Gargi Mishra

Drama Romance Inspirational

4  

Gargi Mishra

Drama Romance Inspirational

ପେନ-ପାଲ୍

ପେନ-ପାଲ୍

5 mins
10



ପାଞ୍ଚବର୍ଷର ସମ୍ପର୍କ ଅଧ୍ୟାପିକା ଡକ୍ଟର ସୁଷମା ଦାଶଙ୍କର ପ୍ରଶାସନିକ ଅଧିକାରୀ ବିଶ୍ୱଜିତ ମହାନ୍ତିଙ୍କ ସହିତ l ହେଲେ ପ୍ରତ୍ୟକ୍ଷରେ କେବେବି ଦେଖା ହୋଇନାହାନ୍ତି ଦୁହେଁ ଦୁହିଁଙ୍କର l କେବଳ ଯାହା ଚିଠିପତ୍ରରେ କଥା l ସୁଷମାଙ୍କ ଦୁଇପୁଅ ବୋହୁଓ ପିଲାମାନଙ୍କୁ ନେଇ ଆମେରିକାରେ ସ୍ଥାୟୀନାଗରିକ ଭାବେ ରହୁଥିବାବେଳେ କଦବା କ୍ଵଚିତ ଘରକୁ ଆସନ୍ତି ଯାହା l ସ୍ୱାମୀଙ୍କ ଦେହାନ୍ତ ପରେ ସୁଷମା ନିଜ ଡୁପ୍ଲେକ୍ସରେ ଏକା ଏକା ନୈରାଶ୍ୟମୟ ଜୀବନଟିଏ ଅତିବାହିତ କରୁଥାନ୍ତି l ଅବସର ପରେ ହାତରେ ସମୟ ହିଁ ସମୟ l


ବିଶ୍ୱଜିତବାବୁ ମଧ୍ୟ ମନପସନ୍ଦ ସାଥିଟିଏ ନ ପାଇବା ଯୋଗୁଁ ଆଜୀବନ ଅବିବାହିତ ରହିବାର ସିଦ୍ଧାନ୍ତ ନେଇ ନିଜ ଘରେ ସମ୍ପୂର୍ଣଭାବେ ଏକୁଟିଆ l ସାଥିହୀନ ବାର୍ଦ୍ଧକ୍ୟ ଜୀବନ ଖୁବ ଭୟଙ୍କର l 


ଦିନେ ନିଜ ବାଲ୍ୟବନ୍ଧୁଙ୍କ ଠିକଣା ଭାବି ଅନେକ ଦୂରରୁ ଭୂଲ ବଶତଃ ଚିଠିଟିଏ ପଠାଇ ଦେଇଥିଲେ ବିଶ୍ୱବାବୁ ସୁଷମାଙ୍କ ଘରକୁ l ସୁଷମା ବଗିଚାରେ ବୁଲି ଗଛରେ ପାଣି ଦେଲାବେଳେ ବେଳେ ଡାକପିଅନ ଆସି ଦେଇଗଲା ତାଙ୍କୁ ଚିଠି l

ସୁଷମା ମନେମନେ ଭାବିଲେ ଆଜିକାଲି ଯୁଗରେ ଚିଠି? ଗ୍ରାହକଙ୍କ ଠିକଣା ଠିକଅଛି ହେଲେବି ନାଁ ଦେଖି ଜାଣିଲେ ଆଉ କାହା ଉଦ୍ଦେଶ୍ୟରେ ପଠାଯାଇଛି l


 ପ୍ରଥମେ ତ ଅଜଣା ଲୋକର ଚିଠିପାଇ ଖୋଲିବାକୁ ଠିକ ଭାବିଲେନି l ଏକ ସଂକ୍ଷିପ୍ତ ଟିପ୍ପଣୀ ସହ ପ୍ରେରକଙ୍କ ଠିକଣାରେ ପୁଣି ଫେରାଇ ଦେଇଥାନ୍ତି ସୁଷମା ଚିଠିଟିକୁ l ହେଲେ କିଛିଦିନ ପରେ ପୁଣି ଫୁଲତୋଡ଼ା ସହ କୃତଜ୍ଞତାଭରା ଅନ୍ୟଏକ ଚିଠି ପାଇ ସୁଷମା ଯେତିକି ଆଶ୍ଚର୍ଯ୍ୟ ହୋଇଥାନ୍ତି, ସେତିକି ଖୁସି ମଧ୍ୟ l


ସେବେଠୁ ଚିଠିରେ ଚିଠିରେ ଉତ୍ତର ଦିଆନିଆ l ବିଶ୍ୱଜିତ କୁଆଡେ ନିଜ ସାଙ୍ଗ ତ୍ରିଲୋଚନ ବାବୁଙ୍କ ଲାଗି ସେ ଚିଠି ପଠାଇ ଥିଲେ ବୋଲି ମାନନ୍ତି l ଆଜିକାଲି ଯୁଗରେ ବୟସ୍କ ଲୋକ ଇଣ୍ଟେର୍ନେଟ ବିଷୟରେ ଅନଭିଜ୍ଞ l ବନ୍ଧୁପାଇଁ ହାତଲେଖା ଚିଠି ଭିତରେ ସ୍ନେହକିଛି ରଖି ପଠାଇ ଦେଇଥିଲେ ଡାକରେ l ହେଲେ ବନ୍ଧୁ ଜାଗାରେ ମିଳିଗଲେ ଜଣେ ବାନ୍ଧବୀ l ବୟସର ସାୟଂକାଳ l ସ୍ମଶାନ ଆଉ ବେଶି ବାଟନୁହେଁ l ବିଶ୍ୱାସ ନ ହେଲେବି ସୂକ୍ଷ୍ମ ସମ୍ପର୍କଟିଏ ଗଢିଉଠିଥାଏ ଦୁହିଁଙ୍କ ଭିତରେ l ଵିଧି ନିର୍ଦ୍ଧିଷ୍ଟ କିଛି ସମ୍ପର୍କର ଆରମ୍ଭ ଆଉ ଶେଷ ମଣିଷର ବୁଝିବାଶକ୍ତି ବାହାରେ l 


 ସମୟର ଅଙ୍କାବଙ୍କା ଗଳିଦେଇ ପାଞ୍ଚବର୍ଷ ଅତିକ୍ରାନ୍ତ l ଏ ଭିତରେ ଅନେକଥର ପିଲାମାନଙ୍କ ହତାଦର ପାଇଁ ମନ ନିଦାଘଜ୍ୱାଳାରେ କୁହୁଳିଛି ତ ଅନେକ ଶୀତ ସକାଳ ଯାଇ ଅପରାହ୍ନରେ କୁହୁଡି ଛାଡିବା ପରି, ସ୍ୱାର୍ଥସିଦ୍ଧି ପରେ ତଥାକଥିତ ସମ୍ପର୍କୀୟ ସବୁ ଅନ୍ତର୍ଧ୍ୟାନ ହୋଇଛନ୍ତି l ସତରଞ୍ଜର ବାଜି ପରେ ବାଜି ସରିଗଲା ପରେ ବଳିଯାଆନ୍ତି କେବଳ କ୍ଳାନ୍ତ ଖେଳାଳୀ ଦୁଇଟି l ହାର,ଜିତ,ମିଛ,ମାୟାର ଦୁନିଆରେ ଆଗକୁ ପାଦରେ ପାଦ ମିଶାଇ ବଢ଼ିଚାଲିବା ପାଇଁ ପ୍ରେରଣା ଦେବାକୁ ସାଥିଟିଏ ଥିଲେ ବୋଧହୁଏ ଦୁଃଖକାହାଣୀ ସବୁ ମନରୁ ଆପଣାଛାଏଁ ପାଶୋରି ହୋଇଯାଆନ୍ତି l ପ୍ରତିଯୋଗିତାପୂର୍ଣ୍ଣ ଦୁନିଆ l ଆକାଶର ନୀଳିମାକୁ ବୋଳିହେବା ଆଗରୁ ଯାହାକୁ ଦେଖ ଅନ୍ୟର ଗୁଡ଼ିକୁ ଧରାଶାୟୀ କରିବାରେ ଲିପ୍ତ l ହେଲେ ଅଜଣା ଆନନ୍ଦରେ ମନ ପୁରିଉଠିଲେ ହାରିବାର ଭୟ ଆଉ କଉଠି?


ମାର୍କେଟ କମ୍ପ୍ଲେକ୍ସ ଅପୋଜିଟରେ ଥିବା କଫିଶପରେ ଶେଷରେ ଦେଖାସାକ୍ଷାତ ହେବାକୁ କଥାହେଇଛନ୍ତି ଦୁହେଁ l ସମୟରୁ କିଛି ଦୁଃଖ ଫେଡ଼ିଦେଲେ ହୁଏତ କେବଳ ଫଗୁଣ ରହିଯାଏ ହୃଦୟରେ l ସେମିତି ଅନେକ ନିରବତା,ନିରାଶା ଓ ନିଃସଙ୍ଗତା ପରେ ଆସୁଛି ଖୁସିର ଫଗୁଣ l ହାରିଯାଇଥିବା ପରି ମନେହେଉଥିବା ଜୀବନରେ ତରଙ୍ଗ ଖେଳାଇ କ୍ଵଚିତ ଜିତିବା ଆସେ l

ପୁରୁଣା କଥା ଭାବି ଭାବି ଛଳଛଳ ମନ l ନୂଆ ପ୍ରେମିକାର ଉତ୍କଣ୍ଠାରେ ଦୁଆର ଆଡ଼େ ଚାହିଁ ବସିଥିଲେ ସୁଷମାଦେବୀ l ଗୋଲାପୀ ସୁପରନେଟ ଶାଢ଼ୀ ଆଉ ତା ସହ ଇଶତ ନୀଳ ସ୍ଲିଭଲେସ ବ୍ଲାଉଜରେ ବେଶ ରୁଚିସମ୍ପନ୍ନା ଏବଂ ମନମୁଗ୍ଧକର ଲାଗୁଥିଲେ ସେ l ତାଙ୍କ ବୟସକୁ ନେଇ ସରଳ ପରିଧାନ ଓ ପ୍ରସାଧନ ତାଙ୍କୁ ଆହୁରି ସମ୍ମାନଯୋଗ୍ୟା କରୁଥିଲା l ସାମାନ୍ୟ ଖଟଖଟ ଶବ୍ଦ ହେଲେ ପଛକୁ ଫେରି ଚାହୁଁଥିଲେ କାଚକବାଟ ଆଡ଼େ l 

ଆନନ୍ଦର କୌଣସି ସଂଜ୍ଞା କି ଠିକଣା ନଥାଏ l ମାଞ୍ଜାସୁତା ବିଶ୍ୱାସଘାତକତା କଲେ ମଧ୍ୟ ରଚକାଏ ପବନ କେଉଁଠୁ ଆସି ଗୁଡ଼ିଟିକୁ ମାଟିଉପରେ ପଡ଼ିବା ପୂର୍ବରୁ ମନଭରି ଆକାଶ ଛାତିରେ ଖେଳିବାର ପ୍ରବଳ ଇଚ୍ଛାକୁ ବାସ୍ତବତାର ରୂପ ଦେଇଦିଏ l ଭଗବାନ ଦୁଃଖୀ ଲୋକଙ୍କ ସହାୟତା ପାଇଁ ନିଶ୍ଚିତ ଭାବେ କାହାନା କାହାକୁ ମାଧ୍ୟମ କରି ପଠାନ୍ତି l

           ସୁଷମାଙ୍କ ଜୀବନରେ ଆଶ୍ୱାସନାର ଏକ ପାହାଡ଼ ପରି ଦୃଢସଂକଳ୍ପ ନେଇ ଆସିଥାନ୍ତି ଯେପରି ବିଶ୍ୱଜିତ ବାବୁ l ଅତଏବ ସର୍ତ୍ତହୀନ ବନ୍ଧୁତା ଭିତରେ ଦୁହିଁଙ୍କ ଭିତରେ ସମ୍ପର୍କ ଏତେ ଘନିଷ୍ଠ କେବେ ହେଲା ଜାଣି ହେଉନଥାଏ l 


ସେ କେମିତି ଦିଶୁଥିବେ? ଫିକାନୀଳରଙ୍ଗର ସାର୍ଟପିନ୍ଧି ସେ ବୟସକୁ ବେଖାତିର କରୁଥିବେ ନା ? ପୂର୍ଵରୁ ଥରେ ମାତ୍ର ପଠେଇଥିବା ଫୋଟୋ ପରି ଚଉଡା ମଥା,ଡେଙ୍ଗା ଗୋରା ଗଢଣ, ଉନ୍ନତ ନାସା,ବଳିଷ୍ଠ ଚେହେରା ସହ ଗନ୍ଧର୍ବ ପରି ସୁନ୍ଦର ହୋଇଥିବେ ନା ସମୟ ଆଗେଇବା ସହ ଆହୁରି ତେଜୀୟାନ, ପରିପକ୍ୱ ଓ ବୁଦ୍ଧିଦୀପ୍ତ ଦିଶୁଥିବେ? କେଜାଣି ମା' ଙ୍କ ପରି ଚେହେରା ଅଣିଥିବେ ଅବା ବାପାଙ୍କ ପରି କି ମା ଓ ବାପାଙ୍କ ମିଶା ମିଶି? କଫିରେ ଚିନି ନେଉଥିବେ କି ମଧୁମେହ ରୋଗଥିବ ?


କଫିଶପ କାହିଁକି, ସେ ଆସିଲେ ଅଡ଼ି ବସିବେକି ଘରକୁ ଡାକି ଅନ୍ତତଃ ଥରେ ବୁଲେଇ ଆଣିବେ l ତାଙ୍କ ସ୍ୱାଗତ ସତ୍କାର ଟିକେ ଠିକସେ ତ କରିହେବ!!! କେଜାଣି ଆଉ ଜୀବନ ଥିଲା ଭିତରେ ଦେଖା କରିହେବ କି ନାହିଁ? ଘରେ ପ୍ରନ୍ସ ବିରିଆନି କରି ରଖିଛନ୍ତି l ଖାଇବା ପରେ ଗୁଲକନ୍ଦ ଦିଆ ମିଠାପାନ ବି ଫ୍ରିଜରେ l ଥଣ୍ଡା ଥଣ୍ଡା ଖାଇବାକୁ ଖୁବ ଭଲ ଲାଗିବ l ଓଃ!! କେତେ ଅଶାନ୍ତ ଏ ମନଟା!! 

ଆକାଶ ମନ ଖୋଲି ବାରି ସିଞ୍ଚିଦେଲେ ଭୂଇଁ ଉପରେ ଉପରେ କେବଳ ସ୍ଥିର ଦେଖାଯାଏ ସିନା, ତା ଶିରାପ୍ରଶିରା ଧମନୀ ଗୁଡିକରେ ନଦୀ, ଝରଣାର ସ୍ରୋତ ପ୍ରଖର ହୋଇଉଠେ l ମନ ଅକ୍ତିଆରରେ ନ ରହିଲେ ପାଦ ଚଳଚଞ୍ଚଳ ହୋଇଉଠେ l ଅସ୍ଥିରତା ଗୋଟାପଣେ କାବୁ କରିନିଏ l ବସିବା ଜାଗାରୁ ପଚାଶଥର ଉଠି ଏପଟ ସେପଟ ହେଉଥିଲେ ସୁଷମା l ହାତଘଣ୍ଟାରେ କଣ୍ଟା ଯେତେଥର ଦେଖିଲେ ଘୁଞ୍ଚୁ ନଥାଏ l ଉଣ୍ଡିଚାହୁଁଥାନ୍ତି ବାହାରକୁ ନିର୍ବୋଧ ଶିଶୁଟିଏ ମ୍ୟାଜିକ ଦେଖିବାକୁ ଆପେକ୍ଷା କଲାପରି l କଳ୍ପନା ଆଉ ବାସ୍ତବତାର ମେଘ ସନ୍ଧିରେ ଉନ୍ମାଦନାର ତଡିତଟିଏ ବିସ୍ତରିଯାଏ ପ୍ରାଣରେ l ଦୁଷ୍ଟଝିଅ ପରି ଅୟୁତେ ଭାବ ମନ ଅଗଣାରେ ଠିଆ ପୁଚି ଖେଳନ୍ତି ଖିଲ ଖିଲ ହୋଇ I ଯେତେ ଦୂରରେ ଥିଲେବି ଆଜି ସ୍ବପ୍ନ ପ୍ରତ୍ୟକ୍ଷ ରୂପ ନେବାକୁ ଯାଉଛି ଯେତେବେଳେ ଗୋଡ଼ ଆଉ ତଳେ ଲାଗିବା ସମ୍ଭବ ହୁଅନ୍ତା କିପରି?

"ବନ୍ଧୁ...?? ଜାଣି ପାରୁଛ?"

ପଛରୁ କିଏ କାନ୍ଧଉପରେ ହାତରଖି ଡାକିଦେଲେ l ସୁଷମା ମୁହଁ ବୁଲେଇ ଦେଖିଲେ ସମାନ ଫୋଟୋ ପରି ଚେହେରାର ଲୋକଟି ରକ୍ତ ମାଂସରେ ଉଭା l ଅସ୍ତଗାମୀ ସୂର୍ଯ୍ୟ ପଶ୍ଚିମ ଆକାଶରେ ଲାଳୀମା ବୋଳିଲା ପରି ଦୁହିଁଙ୍କ ମୁହଁରେ ସାରାଗ ବୋଳିହୋଇ ଚାରିଆଡ଼ ସଞ୍ଚରି ଯାଇଥାଏ l 


ହାବଭାବରୁ ପ୍ରତିକ୍ଷୀତ ଅତିଥି ପହଞ୍ଚି ଯାଇଥିବାର ଅନୁମାନ କରି ବୁକ ହୋଇଥିବା ଟେବଲଆଡ଼େ ୱେଟର ଯାଇ ପାଛୋଟି ଆଣିଥାଏ l ଛୁଇଁ ହେବା ପରି ଦୂରତାରେ ଆଜି ସ୍ବପ୍ନ l ବାଚାଳ ପରି ଗପି ଆସୁଥିବା ବନ୍ଧୁ ଦୁହିଁଙ୍କ ପାଖରେ ଭାଷାନଥାଏ ବ୍ୟାକୁଳତାକୁ ବ୍ୟକ୍ତ କରିବାକୁ l ମନ ପୁରିଗଲେ ଶୋଷ ମେଣ୍ଟିଯାଏ l କଫି ପି'ବାକୁ ଇଚ୍ଛା ମରିଯାଇଥିଲା l ଟିପ୍ ସହ ସେମିତି ପଡି ରହିଥିଲା ପଛରେ କଫିକପ ଯୋଡ଼େ l ହାତରେ ହାତ ଧରି ବାହାରକୁ ବାହାରି ଆସିଲେ ଦୁହେଁ l

 ପେନ୍ଥା ପେନ୍ଥା ଚମ୍ପା,ହେନା, ବଉଳର ବାସ୍ନା ବାୟୁମଣ୍ଡଳରେ l ଅଦୂରରେ କେଉଁଠି ଗୀତ ଗାଉଥାଏ କୋଇଲି l କାଗଜ -କଲମର ଦୁନିଆ ବାହାରେ କେଡ଼େ ସୁନ୍ଦର ଏ ଧରା l ସବୁକିଛି ପୁଣିଥରେ ସତେଜ, ପୁଣିଥରେ ସୁନ୍ଦର ଦେଖାଯିବା ପଛରେ ମନୁଷ୍ୟର ଦୃଷ୍ଟିକୋଣ ହିଁ ହୁଏତ ଦାୟି l 

ସମୟ ବଡ଼ ବଳୁଆ l ସମୟର ଇସାରାରେ ସଂସାର ରୂପ ବଦଳାଇଦିଏ l ହେଲେ ସତ୍ୟ ସାମ୍ନାରେ ସମୟବି ଦୁର୍ବଳ ପଡିଯାଏ l ଏତେବର୍ଷ ପରେ ହାତ ପାନ୍ତାରେ ଜନ୍ମ ଜନ୍ମର ସତ ସମ୍ପର୍କ l ମନଭରି ଦେଖିନେବାକୁ ଭାବିବା ବେଳକୁ ବେଳ ବୁଡିଆସିଲାଣି l ଚାରିଆଡେ ଘନଅନ୍ଧାରର ଆସ୍ତରଣ ଛାଇ ଯାଇଥାଏ l 

ସୁଷମାଙ୍କ ଆଖିରେ ଉଦାସୀନତା ଛଳ ଛଳ ହୋଇ ଉଠିଲା l କହିଲେ, 


"ବିଦାୟ ନେବା ସମୟତ ଅତିକ୍ରାନ୍ତ ହୋଇ ସାରିଲାଣି l ଏଥର ଆମେ କୁଆଡେ ଯିବା?"

ଷ୍ଟ୍ରିଟଲାଇଟ ତଳେ ତାଙ୍କ ଶିରାଳ ଦୁଇ ହାତକୁ ଦୁଇ ମୁଠାରେ ଜାବୁଡି ଧରି ବିଶ୍ୱଜିତବାବୁ କହିଲେ,

"ସୁଷମା, ତୁମେ ମୋତେ ବିବାହ କରିବ? ଏବେ, ଏହିକ୍ଷଣି ? ଆମେ ସାରାଜୀବନ ଏମିତି ପାଦରେ ପାଦମିଶାଇ ଚାଲନ୍ତେ l ସଙ୍କୋଚ ନ କରି କୁହନା, ତୁମ ହୃଦୟ କଣ କହୁଛି ?"

ମନ ଏକ ହେଲେ ଭୟ ରହେନା ବୋଧହୁଏ l ନା କୃତଘ୍ନ ପିଲାମାନଙ୍କ ପାଇଁ ଚିନ୍ତା ନା ନିର୍ଦୟ ସମାଜକୁ ଭୟ l ସୁଷମାଙ୍କୁ ଲାଗୁଥିଲା ବାକିବୁକୁରା ଜୀବନରେ ସାହାରାଟିଏ ମିଳିଯାଇଛି ଯେତେବେଳେ ମନାକରିବାର ଅବକାଶ ନାହିଁ l ଦୁନିଆ ଦେଖୁଥାଏ, ପରିଣତ ବୟସରେ ଦୁଇ ପେନ ପାଲ୍ ମିଶି ମ୍ୟାରେଜ ରେଜିଷ୍ଟ୍ରେସନ ଅଫିସରେ କଲମ ମୁନରେ ସଦ୍ୟକାହାଣୀଟିଏ ରଚିବାର l


Rate this content
Log in

Similar oriya story from Drama