Gargi Mishra

Romance Classics Inspirational

4  

Gargi Mishra

Romance Classics Inspirational

ଆତ୍ମସନ୍ତୋଷର ପୁରସ୍କାର

ଆତ୍ମସନ୍ତୋଷର ପୁରସ୍କାର

3 mins
366



ବିବେକ ଆଉ ବୁଦ୍ଧିମତା ଭିତରେ ଦ୍ଵନ୍ଦଯୁଦ୍ଧ ହେଲେ କାହିଁ କେଜାଣି ବିବେକ ସ୍ୱତଃସ୍ଫୁର୍ତ୍ତ ଭାବେ ଜିତିଯାଏ? କିଏ ଶିଖାଇଦିଏ ଏସବୁ? ବୋଧହୁଏ ବାପା, ବୋଉଙ୍କ ଠାରୁ ଏସବୁ ଦେଖିଦେଖି ବଡ଼ ହୋଇଛନ୍ତି ସୌରଭ l ଏ ଶିକ୍ଷା ମନ ବାଦଲ ଭିତରେ ହୁଏତ ଗଛ୍ଛିତ ଥାଏ l


ଅସରାଏ ବର୍ଷାପରେ ଇନ୍ଦ୍ରଧନୁଟିଏ ପରି ଦିଗବଳୟରେ ଅପୂର୍ଵ ଶୋଭା ଖେଳାଏ l ସାରା ଜଗତ ଦେଖୁଥାଏ ଓ ଆଚମ୍ବିତ ହେଉଥାଏ ଏ ଦୃଶ୍ୟଦେଖି l ଯେଉଁ ଦୃଶ୍ୟରେ ନା କୃତ୍ରିମତା ଥାଏ ନା ଉପର ଉପର ଦେଖାଣିଆ ଚକଚକିଆ ପଲିସିଂ ସେ ଦୃଶ୍ୟର ଆକର୍ଷଣ ଖୁବ ଗଭୀର l 


ଏମିତି କିଛି ଦୃଶ୍ୟମାନେ ଆମ ମାନସ ପଟଳରେ ଆଙ୍କି ହୋଇ ରହିଯାଆନ୍ତି l ଯେତେବେଳେ ଦେଖୁଥିଲେ ପ୍ରେରଣାର ସ୍ରୋତ ପାଲଟି ଯାଆନ୍ତି....ଆଖିରେ ଆଖିଏ ସ୍ବପ୍ନନେଇ ବସିଥିବା ଯୁବକ ଯୁବତୀ ମାନଙ୍କୁ ଦେଖିଲେ ସୌରଭଙ୍କର ମନେପଡେ ନିଜ ମାଟ୍ରିକ ପରୀକ୍ଷା ସମୟ କଥା l

ବୋଉ ନିଜେ ନିରକ୍ଷର l ଜୀବନରେ କେବେ କାଗଜ କଲମରେ ପରୀକ୍ଷା ଦେଇନଥିଲା ସେ କେବେ l ହେଲେ କହିଥିଲା, ଖାତା ଉପରେ ସର୍ବପ୍ରଥମେ ସ୍ବସ୍ତିଚିହ୍ନଟିଏ ଆଙ୍କି ଭଗବାନଙ୍କୁ ସ୍ମରଣକରି ଉତ୍ତର ଲେଖିବା ଆରମ୍ଭ କରିବାକୁ l ଦ୍ୱନ୍ଦ୍ୱରେ ପଡ଼ିଲେ ସେଇ ଭଗବାନ ବୁଦ୍ଧିଦେବେ l

ମାଟ୍ରିକ ପରୀକ୍ଷା ସମୟ l ଗଣିତ ପରୀକ୍ଷା ଦିନ ପ୍ରଥମ ପାଞ୍ଚ ମିନିଟ ଆଗେ ପ୍ରଶ୍ନପତ୍ର ଏମୁଣ୍ଡୁ ସେମୁଣ୍ଡ ଗଡେଇ ଦେଖିଦେଲେ ସୌରଭ l ସହଜ ଅଙ୍କ ପଡିଛି ବୋଲି ଭଗବାନଙ୍କୁ ମନେ ମନେ ଧନ୍ୟବାଦ କରୁଥାନ୍ତି l ନବେଭାଗ ପ୍ରଶ୍ନର ଉତ୍ତର ଠିକ ଠାକ ଦେଇ ସରିଲାପରେ ଅଚାନକ କିଛି ଶବ୍ଦ କାନରେ ପଡିଲା l

ମୁଣ୍ଡଟେକି ଚାହିଁଲେ, ଝିଅଟିଏ କିଏ ଫିସ ଫିସ କରି ଡାକୁଛି ତାଙ୍କୁ l ଥରେ ନୁହେଁ ଦି ଥର ନୁହେଁ, ପାଖ ସିଟରେ ବସିଥିବା ଗୌରବର୍ଣା ମଧ୍ୟମ ସ୍ୱାସ୍ଥ୍ୟ ଏବଂ ଖୁବ ସୁନ୍ଦର ଝିଅଟିଏ ଖାଲି ବାରମ୍ବାର ଡାକୁଥାଏ l

ସେ ବୟସରେ ସୁନ୍ଦର ଝିଅମାନଙ୍କ ଇଙ୍ଗିତକୁ ଟାଳିବା କଷ୍ଟକର ନୁହେଁ ଅସମ୍ଭବ ପ୍ରାୟ l କେଜାଣି କେଉଁ ସ୍କୁଲରୁ ଚିହ୍ନି ନଥିଲେ l 

 ଝିଅଟି ଆଡେ ସାଡେ ଚାହିଁ ଆଙ୍ଗୁଠିଇଶାରା କରି ସାତନମ୍ବର ପ୍ରଶ୍ନର ଉତ୍ତର ପଚାରିଲା l ନିରାଶ ହୋଇଗଲା ମନ l 

ଆଲୋ ଆଲୋ....ପାଠ ଚୋରଣୀ ଟେ ତାହାଲେ?

 ସୌରଭଙ୍କର ଗୁରୁଙ୍କ କଥା ମନେ ପଡିଲା.... ପରୀକ୍ଷା ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ମନାକରିଥିଲେ l ତେଣୁ ତାକୁ ତା ବାଟରେ ଛାଡି ନିଜ କାମରେ ଧ୍ୟାନନିବେଶ କଲେ ସୌରଭ l କିଛିସମୟ ପରେ ଆଉ ସେ ଫିସ ଫିସ ଶବ୍ଦ ଶୁଭିଲାନି.....

........

........

 ନିରବତାର ଶବ୍ଦବି ଖୁବ ତୀବ୍ର l ବେଳେବେଳେ ତୀବ୍ରରୁ ତୀବ୍ରଶବ୍ଦଠାରୁବି ଅଧିକ ବିଚଳିତ କରିପକାଏ l 

ହୁଏତ ସେ ଚାହୁଁଥିଲେ ଝିଅଟି ପୁଣିଥରେ ଡାକନ୍ତା.... ତା'ଆଡେ ପୁଣି ଥରେ ଚାହିଁ ଦେଖିଲେ, ମୁଣ୍ଡ ତଳକୁ ପୋତି ଅସହାୟ ହୋଇ ଚୁପଚାପ ଲୁହ ଗଡ଼ାଇ କାନ୍ଦୁଥିଲା l କଣ କରିବେ? 


ହାତ ଘଣ୍ଟାକୁ ଚାହିଁ ଦେଖିଲେ ଆଉ ପନ୍ଦର ମିନିଟ ଅଛି l ମାତ୍ର ଗୋଟିଏ ପ୍ରଶ୍ନ ବାକି l କେହି ଇଂଭିଜିଲେଟର ପାଖାପାଖି ନାହାନ୍ତି l ସ୍ଵଭାଵବଶତଃ ଖୁବ ନମ୍ର ଆଉ ପରୋପକାରୀ ସୌରଭ l ଦୟାପାଇ ଝିଅଟିକୁ ନିଜ ଉତ୍ତର ଦେଖାଇଦେଲେ l ସେ ଲେଖିସାରିଲା ବେଳକୁ ନିଜର ପାଞ୍ଚମାର୍କର ପ୍ରଶ୍ନଟିଏ ବାକି ଅଛି ବୋଲି କହି ଏଥର ନିରବ ରହିବାକୁ ଇଙ୍ଗିତ କଲେ l 

ହେଲେ ପରୀକ୍ଷା ଶେଷ ପୂର୍ବର ପାଞ୍ଚ ମିନଟିଆ ବେଲ ବାଜି ଯାଇଥିଲା l ତରତରିଆ ବେଳେ ମୁଣ୍ଡ କାମକରିବା ବନ୍ଦ କରିଦେଇଥିଲା l ବଡ଼ କଷ୍ଟରେ ନିଜମନ କାବୁରେ ଆଣି ଉତ୍ତର ଦେବାକୁ ଚେଷ୍ଟା କଲା ବେଳକୁ ଶେଷ ଘଣ୍ଟି ବାଜିଗଲା ଆଉ ଖାତା ଛଡାଇ ନେଇ ଯାଇଯାଇଥିଲେ ଇନଭିଜିଲେଟର l

ସେ ଝିଅ ଶେଷରେ ପାଖକୁ ଆସି କହିଲା,

- ସାହାଯ୍ୟ କରିଥିବାରୁ ହୃଦୟରୁ ଧନ୍ୟବାଦ l କିଛି ଦିନ ପୂର୍ବରୁ ଟାଇଫଏଡ ହେତୁ ଅତ୍ୟଧିକ ଦୁର୍ବଳ ଅନୁଭବ କରି ପଢିପାରି ନଥିଲି, l ସାହାଯ୍ୟ ନ କରିଥିଲେ ଗଣିତରେ ହୁଏତ ଫେଲ ହୋଇଯାଇଥାନ୍ତି l 


ହସିଦେଲେ ସୌରଭ l 


ରେଜଲ୍ଟ ବାହାରିବା ଦିନ ଦେଖିଲେ ଗଣିତ ପ୍ରଥମ ପେପରରେ ସେ ପାଞ୍ଚମାର୍କ ହିଁ କଟି ପଞ୍ଚସ୍ତରୀରୁ ସତୁରୀ ରହିଥିଲା ସୌରଭଙ୍କର l ପ୍ରାୟ ଗୋଟେ ପରସେଣ୍ଟ ପାଖାପାଖି ମାର୍କ l ବାପା ଭୀଷଣ ଗାଳି କରିଥିଲେ l ବୋଉ କାରଣ ପଚାରିଲାଠୁଁ ସୌରଭ କହିଲେ,


ସେ ଝିଅ କାନ୍ଦୁଥିଲା... ମୁଁ କଣ କରିଥାନ୍ତି ତୁମେକୁହ l


 ବୋଉ, ତୁ ବି ତ ନିଜେ ନିଜପାଇଁ ଆସିଥିବା ନୂଆଲୁଗା ନିଜେ ବ୍ୟବହାର ନ କରି ଅନ୍ୟ ମାନଙ୍କୁ ଦେଇଦେଉ l ପାଖଘର ବାହାଘର ଦିନ ଗ୍ୟାସ ସିଲିଣ୍ଡର ଦେଇ ନିଜେ ଷ୍ଟୋଭରେ ରାନ୍ଧୁଥିଲୁ କେମିତି? ବାପା ତୁମେ ନିଜକଥା ନ ବୁଝି ପୁତୁରା ଝିଆରୀ ମାନଙ୍କ ପଢାପଢିପାଇଁ ପଇସା ମନିଅର୍ଡର କରି ଦିଅନା ? ସେଦିନ ଗାଁରେ ସାହୁସାହିରେ ଦୁଇ ଭାଇ ଜମି ବାଡ଼ି ପାଇଁ ଝଗଡା ଲାଗି ଦା' ଉଠେଇଲା ବେଳେ ତୁମର ତାଙ୍କ ଆଗରେ ଠିଆ ହୋଇ ପଡ଼ିବା କଣ ଦରକାର ଥିଲା କହିଲ ବାପା ? ହାତକଟି ଧାର ଧାର ରକ୍ତର ସୁଅ ଛୁଟିଥିଲା... ଯଦି ବେକରେ ବାଜି ଯାଇଥାନ୍ତା? ପରପାଇଁ ତୁମେମାନେ ସାହାଯ୍ୟ କରିବ ଆଉ ମୁଁ କଲେ ଗାଳି?

ବୋଉ ତୁ କହିଥିଲୁ ପରୀକ୍ଷା ଆଗରୁ ଈଶ୍ୱରଙ୍କୁ ଡାକିବାକୁ l ମୋତେ ସେ ଯାହା ବୁଦ୍ଧିଦେଲେ l ମୁଁ କଣ କରିଥାନ୍ତି? ମୋ ଭିତରେ ଏ ବିବେକବୁଦ୍ଧିର ଶିକ୍ଷା ସବୁ ତୁମର l ପରିସ୍ଥିତିରେ ପଡିଲେ ମଣିଷର ଭିତର ଜ୍ଞାନହିଁ ଉପରକୁ ଉଠିଆସେ l 

ଏତକ କହି ବୋଉ କୋଳରେ ମୁଣ୍ଡରଖି କାନ୍ଦ କାନ୍ଦ ହୋଇଯାଇଥିଲେ ସୌରଭ l


କେଜାଣି ମାଟ୍ରିକ ପରୀକ୍ଷାରେ ଆଉ କିଛି ମାର୍କ ଆଣି ସେ କଣ ଅଧିକା କରିଥାନ୍ତେ , କିନ୍ତୁ କାହାକୁ ସାହାଯ୍ୟ କରିଥିବାରୁ ଯେଉଁ ଆତ୍ମସନ୍ତୋଷ ମିଳିଥିଲା, ତାର ଜୀବନରେ ଆଉ କୌଣସି ଜିନିଷ କି ଅନୁଭୁତି ସହ ତୁଳନାନାହିଁ l ଦୁର୍ଲଭ ମଣିଷ ଜୀବନ ପାଇ କାହାକୁ ସାମର୍ଥ୍ୟଥାଇ ସାହାଯ୍ୟ କରି ନ ପାରିଥିଲେ ଖୁବ କଷ୍ଟ ହୋଇଥାନ୍ତା l ହୁଏତ ମାର୍କଶିଟରେ ଅତିରିକ୍ତ ପାଞ୍ଚମାର୍କ ତାଙ୍କୁ କାହା ଆଖିରୁ ଲୁହ ପୋଛିବାରେ ସାହାଯ୍ୟ ନ କରି ପାରିବା ହେତୁ ଆଜୀବନ ଖାଇ ଗୋଡ଼େଇଥାନ୍ତା l ଜୀବନରେ ଏ ମାର୍କ, ସ୍କୋର, ରେଜଲ୍ଟ କୌଣସି କାମରେ ଲାଗନ୍ତି ନାହିଁ, ବରଂ କାହକୁ ସମୟରେ ସାହାଯ୍ୟ କରିଥିଲେ ଯେଉଁ ଆତ୍ମସନ୍ତୋଷର ପୁରସ୍କାର ମିଳିଥାଏ ତାହାହିଁ ଭଗବାନଙ୍କ ତରଫରୁ ସବୁଠୁ ଶ୍ରେଷ୍ଠ ପୁରସ୍କାର l 

 ଆଇ. ଆଇ. ଟି. ପିଲାମାନଙ୍କୁ ସ୍ୱାଗତ କଲାବେଳେ ବିଶ୍ଵବିଦ୍ୟାଳୟର ମୁଖ୍ୟ ହିସାବରେ ସେ ନିଜ ଅନୁଭୂତିର କିଛିଟା କଥା ପିଲାମାନଙ୍କୁ କହିଥିଲେ ଡକ୍ଟର ସୌରଭ ସମ୍ବିତ ରାଉତ l 



Rate this content
Log in

Similar oriya story from Romance