Gargi Mishra

Drama Action Inspirational

4.0  

Gargi Mishra

Drama Action Inspirational

ମାମୁନି ଓ ଜେଜେମା

ମାମୁନି ଓ ଜେଜେମା

5 mins
12



ଲେହେଙ୍ଗା ସହ ମ୍ୟାଚିଂ ସ୍ୟାଣ୍ଡଲକୁ ମନଭରି ଦେଖୁଥାଏ ମାମୁନି l ଭଲଘର, ଭଲବର ବାଛିଲା ପରଠାରୁ ପାଦ ଆଉ ତଳେ ଲାଗୁନଥାଏ ମାମୁନିର l ଫିଅନସେ ରୋହିତ ତା' ଠାରୁ ମାତ୍ର ଦୁଇବର୍ଷ ବଡ଼ l ଷ୍ଟେଟ୍ସରେ ଏକ ସଫ୍ଟୱେର କମ୍ପାନୀରେ କାମ କରୁଥାନ୍ତି l ଦେଖିବାକୁ ଛ' ଫୁଟିଆ ଗୋରା, ସୁନ୍ଦର ବଳିଷ୍ଠ ପିଲା, ଡେଙ୍ଗା ନାକ,ମୁଣ୍ଡରେ ଗହଳ ଚୁଟି, ରଜାଛୁଆ ପରି ନିଶ l ପିଲାଟିକୁ ପ୍ରଥମ ଦେଖାରେ ପସନ୍ଦ କରିନେଇଥିଲେ ମାମୁନିର ଘରଲୋକ l ଯୋଗକୁ ଘରେ ସେଇଠି ଫାଇନାଲ କରିଦେଇଥିଲେ ପ୍ରସ୍ତାବ l


 ବାହାଘର ପରେ ଘର ପରିବାର ଛାଡି ରୋହିତଙ୍କ ସହ ଆମେରିକା ଯିବାକୁ ହେବ l ଏପଟେ ବାହାଘର କାମକୁ ସେପଟେ ଭିଜା,ପାସପୋର୍ଟ କାମ l ଇପ୍ସିତ ସ୍ବପ୍ନ ପୁରା ହେବାକୁ ଆଉ ମାତ୍ର କେଇଦିନ ବାକି l ପରିବର୍ତନ ମଣିଷ ଭିତରେ ଏକ ଅଦୃଶ୍ୟ ଝଡ଼ପରି l ମାମୁନି ଜାଣି ପାରୁନଥାଏ ତା ଜୀବନର ଅଙ୍କାବଙ୍କା ରାସ୍ତା ଅତିକ୍ରମ କରି କେବେ ବିବାହ ପରି ଏକ ବଡ଼ ସୋପାନରେ ପହଞ୍ଚି ଗଲାଣି l ବିଚଳିତ ହେବା ସ୍ୱାଭାବିକ l ଶାଶୁଘର ନାଁରେ ମନ ଭିତରେ ଅଜଣା ଆଲୋଡନ l 


ପାଖରେ ଶୋଇଥାନ୍ତି ଜେଜେମା l 


ପାକୁଆ ପାଟିରେ ପଚାରିଲେ, 


-ଆରେ ମା' ତୋତେ ନିଦ ନାହିଁକି ? କଣପାଇଁ ଶୋଉନୁ?ପେଚାଙ୍କ ପରି ରାତି ରାତି ଅନିଦ୍ରା ରହି ମୋବାଇଲରେ ଜୋକଙ୍କ ପରି ଲାଖୀଛୁ, ଆଖିତଳ କଳା ପଡ଼ିଯିବ ଯେ l 

ମାମୁନି କହୁଥାଏ 


-ଜେଜେମା, ମୋଟେ ନିଦ ଆସୁନି l ମୋ ଅଫିସର ସାଙ୍ଗ ମାନଙ୍କୁ ପଚାରୁଥିଲି ସେମାନେ ବାହାଘର ପାଇଁ କେମିତି ପ୍ରସ୍ତୁତି କରିଥିଲେ l ତାଙ୍କ ଘର ଚଳଣି କେମିତି କେଜାଣି ହୋଇଥିବ? ବିଦାୟୀ ବେଳେ କାନ୍ଦିବା କେତେ ଆଉଟଡେଟେଡ଼ କଥା କହିଲ ...ଯଦି କାନ୍ଦ ନ ଲାଗିଲା? 

ଜେଜେମା ହସି ଦେଲେ l ନାତୁଣୀ କଥା ଶୁଣି ତାଙ୍କ ନିଦ ଏକଦମ ଭାଙ୍ଗିଗଲା l ଉଠି ବସି ପାଣି ପିଇଲେ l ପଚାରିଲେ,

- ସାଙ୍ଗମାନେ କଣ କହିଲେ?

- ସମସ୍ତେ କହିଲେ, 


ଆମେ ଅଛୁ l ଚିନ୍ତା କରନା l ଆମେ ସମସ୍ତେ ତୋତେ ବେଢ଼ିଯିବୁ l ଆମ ଅଫିସରେ ଜଣେ ଜ୍ୟୋତି ମ୍ୟାଡ଼ାମ ବୋଲି ଅଛନ୍ତି l ବାହୁନି ବାହୁନି କାନ୍ଦିବାରେ ସେ ଅଭିଜ୍ଞ l


କହିଲେ ତୁ ବ୍ୟସ୍ତ ହୁଅନା, ମୁଁ ଅଛି କାନ୍ଦିବାକୁ l ତୁ ଖାଲି ମୁହଁ ଢାଙ୍କି ନାକ ସୁଁ ସୁଁ କରିବୁ l ମୁଁ ଗଳା ଫଟେଇ ଧଙ୍କି ଧଙ୍କି କାନ୍ଦିବି l 

ଜେଜେମା, କହିଲ ଦେଖି, ଏବେ ସିନା ସମସ୍ତେ ହ୍ୟାଣ୍ଡଲ କରିଦେବ l ମୁଁ ବିଦା ହେଲାପରେ ତୁମେମାନେ କିଏ ନଥିବ l ତାଙ୍କ ଘର ଏକା ସମ୍ଭାଳି ପାରିବିତ? ମୁଁ ବାହା ହୋଇ ଠିକ କରୁଛି ତ? ଏ ମୋଡ଼ର୍ଣ ଯୁଗରେ ଏ ପରମ୍ପରା, ନିତି ନିୟମ ଭିତରେ ମୁଁ ଅଣନିଶ୍ୱାସୀ ହୋଇ ଯିବିନି ତ? ସେ ବି ଘର, ସାଙ୍ଗ ସାଥି ଛାଡି ପର ଘରେ? 

ଜେଜେମା ପାକୁଆ ପାଟିରେ ହସି ଦେଲେ ଏକ ଅପୂର୍ଵ ହସ l

କହିଲେ ତାଙ୍କ ସମୟର କଥା l 


- ଆଲୋ ପାଗିଳି, ତୋତେ କାନ୍ଦିବା ବାହାନା କରିବାକୁ କିଏ କହୁଛି? ମନରୁ କାନ୍ଦ ନ ଲାଗିଲେ କାନ୍ଦିବୁନି l ନିଜ ପରମ୍ପରା ନିଜେ ତିଆରିକର l ତୁ ଯେମିତି କାନ୍ଦିବା ପାଇଁ ଚିନ୍ତା କରୁଛୁ ମୁଁ ତୋ ଜେଜେଙ୍କୁ ଲାଜ କେମିତି କରିବି ବୋଲି ଚିନ୍ତା କରୁଥିଲି l ପିଲାଦିନେ ଆମ ସାହିର ପୁଅ ଝିଅ ସବୁ ମିଶି ତୋଟାରେ ବାଟୁଳିଖଡା ମାରି ଆମ୍ବ ଝଡ଼େଇବା, ଏ ଖେତରୁ ସେ ଖେତ କୁଦାମାରି ଭେଣ୍ଡି, ଚିନାବାଦାମ, ବିଲାତି ବାଇଗଣ, କରମଙ୍ଗା, ଧଣିଆ ପତ୍ର ପୁଞ୍ଜେ ଲେଖା ଅଣ୍ଟିରେ ଆଣି ମିଳିମିଶି ଭୋଜି କରିବା, ପୋଖରୀରେ ହାତ ପାଦ ସେତା ପଡିଲା ଯାଏ ପହଁରା, ଗଛ ଚଢି ପିଜୁଳି ଝଡ଼େଇବାରେ ଲାଗିଥିଲୁ l ପୁଅ ମାନଙ୍କୁ ଲାଜ କଣ କରିବ ଜଣା ନଥିଲା l ଆଠବର୍ଷର ହେଲି ଯେତେବେଳେ ଘରେ ମୋ ହାତକୁ ଦି ହାତ କରିଦେଲେ ତୋ ଜେଜେଙ୍କ ସହ l ତାଙ୍କୁ ସେତେବେଳେ ବାଇଶି ପୁରି ତେଇଶି l ଅଜଣା ଲୋକ l ନାଁ ଗାଁ ଜଣାନାହିଁ l କଲିକତାରେ ରହି ଚାକିରୀ କରୁଥିଲେ ଖାଲି ଏତିକି ଜାଣିଥିଲି l ସେତେବେଳେ କଲିକତା ଥିଲା ଆମ ପାଇଁ ବିଦେଶ l ମୁଁ ବୁଝି ପାରୁ ନଥିଲି ଘରେ କାହିଁକି କହି ପଠେଇଥିଲେ ତାଙ୍କୁ ଲାଜ କରିବାକୁ l 


ବିଦାହୋଇ ତାଙ୍କ ଗାଁକୁ ଯିବା ପରେ ନୂଆ ଜାଗାଦେଖି ନିଦ ଆସିଲାନି l ତାଙ୍କ ଖଞ୍ଜା, ବାଡ଼ି, ବଗିଚା, ଗଛ,ବୃଛ ସବୁ ଦେଖିବାକୁ ମନହେଲା l ରାତିରେ ସମସ୍ତେ ନିଘୋଡ଼ ନିଦରେ ଶୋଇଥାନ୍ତି l ଭିତରେ ଗରମ ଗୁଳୁଗୁଳି l ମୁଁ ସମସ୍ତଙ୍କ ଉପରେ ଡିଆଁ ମାରି ମାରି ବାଡ଼ିପଟକୁ ଚାଲିଗଲି l 


ସେଦିନ ଥିଲା ଚତୁର୍ଦଶୀ ତିଥି l ଆକାଶରେ ତୋଫା ଜହ୍ନ ପଡିଥାଏ l ଜହ୍ନ ଆଲୁଅରେ ସବୁ ପରିଷ୍କାର ଦିଶୁଥାଏ l ବାଡ଼ିପଟେ କେତକୀ, ଚମ୍ପା, ସୁଗନ୍ଧରାଜ ଫୁଲ ଛାଇ ହୋଇଥାଏ l ଏଠି ସେଠି ପଣସ, ସପୁରୀ, ଲିଚୁଗଛ l ରଚକାଏ ମିଠା ମିଠା ଥଣ୍ଡା ପବନ ମୋ ମୁହଁରେ ବାଜି ମୋତେ ଅପୂର୍ଵ ଲାଗୁଥାଏ l ଘଡିଏବୁଲି ଆସିଲା ବେଳକୁ ଭୋର ହେଇ ଆସିଲାଣି l ଚଡେଇମାନେ କିଚିରି ମିଚିରି କଲେଣି l ଘରକୁ ଫେରି ଦେଖିଲି ସମସ୍ତେ ଉଠି ମୋ ଆଡ଼େ ଚାହିଁ ରହିଥାନ୍ତି ବଲ ବଲ କରି l 


ଲାଗିଲା ଅଜାଣତରେ ମୁଁ କଣ ଆଇନ କାନୁନ ଉଲଂଘନ କରିଦେଇଛି ବୋଧେ l ଶାଶୁଘରେ ନିଶାପ ବସିଛି l ବାପଘରେତ ଯୁଆଡେ ଗଲେ ଆସିଲେ କେହି କିଛି କହନ୍ତିନି l 

ଲଣ୍ଠନ ମୋ ମୁହଁ ଉପରକୁ ଟେକି ବଡ଼ ଯା' ପଚାରିଲେ, 


-କିଲୋ ତୁ କୁଆଡେ ଯାଇଥିଲୁ ? ନୂଆ ବୋହୁଟା ଲକ୍ଷଣ ଦେଖ...ସ୍ୱାମୀ, ଶ୍ୱଶୁର, ଦେଢ଼ଶୁର, ସମସ୍ତଙ୍କୁ କୁଦି କାଦି କୁଆଡେ ଚମ୍ପଟ ମାରିଲାଣି ? ଆମେ କୂଅମୂଳ,ଦାଣ୍ଡ, ଅଗଣା ସବୁଠି ତୋତେ ଖୋଜୁଛୁ l ଭାବିଲୁ ତୋତେ ହେଟାବାଘ କି ଶାଳିଆପାତିନୀ ନେଇଗଲା l 


ମୁଁ ମୁହଁ ପୋତି କହିଲି,


- ଯାଇଥିଲି ବାଡ଼ିପଟ ଦେଖି l


ଫୁସୁରୁ ଫାସୁରୁ ହେଲେ ସମସ୍ତେ l ମୁଁ ଡରିଗଲି l ଗୋଟା ଝାଳରେ ଗାଧୋଇ ପଡିଲି l 


ତୋ ଜେଜେ ମୋ ପକ୍ଷ ନେଇ ସମସ୍ତଙ୍କୁ ଚୁପ କରାଇ କହିଲେ, 

-ଠିକ କରିଛି ସେ l ଏଟା ତା ନୂଆ ଠିକଣା l ପ୍ରଥମଦିନ ତାର ନୂଆ ଜାଗା ନୂଆଘର ଦେଖିବାକୁ ଇଚ୍ଛାହେଲା ସେ ବୁଲି ବୁଲି ଦେଖିଲା l ସେଥିପାଇଁ ଏତେବଡ଼ ଚର୍ଚ୍ଚା କାହିଁକି? କାମ ନାହିଁକି କାହାର କିଛି?


 ସମସ୍ତେ ଭିଡ଼ଭାଙ୍ଗି ଯେଝା କାମରେ ଲାଗିପଡିଲେ l 


ଅରକ୍ଷିତକୁ ଦଇବ ସାହା l ମୁଁ ଛଳ ଛଳ ହୋଇ ପଡିଲି l ସେ ମୁହୂର୍ତରେ ମୋ ବାପା ବାପା ପରି ଲାଗିଲେ ତୋ ଜେଜେ l ଲାଗିଲା ଶାଶୂଘରେ ଏ ଜଣେ ମୋର ସାଙ୍ଗ l ଏ ଲୋକଟି ଅଛି ଯଦି ମୋର ଚିନ୍ତାକରିବା ଦରକାର ନାହିଁ l ସେ ତ ଚାଲିଗଲେ କଲିକତା l ଛୁଟିଦେଖି ମଝିରେ ମଝିରେ ଘରକୁ ଆସନ୍ତି l ଥରେ ଛୁଟିରେ ଆସିଥିଲେ ଶୁଣିଲେ ଶାଶୁଙ୍କୁ ମୋ ସହ ଯୁକ୍ତି କରିବାର l 

ମତେ ମୋ ବାପାବୋଉ କହି ପଠେଇଲେ ବାହାଘର ପ୍ରଥମ ବର୍ଷଠୁଁ ସୁଦଶା ବାନ୍ଧିବାକୁ l 

ଶାଶୁ କହିଲେ,


- ଦେଖ, ଆମପଟ ତୁମପଟ ଚଳଣିରେ ଅନ୍ତର l ଆମ ଏପଟେ ସାନ ବୋହୁ ଶାଶୁ ଆର ପାରିକୁ ଯିବାପରେ ତାର ପୁରୁଣାବ୍ରତ ନେଇ ପ୍ରଥମ ବ୍ରତ ଆରମ୍ଭ କରିବାର ଚଳଣି ଅଛି l ସେଯାଏଁ ମୁଁ ପୂଜା କରୁଛି, ତୋର ଚିନ୍ତାକରିବାର ଆବଶ୍ୟକତା ନାହିଁ l 


ଚୁପ ରହିବା ଛଡା ମୋର ଚାରା କଣ ଆଉ? 

 

ତାଙ୍କ ପୁଅ କିନ୍ତୁ ଏ ସମସ୍ୟାର ସୁନ୍ଦର ସମାଧାନ କରି କହିଲେ, 


- ବୋଉ, ଆମପଟ ତାଙ୍କପଟ କଣ? ତା' ଇଚ୍ଛା ଅନ୍ୟସବୁ ବୋହୁ କରୁଛନ୍ତି, ସେ ବି କରିବ l ଅସୁବିଧା କଣ ? ଏପଟ ପରମ୍ପରା ସେପଟ ପରମ୍ପରା ଭିତରେ ଫରକ ଦେଖିବାରେ ଅଯଥାଯୁକ୍ତି କାହିଁକି? ପୂଜା ପାଇଁ ଭକ୍ତି ଓ ଶ୍ରଦ୍ଧା ଥିବା ଦରକାର l ତା'ଛଡା ସେ ବ୍ରତ କରୁଛି ତ ମୋ ପାଇଁ ନା? 

ତାଙ୍କ ପୁଅଙ୍କ ଲାଗି ମୋର ନିଷ୍ଠାପର ମନୋଭାବ ଆଉ ଶ୍ରଦ୍ଧା ଦେଖି ଶାଶୁ ବି ବୁଝିଗଲେ l ମୋ ଇଚ୍ଛାଟି ପୁରଣ ହେଲା, ଶାଶୁ ବୋହୁଙ୍କ ସମ୍ପର୍କରେ ବି କୌଣସି ଆବିଳତା ଆସିଲାନାହିଁ l 

 

ଏ ଘଟଣା ପରଠୁଁ କିନ୍ତୁ ତୋ ଜେଜେଙ୍କୁ ଦେଖିବାର ଦୃଷ୍ଟିଭଙ୍ଗୀ ମୋର ବଦଳିଗଲା l ସେ ଯେ କୌଣସି କଠିନ ପରିସ୍ଥିତିରେ ଦେବଦୂତ ପରି ଆସି ଠିଆ ହୋଇ ଯାଆନ୍ତି l ମୁଁ ଅ ଅକ୍ଷର ବିବର୍ଜିତାକୁ ସେ ମହାଜ୍ଞାନୀ l ତାଙ୍କ ସିଦ୍ଧାନ୍ତ ସବୁକିଛି ମୋ ମନବୁଝିଲା ପରି l ସେ ହିଁ ଶିଖାଇଥିଲେ ଯେ ପରମ୍ପରା ଆଉ ନିୟମ ଆମକୁ ନେଇ l 


ଆମେ ପରମ୍ପରାର ଶୃଙ୍ଖଳା ଭିତରେ କଏଦୀ ନ ହେଇଯାଉ ବରଂ ପରମ୍ପରାକୁ ଭଲପାଇବା ଦ୍ୱାରା ତାକୁ ଆମେ ସାଙ୍ଗରେ ନେଇଚାଲୁ l ତାଙ୍କ ପ୍ରେରଣା ଯୋଗୁଁ ମୁଁ ପାଠ ଦି ଅକ୍ଷର ପଢ଼ିଲି l ଜୀବନର ଜଟିଳ ରାସ୍ତାରେ ସେ ମୋର ମାର୍ଗ ଦର୍ଶକ ସାଜିଥିଲେ l 

ତୋ ଜେଜେ ମୋର ଜୀବନସାଥିତ ଥିଲେ l କିନ୍ତୁ ତାଙ୍କୁ ମୋର ଗୁରୁ ଭାବେ ମୁଁ ସ୍ବୀକାର କଲି l ମନର ମଣିଷ ମିଳିଗଲା ପରେ ସ୍ୱତଃ ମୋ ଭିତର ସ୍ତ୍ରୀଟିଏ ରୂପନେଲା l ସେ ଜାଣିଥିଲା ଲାଜ, ସଂଭ୍ରମ, ଶ୍ରଦ୍ଧା, ପ୍ରେମ, ସମର୍ପଣ, ତିତିକ୍ଷା l ମୋ ଭିତରେ ଏସବୁ ଅତିମାନବୀୟ ଗୁଣ ବିକଶିତ ହେଉଥିଲା କଢିରୁ ପୁଷ୍ପଟିଏ ପରି l ଆଶ୍ଚର୍ଯ୍ୟରୂପେ ପରିବର୍ତନକୁ ମୁଁ ସ୍ୱୀକାର କରିନେଲି l ମୋତେ ଆଉ ଆଚାର ବିଚାର ଶିଖାଇବା ଦରକାର ପଡିଲାନି l ମୁଁ ତୋ ଜେଜେଙ୍କ ହସ ହସ ଚେହେରା ଦେଖି ଉଲ୍ଲାସମିଶା ଶରମରେ ଝାଉଁଳି ଯାଉଥିଲି l


 ଦିନ କେଇଟାରେ ତୋ ଜେଜେଙ୍କ ପୋଷା ବିଲେଇ ପାଲଟି ଯାଇଥିଲି ଆଉ ଘରଣୀ -ପଣିଆରେ ନିପୁଣ ବି ହୋଇଯାଇଥିଲି l

 ନାରୀର ଇଛା ଅନିଚ୍ଛା ପ୍ରତି ସମ୍ବେଦନଶୀଳ ମଣିଷଟିଏ ଆପେ ସମ୍ମାନଯୋଗ୍ୟ ହୋଇପଡେ l ସ୍ୱାମୀ ଓ ସ୍ତ୍ରୀଙ୍କ ପରସ୍ପର ଭିତରେ ସ୍ନେହ ଆଉ ସମ୍ମାନ ଥିଲେ ଘରଟିଏ ସମ୍ଭାଳିନେବାର ମନୋବୃତ୍ତି ମଧ୍ୟ ସ୍ୱତଃସ୍ଫୁର୍ତ୍ତ ଭାବେ ଜାଗିଉଠେ l ସମ୍ପର୍କ ସୁଦୃଢ ଥିଲେ ଘରବି ମଜବୁତ l


ଜେଜେମା'ଙ୍କ ଅନୁଭୂତି ଶୁଣି ରୋହିତଙ୍କ ଘରକୁ ନିଜର କରିବା ପାଇଁ ମନଭିତରେ ଏକ ସକାରାତ୍ମକତା ଜାଗି ଉଠୁଥିଲା ମାମୁନିର l ପର୍ଦା ଆଢୁଆଳେ ସୂରୁଜ ହସି ହସି ଦେଉଥିଲେ ନୂଆ ସକାଳଟିଏ ଆସିବାର ସଂକେତ l ଲାଜର ଲାଳିମା ଛାଇଥିଲା କିନ୍ତୁ ମାମୁନି ମୁହଁରେ I

                       

                                      


Rate this content
Log in

Similar oriya story from Drama