Gargi Mishra

Drama Fantasy Inspirational

4  

Gargi Mishra

Drama Fantasy Inspirational

ନାରୀ

ନାରୀ

7 mins
13



ମୋର ବାହାଘରକୁ ଆଉ ଦୁଇ ମାସ l ବିଦାୟ ନେବା ଆଗରୁ ତୋରାଣି ପିଇବାକୁ ଜେଜେମା' କୋଳକୁ ଫେରି ଆସିଥାଏ ଅନେକ ଦିନ ପରେ l 


ବ୍ରାହ୍ମଣୀ ନଈର ଅଙ୍କାବଙ୍କା ଧାରାକୁ ଦେଖିଲେ ଲାଗୁଥାଏ ହୁଏତ ପିଲାଦିନ ତା ଧାରରେ ଧାରରେ ଟାୟାର ଗଡେଇ ଚାଲିଛି ମୋ ସହ l ପୋଲପାଖ ବଜାରରେ ଆମକୁ ବେଢ଼ି ଚାହିଁଥିବା ସରଳମୁହଁସବୁ ଯେମିତି ମୋ ଉପରେ ଅଭିମାନ କରି ନିରବରେ ପଚାରୁଥିଲେ


"ଏତେଦିନ ଭିତରେ ତୋର ଆମ କଥା କେବେବି ମନେ ପଡିଲାନି କେବେ?"


କେମିତି ବୁଝେଇବି ମନରୁ ଦିନଟିଏ ପାଶୋରିନି ବୋଲି ତ ଆଜି ଫେରି ଆସିଛି ଅଚାନକ ସମସ୍ତଙ୍କ କଥା ବୁଝିବାକୁ ବାପାବୋଉଙ୍କ ସହ l 


ଗାଁରେ ପହଞ୍ଚି ମୁଁ ଦେଖୁଥିଲି ଏକ ବିଶାଳ ପରିବର୍ତନକୁ l

ଇନ୍ଦିରା ଆବାସ ଯୋଜନାର ସାହାଯ୍ୟରେ ଗାଁସାରା ପକ୍କାଘର ଭର୍ତ୍ତି ହୋଇଗଲାଣି l ପିଚୁସଡ଼କ, ଷ୍ଟ୍ରିଟଲାଇଟ, ହାଇସ୍କୁଲ, କ୍ଲବହାଉସ ଆଦି ଦେଖି ମନେ ହେଉଥାଏ ଯେ ଭାରତର ଗ୍ରାମୀଣ ଅଞ୍ଚଳ ତୀବ୍ରଗତିରେ ଉନ୍ନତିର ପଥରେ ଅଗ୍ରସର l ତଥାପି ଚାଳଛପର, ଗୋବରଲିପା ପିଣ୍ଡା, ଝୋଟିମୁରୁଜ, ଗାଈଗୁହାଳ, ତୁଳସୀଚଉଁରା, ରୋଷଇଘରୁ ଉଠୁଥିବା ଚୁଲିଧୂଆଁ ସହ ସେ ଧୂମିଳ ଧୂମିଳ ସ୍ମୃତି ସବୁକୁ ମନକୁ ରୁଦ୍ଧ କରୁଥାଏ l 


ଆଗରୁ ଏ ଜାଗାରେ ନା ଥିଲା ଦୋକାନ ନା ବଜାର l ମନେ ପଡେ, ପିଲାଦିନେ ଏଇ ରାସ୍ତାରେ ଭୋଳାନାଥ ବୋଲି ଚୁଡ଼ିବେପାରୀ ପାଖଗାଁରୁ ବନ୍ଧଦେଇ ତା ସାଇକେଲ ଗଡେଇ ଆଣିଲେ ମା' ଭଉଣୀ,ଭାଉଜ ମାନେ ଠୁଳ ହେଇଯାଆନ୍ତି ତା' ଚାରିପାଖେ l 


ଭୋଳାନାଥ ଟିକିଲି, ଅଳତା,ନଖପାଲିସି ଆଦି ବିକିଲାବେଳେ ଯେଉଁ ଭିଡ଼ ଜମାହୁଏ ଲାଗେ ସତେ ଯେପରି ସିନେ- ତାରକାଟିଏ ପଦାର୍ପଣ କରିଛି ମର୍ତ୍ତ୍ୟମଣ୍ଡଳରେ l ମୋତେ ନ ଚିନ୍ହି ସୁଧା ନୂଆ -ଭାଉଜ ମାନେ ଟିକିଲି, ନଖ ପାଲିସ ଲଗେଇ ସଜବାଜ କରି ଛାଡ଼ନ୍ତି ନିଜ ପର ନ ମାନି l ସହରୀ ଚଳଣିରେ ଏପରି ଅପର୍ଯ୍ୟାପ୍ତ ସ୍ନେହ ମିଳିଥିଲେ ହୁଏତ ଗାଁ କୁ ମନ ଝୁରନ୍ତା ନାହିଁ l ଗାଁ ମାଟି, ପାଣି, ପବନ ସମସ୍ତଙ୍କୁ ଆପଣାର କରିଦେଲାପରି ସମ୍ମୋହନ ଶକ୍ତି ରଖିଥାଏ ବୋଲି ଛୁଟିରେ ଦିନେ ଚାଲି ଆସିଲି ମୋ ଗାଁ ଭୂଇଁକୁ l ହସଲାଗେ ଶୁଣିଲେ ଯେଉଁ ଭାବେ ଭୋଳା ମଉସା ଆଜିବି ଲାକମେ ବ୍ରାଣ୍ଡକୁ ନିଃସଙ୍କୋଚ 'ଲକ୍ଷ୍ମୀ ବ୍ରାଣ୍ଡ' ଆଉ ନେଲପାଲିସ ରିମୁଭରକୁ 'ନେଲ ଲିଭର' ବୋଲି କହୁଥାନ୍ତି l 


ମୋ ଜେଜେମା' କିନ୍ତୁ ପାକୁଆ ପାଟିରେ ବି ଆଜି ଇନଭର୍ଟର, ବୁଲଡ୍ରୋଜର ଆଦି ଇଂରାଜୀ ଶବ୍ଦସବୁ ସ୍ପଷ୍ଟ କହନ୍ତି l ମୁଁ ବାପାବୋଉଙ୍କ ସହ ଗାଁକୁ ପ୍ରାୟ ପ୍ରତିବର୍ଷ ଛୁଟି କଟେଇବାକୁ ଯାଇଥାଉ ବୋଲି ସହର ବାସିନ୍ଦା ହୋଇମଧ୍ୟ ଗ୍ରାମୀଣ ସଂସ୍କୃତି, ପରମ୍ପରା ସହ ନିବିଡ଼ ଭାବେ ଜଡିତ ଥାଏ l ଆମେ ଗାଁ ରେ ସକାଳେ ବ୍ରସପେଷ୍ଟ ନୁହେଁ,କରଞ୍ଜ କି ନିମ୍ବ ଦାନ୍ତକାଠିରେ ଦାନ୍ତଘଷି ରିଠାଫଳ ଗୁଣ୍ଡକୁ ମୁଣ୍ଡରେ ରଗଡି ଗାଧେଇବା, ବାଡ଼ିରେ ପନିପାରିବା ଶାଗ ପଟାଳି ଆଦି କରି ନିୟମିତ ଆବଶ୍ୟକତା ପାଇଁ ଖାଦ୍ୟ ଯୋଗାଡି ରଖିବା ତଥା ବାଡ଼ିବଗିଚା କାମ କରିବା ଫଳରେ ସମୟର ସଦୁପଯୋଗ ସହିତ ନିଜର ସ୍ୱାସ୍ଥ୍ୟର ଯତ୍ନ ମଧ୍ୟନେବା ଶିଖିଛୁ l


ସର୍ବୋପରି ଜେଜେଙ୍କ ନ୍ୟୁନତମ ଦରମାରେବି ସାରା ପରିବାରକୁ ସୁରୁଖୁରୁରେ ଚଳାଇ ନେବାର ମୋ ଜେଜେମା' ଙ୍କର ପାରଙ୍ଗମ ପଣିଆରତ ପଟାନ୍ତର ନଥିଲା l ଗାଁର ଘରେ ଘରେ ସୁଗୃହିଣୀଙ୍କ ମାନଙ୍କ ପାରଙ୍ଗମ ପଣିଆ ସବୁ ଦେଖିଲେ ମଣିଷ ମର୍ମାହତ ହୁଏ l 


ଗ୍ରୀଷ୍ମଛୁଟିରେ ଗାଁକୁ ଗଲେ ଆମ ବାପା ଆଗାମୀବର୍ଷ ପାଇଁ ପଢିବାକୁ କହନ୍ତି l ବଡ଼ପିଲାଙ୍କ ପାଖରୁ ବହିପତ୍ର ମଗାହୁଏ l ଅଙ୍କ ପଢାଇବା ବେଳେ ବାପାଙ୍କ ନାଲିଆଖି ଦେଖି ଦେହଥରିଯାଏ l ଭୟରେ ମନସାଙ୍କବି ସବୁ ଭୂଲଭାଲ ହୋଇଯାଏ l ଗାଁରେ ପଢିଥିବା ନନା, ଦଦେଇଙ୍କ ପିଲାମାନେ ମୁହେଁ ମୁହେଁ ଉତ୍ତର କହିଲା ବେଳେ ଆମେ ହିସାବ ପାଇଁ କାଗଜ କଲମ ଲୋଡୁ l ସେମାନେ ସହରୀ ପିଲାଙ୍କ ଅଜ୍ଞାନତା ଦେଖିହସନ୍ତି l ଜ୍ଞାନଗାରିମା ଗାଁ ବା ସହର ଦେଖେନି ବୋଧେ l ନହେଲେ ବାପା ନିଜେ ଗାଁ ଚାଟଶାଳୀରୁ ଆସି ସହରରେ ହୁଏତ ଚାକିରୀଟିଏ କରିନଥାନ୍ତେ l


ଜେଜେମା' ମୋତେ ବାପାଙ୍କ ମାଡ଼ ଡରରେ କାକୁସ୍ଥ ଦେଖି ମୁହେଁ ମୁହେଁ ହିସାବ କରି କାନରେ ବଡ଼ ବଡ଼ ହରଣ ଗୁଣନର ଉତ୍ତର ସବୁ ଆଗୁଆ କହି ଦିଅନ୍ତି l ମୁଁ ଖାଲି ମା'ଙ୍କ କଥା ଦୋହରାଇ ବଞ୍ଚିଯାଏ l ଭାବେ ମା' କେମିତି ଜାଣିଲେ? ନିଜ ଖାଲି ସମୟରେ ଚଷମା ଲଗାଇ ସେ ଶାସ୍ତ୍ର, ପୁରାଣ ତଥା ଆଧୁନିକ ଓଡ଼ିଆବହି ପଢିବାକୁ ଭଲପାଆନ୍ତି l ପରେ ଜାଣିବାକୁ ପାଇଲି ସେ ସମୟରେ ମୋ ଜେଜେମା' କାଳେ ଅଷ୍ଟମଯାଏ ପାଠ ପଢିଥିଲେ l ତାଙ୍କ ସବୁ ସାଙ୍ଗ ମାଇନର ପାସ କରି ବାହା ସାହା ହୋଇଯାଇଥିଲେ ବି ସେ ନିଜ ଭାଇମାନଙ୍କ ସହ ଆଗକୁ ପାଠପଢିବାକୁ ବାଛିଥିଲେ ଯେଉଁଥିପାଇଁ ଗର୍ବ ଲାଗେ ଆଉ ପ୍ରେରଣାବି ମିଳେ l 


ମାନେ ପଡୁଥିଲା ଗୋଟେ ବର୍ଷ ପଛପଟ ଛପର ଛାଉଣୀ ଭିତରୁ ବର୍ଷାପାଣି ଘର ଭିତରକୁ ପଶୁଥାଏ l ପଲସ୍ତରା ନ ମାରିଲେ ଅଗଣା ସନ୍ତସନ୍ତିଆ ହୋଇ ରହୁଛି l ଛଣ କଢ଼ାହୋଇ ଛାତପଡିବ l ଜେଜେ ଜାରକିନ ଖଣ୍ଡେ ଖଣ୍ଡେ ପକାଇ ସାମୟିକ ସମାଧାନ କରିଥାନ୍ତି l ସେମିତି ପିଇବାପାଣି ପାଇଁ ଭାରି ଅସୁବିଧା l ସମସ୍ତେ ମିଶି ନଈରୁ ପାଣି ଆଣିବାକୁ ସାହାଯ୍ୟ କରିବାକୁ ରାଜି l ହେଲେ ଜେଜେଙ୍କ କଡା ହୁକୁମ ଘରବୋହୁ ମାନେ ଦାଣ୍ଡପିଣ୍ଡାକୁ ଗୋଡ଼ କାଢ଼ିବେନି l ମା'ଙ୍କ ସେପଟେ ବୟସ ଅଧିକ ହେଲାଣି l ଏତେବାଟ ନଈ l ସେ ଗରା, ମାଠିଆ କାଖେଇ ଆଉ ଛୋଟା ଗୋଡ଼ରେ ଏତେ ବାଟରୁ ଥର ଥର କି ପାଣି ଆଣିବାକୁ ଯାଇ ପାରୁନାହାନ୍ତି l ଅଗଣାରେ ଟ୍ୟୁବୱେଲ ଖୋଳାହେବା ଯୋଜନା ଅଛି l ବଡ଼ବାପାଙ୍କ ମଝିଆ ଝିଅ ମିଲିନାନୀଙ୍କ ବାହାଘର ଆସୁଛି ଆଗକୁ l ସମ୍ବଲପୁରୀ ତିନିଟା ପାଟଶାଢ଼ୀ, ଜୋଡ ପାଇଁ ବରାଦ ଦିଆଯିବ l ଜେଜେଙ୍କ ଆଖି ଅପରେସନ l ସବୁ କଥା ବାପା ଆଉ କାକାଙ୍କ ଦରମା ଉପରେ ନିର୍ଭର l ବଡ଼ବାପାଙ୍କର ବାପା ଆଉ କାକାଙ୍କ ସହ ଜମି ଜମା ଆଉ ସମ୍ପତ୍ତିକୁ ନେଇ ବାଦ ବିବାଦ ପରେ ଯେମିତି ଆଡ଼ ହୋଇ ରହୁଥାନ୍ତି ସହରରେ l ବଡ଼ଚାକିରୀ କଲେବି ସେ ଯାହା ଘରପାଇଁ ପଠାନ୍ତି ତା କାଣି ଆଖିକୁ କଜଳ l ଜେଜେଙ୍କ ସ୍ୱାଭିମାନ ପାଇଁ ଜେଜେମା' କେବେ ବଡ଼ପୁଅ ପାଖକୁ ଯାଇ ନଥାନ୍ତି କି ହାତ ପାତି ନଥାନ୍ତି l ସେ ନିଜ ସ୍ତ୍ରୀ ପିଲା ଘର ସଂସାରରେ ବ୍ୟସ୍ତ l 


ହେଲେ ମୋ କାକୁ ଥିଲେ ମୋ ବାପାଙ୍କର ବଳ l ଭାରି ସ୍ନେହୀ ଆଉ ସରଳ ମୋ କାକା l ବାପାଙ୍କୁ ଭାଇ କମ ଆଉ ବାପ ପରି ସମ୍ନାନ କରନ୍ତି ସେ l ଅନେକ ସମସ୍ୟାର ସମାଧାନ ଥାଏ ତାଙ୍କପାଖରେ l ହେଲେ ମୁଁ ଦେଖୁଥାଏ ଏଥର କାକୁଙ୍କ ମନ ଖରାପ , ମୁହଁରେ ବଡ଼ ବଡ଼ ଦାଢ଼ି l ନିଜ ବଖରାରେ ଖାଲି ଅନ୍ଧାର କରି ରହୁଥାନ୍ତି ସେ l ଖାଇବା ପିଇବାରେ ମନ ନଥାଏ l ସେ ନିରବ ଥାନ୍ତି ବହୁତ ସମୟରେ l


ମୁଁ ଦିନେ ତାଙ୍କୁ ପାଣି ନେଇ ଦେଲି l ମୋ ମୁଣ୍ଡ ଆଉଁସି କହିଲେ,


"ମାଆରେ,ସବୁବେଳେ ମନେ ରଖିବୁ ପରିସ୍ଥିତି କେବେବି ସମାନ ରୁହେନି l କୌଣସି ପରିସ୍ଥିତିରେ ମନୋବଳ ହାରିବୁନି, ମନମରିଗଲେ ମଣିଷ ଭିତରୁ ହିଁ ମରିଯାଏ l ଦେହଟା ଖାଲିଯାହା ଦିଶେ ବଞ୍ଚିଲା ପରି l"


ମୁଁ ଅଷ୍ଟମରେ ପଢୁଥାଏ ସେତେବେଳେ l ବୁଝିଲା ନ ବୁଝିଲାର ମିଶ୍ରିତ ପ୍ରତିକ୍ରିୟାରେ ଜୁଳୁ ଜୁଳୁ କରି ଚାହିଁଲି, କାକାଙ୍କୁ l 


ବହିଟିଏ ମୋତେ ତାଙ୍କ ଟ୍ରଙ୍କରୁ କାଢି ଧରେଇ ଦେଲେ l ସେ ବହିରେ ଅନେକ ବଡ଼ ଲୋକଙ୍କ ଆତ୍ମକାହାଣୀରୁ କିଛି ଆଉ ଉପାଦେୟ ବାର୍ତ୍ତା l ସେଥିରେ କାକା ହସ୍ତାକ୍ଷର କରି ଲେଖିଦେଲେ,


 'ମୋତେ କିଛି କିଛି ବୁଝୁଥିବା ମୋ ଗେଲ୍ହାଝିଆରୀ ସିମୁନି ପାଇଁ l'


ମୁଁ ଆଜିବି ସେ ବହିକୁ ମୋ ଆଲମିରାରେ ରଖିଛି ଯତ୍ନରେ l 


କିଛିଦିନ ପରେ ଆମ ଘରେ କନ୍ଦାବୋବା l ଶୁଣିବାକୁ ମିଳିଲା

କାକୁ କୁଆଡେ ଦିନ ଦି ପହରେ ଗାଁମୁଣ୍ଡ ପୋଲ ତଳେ ବିଷ ପି' ଆତ୍ମହତ୍ୟା କରିଦେଇଛନ୍ତି l ସେ ବିଷୟରେ ଘରେକେହିକିଛି କୁହନ୍ତି ନାହିଁ l ମୋ କାନରେ କେବଳ ଏତିକି ପଡିଥାଏ ଯେ କାକୁଙ୍କର ଚାକିରୀରୁ ଛଟେଇ ହୋଇ ଯାଇଥାଏ l ଋଣ କରଜରେ ବୁଡିଥାନ୍ତି ସେ କୁଆଡେ l ସବୁ କଥାର ସମାଧାନ ଥିବା ଲୋକଟି ନିଜର ସମସ୍ୟାକୁ ସମସ୍ତଙ୍କଠୁଁ ଘୋଡେଇ ନିଜସହ ନେଇ ଚାଲିଗଲା l ତାଙ୍କ ଶେଷ ଦର୍ଶନ କଲାବେଳର ଅନୁଭୁତି କହିହେବନି l


ବଡବାପା ଶୁଣେଇ ଶୁଣେଇ କହୁଥାନ୍ତି, "ପଇସା ପତ୍ର ଅସୁବିଧା ଥିଲା ଯଦି ମୋତେ କହିଲାନି କାହିଁକି?"


କେହି ତାଙ୍କ କଥା ଶୁଣୁଥାନ୍ତି କି ନାହିଁ କେଜାଣି? ସମସ୍ତେ ଖୁଡିଙ୍କୁ ଶଙ୍ଖାଳୁଥାନ୍ତି l ଏ ଘଟଣା ପରେ ସେ ସ୍ଥାଣୁ ହୋଇରହିଯାଇଥାନ୍ତି l ବାତ୍ୟାରେ ମୋଡି ହୋଇ ପଡ଼ିଥିବା ନଡ଼ିଆଗଛ ପରି ତାଙ୍କ ଅବସ୍ଥା l ଆଉ ସଳଖି ଠିଆହେବା ତା' ପାଇଁ ସମ୍ଭବ କି ନାହିଁ ଜଣାନାହିଁ l 


କାକୁଙ୍କ ମୁଣ୍ଡ ଆଉଁସି ଜେଜେମା'କହିଲେ,


"ବାପାରେ, ତୁ ଏମିତି କାମ କାହିଁକି କଲୁ? ହଉ, କରିଦେଲୁ କରିଦେଲୁ, ଯେତିକି ଆୟୁଷ ଆଣି ହାତରେ ଆସିଛୁ ସେତିକି ଦିନ ଏ ମର୍ତ୍ତ୍ୟର ସୁଖଦୁଃଖ ଭୋଗିଲୁ l ଭଗବାନ ତୋ ଆତ୍ମାକୁ ଶାନ୍ତି ଦିଅନ୍ତୁ l"

ବାପା, ବଡ଼ବାପାଙ୍କୁ ଚାହିଁ କହିଲେ , 

"ସୂର୍ଯ୍ୟାସ୍ତ ପୂର୍ବରୁ କ୍ରିୟାକର୍ମ ସବୁ ସରିଯିବା ଦରକାର l"


ଖୁଡି ବାହୁନି ବାହୁନି କାନ୍ଦୁଥିଲେ l ଜେଜେମା' ତାଙ୍କୁ ସାହାରା ଦେଇଘର ଭିତରକୁ ନେଇଗଲେ l 


ମୁଁ ବୁଝିବାକୁ ବାକି ନଥିଲା ଯେ ତାଙ୍କ ଜୀବନରେ ଏତେ ଦୁଃଖ କଷ୍ଟ ଦେଖି ଦେଖି, ଜେଜେମା' ନିର୍ଲିପ୍ତତାର ଏମିତି ସ୍ତରକୁ ଚାଲିଯାଇଛନ୍ତି ଯେଉଁଠି ସୁଖ ଦୁଃଖ, ଜନ୍ମ ମୃତ୍ୟୁ, ହାର, ଜିତ ସବୁ ତାଙ୍କ ପାଇଁ ସମାନ l ସେଥିପାଇଁ ହୁଏତ ସେ ସବୁ ପରିସ୍ଥିତିରେ ଅବିଚଳିତ ଥା'ନ୍ତି l ପରିସ୍ଥିତିର ଦାସ ନହୋଇ ପରିସ୍ଥିତିକୁ ସାମ୍ନା କରିବାର ସାହସ ଜୁଟାଇ ପରିବାର ଅଦମ୍ୟ ସାହସ ମୁଁ ମୋ ଜୀବନ କାଳରେ କାହାଠୁ ଦେଖି ନଥିଲି l ଅଧାବୟସରେ ଲୋକ ଏ ଜଞ୍ଜାଳଭରା ସଂସାରବୋଝକୁ ବୋହି ନ ପାରି ତ୍ୟାଗର ପଳାୟନ ପନ୍ଥା ବାଛି ନେବାବେଳେ ମୋ ମା' ଛାତିକୁ ଟାଣକରି ପ୍ରଳୟଙ୍କାରୀ ବନ୍ୟା,ବାତ୍ୟାରେ ବି ସଂସାର ବୋଇତକୁବାହି ନେଉଥିବା ନୌକାଟିଏ ଯେମିତି l


ଏ ଘଟଣା ପରେ କେତେ ବର୍ଷା, ବୈଶାଖ, ବସନ୍ତ ଗଲାଣି l ଗାଁକୁ ଯାଇ ଆଗେ ଜେଜେମା'ଙ୍କ ଚରଣ ଛୁଇଁ ପ୍ରଣାମ କଲି l ସେ ଛାତ ଉପରେ ବସି ଖରା ପୁଆଁଉ ଥିଲେ l


ମୋତେ ଦେଖି କହିଲେ,


"ଆରେ ଆରେ ମୋ ନେଉଳି, ଏତେଦିନ ପରେ ତୁ ଗାଁକୁ ଆସିଲୁ l ମୁଁ କହୁଛି ଚାଳରେ ବସି କୁଆ ରାବୁଛି କାହିଁ ସକାଳୁ l ଆଜି ତୋ ଲାଗି ଖଡାଶାଗ, ବଡି ବେସର କରିବି l ତୋ ବାଟକୁ କେବେଠୁ ଚାହିଁ ବସିଛି ରେ ମାଆ l ତୋ ବାହାଘରଟା ଦେଖିଦେଇ ମୁଁ ଶାନ୍ତିରେ ମରି ପାରିବି "


ଛ' ଛ' ଟା ପିଲା ଆଉ ବାରଟି ନାତି ନାତୁଣୀଙ୍କ ସଂସାର l ଆଜିବି ଜଣ ଜଣଙ୍କ ପସନ୍ଦ ଅପସନ୍ଦ ମନେ ରଖିଛନ୍ତି ଜେଜେମା' l 

ତାଙ୍କୁ ନୂଆ ଚାଦର ଘୋଡେଇ ବହିଟିଏ ଦେଲି l ପଢୁ ପଢୁ ଆଖି ଲାଗି ଆସିଲା l ତାଙ୍କ ଗୋଡ଼ ଚିପିଦେଲି l ଆରାମ ଲାଗିଲା ବୋଧେ , ଖଟିଆରେ ଶୋଇ ପଡିଲେ l


ମୁଁ ସିଡ଼ି ତଳକୁ ଆସିଲା ବେଳେ ଦେଖିଲି କାନ୍ଥରେ ଟଙ୍ଗା ସୁନ୍ଦର ବୁଣାବୁଣି ହସ୍ତଶିଳ୍ପ , ଭାବିଲି ମୋ ଜେଜେମା ହାତର ନିଖୁଣ କାମ l ପିଲାଦିନେ ଏସବୁ ଦେଖିଥିଲି l 


ଶୁଣି ବିଶ୍ୱାସ ହେଲାନି, ଖୁଡି ଏସବୁ କରିଛନ୍ତି l ତାଙ୍କ ହାତରେ ମୋ ଜେଜେମା' ଙ୍କ ଛାପ l କାକା ଯିବାପରେ ଆଉ ସେ ଆଗପରି ଉଦାସୀନ ହୋଇ ବସି ରହନ୍ତିନି l ଏବେ ଜୀବନକୁ ସାଧାରଣ ଭାବେ ନେଲେଣି l କଥା କଥାକେ ସମସ୍ତଙ୍କ ସହ ହସ ଖୁସି ଆଉ ଘରକାମରେ ସାହାଯ୍ୟ ସହଯୋଗ କରି ସର୍ବଦା ଚଳଚଞ୍ଚଳ l l ତାଙ୍କୁ ପଚାରିଲି,


"କାକା ଯିବା ପରେ ଝିଅ ମିତାର ପାଠପଢାରେ କିଛି ଅସୁବିଧା ହୋଇନି

 ତ?"


ଖୁଡି କହିଲେ,

" ଆରେ ନା, ନା l ତୁମ ଜେଜେମା ଥାଉ ଥାଉ ଆମର କଣ ଅସୁବିଧା ହେବ? ଝିଅଟାର ସବୁ ଦାୟିତ୍ୱ ନେବା ସହ ଜେଜେମା' ସୁକନ୍ୟା ସମୃଦ୍ଧି ଯୋଜନା କରି ଜେଜେଙ୍କ ପେନସନ ପଇସାରୁ ତା' ପାଇଁ କିଛି କିଛି ସଞ୍ଚୁଛନ୍ତି l ଖାଲି ସେତିକି ନୁହେଁ, ବଡ଼ବାପା ବି ଏବେ ଅବସର ପ୍ରାପ୍ତ l ତାଙ୍କ ଝିଅ ବିନିର ଉଚ୍ଚଶିକ୍ଷା ପାଇଁବି ଜେଜେମା' ବନ୍ଧପାଖ ଉର୍ବରଜମି ବିକି ଦେଇଛନ୍ତି l"


ଜେଜେ କହିଥିଲେ, ବଡ଼ବାପାଙ୍କର ସ୍ୱାର୍ଥପର ନିତି ଆଉ ଗାଁଠୁଁ ଖାପଛଡା ରହିବାପାଇଁ ତାଙ୍କ ସହ ସମ୍ପର୍କ କାଟିବାକୁ l ନିଜ ପେନସନ ପଇସାର ଦମରେ ଚଳିବ ପଛେ ତାଙ୍କ ଆଗରେ ସ୍ୱାଭିମାନକୁ ଜଳାଞ୍ଜଳି ନ ଦେବାକୁ l ହେଲେ ମାତୃତ୍ତ୍ୱର ମହାନତା ଆଗରେ କଣ ଅଭିମାନ କଣ ସ୍ୱାଭିମାନ? ଏସବୁକୁ ପରିହାସ କରୁଥିବା ଦେଵୀଟିଏ ମୋ ଜେଜେମା' l


ଜୀବନର ପ୍ରତି ପର୍ଯ୍ୟାୟରେ ମୁଁ କେବଳ ଶିଖିଛି ତାଙ୍କଠୁଁ ଯାହା l ମୁଁ କାଲି ବିବାହ କରି ଘର ସଂସାର କରିବି l ଜୀବନର ସଂଘର୍ଷ ଆରମ୍ଭ କରିବା ପୂର୍ବରୁ ଜେଜେମାଙ୍କ ଆଶୀର୍ବାଦ ନେବାପାଇଁ ଚାଲି ଆସିଲି l

ଜେଜେମା କହିଲେ,


"ଜୀବନ ଏକ ତପସ୍ୟା l ଜିଁବାକୁ ଧର୍ଯ୍ୟ, କ୍ଷମା,ତ୍ୟାଗ, ସ୍ନେହ, ସମର୍ପଣ, ସହନଶୀଳତା ଆଦି ଦରକାର l ସର୍ବଗୁଣ ସମ୍ପନ୍ନା ହେଲେଯାଇ ଝିଅ ନାରୀଟିଏ ହୁଏ l ମହନୀୟତାରେ ପରିପୂର୍ଣ୍ଣା ହୁଏ l ନାରୀ ହେବା ସହଜ ନୁହେଁ l ଏ ତପସ୍ୟାରେ ଯଜ୍ଞାହୂତି ରୂପେ ସବୁକିଛି ଜଳାଞ୍ଜଳି ଦେବାକୁ ପଡେ l ପରବର୍ତ୍ତୀ ଜୀବନ ପାଇଁ ଅନେକ ଅନେକ ଆଶୀର୍ବାଦ "।


Rate this content
Log in

Similar oriya story from Drama