ପାଞ୍ଚଫୁଟିଆ ସ୍ତ୍ରୀଲୋକ
ପାଞ୍ଚଫୁଟିଆ ସ୍ତ୍ରୀଲୋକ
ନିତି ସଞ୍ଜହେଲେ ସେ ଗିଳିଦିଏ ତା' ଡର l ପେଟଲାଗି ନାଟ l କାମ ନକଲେ ତେଲ ଲୁଣ ଯୋଗାଡ଼ିବ କେଉଁଠୁ?
ସ୍ପୋର୍ଟସ ଟିଚର ପ୍ରବଳାମ୍ୟାଡ଼ାମଙ୍କୁ କହେ,
"ମ୍ୟାଡ଼ାମ ମୁଁ କେବଳ ଆପଣଙ୍କୁ କହିପାରେ ଯେ ମୁଁ ଡରୁଛି ବୋଲି l"
ବସ ଡ୍ରାଇଭର, ସିକ୍ୟୁରିଟି ଗାର୍ଡ, ମ୍ୟାନେଜର, ଫଳ ଦୋକାନୀ ଆଉ ଏ ସମାଜ l ମୋତେ ଏକ ଭଦ୍ରାମି ସମୟସୀମାରୁ ଅଧିକ ଯିଏବି ଚାହେଁ ଭିତରେ ଭିତରେ ସେ ଲୋକକୁ କାହିଁ ମୋତେ ଭୀଷଣ ଡରଲାଗେ l" ମନକଥା କହିଦେଇ ଶୁଖିଲା ତଳପଟଓଠରେ ଜିଭବୁଲେଇ ଓଦାକଲା ବୀଣା l
ସେ ବୁଝି ପାରୁ ନଥାଏ ଗରିବ ଘରେ ଝିଅହେଇ ଜନ୍ମହେବା ଏତେବଡ ଅପରାଧ କଣ ପାଇଁ? ଉଚ୍ଚବର୍ଗର ଝିଅମାନେ ଅଧା ଘୋଡାଇହୋଇ ରାତି ଅଧଯା' ବାହାରେ ରହିବା ଧରାଯାଏନି l
ହେଲେ ତା'ପରିକା ବସ୍ତି ସ୍ତ୍ରୀ ଲୋକଙ୍କୁହିଁ ଯାବତୀୟ କଟକଣା l
କ୍ୟାଣ୍ଟିନରେ ଚାହା ଅଧକ ରଖିଦେଇ ମ୍ୟାଡ଼ାମ କହୁଥିଲେ,
"ବୁଝି ପାରିଲିନି ବୀଣା ... କିଏ ତୁମ ପଛରେ ପଛରେ ଆସୁଛି? କିଏ କିଛି କ୍ଷତି କରିବ ବୋଲି ଅନୁମାନ କରୁଛ? କିନ୍ତୁ କଣପାଇଁ? ତୁମେ କଣ କରିଛ କାହାର? ମୋତେ ତ ତୁମ କଥା, ଭାବଭାଙ୍ଗି ସବୁଥିରୁ ଲାଗେ ତୁମେ ବଡ଼ ସାହସୀ ବୋଲି l"
"ସାହସୀ ଦେଖାଯିବା ଆଉ ହେବା ଭିତରେ ଆକାଶ ପାତାଳ ପାର୍ଥକ୍ୟ ମ୍ୟାଡ଼ାମ l ଗୋଟେ ବଳିଷ୍ଠ ଦିଶୁଥିବା ନାରୀ ଚାରିପଳ ହାଡୁଆ ଲୋକଟି ଆଗରେ ଚାରିକାନ୍ଥ ଭିତରେ କେତେ ଦୁର୍ବଳ ପଡ଼ିଯାଏ କାହିଁକି କୁହନ୍ତୁ? ଚାରି ପାଞ୍ଚଜଣ ମିଶିଗଲେ ସ୍ତ୍ରୀ କଣ ଏକୁଟିଆ ପୁରୁଷ ଲୋକ ଟିଏ ବି କଣ କରିପାରିବ?"
"ପାରିବାକୁ ଚାହିଁଲେ ପାରିବ l ସବୁକିଛି ମସ୍ତିସ୍କ ଭିତରେ ବୀଣା" ପ୍ରବଳା ମ୍ୟାଡ଼ାମ ଆଶ୍ୱାସନା ଦେଇ କହିଲେ l
ନିଜ ଭିତରେ ଥିବା କିଛି ଅବ୍ୟକ୍ତ କଥାର ଅଦୃଶ୍ୟ କାଗଜତକ ମୋଡି ମାଡି ଫୋପାଡ଼ି ଦେଲା ଠାଏ ଦୂର l କଣ କହିବ? ସେଦିନ ସ୍କୁଲକୁ ଆସିଲାବେଳେ ଡ୍ରାଇଭର ଗୋଟା ଗିଳିଗଲା ଆଖିରେ ଚାହୁଁଥିଲା ତା ଆଡ଼େ l ମ୍ୟାନେଜର ନାଁ, ଗାଁ ପଚାରୁଥିଲା, କହୁଥିଲା,
"ଆଉ ରବିବାରଦିନ କଣ କରୁଛୁକିଲୋ ବୀଣା? ଘରଆଡ଼େ ଆସୁନୁ?"
ସ୍କୁଲ ବନ୍ଦ ହେବାପରେ ସ୍କୁଲ କ୍ୟାଣ୍ଟିନ, କମୋଡ଼, ରୋଷଇ ଜାଗା ସଫା ସଫି, ଓଳା ପୋଛା ସବୁ ସାରି ଆସିଲା ବେଳକୁ ସଞ୍ଜ ନଇଁଆସେ l ଘରକୁ ଫେରି ହାଲିଆ ମାରିବ କଣ ବାପାକଥା, ବାଇଆଭାଇ କଥା ଆଉ ଦି ଭଉଣୀଙ୍କ ପାଠପଢା, କାଗଜ, କଲମ ଯୋଗାଡ଼ ସବୁ କଥା ବୁଝିବ? ଚବିଶ ବର୍ଷରୁ ବୁଢ଼ୀପରି ଦିଶିଲାଣି ମୁହଁ l
ସେଦିନ ସର ପଚାରୁଥିଲା ପିଲାମାନେ କଉ ଶ୍ରେଣୀରେ ପଢିଲେଣି ବୋଲି l ବାହାସାହା ହେଇନି, ପିଲା ପେଚରା ଆସିବେ କଉଠୁ, ଆକାଶରୁ? ନୂଆକରି ଚାକିରୀରେ ପଶିଚି l କେହି ଆଗରୁ ଜାଣିନାହାନ୍ତି ତାକୁ l ତା' ବୋଲି କଣ ଅନୁମାନଲଗେଇ ଜଣେ କହି ପାରିବନି ସେ ବାହା ହେଇଛି ନା ନାହିଁ! ମନେ ମନେ ବୀଣା ଖୁବ କ୍ଷୁବ୍ଧ ହେଲା ସର ଉପରେ l ତା ମୁହଁର ବିଶେଷତ୍ୱ କିଛି ଖାସ ନଥିଲେବି କେଜାଣି କାହିଁ ବୁଲୁ ,ଦିଲିପ, ହର ଆଉ ନଟିଆ ପରି କିଛିଲୋକ ଖାସ ଆଖି ବୁଲାନ୍ତି, ଘସି ଲେସି ହୋଇ ଚାଲି ଯାଆନ୍ତି କିପରି କେଜାଣି? ଘରେ ସ୍ତ୍ରୀ ଲୋକ ପ୍ରତି ସମ୍ମାନ ଥିଲେ ଏପରି କେହି କରନ୍ତେ?
ବିନା ଅନୁମତି ଆଖପାଖର ପବନବି ତାକୁ ଛୁଇଁ ଚାଲିଗଲେ ରାଗରେ ପାଚିଯାଏ ସେ l କଉ ଅଧିକାର ଭାବି ଏମାନେ ଏତେ ସାହସ କରିପାରନ୍ତି? ସବୁ ମଣିଷଙ୍କ ପରି ତାର ବି ଗୋଟେ ମନ ଅଛି l ନହେଲେ ସେ କଟକରେ ଟ୍ୟାକ୍ସି ଚଲାଉଥିବା ଲୋକ ପ୍ରସ୍ତାବରେ ରାଜି ନ ହୋଇ ତା ଗଳିରେ ତେଲୁଗୁ ଅଟୋଚାଳକ ରାଜୁକୁ କାହିଁ ଭଲପାଇ ବସିଲା? ସେ କେବେ ମୁହଁରେ ନ କହିଲେବି ସ୍ତ୍ରୀ ଟିଏ ପୁରୁଷର ବ୍ୟବହାରରୁ ପୀରତିର ବାସ୍ନା ବାରିଦିଏ l ତା ପାଇଁ ସାଜି ସୁଜି ହୁଏ l ସାଥିର ଓଠଚିପା ହସଭିତରେ ନିଜ ଆଭାସ ପାଇ ସେ ନିଜକୁ ଧନ୍ୟ ମଣେ l ଇପ୍ସିତ ପୁରୁଷର ହୃଦୟ ସ୍ପର୍ଶକରି ପାରିଲେ ସ୍ତ୍ରୀ ଜନ୍ମ ସାର୍ଥକ ହୁଏ l
ଵିଧିରେ କଣ ଅଛି କେଜାଣି? ହୁଏତ ଯାହା ପାଇଁ ଦଇବ ବାଛିଥାଏ ତା ଛଡା ଆଉ କଉଠି ମନ ନ ଲାଗିବା l ବେଶି ମୁଣ୍ଡ ଖେଳାଇବା ବନ୍ଦ କରେ ସେ ସେଥିପାଇଁ l ବନ୍ଦ ଗୁହାଳରେ ହରେକ ରକମ ଗଛ ପତ୍ର ଥିଲେ କଣ ହେବ? ଗାଈକୁ ଖୋଲା ପଡିଆର ଘାସଫୁଲ ହିଁ ଚରିବାରେ ଆନନ୍ଦ l ଏସବୁ ଭାଗ୍ୟର କଥା l
ସ୍ୱାର୍ଥପର ସମାଜରେ ନିଜ ସମ୍ମାନ ଖୋଜି ପାଏନି ବୀଣା l
କୁନି ଥଣ୍ଟରେ ଯଥା ସମ୍ଭବ ଖୁଦମଳୁଖ ସାରା ପରିବାର ପାଇଁ ଯୋଗାଡ଼ି ଏକ ଅସମ୍ଭବ ପାରିଲା ପଣରେ ବସା ବାହୁଡ଼ିବା ବେଳରେ ଅସହାୟ ବଣିଟାକୁ ଆକାଶଟାଭରି ଚିଲ ଶାଗୁଣା ଝାମ୍ପିବା ପାଇଁ ଟାକି ବସିଥାନ୍ତି l
ସେ ଦୋଷଦେବ ତ କାହାକୁ? ସେମାନଙ୍କ ପରି ବଡ଼ ଆଉ ବଳୁଆ ନ ହୋଇପାରିବା ପାଇଁ ନା ସ୍ତିରୀ ପୁରୁଷ ଭିତରେ ପାତର ଅନ୍ତର କରିଥିବା ପ୍ରକୃତିକୁ ? ନାରୀଟିଏ,କେତେ ଦୁର୍ବଳ ...
ସବୁ ଶୁଣି ସ୍ପୋର୍ଟ ଟିଚର ମୁଣ୍ଡ ଆଉଁସି କହିଲେ
"ବୀଣା, ସମ୍ନାନ ଖୋଜି ନ ପାଇଲେ ଦାବି କରିବାକୁ ହୁଏ l ପାରିବୁ ଯଦି ମୋତେ ତୁ କଥାଦେ, ମୋ ଠାରୁ ଟାଇକ୍ଵଣ୍ଡୋ ଟ୍ରେନିଂ ନେବୁ l ଖାଲି ତୋତେ ଦେବାକୁ ହେବ କାମପରେ ଦୁଇ ଘଣ୍ଟା ସମୟ l"
ଅଳ୍ପ ଦିନ କଥା l ମ୍ୟାଡ଼ାମଙ୍କ କଥାରେ ହଁ ଭରିଲା ବୀଣା l ତାକୁ ରୋଜ ଆସି ବସ୍ତି ଆଗ ତେଜରାତି ଦୋକାନ ପାଖେ ଛାଡିଦେଇ ଯାଆନ୍ତି ମ୍ୟାଡ଼ାମ l
ରାଜୁ ଅନେକ ଦିନ ହେଲା ଗଳିକୁ ଆସୁନି l
ତା ଷ୍ଟାଣ୍ଡକୁ ଯାଇ ଅଟୋଡାକି ବଜାର ଯିବ ବୋଲି ଦିନେ ରାଜୁକୁ ନିଜଆଡୁ ପଚାରିଲା l ସାଧାରଣତଃ ତାକୁ ଦେଖି ଖୁସିଟିଏ ଆଖିରେ ଆଖିରେ ଖେଳିଯାଏ ରାଜୁର l ସେ କିନ୍ତୁ ଅନ୍ୟ ଗରାଖ ବସେଇଲା l ଦେଖି ନ ଦେଖିଲା ପରି ହେଉଥାଏ ରାଜୁ l ବଡ଼ ଅବାସ୍ତବ!!
ବୀଣା ଭାବୁଥାଏ ତା ଦୋଷ କଣ? ଭିତରେ ଭିତରେ କାନ୍ଦି ପକାଇ ଥାଏ l କଣ ଏପରି ଅପରାଧ କଲା ବୁଝିବାକୁ ଜବରଦସ୍ତି ଗରାଖ ମାନଙ୍କୁ ଭଗାଇ ଧୁମ କରି ବସି ପଡିଲା ଅଟୋରେ l
ରାଜୁବି ଲୁଚେଇ ଗାମୁଛାରେ ଲୁହ ପୋଛିଲା l କହୁଥାଏ,
" ତୁ କଣ ଭାବୁଚୁ ବୀଣା, ମୁଁ କିଛି ଜାଣିନି? ବହୁତ ନାଟକ ହେଲା, ଏଥର ବନ୍ଦ କର ଅଭିନୟ l ଜାଣୁ, ତୁ ଅନ୍ୟ ଜଣଙ୍କୁ ସାଥି କରିବା ପରଠୁଁ ବସ୍ତି ଲୋକ କଥା ହେଉଛନ୍ତି l ସବୁବେଳେ ତା' ସହ ଜାକିହୋଇ ଆସୁଛୁ ବୋଲି l ତୋ ବଦନାମୀକୁ ନିଜ ବଦନାମୀ ଭାବି ମୁଁ ସିଧା ସିଧା କେବେ କଥା ହେଇନଥିଲି l ତୁ ଅନ୍ୟ ଏକ ଲୋକ ସହ ରାତିରେ ଫେରିବାକୁ ସାହସ କଲୁ ବୀଣା, କିଛି ଭାବିଲୁନି ନା ମୋତେ କେତେ କଷ୍ଟ ହେଉଥିବ?"
କିଛି କହିବା ଆଗରୁ ମ୍ୟାନେଜର ଆଉ ତାର ଗୁଣ୍ଡା ପାଞ୍ଚଜଣ ଅଟୋରୁ ଟଣା ଓଟରା କରିବାକୁ ଲାଗିଲେ ବୀଣାକୁ l
ବାପାକୁ ପକ୍ଷାଘାତ ପାଇଁ ଔଷଧ ଆଣି ନଦେଇ ପାରିବା, ବାଇଆ ଭାଇ ପାଇଁ ଚାକିରୀ ଆଉ ଭଉଣୀ ମାନଙ୍କ ଲାଗି ଟିଉସନ ବ୍ୟବସ୍ଥା ନ କରି ପରିବାର ଅକର୍ମଣ୍ୟ ପଣିଆ ଭିତରେ କେତେ ନକରାତ୍ମକତା ବୁଦ ବୁଦ କରି ଅନ୍ତରରେ ଫୁଟୁଥାଏ l ତା'ଉପରେ ନିଜର କରିଥିବା ଲୋକଟିର ଲୁହ ଅସହ୍ୟ ହେଉଥାଏ ବୀଣା ପାଇଁ l ଦେହ ବାମ୍ଫେଇ ଗଲାବୀଣାର l
ଅଣ୍ଟାରେ ଦୁପଟ୍ଟା ଭିଡି ଗୋଟା ଗୋଟାଙ୍କୁ ଘୁଷା ମୁଥି ମାରି ରାସ୍ତାରେ ସେଦିନ ଗଡେଇଲା ବୀଣା l ଆଁ ଟା କରି ରାଜୁ ଠିଆ ହୋଇଥାଏ l ଦେଖୁଥାଏ ତା କୋମଳମତି ପ୍ରେମିକାଟିର ଅସଲି ରୂପ l ବାସୁଳି ଲାଗିଲା ପ୍ରାୟ ସେ ଦିଶୁଥାଏ l ଆଖି ଅବିଶ୍ୱାସରେ ବଡ଼ ବଡ଼ କରି ପକାଇଲା ରାଜୁ l
ବୀଣା ହସୁଥାଏ l ଛୋଟଚୁଟି ଏବଂ ପୋଷାକ ପରିଧାନରୁ ସ୍ପୋର୍ଟସ ଟିଚରଙ୍କୁ ତା' ନୂଆ ବଏଫ୍ରେଣ୍ଡ ଭାବି ରାଜୁର ଇର୍ଷା ପରାୟଣ ହେବା ସହ ସେଦିନ ଅନ୍ୟାୟ ଉପରେ ବିଜୟର ମିଶା ମିଶି ହସ l ଅଲୌକିକ ଆଭାରେ ସେ ହୋଇ ଉଠିଥାଏ ଉଦ୍ଭାସିତା l
ରାଜୁକୁ ଲାଗୁଥାଏ ବୀଣା ଶକ୍ତିଙ୍କ ପ୍ରତ୍ୟକ୍ଷ ଅବତାର l ବାଟ ଅବାଟ ନ ଦେଖି, ମ୍ୟାନେଜର ସହ ତା ଭଡାଟିଆ ଗୁଣ୍ଡାମାନେ ପାପୀ ହୋଇ ସୁଧା ପ୍ରାଣ ଫେରି ପାଇ ଥାନ୍ତି କେବଳ ନାରୀର କ୍ଷମାଶୀଳ ନିତି ଯୋଗୁଁ l
ରାଜୁ ଦେଖୁଥାଏ ଦୁନିଆ କେତେ ସୁନ୍ଦର ସେ ପାଞ୍ଚ ଫୁଟିଆ ସ୍ତ୍ରୀ ଲୋକଟା ପାଇଁ l