STORYMIRROR

Aishwarya Mishra

Drama Tragedy Inspirational

3  

Aishwarya Mishra

Drama Tragedy Inspirational

ପରିଚୟ

ପରିଚୟ

3 mins
12.4K


      ଆଜି ଦୀର୍ଘ କୋଡିଏ ବର୍ଷ ପରେ ଅଙ୍କିତା ଫେରିଛି 'ମୁକ୍ତିପୁର' ସହରକୁ , ଯେଉଁ ସହରରେ ତା'ର ଜନ୍ମ । ଦିନେ ଏଇ ସହର ତା' ମାଆଙ୍କ କର୍ମଭୂମି ଥିଲା । ଆଜି ତା'ର କର୍ମଭୂମି ପାଲଟିଛି ଏଇ ସହର, ସେ ଏଇ ସହରରେ ନୂଆ କରି ଯୋଗ ଦେଇଛି ଉପ-ଜିଲ୍ଲାପାଳ ଭାବେ । ତା' ମାଆଙ୍କ ମୃତ୍ୟୁ ପରେ ସେ କେବେ ଫେରିକି ଚାହିଁନି ' ମୁକ୍ତିପୁର ' ସହରକୁ , ସେ ପୁରୁଣା ଘରକୁ କିନ୍ତୁ ଆଜି ସେ ଫେରିଛି ଏତେ ବର୍ଷ ପରେ। ପୁଣି ପାଦ ଦେଇଛି ସେ ଘରେ ଯେଉଁ ଘରେ ସବୁ ଦୁଃଖ କଷ୍ଟ ସହି ତା' ମାଆ ତା'କୁ ପାଳି ପୋଷି ବଡ଼ କରିଥିଲେ। ଆଜି ପହଞ୍ଚିଛି ଅଙ୍କିତା ପୁଣି ସେ ଘରେ । ଏମିତି ରେ ବିତିଗଲା କିଛି ଦିନ, ଧୀରେ ଧୀରେ ନିଜକୁ ସହରର ଜଳବାୟୁ ଢାଞ୍ଚାରେ ଗଢି ତୋଳିଲା ଅଙ୍କିତା । 


      ଆଜି ସକାଳୁ କିଛି ଜରୁରୀ କାଗଜପତ୍ର ଖୋଜୁ ଖୋଜୁ ଅଙ୍କିତାକୁ ମିଳିଲା ତା' ମାଆଙ୍କ ଡ଼ାଏରୀ , ସେ ଡ଼ାଏରୀର ପୃଷ୍ଠା ସହ ସେ ଦେଖି ପାରୁଥିଲା ତା' ମାଆଙ୍କ ଲୁହଭିଜା ଅତୀତ । ଡ଼ାଏରୀର ପ୍ରତିଟି ଶବ୍ଦ ସତେ ଯେପରି ଲୁହର ସ୍ୟାହିରେ ବୁଡି ଭିନ୍ନ ଏକ କାହାଣୀ ଶୁଣେଇବା ପାଇଁ ଚେଷ୍ଟା କରୁଛି।


    ଅଙ୍କିତା ମନ ଭିତରେ ଉଙ୍କି ମାରୁଥିବା ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ କେବଳ ସେ ଡ଼ାଏରୀ ହିଁ ସମର୍ଥ କିନ୍ତୁ କାହିଁକି କେଜାଣି ସେ ସବୁ ପ୍ରଶ୍ନଗୁଡିକର ଚକ୍ରବ୍ୟୁହରୁ ବାହାରି ଯିବା ପାଇଁ ସେ କେବେ ଚେଷ୍ଟା ମଧ୍ୟ କରିନି । ଆଜି ସେ ଡ଼ାଏରୀ ଦେଖି ତା'ର ମନେପଡ଼ିଯାଉଛି ସବୁ ପୁରୁଣା କଥା । ଅଙ୍କିତାର ଜନ୍ମ ପୂର୍ବରୁ ହିଁ ତା' ବାପା ତା'କୁ ସ୍ଵୀକାର କରିବାକୁ ରାଜି ନ ଥିଲେ କେବଳ ତା'କୁ ନୁହେଁ ତା' ସହ ତା' ମାଆଙ୍କୁ ମଧ୍ୟ ସ୍ଵୀକାର କରିବାକୁ ରାଜି ନ ଥିଲେ । ଅଙ୍କିତାର ବାପାଙ୍କ ମନରେ ଥିଲା ଅନେକ ସଂଶୟ ; ବାରମ୍ବାର ତା' ମାଆଙ୍କୁ ପତିତାର ଆଖ୍ୟା ଦେଇ ଅତି ସହଜରେ ନିଜର ସବୁ ଦାୟିତ୍ବରୁ ଓହରି ଯାଇଥିଲେ।


    ଏପରି ପରିସ୍ଥିତିରେ ତା' ମାଆ ବହୁ କଷ୍ଟ ସ୍ଵୀକାର କରି ଅଙ୍କିତାକୁ ଜନ୍ମ ଦେଇଥିଲେ। ଆଉ ତା' ବାପା ; ଗୋଟେ କନ୍ୟା ସନ୍ତାନର ଜନକ ହେବା ପରେ ତାଙ୍କ ମୁହଁର ଶେଷ ହସ ଟିକକ ମଧ୍ୟ ମଉଳି ଯାଇଥିଲା। ତା' ଜନ୍ମର ଗୋଟେ ଦିନ ପରେ ତା'କୁ ଦେଖିବାକୁ ଆସିଥିଲେ ତା' ବାପା, ସେ ପୁଣି ଆତ୍ମ-ଗର୍ବରେ ମସ୍ ଗୁଲ୍ ହୋଇ । ତାଙ୍କ ଆଖିରେ ବାପା ହେବାର ଖୁସି ତ ନ ଥିଲା ଅଥଚ ଅଫିସ କାମ ଛାଡ଼ି ବହୁତ ସମୟ ଅଯଥାରେ ନଷ୍ଟ କରିବାର ଦୁଃଖ ବହୁତ ଥିଲା। ଆସୁ ଆସୁ ଆରମ୍ଭ କରିଥିଲେ ଯୁକ୍ତିତର୍କ । ତାଙ୍କୁ ନ ଜଣାଇ କେମିତି ତାଙ୍କ ସ୍ତ୍ରୀକୁ ଅନ୍ୟ ଏକ ଡ଼ାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଥିଲା ବୋଲି ; ପୁଣି ଥରେ ସେହି ପ୍ରଶ୍ନ , " ଏ ଛୁଆଟା ମୋର ନା ଆଉ କାହାର " । ସମସ୍ତେ ବହୁତ ଅନୁନୟ କରି କହିଥିଲେ ତା' ଛଡ଼ା ଅନ୍ୟ କିଛି ଉପାୟ ନ ଥିଲା, ଡ଼ାକ୍ତରଖାନା ପରିବର୍ତ୍ତନ କରାଯାଇ ନ ଥିଲେ ମାଆ ଆଉ ଛୁଆ ବଞ୍ଚି ନ ଥା'ନ୍ତେ ତଥାପି ତା' ବାପା କିଛି ବି ଶୁଣିବାକୁ ପ୍ରସ୍ତୁତ ନ ଥିଲେ ଆଉ ଅପ୍ ରେସନ୍ ର କଷ୍ଟ ସହି ବିଛଣା ଉପରେ ପଡ଼ିଥିବା ତା' ମାଆ ଆଖିରେ ଲୁହ ଛଡ଼ା ଆଉ କିଛି ଭାବନା ମଧ୍ୟ ନ ଥିଲା ।


      ଡ଼ାଏରୀର ଆଉ ଗୋଟେ ପୃଷ୍ଠା ବି ଓଲଟାଇ ପାରି ନ ଥିଲା ଅଙ୍କିତା , ଲୁହରେ ଭିଜିଯାଇଥିଲା ତା' ପଣତ । ଡ଼ାଏରୀର ପୃଷ୍ଠା ଭିତରୁ ବାହାରି ଆଜିର ବାସ୍ତବିକ ଦୁନିଆଁରେ ପାଦ ଥାପିଲା ଅଙ୍କିତା। 


     ମନେ ମନେ ଭାବୁଥିଲା, ସନ୍ତାନ ନିମନ୍ତେ ଏମିତି ଜଣେ ପିତାଙ୍କ ପରିଚୟ କ'ଣ ନିହାତି ଜରୁରୀ ! ଦଶ ମାସ ଦଶ ଦିନ ଗର୍ଭରେ ଧରି ପ୍ରସବ ଯନ୍ତ୍ରଣା ସହି ଜନ୍ମ ଦେଉଥିବା ମାଆଟି କ'ଣ ନିଜ ସନ୍ତାନକୁ ନିଜର ପରିଚୟ ମଧ୍ୟ ପ୍ରଦାନ କରିପାରିବ ନାହିଁ ! ଦୀର୍ଘ ପଚିଶି ବର୍ଷର ଜୀବନ ବିନା ପିତୃ ପରିଚୟରେ ବିତାଇଥିବା ଅଙ୍କିତା ଆଜି ପୁଣି ଥରେ ଶକ୍ତିମୟୀ ହୋଇ ଉଠୁଥିଲା, ମନେ ମନେ ନିଜକୁ ନିଜେ ମନେପକାଇଦେଲା ସେ - ଆବଶ୍ୟକ ନାହିଁ ତା'ର ଏମିତି ଜଣେ ପିତାଙ୍କ ନାମ, ପ୍ରେମ ଅଥବା ପରିଚୟ। ସେ ନିଜେ ହିଁ ସ୍ବୟଂସଂପୂର୍ଣ୍ଣା ଏବଂ ସର୍ବସମର୍ଥ ନିଜ ପରିଚୟ ସୃଷ୍ଟି ନିମନ୍ତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama