Gargi Mishra

Drama Fantasy Inspirational

3  

Gargi Mishra

Drama Fantasy Inspirational

ଶେଷପରୀକ୍ଷା

ଶେଷପରୀକ୍ଷା

4 mins
7



ବାର୍ଷିକ ପରୀକ୍ଷା ସରିଲା l ଏକାଡେମୀକ ଇଅରର ଶେଷ ଦିନ l ଗୋଟେ ଯୁଗର ଅବସାନ l ପ୍ରତିଦିନ ଗୋଟିଏ ଗୋଟିଏ ଗଳ୍ପ ହୋଇ ମୋ ମନପୃଷ୍ଠାରେ ଛପିରହିଯାଏ l ପ୍ରିଶା ବୋଲି ଗୋଟେ ଛାତ୍ରୀ କାଗଜ ଉପରେ କାଗଜ ଚିରି ଆର୍ଟ ବନାଏ l ମୁଁ ଦେଖେ କକ୍ଷକାମ ପରେ ଅଭ୍ୟାସ ନ କରି ମଣ୍ଡଳ ଆର୍ଟ ଡ଼ିଜାଇନ ବନା ହେଉଛି l ପାଟିକରେ l ଶେଷଦିନ ସବୁତକ ଆର୍ଟ ଆଣି ଏନଭଲପରେ ପୁରେଇ 'ଆଇ ଲଭ ୟୁ ମ୍ୟାଡ଼ାମ' କହି କଇଁ କଇଁ ହୋଇ କାନ୍ଦିଲା l କାଗଜ ଉପରେ ପ୍ରବୀଣ ହାତର ନୀଳ ନୀଳ ସୁକ୍ଷ୍ମକାମ l ଏ ସବୁ ତେବେ ମୋ ପାଇଁ ଥିଲା? ମୋ ଭିତରେ ପ୍ରଳୟ ଟିଏ ରୋକିଦେଲି, ଗରଳମେଞ୍ଚେ ଢ଼ୋକି ଦେଲି l


ମୋତେ ଟିଚର ଭାବେ ନିଯୁକ୍ତି ଦେବା ପୂର୍ବରୁ ରାଜିନାମା ସ୍ଵାକ୍ଷର କରିବାକୁ ପଡିଥିଲା ଯେ ପିଲାମାନଙ୍କୁ ଛୁଇଁ ପାରିବନି l ପିଲାମାନେ କଣ ବୁଝୁଛନ୍ତି ରାଜିନାମା, ଦଲିଲ ଦସ୍ତାବିଜ ନା ସଂସାର ସାରାର ଉତ୍ପୀଡ଼ନ?


ମୋତେ ନିଜଆଡୁ ଆସି ଜାବୁଡି ଧରି ଲୁହରେ ଭାସୁଥାନ୍ତି ସେମାନେ l ସମୟ ବଡ଼ ନିର୍ଦୟ l ତାକୁ ଜାବୁଡି ଧରିଲେବି କଉ ବୁଝେ ନା ତାକୁ ରୋକି ହୁଏ? ଭାବିଲେ ଆଶ୍ଚର୍ଯ୍ୟ ଲାଗେ ସମୟ ଭିତରେ ପ୍ରଭୁ ମାନବୀୟ ସମ୍ବେଦନା କାହିଁ ଭରିବାକୁ ଭୁଲି ଯାଇଛନ୍ତି ? ସତରେ ସମୟର ଛାତି କଣ ପାଷାଣ ? କାହାରି ଆବେଗ, ଉଦ୍ଦୀପନାକୁ ବୁଝିବାକୁ ତାର ସାମର୍ଥ୍ୟ ନାହିଁ? ଟିକ ଟିକ କରି ଆଗେଇ ଯାଉଥିବା ଯନ୍ତ୍ରଟିକୁ ଚାହିଁଲି...ଘଡିଏ ରହି ଯାଆନ୍ତା,ଏ ଛୁଆମାନଙ୍କ ମନବୋଧ ହେଲାଯାଏ ବୁଝାନ୍ତି l 



 ପୁରୁଣା ଫର୍ଦ ସବୁ ଆଖି ଆଗରେ ନାଚିଗଲା l ଥରେ ସ୍କୁଲ ସାରି ଘରକୁ ବାହାରିବା ବେଳକୁ ରଜତ ଆଉ ଶାଶ୍ୱତ ମାଡ଼ ପିଟାପିଟି ଲାଗିବାର ଖବର ପାଇଲି l କଲମମୁନରେ କୁଆଡେ ରଜତ ଜୋରରେ ମାରି ଦେଇଛି ଶାଶ୍ୱତକୁ , ଡୋଳାରୁ ଆଉ ମାତ୍ର ଟିପେ ବାକି l ଭାଗ୍ୟକୁ ମୋ ପିରିଅଡରେ ନୁହେଁ l ଅନ୍ୟ କେଉଁ କ୍ଲାସରେ, ଶିକ୍ଷକ ନଥିବା ସମୟରେ l ସି ସି ଟିଭି ଦେଖି ଜାଣିଥିଲି ରଜତ ବ୍ୟାଗରୁ ବହି ଖାତା କାଢୁ କାଢୁ ଆକସ୍ମିକ ଭାବେ କଲମମୁନ ବଜେଇ ଦେଇଥାଏ l ଘରେ ପହଞ୍ଚି କିଛି ଭଲ ଲାଗିଲା ନାହିଁ l ସନ୍ଧ୍ୟାରେ ଶାଶ୍ୱତ ଘରକୁ କଲ କଲି l

"ଶାଶ୍ୱତ କେମିତି ଅଛି?"

ତା ମା କହିଲେ,

" ଆପଣ ଦେଖିଛନ୍ତି ମୋ ପିଲାର ଗାଲ କେମିତି ଲାଲ ପଡିଛି? ଯଦି କିଛି ହେଇଯାଇଥାନ୍ତା ଆଜି? ମୋର ଗୋଟେ କଥା ରଖିବେ, ରଜତ ଆଉ ମୋ ପୁଅ ଦୁହିଁଙ୍କୁ ଏକାଠି କେବେ ବସେଇବେନି ମ୍ୟାଡ଼ାମ l ସେ ରଜତ ତ ଗୋଟାଏ କ୍ରିମିନାଲ l ମୋ ମତରେ ଏ ସ୍କୁଲ ନିରାପତ୍ତା ଦୃଷ୍ଟିରୁ ସବୁଠୁ ନିକୃଷ୍ଟ l


ସ୍କୁଲର ପ୍ରତିନିଧି ହିସାବରେ ମୁଁ କହିଲି,

-ସେମିତି କୁହନ୍ତୁ ନାହିଁ ମ୍ୟାଡ଼ାମ l ଦୁର୍ଘଟଣା ଟିଏ l କହିକରି ତ ଆସେନି l ଅଚାନକ ଏସବୁ ହେଇଗଲା l ମାନୁଛି ବଡ଼ ଦୁର୍ଭାଗ୍ୟର କଥା l କିନ୍ତୁ ରଜତ ସେପରି ନୁହେଁ ଯେପରି ଆପଣ ଭବନ୍ତି l ସେମାନେ ଦୁହେଁ ଖୁବ ଭଲ ସାଙ୍ଗ l ମ୍ୟାଡ଼ାମ ମୋ ଦୁଇ ଦୁଇଟା ଛୁଆ ଏ ସ୍କୁଲରେ l ମୁଁ ବି ଏକ ବିଶ୍ୱାସରେ ଛାଡ଼ିଛି l 

କହିଲେ,

"ନେଇଯାଆନ୍ତୁ ଅନ୍ୟ ସ୍କୁଲ l"


ମନେ ମନେ ଭାବିଲି ଅନ୍ୟ ସ୍କୁଲ.... ଯେଉଁଠି ବସ ଡ୍ରାଇଭର ବ୍ୟାକ ଗିଅର ପକାଇବା ବେଳେ ଛୁଆକୁ ଚକାତଳେ ଦଳି ଦେଇଥିଲା ନା କ୍ୟାମ୍ପସରେ ହେଟାବାଘ ପଶି ପିଲାମାନଙ୍କୁ ଦୁର୍ଦାନ୍ତ ଭାବେ ଖଣ୍ଡିଆ ଖାବରା କରି ପକାଇଥିଲା l ନା ସେ ସ୍କୁଲ ଯେଉଁଠି ପିକନିକ ବସ ଆସିଥିଲା ସାତ ହେଲେ ପିଲାମାନଙ୍କୁ ଫେରେଇ ଆଣିବା ଆଉ ସମ୍ଭବ ହୋଇ ନଥିଲା l ଏହାକୁ ଅସାବଧାନତା କହିବେ ନା ପିଲାଙ୍କ ଦୁର୍ଭାଗ୍ୟ ?

କହିଲି,

" ସେ ଜାଣି ଶୁଣି ତ କରିନି l ତା ଛଡା ରଜତର ବାପାମା' ଆପଣଙ୍କ ଫୋନ ନମ୍ବର ମାଗୁଛନ୍ତି ଆପଣଙ୍କୁ କ୍ଷମା ମାଗିବାକୁ l ଆପଣଙ୍କ ଆପତ୍ତି ନଥିଲେ ମୁଁ ଦେଇପାରେ କି?"

ଶାଶ୍ୱତର ମା କିଛି ଶୁଣିବାକୁ ରାଜି ନଥିଲେ l କହିଲେ,

"ମୁଁ ଏପରି ଲୋକଙ୍କ ମୁହଁ ଲାଗିବାକୁ ଉଚିତ ମନେ କରେନି l"

ମୋ କଣ୍ଠ ରୁଦ୍ଧ ହୋଇଆସିଲା l ସେମାନେ ଯେମିତି ମଣିଷ ଅନ୍ୟ ମାନେବି ତ ସେମିତି ମଣିଷ l ମଣିଷର ମଣିଷ ପ୍ରତି ଏତେ ଗୁଡ଼ାଏ ଘୃଣା ? ମଣିଷ ମାତ୍ରକେ ଭୂଲକରିବା ଥୟ l ଆଜି ଆଉ କାହା ପିଲା ଭୂଲ କରିଛି କାଲି ଆପଣଙ୍କ ପିଲା ବି ଅଜାଣତରେ ଭୂଲ କରି ପାରେ l ତା ବୋଲି ଜଣଙ୍କୁ କ୍ଷମା ଯାଚାନା କରିବାର ଅଧିକାରରୁ ବି ବଞ୍ଚିତ କରିବାପରି ଦ୍ୱେଷ ଆମ ଭିତରେ କିଏ ଭରିଲା? ଦୋଷକୁ ଘୃଣାକରି ତାକୁ ସୁଧାରିବା ସିନା ନ୍ୟାୟ l ଦୋଷୀକୁ ନୁହେଁ l ପରୋକ୍ଷରେ ସେ ଚାହୁଁଥିଲେ ଆତ୍ମଗ୍ଲାନିରେ ଭରି ପିଲାଟି ନିଜ ଆତ୍ମବିଶ୍ୱାସ ହରାଇଦେଉ l ଏ ତ ଅବିଚାର l 


ହେଲେ ବୁଝିବା ଆଗରୁ ନବୁଝିବାକୁ ନିଶ୍ଚିତ କରି ସାରିଥିଲେ ମଣିଷ କଣ ସ୍ୱୟଂ ବ୍ରହ୍ମା ବି ବୁଝାଇ ପାରିବେନି l ସ୍କୁଲ ସରିଲା ଯାଏ ଦୁଇ ସାଙ୍ଗ ଅଲଗା ବସିଲେ l ଗୁମସୁମ, ଦୁଃଖୀ ଦୁଃଖୀ l 

ବର୍ଷ ଶେଷଦିନ, କ୍ଲାସପାର୍ଟି ଥିଲା l

ରଜତ ଆଉ ଶାଶ୍ୱତ ଉଭୟ ସାଙ୍ଗ ହୋଇ ମୋତେ ବସିବାକୁ ଅନୁରୋଧ କଲେ l ସୁରକ୍ଷା ଦାୟିତ୍ୱ ମୋ ଜିମାରେ ନେଇ ଅନୁମତି ଦେଲି l ଦେଖିଲି ରଜତ କାନ୍ଦୁଚି, ଶାଶ୍ୱତ ବୁଝାଉଛି l ମୋତେ ରଜତ କହିଲା

"ମ୍ୟାଡାମ, ମୁଁ ବହୁତ ଭଲପାଏ ଶାଶ୍ୱତକୁ l ସେ ସ୍କୁଲ ଛାଡି ଯାଉଛି l ରୋକିଦିଅନ୍ତୁ ନା ପ୍ଲିଜ l"

ମୁଁ ଜାଣେ, ସବୁ ଜାଣେ l ପିଲାମାନେ ବୁଝି ପାରନ୍ତି ହେଲେ ବାପା ମା ବୁଝିବାକୁ ନାରାଜ l ବେଳେ ବେଳେ ମଣିଷ ସବୁ ଜାଣି ଅସହାୟ l କଣ କରିପାରିବି?

 କେବଳ ଦୁଇ ଜଣଙ୍କ ପାଖରେ ବସିଲି, ବୁଝେଇଲି

" ଦେଖ ପିଲାମାନେ, ତୁମେମାନେ ତ ଏବେ ଜୀବନ ଆରମ୍ଭ କରିଛ l ବଡ଼ ହେବା ଗୋଟେ କଷ୍ଟ ପ୍ରକ୍ରୀୟା l ଜୀବନରେ ଅନେକ ଅଚିନ୍ହା ଲୋକ ଆସନ୍ତି l ହାତରେ ହାତ, ପାଦରେ ପାଦ ମିଶାଇ ସମତାଳରେ ଚାଲିବା ବଳେ କେତେବେଳେ ସମ୍ପର୍କଟିଏ ସ୍ଥାପନ ହୁଏ l ପୁଣି ଦୋଛକି ଆସେ ହାତ ଛାଡିବାକୁ ହୁଏ l ଶକ୍ତ ଧକ୍କାଲାଗେ l ଛାତି ଭିତର ଖିନଭିନ ହୁଏ l କିନ୍ତୁ ମଣିଷକୁ ଏସବୁ ଘଟଣା ମାନେ ଦୃଢକରନ୍ତି l ବଡ଼ ବଡ଼ ଦୁଃଖରେ ଭାଙ୍ଗି ନ ପଡ଼ିବାକୁ ବଳ ଦିଅନ୍ତି l ତୁମେମାନେ ପାରିବ l ଏଇ ହେଲା ଜୀବନର ପ୍ରଥମ ସୋପାନ l ସ୍ବପ୍ନ ଏପରି ଦେଖ ଯେପରି ଭାଙ୍ଗିଲେ ବାସ୍ତବତାକୁ ଫେରି ଆସିବାକୁ ଡର ବା ଦୁଃଖ ଲାଗିବ ନାହିଁ l କେବଳ ଖାତାରେ ନୁହେଁ ଜୀବନ ପରୀକ୍ଷାରେବି ଉତ୍ତୀର୍ଣ ହେବା ଜରୁରୀ l 



ବେଳ ହୋଇଗଲା l ସବୁ ପିଲାମାନେ ନିଜ ନିଜର ଅନୁଭୂତି ଓ ବ୍ୟାକୁଳତା ଓ ଆବେଗକୁ ନିଜ ନିଜ ବ୍ୟାଗରେ ସାଇତି ଛୁଟିପାଇଁ ପ୍ରସ୍ତୁତ ହେଉଥିଲେ l ହୋ ହାଲ୍ଲା କରି ବିରକ୍ତ କରୁଥିବା କ୍ଲାସସାରା ଆଜି ଅସହନୀୟ ନିରବତା l ଯିବା ପୂର୍ବରୁ ଅସୀମିତ ସ୍ନେହର ସନ୍ଦେଶ ଭରା ଚିଠି ଆଉ ଚିତ୍ର ଅଜାଡି ଦେଇଗଲେ l ଆଜିଯାଏ ମୋ ହାତରେ ଥିଲେ l କାଲି ଆଉ କାହା ହାତକୁ ଯିବେ, କିଏ ଧ୍ୟାନ ଦେବ ନ ଦେବ......ଏକ ଚିନ୍ତିତ ମା'ର ବେଦନା ମୋ ଭିତରେ l ପାର୍କିଂ ଯାଏ ସେମାନଙ୍କୁ ଛାଡି ଆସି ଶେଷଥର ବିଦାୟ ଦେଲି l ଭଗବାନ ଏମାନଙ୍କ ପରୀକ୍ଷା ନିଅନ୍ତୁ ହେଲେ ସାମ୍ନା କରିବାକୁ ସାହସ ଭରିଦିଅନ୍ତୁ ଭାବି ଖାତାଚେକ କଲି l 


Rate this content
Log in

Similar oriya story from Drama