Gargi Mishra

Abstract Fantasy Inspirational

4.5  

Gargi Mishra

Abstract Fantasy Inspirational

ଦେଵୀ

ଦେଵୀ

4 mins
12



ସ୍ୱଚ୍ଛ ଆକାଶ l ଚଢ଼େଇମାନେ ରମ୍ୟକାକଳୀରେ ମସଗୁଲ l ଉଚ୍ଚକୀତ ମାନପ୍ରାଣ l ଅନୁଦୀପ୍ତ ଚେତନା l ବାତାବରଣରେ ଅଜଣା ସମ୍ମୋହନୀ ମନ୍ତ୍ର l କୁଳୁକୁଳୁ ସଙ୍ଗୀତ ଗାଉଥିବା ଝରଣା, କଳରବ କରୁଥିବା ପଶୁ ପକ୍ଷୀ, ସୁ ସୁ କରୁଥିବା ପବନ ଆଉ ପତ୍ରମାନେ ଅମାନିଆ ଢଙ୍ଗରେ ଦୋହଲିବା- ଏ ସମସ୍ତେ ପ୍ରକୃତିର ଜୀବନ୍ତ ଅବତାର ପରି ମନେ ହେଉଥାନ୍ତି l ଦିନଟା ଗାଁରେ କେତେ ଶୋଭାବନ!! 

ହେଲେ ରାତିହେଲେ ଭାବଗମ୍ଭୀର ହୋଇଉଠେ ବାତାବରଣ l ସାତଟା ପରେ ଗାଁରେ କାହା ଘରୁ ଉଁ କି ଚୁଁ ଶୁଭେନାହିଁ l ସାଢେ ଦଶଟାରୁ ଏଗାରଟା ରାତି ଭିତରେ କୁଆଡେ ଦେବୀ ନିଜ ମନ୍ଦିରରୁ ବାହାରି ନାମବୋଦ୍ରୀ ନିଳୟମ ଠିକ ପଛଦେଇ ଶିବଙ୍କ ମନ୍ଦିରରେ ପ୍ରବେଶ କରନ୍ତି l କିଛି ସମୟରେ ଫେରି ଯାଆନ୍ତି l ସମସ୍ତେ ନିଜ ନିଜ ଘରେହିଁ କବାଟ କିଳି ରହନ୍ତି l ଘରୁ ପଦାକୁ ବାହାରିବା ଅସମ୍ଭବ l ତାଙ୍କ ଦର୍ଶନ ମାତ୍ରକେ ମଣିଷ ବିକୃତ ମସ୍ତିଷ୍କ ହୋଇଯାଏ ଅଥବା ଅକାଳ ମୃତ୍ୟୁବରଣ କରେ l

ଏସବୁ ଶୁଣି ସହରରୁ ଖରା ଛୁଟିରେ ବୁଲି ଆସିଥିବା ନ' ବର୍ଷର ଝିଅ ମେଘା ଶଙ୍କିଯାଏ l ସନ୍ଦେହ କରେ l ତା ମା' ଙ୍କୁ ଅଗଣିତ ପ୍ରଶ୍ନ ପଚାରେ,

-ମା ', ଆମେ ଗାଁ କୁ କେବଳ ବର୍ଷରେ ଥରେ ଆସୁଛେ l ଏ ଘର ଆଉ କାହାକୁ ବିକିଦେଉନେ କାହିଁକି? ଆମ ସହରରେ ଦେବୀତ ମଣିଷ ରୂପ ଧାରଣ କରି ଚାଲନ୍ତିନି?"

ମା ' କହିଲେ , 

- ଆମ ପୈତୃକ ସମ୍ପତ୍ତି l କେମିତି ବିକିଦେବୁ? ଆମେ ପରା ନମ୍ବୋଦ୍ରୀ ବ୍ରାହ୍ମଣ l ମା' ଙ୍କ ମନ୍ଦିର ରକ୍ଷଣା ବେକ୍ଷଣ କରିବା ଆମ କୁଳର ସୌଭାଗ୍ୟ l ଆମରତ କେବେ କିଛି କ୍ଷତି ହୋଇନି l ତା' ପରେ ସହରରେ ପ୍ରକୃତି ନିଜ ପ୍ରାକୃତିକତା ହରାଇ ସାରିଥାଏ l ସେଠି ତ କେହି ଏଗାରଟା ଆଗରୁ ଶୁଅନ୍ତିନି l ଦେବୀଙ୍କ ବିଚରଣ ସମୟରେ ଲୋକମାନେ ବାହାରେ ବୁଲୁଥାନ୍ତି l ତାଙ୍କୁ ନିରବତା ଆଉ ନିସ୍ତବ୍ଧତା ଦରକାର ନା?"

ମେଘା ପୁଣି ପଚାରିଲା ,

- ମୋତେ ଲାଗୁଛି ଏସବୁ ଅନ୍ଧବିଶ୍ୱାସ l ଯଦି ଦେବୀ ଅଛନ୍ତି ତେବେ ଏତେ ପଡିଶା ଘର ନାଇଡ଼ୁ ଆଉ ମେନନ ପରିବାର ଏତେ କଷ୍ଟ ସହୁଛନ୍ତି, ତାଙ୍କ ଦୁଃଖ କାହିଁ ଲାଘବ କରୁ ନାହାନ୍ତି? ଲାବନ୍ୟା ଦିଦିକୁ କିଛି ଲୋକ ଖରାପ ବ୍ୟବହାର କରି ଦୂର ଜଙ୍ଗଲ ଭିତରେ ଫୋପାଡ଼ି ଦେଲେ, ସେମାନଙ୍କୁ କାହିଁ ପାପର ଦଣ୍ଡ ଦେଉ ନାହାନ୍ତି?"

ମା' ତାକୁ ଛୋଟ କାହାଣୀ ଟିଏ କହିଲେ l

- ଶୁଣୁ,ଥରେ ଜଣେ ରାଣୀଙ୍କର ଜନ୍ମଦିନ ହେଲା l ସେ ରାଜ ପୁରୋହିତଙ୍କୁ ପଚାରିଲେ,

"ମୋ ଜନ୍ମ ତିଥି ଆଉ ନକ୍ଷତ୍ରରେ ତ ଅନେକ ଝିଅ ଜନ୍ମ ହୋଇଥିବେ l ସମସ୍ତେ କାହିଁକି ରାଜାଙ୍କୁ ବିବାହ କରି ରାଣୀ ହୋଇ ପାରି ନାହାନ୍ତି? ତେବେ କଣ ଏ ଜାତକ ଫାତକ ସବୁ ମିଥ୍ୟା?"

ପୁରୋହିତ ତାଙ୍କୁ ଜଙ୍ଗଲରେ ଥିବା ଏକ ଅଘୋରୀ କନ୍ୟାଙ୍କୁ ସାକ୍ଷାତ କରିବାକୁ ପରାମର୍ଶ ଦେଲେ l

ରାଣୀ ସେ ଜଙ୍ଗଲରେ ଦେଖିଲେ ଅଘୋରୀ ନିଜ ପାଟିରେ ମୁଠା ମୁଠା ନିଆଁ ଆଉ ପାଉଁଶ ଖାଇ ଚାଲିଛନ୍ତି l

ସେ ନିଜ ପ୍ରଶ୍ନର ଉତ୍ତର ଆଶାକଲେ l

ହେଲେ ଅଘୋରୀ କହିଲେ,

"ବର୍ତମାନ ମୋର ଖାଇବା ସମୟ l ମୋତେ ତୁମେ ହଇରାଣ କରନାହିଁ, ବରଂ ଯାଅ ଏଠାରୁ l ଆମ୍ରପାଲୀ ଗ୍ରାମର ଚିନମ୍ମା ପାଗିଳିକୁ ପଚାରି ବୁଝ l ସେ କହିବ l"

ରାଣୀ ତା' ପାଖକୁ ଯାଇ ଦେଖିଲେ ସେ ଭୋକରେ ବାଉଳି ହୋଇ ଗୋଡି ମାଟି ଗୋଟେଇ ପାଟିରେ ଭର୍ତ୍ତି କରି ଲାଗିଛି l ସେ ବି ରାଗି ରାଣୀଙ୍କୁ ତଡିଦେଲା, କହିଲା,

-"ଯା ଏଠୁ ପଳା ଜଲଦି l 

ହଁ, ଏ ଗାଁ ସେପାଖେ ପାହାଡ଼ କଡ଼ରେ ମାଦ୍ରୀପଟ୍ଟୀ ବୋଲି ଏକ ଗାଁ ଅଛି l ସେ ଗାଁରେ ରହୁଥିବା ସୁମନ୍ତଙ୍କ ଘରେ ପିଲା ହେବାର ଅଛି l ତାକୁ ପଚାରିବ l" ସତରେ ରାଣୀ ଯାଇ ସୁମନ୍ତଙ୍କ ଘରେ ପାଦ ଦେଉ ଦେଉ କ୍ରନ୍ଦନ ଶବ୍ଦ ଶୁଭିଲା l ସୁମନ୍ତଙ୍କ ଘରେ ଝିଅ ହୋଇଥାଏ l ହେଲେ ଦୁର୍ଭାଗ୍ୟ ବଶତଃ ଜନ୍ମ ହେଉ ହେଉ ସେ ଶିଶୁକନ୍ୟାଟି ପାଟିରେ ପାଣି ନ ପାଇ ମୃତ୍ୟୁ ମୁଖରେ ପଡିଲା l ଘରେ କାନ୍ଦ ବୋବା ଶୁଣି ରାଣୀ ଦୁଃଖିତ ହୋଇ ଫେରି ଆସିଲେ l"

ରାଜ ପୁରୋହିତଙ୍କୁ ତାଙ୍କ ପ୍ରଶ୍ନର ଉତ୍ତର ବଦଳରେ ଏସବୁ ଦେଖିବାକୁ ମିଳିଲା ବୋଲି କହିଲେ l

ରାଜ ପୁରୋହିତ କହିଲେ

- "ରାଣୀମା ' ଆପଣ ଜାଣନ୍ତି, ପୂର୍ବ ଜନ୍ମରେ ଆପଣ ଜଣେ ସାହୁକାରଙ୍କ ଝିଅ ଥିଲେ, ନାଁ ଥିଲା ନନ୍ଦିତା l ତାଙ୍କର ଆଉ ତିନୋଟି କନ୍ୟାଥିଲେ , ଯଥା - ଆଭା, ବନିତା ଓ ସୁସ୍ମିତା l ତିନି ଜଣ ସ୍ୱର ସାଧନା କରୁଥିବା ବେଳେ ଶ୍ରେଷ୍ଠ ଗାୟିକା କିଏ ବୋଲି ଜାଣିବାକୁ ଦିନେ ମା'ସରସ୍ବତୀ ନିଜେ ଛଦ୍ମ ବେଶରେ ଆସି କିଛି ଖାଦ୍ୟ ମାଗିଲେ l"

ଆଭା ନିଜ ଖାଦ୍ୟ ଲୁଚାଇ କହିଲା,

-"ଯା ଯା, ଭିକାରୁଣୀ କଉଠିକାର, ମୁଁ ତୋତେ ମୋ ଖାଦ୍ୟ ଦେଇଦେବି ତ ନିଜେ ଖାଇବି କଣ? ନିଆଁ, ଚୁଲି ଧୂଆଁ, ପାଉଁଶ?"

ମା' "ତଥାସ୍ତୁ" କହି ବନିତା ପାଖକୁ ଗଲେ l

ବନିତା କହିଲା, ମୁଁ ତାହାଲେ ମାଟିଗୋଡି ଖାଇ ରହୁଛି l 

ମା' "ତଥାସ୍ତୁ" କହି ସୁସ୍ମିତା ପାଖକୁ ଗଲେ l ସୁସ୍ମିତା କହିଲା

-"ଏ ମା, .. ତୋତେ ସବୁ ଖାଦ୍ୟ ଦେଇଦେବି,ମୁଁ କଣ ଭୋକରେ ମରିବି?"

ଦେବୀ ସରସ୍ବତୀ "ତଥାସ୍ତୁ" କହି ତୃତୀୟ ଝିଅ ପାଖକୁ ଗଲେ l

ନନ୍ଦିତା ଆଦର ଯତ୍ନରେ ଭିକାରୁଣୀକୁ ନିଜ ଖାଦ୍ୟର ଅଧା ବାଣ୍ଟି ସନ୍ତୁଷ୍ଟ କରିପାରିଲେ l

ସେଥିପାଇଁ ବଡ଼ ଭାଗ୍ୟନେଇ ଏ ଜନ୍ମରେ ଆସିଲେ ତଥା ରାଣୀ ହୋଇ ସମ୍ମାନିତା ହେଲେ l ଆର ତିନିଭଉଣୀ ଯଥାକ୍ରମେ ଅଘୋରୀ, ଚିନମ୍ମା ପାଗଳି, ଏବଂ ସୁମନ୍ତଙ୍କ ନବଜାତ ଶିଶୁକନ୍ୟା ହୋଇ ନିଜ କର୍ମପାଇଁ ସ୍ୱ -ମୁଖନିର୍ଗତ ଦଣ୍ଡ ଭୋଗ କରୁଥିଲେ l

ଠିକ ସେହିପରି ଧରାପୃଷ୍ଠରେ ଗୋଲାପ, ସୁଗନ୍ଧରାଜ, ଚମ୍ପା,ହେନା ଓ ନାନା ଜାତିର ଫୁଲଏକା ସମୟରେ ଫୁଟିଲେ ମଧ୍ୟ ସମସ୍ତଙ୍କ ରୂପ ରଙ୍ଗ ଏବଂ ସୁଗନ୍ଧ ଭିନ୍ନ ଭିନ୍ନ l

ସମସ୍ତେ କର୍ମ ଅନୁସାରେ ନିଜ ନିଜ ଭାଗ୍ୟଫଳ ଭୋଗନ୍ତି l ମା' କଣ କରିବେ? ମନୁଷ୍ୟ କର୍ମ ଅନୁସାରେ ନିଜ ଭାଗ୍ୟଫଳ ଭୋଗିବ ହିଁ ଭୋଗିବ "

ମା ଝିଅ କଥା ହେଉ ହେଉ ନ ଟା l ସମସ୍ତେ ଶୋଇ ପଡ଼ିଥାନ୍ତି l ମେଘାକୁ ନିଦ ହେଉନଥାଏ l ରାତି ଦଶଟା ପାର ହୋଇଯାଇଥାଏ l 

ଚନ୍ଦ୍ରମା ଆଲୋକରେ ଗଗନ ସୌମ୍ୟଦୀପ୍ତ l ତଳ ମହଲା କଡ଼ରୁ ମୃଦୁଗୁଞ୍ଜରଣ ଝଙ୍କୃତ ହେବାର ଅନୁଭୂତ ହେଲା l 

ଛୁମ', ଛୁମ' ଛୁମ'........

ଆଃ..... କି ସ୍ବର୍ଗୀୟ ଶବ୍ଦ ସେ !! ମନରେ କି ପ୍ରକାର ଦୈବୀଶାନ୍ତି l ମନୋପ୍ରାଣ ପୂର୍ଣ୍ଣ ହେଇଯାଉଥାଏ ମେଘାର l ସକାଳେ ସମସ୍ତେ କଥା ହେଉଥାନ୍ତି l କିନ୍ତୁ କେହି ଶବ୍ଦତେ ବି ଶୁଣିବାକୁ ପାଇନଥାନ୍ତି l ସମସ୍ତେ ହସୁଥାନ୍ତି ମେଘାର ପ୍ରଳାପ ଶୁଣି l ମା' ଚୁପକି ତା କାନରେ କହିଲେ,

"ସମସ୍ତଙ୍କୁ ଏ ଶବ୍ଦ ଅନୁଭୂତ ହୋଇନଥାଏ l ଚନ୍ଦ୍ରକିରଣ ଜଳରେ ପ୍ରତିବିମ୍ବ ସୃଷ୍ଟି କରିବା ପାଇଁ ସ୍ୱଚ୍ଛ ଆକାଶ ଦରକାର l ସେଭଳି କେବଳ ନିର୍ମଳ ହୃଦୟର ଲୋକମାନଙ୍କୁ ହିଁ ଏ ଦୈବୀଶକ୍ତିର ଅନୁଭୂତି ହୁଏ l ତୁ ସ୍ୱତନ୍ତ୍ର l ଦେବୀଙ୍କ ନିକଟତର ହେବାର ଭାଗ୍ୟ ନେଇ ଆସିଛୁ ମେଘା "।

                   


Rate this content
Log in

Similar oriya story from Abstract