Gargi Mishra

Drama Romance Inspirational

3  

Gargi Mishra

Drama Romance Inspirational

ସୁନାସମ୍ପର୍କ

ସୁନାସମ୍ପର୍କ

5 mins
17


 

                       

ଯେଉଁ କଥାକୁ ଡର ଥିଲା ଠିକ ତାହାହିଁ ହେଲା l ସ୍ନେହା ଘରକୁ ଫେରିବେନି ବୋଲି କହି ଚାଲିଗଲେ l ତା ପରଠୁଁ ନା ଫୋନଫାନ ନା କୌଣସି ପ୍ରକାର କଥାବାର୍ତ୍ତା l 


ଧୀରେ ଧୀରେ ସମୟ ବ୍ୟବଧାନ ବଢିଲା ପରେ ଘରେ ସମସ୍ତେ ସନ୍ଦେହ ଜନକ ଦୃଷ୍ଟିରେ ଦେଖିଲେ l ପଚରା ପଚରି କଲେ l ମନୋଜ ବାବୁଙ୍କ ବୋଉ ସକାଳୁ ଫୋନ କରି ଦିନେ ପଚାରିଲେ, 


" ତୁ ଖିଆପିଆ ଠିକ କରୁଛୁ କି ନାହିଁ? ବୋହୁର କଣ ହୋଇଛି? ତୋ ପାଖକୁ ଫେରିବାକୁ ଏତେ ବିଳମ୍ବ କଣପାଇଁ? ତାକୁ ଫୋନକଲେ ନା କିଛି ସେ କହୁଛି ନା ତୁ...କଥା କଣ ?"


ମନୋଜ କହିଲେ,


" ଅଯଥାରେ ଆମପାଇଁ କେହି ବ୍ୟସ୍ତ ହେବା ଦରକାର ନାହିଁ ବୋଉ l ଶ୍ୱଶୁରଙ୍କ ଦେହଖରାପ l ପୁଅ ଦୁବାଇ ଚାଲିଗଲା ପରେ ତାଙ୍କୁ ଟିକେ ଏକୁଟିଆ ଲାଗୁଛି l ସେ ସମ୍ପୂର୍ଣ ସୁସ୍ଥ ହୋଇଗଲେ ମୁଁ ନିଜେ ଯାଇ ସ୍ନେହାକୁ ନେଇ ଆସିବି l"


ପିଲାବେଳୁ ସତ ଘୋଡାଇବାରେ ଧୁରନ୍ଧର ମନୋଜ l ବୋଉ ସତ ଜାଣି ସ୍ନେହାକୁ ହଇରାଣ ନ କରିବାକୁ ଫୋନ ରଖିଦେଲେ l 

 


ମେଘୁଆ ପାଗରେ ଚାରିଆଡ ଭାରି ଅନ୍ଧାରିଆ ଲାଗୁଥାଏ l ପୂର୍ବଆକାଶରୁ ଯେପରି ସୂର୍ଯ୍ୟଙ୍କର କରୁଣ ରାଗ ପଶ୍ଚିମପାହାଡ଼ ଦେହରେ ବାଜି ଜଗତ ସାରା ପ୍ରତିଧ୍ୱନିତ ହେଉଥାଏ l କଳାହାଣ୍ଡିଆ ମେଘ ଯେତେ ଘନ ହେଲେ କଣ ହେବ? ସୂରୁଜକୁ ବେଶି ସମୟ ଢାଙ୍କିବା ତା' ପକ୍ଷେ ସମ୍ଭବ ହୁଏନି l ଯେତେ ଘୋଡାଇଲେ ସତକଥାତ ଦିନେ ନା ଦିନେ ଧରାପଡ଼ିବା ଥୟ l କେତେ ଆଉ ସତଠୁ ଦୁରକୁ ଧାଇଁବେ?

ଘରସଫା କରୁ କରୁ ଅଚାନକ ଫୋପାଡ଼ି ଦେଲେ ଝାଡୁଟାକୁ ଖଣ୍ଡେ ଦୂର l ମନେ ମନେ କହିଲେ,


"ବାସ ବହୁତ ହେଲା ସ୍ନେହା, ଆଉ ରହି ପାରୁନି ତୁମ ବିନା l ମୋ ପାଖକୁ ଫେରି ଆସନା!"


ପାଦେଲେଖା ପାଣିର ସରୁ ନଈଟିଏ ଏ ଗାଁ ଆଉ ସେ ଗାଁ ଭିତରେ l ଦିନେ ବନ୍ୟାଟିଏ ହୋଇ ଦୁଇକୁଳଖାଏ, ଅତଡ଼ା ଖସେ l ଉଭୟ ଗାଁ ଭସାଇଦିଏ l ଅଭିମାନ ଠିକ ସେମିତି l ଦାମ୍ପତ୍ୟ ଜୀବନରେ ଖୁବ ଅଧିକ ଅଭିମାନ ଉଭୟ ମଣିଷଙ୍କ ପାଇଁ କାଳହୁଏ l


ସବୁ କାମ ଛାଡି ଝରକା ଖୋଲି ଚାହା କପ ଧରି କିଛି ସମୟ ଥକା ମାରି ବସିଗଲେ ମନୋଜ l

ଅଦିନିଆ ବର୍ଷାପରେ ପାଚେରୀ କଡ଼ ଲିଚୁଗଛ ଡାଳରେ ବାଇଚଢ଼େଇ ହଳେ ଜାକିଜୁକି ହୋଇ ବସି ଥରୁଥାନ୍ତି l ଦେହ ଝାଡ଼ିଝୁଡି ହୋଇ ପାଣି ଶୁଖାଉଥାନ୍ତି l


ଥଣ୍ଟରେ ପ୍ରତ୍ୟୟର ଦୁର୍ଲଭ କୁଟାକାଠି ଓ ପର ଉପରେ ସାରା ଆକାଶର ନୀଳବୋଝକୁ ବୋହି ବୋହି କେତେକଷ୍ଟରେ ଚଢ଼େଇଟି ତା'ସାଥି ପାଇଁ ବସାଟିଏ ତିଆରେ l ହେଲେ ଚୁନା କରିବାକୁ ନିମିଷକର ଝଡ଼ଟିଏ ମାତ୍ର, ବାସ l ବସା ଭାଙ୍ଗିଯାଏ, ଦିନ ଦିନର ପ୍ରୟାସ ବ୍ୟର୍ଥଯାଏ , ପରସ୍ପରର ହୃଦୟରେ ଘର କରିଗଲେ କିନ୍ତୁ ଝଡ଼ ହେଉତ କାଳ...ଅଲଗା କରିବ ସେମାନଙ୍କୁ କିଏ? 'ଘର ପାଇଁ ସାଥି ନୁହେଁ, ସାଥି ପାଇଁ ଘର' ବୋଲି ସ୍ନେହାଙ୍କ ଅନୁପସ୍ଥିତି ଏ ଭିତରେ ବୁଝାଇ ଦେଇଥିଲା ତାଙ୍କୁ l 


ଛୋଟ ଛୋଟ କଥା କଟାକଟି ପାଇଁ ଏକ ସୁନ୍ଦର ଘର ଆଜି ଶ୍ରୀହୀନ l ଏମିତି କଣ ସବୁ ହୋଇଗଲା କେଜାଣି?


ସବୁକିଛି ଠିକ ଚାଲୁଥିଲା ତ l ଥରେ ସ୍ନେହାର ବଡ଼ଭାଇ ଫୋନ କଲେ l ତାଙ୍କ ପୁଅ ଅର୍ଥାତ ସ୍ନେହାଙ୍କ ପୁତୁରାର ବାହାଘର ଆସୁଥାଏ l ଗୋଟିଏ ବୋଲି ପୁଅ ବାହା କରିବାକୁ ଭାଇ ଭାଉଜ ଆସୁଛନ୍ତି ଏତେଦିନ ପରେ ଭାରତ l ଦୁବାଇରୁ ଭାଉଜ ସୁନା ଅଳଙ୍କାର ଛାଉଣୀ ହୋଇ ଆସିଥିବେ l ତାଙ୍କ ସାମ୍ନାରେ ଫିକା ପଡିବା କଣ ଭଲଲାଗିବ? ସ୍ନେହାଙ୍କରବି ସାଜି ସୁଜି ହୋଇ ଯିବାକୁ ମନ l ଯେତେହେଲେ ବୋହୁର ଘରଲୋକ କଣ ଭାବିବେ?


ମନୋଜ ବାବୁଙ୍କ ରୋଜଗାରକୁ ସ୍ମିତାଙ୍କ ବଡ଼ ସୁନାହାର ପାଇଁ ଦାବୀ ତାଙ୍କ ଯୋଗ୍ୟତାର ତରାଜୁରେ କିଛି ଅଧିକ ଓଜନିଆ ଲାଗୁଥିଲା ଯେମିତି l ସେଥିରେ ଅଜବ ଯୁକ୍ତିକରି ସ୍ମିତା ଅଡ଼ିବସିଲେ ଯେ ବାହାଘରେ ମନୋଜଙ୍କର ମାନହାନୀ ନ ହେଉ l ଭାଇ ଭାଉଜ ବନ୍ଧୁବାନ୍ଧବଙ୍କ ଆଗରେ ଯେମିତି ମୁଣ୍ଡ ନ ନଉ l ମନୋଜ ଭାବିଲେ ହାରପାଇଁ ସ୍ନେହାଙ୍କ ଅସମ୍ଭବ ଯୁକ୍ତି ଆଗରେ ସେ କଦାପି ରାଜି ହେବେନି ଜାଣିସୁଧା ଏମିତି ଅଡ଼ିବସିବା ପଛରେ କାରଣ କଣ ହୋଇପାରେ ? ଅଙ୍କୁଶ ନ ଲଗାଇଲେ ଲୋଭ ବଢ଼ି ବଢ଼ି ଚାଲେ l ଠିକ ସେୟା ହେଲା l ଆରମ୍ଭ ହେଲା ଆଭିଜାତ୍ୟର ଛଳନା l


ପଡୋଶୀ ମିସେସ ଦାଶ ଭାରି ଦୟାଳୁ ଆଉ ମିଳାମିଶା ପ୍ରୀୟ l ସେ ଗୁରୁଜନ ଏବଂ ଖୁବ ଅନୁଭବୀ l ତାଙ୍କଠାରୁ ଅଳ୍ପକିଛିଦିନ ପାଇଁନୂଆ ଡିଜାଇନର ସୁନାହାରଟିଏ ମାଗି ଯୋଗାଡ଼ି ନେଲେ ସ୍ନେହା l ମନୋଜଙ୍କୁ କିଣିବାକୁ ବି ପଡିଲାନି, ସ୍ନେହାଙ୍କ ଇଚ୍ଛାବି ଚରିତାର୍ଥ ହୋଇଗଲା l ମନୋଜଙ୍କର ଏସବୁ କଥା ଆଦୌ ପସନ୍ଦ ନ ହେଲେବି ସ୍ତ୍ରୀ ଙ୍କ ଜିଦ ଆଗରେ ନିଜକୁ ନିୟନ୍ତ୍ରଣ କରିନେଲେ l


ଅତଏବ ବାହାଘର କାମ ଭଲରେ ଭଲରେ ତୁଟିଗଲା l ଏଥର ଘରକୁ ଫେରିଲେ l ସୁଟକେସରୁ ସ୍ନେହା ହାର ବାହାର କରି ବୈଠକ ଘରେ ରଖିଥିଲେ l ଫୋନକରି ଜାଣିଲେ ମିସେସ ଦାଶ ଲଣ୍ଡନଚାଲିଯାଇଛନ୍ତି ନିଜ ଝିଅପାଖକୁ l ତିନିମାସ ଲାଗିବ ଫେରିବାପାଇଁ l ହାର ସେମିତି ପଡିରହିଲା ଥାକରେ l ଥାକ ସଫା କରୁକରୁ ମନୋଜ ଦିନେ ହଠାତ ଦେଖିଲେ ହାରନାହିଁ l କଣ କରିବେ? ପାଦ ତଳୁ ମାଟି ଖସିଗଲା l ସିସିଟିଭି ଫୁଟେଜ ଚେକ କଲେ l ସନ୍ଦେହ କରିବେ କାହାକୁ? କେତେ ଲୋକ ଯିବା ଆସିବା କରିଛନ୍ତି ଏ ଭିତରେ l କାମବାଲି ନା ଡେ଼ଲିଭରି ଵାଲା?ପେପର ଵାଲା ନା ଲଣ୍ଡ୍ରିଵାଲା? ପଡିଶା ଘରେ ଡୁପ୍ଲିକେଟ ଚାବିଟିଏ ଛାଡିଛନ୍ତି l ଆଜିକାଲି କାହାରିକୁ ଭରସା ନାହିଁ l ସେମାନେ ତ ଲୋଭରେ ପଡି ନେଇ ନାହାନ୍ତି? 

ଭଲ ହେଲାଯେ ମିସେସ ଦାଶ ଜାଣି ନାହାନ୍ତି l ଦିନ ଦିନ ଖୋଜା ଖୋଜି ପଚରା ପଚରି ପରେବି କିଛି ଲାଭ ହେଲାନି l 

ଗୋଟେ ରାତି ଝଗଡା ବଢିଗଲା l ଏପରିକି ମନୋଜଙ୍କ ପାଟିରୁ ବାହାରି ଗଲା

- "ଏସବୁ କୁମନ୍ତ୍ରଣା କିଏ ଦେଉଛି ତୁମକୁ? ତୁମ ମା?"

ବାସ, ଏତିକି କଥାରେ କାନ୍ଦ, ଅଭିମାନ କଥା ବନ୍ଦ l ଘରଛାଡି ବାପଘର ଚାଲିଗଲେ ସ୍ନେହା l 

ମନୋଜ ରୋକିପାରିଥାନ୍ତେ l ହେଲେ ରୋକିଲେନି l

ଭାବିଲେ ବହୁତ ହେଲା l ଏସବୁ ଉପରେ ଏବେଠୁଁ ରୋକ ନ ଲଗାଇଲେ ଭବିଷ୍ୟତକୁ ମଧ୍ୟ ହଇରାଣ ହେବାକୁ ପଡିବ l କିନ୍ତୁ ମନ ମାନୁନଥାଏ l ହଜାରେ ଥର ମୋବାଇଲରେ ସ୍ନେହାଙ୍କ ନମ୍ବରକୁ ଚାହିଁ ଚାହିଁ ରଖି ଦେଉଥାନ୍ତି l ସେ ବି ବୁଝିବା ଦରକାର ଏ ବିଷୟର ଗୁରୁତ୍ୱ l

ହେଲେ ବଡ଼ ଅଦ୍ଭୁତ କଥା l ନିଜଲୋକର ଗୁଣ ଖରାପ ହେଲେ ସେ ଗୁଣକୁ ସିନା ଘୃଣା କରିହୁଏ, ଲୋକଟି ପ୍ରତି ଅହେତୁକ ଦୁର୍ବଳତା କାହିଁକି କେଜାଣି କମେନି?


ଦୀର୍ଘ ଦୁଇମାସ ହୋଇଗଲା l କେତେଦିନ ଆଉ ଅଲଗା ରହିବେ?ସ୍ନେହାଙ୍କୁ ଆଣି ଆସିବାକୁ ଠିକକଲେ ମନୋଜ l ଫୋନ କରି କହିଲେ,

- "ସ୍ନେହା,ଯାହା ହେଲା ହେଲା l ଭୁଲିଯାଅ l ମିସେସ ଦାଶଙ୍କ ହାର ପରି ସମାନ ଡିଜାଇନର ହାରଟିଏ ଗଢିବାକୁ ବଣିଆକୁ ବରାଦ ଦେଇଆସିଛି l ମିସେସ ଦାଶ ଫେରିଲେ ଆମେ ଚୁପଚାପ ନେଇ ଦେଇଦେବା l ଛୋଟିଆ ଭୂଲପାଇଁ ପନ୍ଦରଲକ୍ଷ୍ୟ ଟଙ୍କାର ଋଣଟିଏ କରିବାକୁ ପଡିବ l ହେଲେ ତୁମେ ବେଶି ବ୍ୟସ୍ତ ହୁଅନା l ମୋ ପିଲାଦିନ ସାଙ୍ଗ ବ୍ୟାଙ୍କରେ ଅଛି l ତା' ସହ କଥା ହୋଇ ସବୁ ଠିକଠାକ କରିଦେବି l ମୋ ବୋଉ ପଚାରିଲେ କିଛି ଏସବୁ ବିଷୟରେ କହିବନି l ହଁ, ସେ ଖଣ୍ଡପ୍ରଳୟ କରିବା ଆଗରୁ ଘରକୁ ଆସ l


ସ୍ନେହାଙ୍କ ମନ ଭିତର ଗୋଳେଇ ଘାଣ୍ଟି ହୋଇପଡୁଥାଏ l ପଶ୍ଚାତାପର ଅଗ୍ନିରେ ସେ ପାଉଁଶ ହୋଇ ସାରିଥାନ୍ତି l ଘରକୁ ଫେରି ସ୍ୱାମୀଙ୍କ ପାଦ ତଳେ ପଡି ନିଜ ଭୂଲ ସ୍ୱୀକାର କରିନେଲେ l ମନେ ମନେ ଭାବୁଥାନ୍ତି ହାରଟା ଦୈବାତ ମିଳି ଯାଆନ୍ତା କି....


ମିସେସ ଦାଶ ଲଣ୍ଡନରୁ ଆସି ପହଞ୍ଚି ଯାଇଥାନ୍ତି l ମା' ପରି ତାଙ୍କ ବ୍ୟକ୍ତିତ୍ୱ ଆଉ ସ୍ନେହମୟୀ ଆଖି ପଢିନେଇଥିଲା ସ୍ନେହାଙ୍କ ମାନସିକ ଦୁର୍ଦଶା l କିଛି ଲୁଚା ଲୁଚି ନକରି ତାଙ୍କୁ ସବୁ ବିଷୟରେ ଖୋଲି କହିଲେ l ସ୍ୱାମୀଙ୍କ କଷ୍ଟ ନା ଦେଖି ହେଉଥାଏ ନା ସହି ହେଉଥାଏ l 


ମିସେସ ଦାଶ ସବୁ ବୃତାନ୍ତ ଶୁଣି ହସି ହସି କହିଲେ,


"ମାତ୍ର ମୁଁ ଦେଇଥିବା ହାରଟିତ ନକଲି ଥିଲା l"


ସ୍ନେହାଙ୍କ ମୁହଁରୁ ବାହାରି ପଡିଲା,


" ଆପଣ ସତ କହୁଛନ୍ତି? ହେ ମା ମଙ୍ଗଳା, ତୋତେ କୋଟି କୋଟି ଜୁହାର l"


ଦାମ୍ପତ୍ୟ ଜୀବନରେ ଅନେକ ମୋଡ଼ ଆସେ ଯେଉଁଠି ସ୍ୱାମୀ ସ୍ତ୍ରୀ ଭିତରେ ମନୋମାଳିନ୍ୟ ହୁଏ l କେତେକ ଜାଗାରେ ସମ୍ପର୍କର ଖିଅ ଦୁର୍ବଳ ପଡ଼ି ଛିଣ୍ଡି ଯାଏ ତ ଦ୍ୱନ୍ଦ୍ୱର ଦୋଛକିରୁ ଭିନ୍ନ ଭିନ୍ନ ରାସ୍ତା ଆପଣେଇ ନେବାକୁ ହୁଏ l ଆଉ କେତେବେଳେ କଷଟି ପଥରରେ କଷି ହୋଇ ସମ୍ପର୍କ ଖାଣ୍ଟି କି ନାହିଁ ଜଣା ପଡିଯାଏ l ଯାହାବି ହେଉ, ଭଲପାଇବା ମଣିଷକୁ ସତପଥରେ ପରିଚାଳିତ କରେ l


 ସହଜରେ ନହେଲେ ବି ସ୍ତ୍ରୀର ଦୁର୍ଗୁଣକୁ କ୍ଷମାକରି ନିଚ୍ଛକ ଭଲପାଇବାର ନିଦର୍ଶନ ଦେଲେ ମନୋଜ l ସୁନାହାର ନକଲି ଥିଲେ ବି ମନୋଜଙ୍କ ଅସଲି ଭଲପାଇବା ସାମ୍ନାକୁ ଆସି ଯାଇଥିଲା l ସୁନା ପରି ସମ୍ପର୍କ ପରୀକ୍ଷାରୁପି ନିଆଁରେ ଜଳି ଜଳି ପାଉଁଶ ନହୋଇ ବରଂ ଅଧିକ ଚକଚକ କରୁଥିଲା l ସବୁଦିନ ପାଇଁ l


Rate this content
Log in

Similar oriya story from Drama