ଞାହୀନ ହୋଇପଡ଼ିଲା ସୁନୟନା । ଆଖି ଖୋଲି ଦେଖିଲା ବେଳକୁ ସେ ଅଛି ତା' ରୁମ୍ ରେ । ମାଆ ଡ଼ାକୁଛନ୍ତି ସକାଳର ଚା' ପିଇବା ପାଇଁ । ଚା' ସହ ଖବର କାଗଜ ଧରି ପଢିବା ସମୟରେ, ମୁଖ୍ୟ ଖବରରେ ଥିଲା - ସହରର ଏକ ନିଷିଦ୍ଧ ଇଲାକାରୁ ବନ ବିଭାଗର ବରିଷ୍ଠ ଅଧିକାରୀ "ସମୀର ଚୌଧୁରୀ"ଙ୍କ ମୃତ ଦେହ ଉଦ୍ଧାର । ସମୀରର ମୃତ୍ୟୁରେ ସୁନୟନା ଯେତିକି ବ୍ୟଥିତ ହୋଇ ନ ଥିଲା, ତା' ଠାରୁ ବେଶୀ ନିଜର ଲାଗୁଥିଲା ତା'କୁ, ସେହି ନିଷିଦ୍ଧ ଇଲାକାର ଫୋଟୋ ଚିତ୍ରଟି,,,