Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

JITENDRA KUMAR KONHAR

Thriller Crime


3  

JITENDRA KUMAR KONHAR

Thriller Crime


ଆତ୍ମହତ୍ୟା

ଆତ୍ମହତ୍ୟା

11 mins 621 11 mins 621


     ସନ୍ଧ୍ୟା ସମୟ ଅତିକ୍ରାନ୍ତ ହୋଇ ଧୀରେ ଧୀରେ କାନ୍ଥ ଘଣ୍ଟାର ଟିକ୍ ଟିକ୍ ଶବ୍ଦ ରାତ୍ରିକୁ ନିମନ୍ତ୍ରଣ କରୁଥାଏ। ଘରେ ଏକୁଟିଆ ସଂଗ୍ରାମ। ହଠାତ ଚାରି ଦିଗ ତାକୁ ଅନ୍ଧାର ଅନ୍ଧାର ଲାଗିଲା। ଚିନ୍ତାରେ ଅଲଗା ଦୁନିଆରେ ବୁଲୁଥିବା ସଂଗ୍ରାମ ଜାଣି ପାରିନଥିଲା କେତେବେଳେ ଲାଇନ୍ ଚାଲି ଯାଇଥିଲା। ଘର ଭିତରୁ ଦୁଇଟି ଚେୟାର ଧରି ଅଗଣାକୁ ଚାଲି ଆସିଲା। ଗୋଟିଏ ଚେୟାର ଉପରେ ବସି ଅନ୍ୟ ଚେୟାର ଉପରେ ଦୁଇ ଗୋଡ଼କୁ ଲମ୍ବେଇ ଖୋଲା ଆକାଶକୁ ଚାହିଁ ଭାବୁଥିଲା,ଜୀବନ ଯୁଦ୍ଧରେ ସେ ଏକ ପରାଜିତ ସୈନିକ। ବଞ୍ଚିବାର ତାର ଅଧିକାର ନାହିଁ। ଜୀବନର ଅଡୁଆ ଜାଲରେ ଯେମିତି ସେ ଛନ୍ଦି ହୋଇ ଯାଇଥାଏ। ଯେଉଁ ଅଡୁଆ ଜାଲକୁ ଠିକ୍ କରିବା ପାଇଁ ତା ପାଖରେ ଶକ୍ତି ଅଛି ନା ସମୟ ନା ସାମର୍ଥ୍ୟ। ବାସ୍ ଶେଷ କଥା ସେ ଆତ୍ମହତ୍ୟା କରିଦେବ।ଖୋଲା ଆକାଶ ରେ ହାତ ଗଣତି କିଛି ତାରା ଗଣ ଯେମିତି ସଂଗ୍ରାମକୁ ଦେଖୁଥାନ୍ତି ଆଉ ତା କଥା ଶୁଣୁଥାନ୍ତି। ହେଲେ ଏ କଣ ସେ ତାରା ଗଣ ମଧ୍ୟ ଆକାଶରୁ ଉଭେଇ ଗଲେ। ସଂଗ୍ରାମ କୁ ଲାଗେ ବୋଧହୁଏ ସେମାନେ ବି ତା’ର ବିପକ୍ଷରେ। କିଛି ସମୟ ପୂର୍ବରୁ ଯେମିତି ଲାଇନ କଟି ଯାଇଥିଲା ଆଉ ଏବେ ସାଙ୍ଗରେ ଥିବା ତାରା ଗଣ ମଧ୍ୟ ଲୁଚିଗଲେ। ସତେ ଯେମିତି ସଂଗ୍ରାମର ଆତ୍ମହତ୍ୟା କରିବାର ନିଷ୍ପତ୍ତିକୁ ସେମାନେ ଠିକ ବୋଲି ପ୍ରମାଣିତ କରୁଥିଲେ।


      ହାତରେ ଥିବା ନିଜର ମୋବାଇଲର କଣ୍ଟାକ୍ଟ୍ ଲିଷ୍ଟରେ କାହା ନମ୍ବର୍ କୁ କେଜାଣି ସଂଗ୍ରାମ ବ୍ୟସ୍ତତାର ସହ ଖୋଜି ଚାଲିଥିଲା। ବୋଧେ ଏକୁଟିଆ ପଣରୁ ମୁକ୍ତି ପାଇବା ପାଇଁ। ସେ ସ୍ଥିତି ପାଖକୁ ରିଙ୍ଗ କଲା। ହେଲେ ଏ କଣ!! ବାରମ୍ବାର ଫୋନ କଲା ପରେ ବି ସେ ରିସିଭ କଲାନି। ଯେମିତି ସାରା ଦୁନିଆ ସଂଗ୍ରାମକୁ ପର କରି ଦେଇଥିଲା ଆଉ ବାରମ୍ବାର କହୁଥିଲା ତୁ ଆତ୍ମହତ୍ୟା କରି ଦେ। ଠିକ ସେତିକି ବେଳକୁ ଚନ୍ଦ୍ରର କିରଣରେ ଚମକି ପଡିଲା ସଂଗ୍ରାମ। ଯେମିତି ସେ ତାରା ଲୁଚିଯିବା ଲାଇଟ ଚାଲି ଯିବା ସ୍ଥିତି ଫୋନ ନ ଉଠାଇବା ସବୁକୁ ବିରୋଧ କରି ସଂଗ୍ରାମ ର ସାଥ୍ ଦେବାପାଇଁ ଚନ୍ଦ୍ରର କିରଣ ଆସି ଯାଇଥିଲା। ପୁଣି ଦୋ ଛକିରେ ପଡିଗଲା ସଂଗ୍ରାମ। କଣ ସେ କରିବ ଏବେ। ଆତ୍ମହତ୍ୟା ନା ଆତ୍ମହତ୍ୟା ଶବ୍ଦ ଭିତରେ ଜୀବନ ନାମକ ଶବ୍ଦକୁ ପୁଣି ଖୋଜିବ। 


   ହେଲେ କ’ଣ ହୋଇଛି ସଂଗ୍ରାମ ର। ସେ କାହିଁକି ଆଉ କେଉଁ ପରିସ୍ଥିତିରେ ଏମିତି ଚରମ ନିଷ୍ପତି ନେବାକୁ ବସିଛି। ସେ ସବୁ ଜାଣିବାକୁ ହେଲେ ଆମକୁ ଯିବାକୁ ପଡ଼ିବ ଦଶ ବର୍ଷ ତଳକୁ। ଯେବେ ସଂଗ୍ରାମର କଲେଜ ଜୀବନର ଆରମ୍ଭ ହୋଇଥିଲା। ଭାରି ଖୁସ ମିଜାଜର ପିଲା ଆଉ ସରଳ ପିଲାଟିଏ ଥିଲା ସେ। ସବୁବେଳେ ତା ଓଠରେ ଯେମିତି ସ୍ମିତ ହସଟିଏ ଘର କରି ରହିଥାଏ। ସେଇ ହସ ଅନ୍ୟ ମାନଙ୍କ ପାଇଁ ଆକର୍ଷଣର କାରଣ ଥିଲା। ସେଇ କଲେଜ ସମୟ ଭିତରେ ସଂଗ୍ରାମ ତାର କିଛି ସାଙ୍ଗ ପାଖରୁ ସ୍ଥିତି ନାମକ ଝିଅ ବିଷୟରେ ଜାଣିବାକୁ ପାଏ। କାହିଁକି କେଜାଣି ଝିଅ ବିଷୟରେ କିଛି ନ ଜାଣି ସେ ସେଇ ସ୍ଥିତି ନା' ରୁ ହିଁ ଆକର୍ଷିତ ହୋଇସାରିଥାଏ। ଆଉ ମନେ ମନେ ସ୍ଥିତିକୁ ଦେଖିବାକୁ ଖୋଜୁଥାଏ। କାଳେ ସାଙ୍ଗ ମାନେ କିଛି ଭାବିବେ ସେ ନିଜ କଥାକୁ ଛାତି ତଳେ ଚାପି ରଖିଦେଲା। ସଂଗ୍ରାମ ସେ ଝିଅ ବିଷୟରେ କିଛି ଜାଣି ନ ଥାଏ କିନ୍ତୁ ତାକୁ ଲାଗେ ସେ ଯେମିତି ଦେଖିବାକି ଭାରି ସୁନ୍ଦର । ଗୋଟିଏ ଚାଉଳରେ ଗଢ଼ା ପରି। କଳ୍ପନା ରେ ତା ଛବି ଆଙ୍କି ସାରିଥାଏ। ସଂଗ୍ରାମର ଇଛା ହେଉଥାଏ ସ୍ଥିତି ତାର ବାନ୍ଧବୀ ହୋଇଥାନ୍ତା କି... ଏମିତି ଅନେକ ଦିବା ସ୍ବପ୍ନ ଦେଖିଚାଲେ ସେ। ବୋଧହୁଏ ସେ ମନେ ମନେ ତାକୁ ନ ଦେଖି ନ ଜାଣି ବି ଭଲ ପାଇ ବସିଥିଲା। 


   ଥରେ କଲେଜରେ ପ୍ରାକ୍ଟିକାଲ୍ ପରୀକ୍ଷା ଥାଏ । ନିଜ ବାଇକ୍ ରେ ସଂଗ୍ରାମ ବାହାରି ଥାଏ କଲେଜ ଅଭିମୁଖେ। ରାସ୍ତା କଡରେ ତାଙ୍କରି କଲେଜ ୟୁନିଫୋର୍ମ ଥିବା ଏକ ସୁନ୍ଦର ତରୁଣୀର ଲିଫ୍ଟ୍ ଡାକରେ ଅଟକି ଯାଏ। ସଂଗ୍ରାମ କୁହେ, କଲେଜ ଯିବେକି? ଝିଅଟି କୁହେ, ହଁ କଲେଜରେ ଟିକେ ଛାଡ଼ିଦେବେ ପରୀକ୍ଷା ଅଛି, ବସ୍ ମିସ୍ କରିଗଲି। ହଉ ବସନ୍ତୁ କହି ସଂଗ୍ରାମ ଗାଡି ଷ୍ଟାର୍ଟ କରି ସେହି ଝିଅ ସହ କଲେଜ ଅଭିମୁଖେ ଚାଲିଲା। ସଂଗ୍ରାମ କୁହେ, କିନ୍ତୁ କାହିଁ ମୁଁ ତ କଲେଜ ରେ କେବେ ଆପଣଙ୍କୁ ଦେଖିନି। ହଁ ଦେଖି ନ ଥିବେ ମୁଁ ବି ଆପଣଙ୍କୁ କେବେ ଦେଖିନି। ଆମ ଡିପାର୍ଟମେଂଟ ସମାନ ନୁହେଁ ନା ବୋଧହୁଏ ସେଇଥି ପାଇଁ, ପ୍ରତ୍ୟୁତ୍ତୋର ରେ କୁହେ ସେଇ ଝିଅ ଟି। ଏମିତି କଥା ହେଉ ହେଉ କଲେଜ ପହଂଚି ସାରିଥାଏ । ଦୁହେଁ ପରୀକ୍ଷା ଦେବାକୁ ବାହାରି ଗଲେ। ଝିଅ ଟି ଥାଙ୍କସ୍ କହି ଚାଲି ଯାଉ ଯାଉ ସଂଗ୍ରାମ କହିଲା, ଆରେ ଆପଣଙ୍କର ନାଁ ତ କହିଲେନି। ଝିଅ ଟି ଯାଉ ଯାଉ କହିଲା, ମୋ ନାଁ ସ୍ଥିତି। ସଂଗ୍ରାମ ନିଜ କାନ ଆଉ ଆଖିକୁ ଵିଶ୍ଵାସ କରି ପାରିଲା ନାହିଁ। ସେ ଯାହାକୁ ମନେ ମନେ ଖୋଜୁଥଲା ଏଇ ସେ ଝିଅ। ପରୀକ୍ଷା ଶେଷ ପରେ ସଂଗ୍ରାମ ର ଆଖି ଖୋଜି ବୁଲିଲା ସେଇ ଝିଅକୁ ହେଲେ କୋଉଠି ବି ପାଇଲାନି। ଆଉ କାହାକୁ ତା ବିଷୟରେ ପଚାରିବାକୁ ବି ସାହସ କରିନି କାଳେ କିଏ କଣ ଭାବିବ। କିନ୍ତୁ ସେଦିନ ରାତିରେ ବହୁତ ଡେରି ଯାଏଁ ଖୁସିରେ ସେ ଶୋଇ ପାରିଲାନି। ମନେ ପକାଉଥାଏ ସ୍ଥିତିକୁ କଲେଜ ଯାଏଁ ଲିଫ୍ଟ ଦେବାର ମୁହୂର୍ତ୍ତକୁ ଆଉ ବାରମ୍ବାର ଖୁସି ହେଉଥାଏ।


      ତା'ପର ଦିନ କଲେଜ ଯିବା ପରେ କାହିଁ ସେ କଲେଜରେ ଆଉ ସ୍ଥିତିକୁ କେବେ ଦେଖିନି। ମନେ ମନେ ବହୁତ ଖୋଜିଛି। ସେ ଭାବେ ସେ ଦିନ ମୋବାଇଲ ନମ୍ବର ମାଗିଥିଲେ ଭଲ ହୋଇଥାନ୍ତା। ହେଲେ ଏବେ ବା ସେ କଣ କରି ପାରିବ। ନିଜ ଭାଗ୍ୟକୁ ଆଦରି ନିଜ ଜୀବନରେ ହଜି ଯିବାକୁ ଚେଷ୍ଟା କଲା। ଏମିତି ଗୋଟିଏ ବର୍ଷ ବିତିଗଲା।


ଗୋଟିଏ ବର୍ଷ ପରେ...


   ସଂଗ୍ରାମର ହୃଦୟରେ ଆଜି ବି ସ୍ଥିତିର ସ୍ମୃତି ସତେଜ ରହିଛି। ବେଳେ ବେଳେ ସେ ମନେ ପକାଏ ସେଇ ସ୍ମୃତି ଆଉ ଖୁସି ହୁଏ। ବେଳେ ବେଳେ ଟିକିଏ ମନ ଦୁଃଖ ବି କରେ ତାକୁ ଅନେକ ଖୋଜି ବି ପାଇ ପାରିଲାନି ବୋଲି। ହଠାତ ସଂଗ୍ରାମ ର ଫୋନ ବାଜି ଉଠିଲା, ଫୋନ କରିଥିଲା ମନୋଜ ତାର ପିଲା ବେଳେର ସାଙ୍ଗ। ସହରରେ ଭଲ ଚାକିରୀ ଟିଏ କରିଛି। ଫୋନ କରି କହୁଥିଲା, ଆରେ ମୁଁ ତୋ ଘର ଆଗରେ କବାଟ ଖୋଲୁନୁ। ସଂଗ୍ରାମ ଯାଇ କବାଟ ଖୋଲନ୍ତେ ଦୁଇ ବନ୍ଧୁଙ୍କର ଖୁସି ଦେଖିଲା ଭଳିଆ। ମନୋଜ କୁ ସଂଗ୍ରାମ ନେଇଯାଏ ନିଜ ରୁମ କୁ। ବେଶ କିଛି ସମୟ ଦୁଇ ବନ୍ଧୁ କଥା ହୁଅନ୍ତି। ଶେଷରେ ମନୋଜ କୁହେ, ସାଙ୍ଗ ମୋର ବାହାଘର ଆର ମାସରେ ତୁ ନିଶ୍ଚୟ ଆସିବୁ...ଏତକ କହି ନିଜ ବାହାଘର କାର୍ଡ ଦେଇ ମନୋଜ ଯିବାକୁ ବାହାରି ପଡ଼ିଲା। ସଂଗ୍ରାମ ଆଡ଼ଭାନ୍ସ କଂଗ୍ରାଚୁଲେଶନ ଜଣାଇ ମନୋଜକୁ ବିଦାୟ ଦେଲା। ଆରେ ବାହାଘର କାର୍ଡ଼ ତ କେତେ ସୁନ୍ଦର ହୋଇଛି... ମନେ ମନେ ଭାବେ ମନୋଜ କେତେ ଟଙ୍କା ଖର୍ଚ୍ଚ କରିଛି କାର୍ଡ଼ରେ!! କାର୍ଡ଼ ଖୋଲି ଦେଖେ ତ ସେ ଆଶ୍ଚର୍ଯ୍ୟ ହୋଇଯାଏ। ଏ କଣ !!! କାର୍ଡରେ ଲେଖା ହୋଇଛି ମନୋଜ ସହିତ ସ୍ଥିତି। ତାର ପୁଣି ମନେ ପଡ଼ିଯାଏ ତା ସ୍ଥିତି ର ସ୍ମୃତି କଥା। ହେଲେ ସେ ଜାଣି ପାରେନି ଇଏ ସେଇ ସ୍ଥିତି ନା ଆଉ କିଏ? ତାର ଭାରି ଜାଣିବାକୁ ଇଛା ହୁଏ। ହେଲେ ଅବା ସେ କ’ଣ କରିବ । ତା’ର ତ ବାହାଘର ଠିକ ହୋଇଯାଇଛି। ତାହା ବି ନିଜର ପିଲା ବେଳର ସାଙ୍ଗ ସହ। ମନେ ମନେ ଭାବେ ଏ ସ୍ଥିତି ସେ ସ୍ଥିତି ନ ହୋଇଥାଉ । ସତେ ଯେମିତି ତାକୁ କୋଉଠି ଗୋଟିଏ ଛାତି ଭିତରେ ବହୁତ କଷ୍ଟ ଲାଗୁଥାଏ। 


          ବାହାଘର ଦିନ ଯଥେଷ୍ଟ ପୂର୍ବରୁ ସଂଗ୍ରାମ ପହଂଚି ଯାଇଥିଲା ମନୋଜ ପାଖରେ। ଯେତେବେଳେ ବାହାଘର ସମୟ ଆସିଲା। କନ୍ୟା ବାହାଘର ବେଦିକୁ ଆସୁଥାଏ। ସଂଗ୍ରାମ ଚକିତ ହୋଇ ଚାହିଁ ରହିଥାଏ। ଆରେ ଏଇତ ମୋ ସ୍ଥିତି!! ଯାହାକୁ ଆଜି ଯାଏଁ ମୋ ଛାତି ତଳେ ମୁଁ ସାଇତି ରଖିଛି। ସତେ ଯେମିତି ସେ ଚାହୁଁଥାଏ ଏ ବାହାଘର ଭାଙ୍ଗି ଯାଆନ୍ତା କି? ସେ ସ୍ଥିତି କୁ ତାର ମନ କଥା କହିଦିଅନ୍ତା। ଆଉ ତାକୁ ତାର ନିଜର ଜୀବନ ସାଥି କରନ୍ତା। ହେଲେ ସେ ସବୁ ଭାବି ଏବେ କଣ ଲାଭ। ବନ୍ଧୁତାରେ ସେ କେବେ ବିଶ୍ୱାସ ଘାତ କରି ପାରିବନି। ସ୍ଥିତି କୁ ସେ ଭଲ ପାଉଥିଲା ଭଲ ପାଉଥିବ କିନ୍ତୁ କେବଳ ନିଜଠୁ ନିଜ ପର୍ଯ୍ୟନ୍ତ। ଏମିତି ଭାବି ସେ ବାହାଘରର ବ୍ୟସ୍ତତା ଭିତରେ ନିଜକୁ ହଜେଇବାକୁ ଚେଷ୍ଟା କଲା। ହେଲେ ତାର ଆଖି ସ୍ଥିତିକୁ ପାଖରେ ପାଇ ଯେତିକି ଖୁସି ହୋଇଥିଲା ପୁଣି ତାକୁ କ୍ଷଣିକରେ ହରାଇ ଦେବ ବୋଲି କଷ୍ଟ ଅନୁଭବ କରୁଥାଏ। ପୁଣି ନିଜକୁ ବୁଝାଏ ପ୍ରେମର ମାନେ ନୁହେଁ କେବଳ ପାଇବା...ପ୍ରେମର ଅନ୍ୟ ଏକ ନାମ ହେଉଛି ତ୍ୟାଗ। ହେଲେ ଏ କଣ ହସ୍ତ ଗଣ୍ଠି ପଡିବା ପୂର୍ବରୁ ଆଉ କାହାର ଚଢା ଗଳାର ଡାକରେ ସବୁ ଯେମିତି ଅଟକି ଗଲା। ଜଣେ ଅଜଣା ଲୋକ ଆସି କ୍ରୋଧ ଭରା କଣ୍ଠରେ କହିଲା, ମନୋଜ ତୁମେ କେତେଥର ବାହା ହେବ। ମୋ ଭଉଣୀକୁ ବାହା ହୋଇ ତା ଜୀବନକୁ ନଷ୍ଟ କରି ତୁମେ ଦ୍ୱିତୀୟ ବାହା ହେବାକୁ ଯାଉଛ। ସେ ଲୋକ ସାଥିରେ ଥାଏ ଝିଅ ଟିଏ। ଆଖିରେ ତାର ଧାର ଧାର ଲୁହ। ସେ ଥିଲେ ସମ୍ପୂର୍ଣ୍ଣା। ନିଜକୁ ମନୋଜର ସ୍ତ୍ରୀ ବୋଲି ପରିଚୟ ଦେଉଥିଲେ। ଆଉ ଚିତ୍କାର କରି କହୁଥିଲେ, ଏ ବାହାଘର ବନ୍ଦ କର। ସେମାନେ ସାଥିରେ ପୋଲିସ ନେଇ ଆସିଥିଲେ। ସ୍ଥିତି ସହ ସ୍ଥିତିର ବାପା ମା' ସମସ୍ତେ ଆଶ୍ଚର୍ଯ୍ୟ। ମନୋଜ ଏମିତି କାମ କରି ପାରିଲା। ସମ୍ପୁର୍ଣ୍ଣା ପାଖରେ ଯଥେଷ୍ଟ ପ୍ରମାଣ ମନୋଜ ତାର ସ୍ୱାମୀ ବୋଲି। ବାହାଘରର ଫୋଟ ସବୁ ରହିଛି ତା ପାଖରେ। ସଂଗ୍ରାମ ହଠାତ ମାଡି ଗଲା ମନୋଜ ପାଖକୁ ଆଉ କହିଲା, ମନୋଜ ତୁ ଏମିତି କାମ କେମିତି କରି ପାରିଲୁ। ଦୁଇ ଦୁଇଟି ଜୀବନ ସହ ତୁ ଖେଳିଲୁ। ତୋତେ ମୋ ସାଙ୍ଗ ବୋଲି କହିବାକୁ ମୋତେ ଘୃଣା ଲାଗୁଛି। ମନୋଜ କିଛି କହିବାକୁ ଉଦ୍ୟତ ହୁଅନ୍ତା ତାକୁ ପୋଲିସ ବାବୁ ନିଜ ସାଥିରେ ନେଇଗଲେ। ସ୍ଥିତି ଆଶ୍ଚର୍ଯ୍ୟ ହୋଇ ଦେଖୁଥାଏ। ଏ ସବୁ କ’ଣ ଘଟି ଯାଉଛି ତା’ର ଚାରି ପାଖରେ। ଆଖିରେ ତାର ଧାର ଧାର ଲୁହ। ସ୍ଥିତି ର ବାପା ମା କଣ କରିବେ ଏବେ। ଝିଅ ମଙ୍ଗୁଳା ହୋଇ ରହିଯିବ। ସ୍ଥିତି ଏ ଭିତରେ ସଂଗ୍ରାମକୁ ଚିହ୍ନି ପାରିଥାଏ। ଆଉ ସଂଗ୍ରାମ ଲିଫ୍ଟ ଦେବା କଥା ତାର ଝାପ୍ସା ଝାପ୍ସା ମନେ ପଡ଼ିଯାଏ। ସେ ସଂଗ୍ରାମ ଆଗକୁ ଆସି ତାକୁ ବିବାହ କରିବାକୁ ପ୍ରସ୍ତାବ ଦିଏ। ସଂଗ୍ରାମ କଣ କରିବ ଜାଣି ପାରେନି। ଶେଷରେ ସେ ସମସ୍ତଙ୍କ ଅନୁରୋଧରେ ବାହାଘର ପାଇଁ ରାଜି ହୋଇଯାଏ। ବାହାଘର ସୁରୁଖୁରୁରେ ସରିଯାଏ। ସଂଗ୍ରାମ ନ ପ୍ରକାଶ କଲେ ବି ଭିତରୁ ବହୁତ ଖୁସି ଥାଏ। କାରଣ ସେ ତାର ମନର ମଣିଷ କୁ ଜୀବନ ସାଥି ଭାବରେ ପାଇ ସାରିଛି। ସ୍ଥିତି ବି ସବୁ କିଛି ଭୁଲି ନିଜକୁ ନୂଆ ଦୁନିଆରେ ହଜାଇବାକୁ ଚେଷ୍ଟା କଲା। କିଛି ଦିନ ପରେ ଖବର କାଗଜରେ ବାହାରିଲା ମନୋଜକୁ ପାଂଚ ବର୍ଷ ଜେଲ ହୋଇଯାଇଛି। ସ୍ଥିତି କହୁଥାଏ, ଏମିତି ଲୋକଙ୍କୁ ଫାଶୀ ଦେଇଦେବା କଥା। ଝିଅ ମାନଙ୍କ ଜୀବନ ସହ ଖେଳିବେ। ସଂଗ୍ରାମ ସ୍ଥିତିର କଥାକୁ ସମର୍ଥନ କରୁଥାଏ।


   ଭଗବାନଙ୍କ ଆଶୀର୍ବାଦରୁ ବାହାଘରର ଦେଢ଼ ବର୍ଷ ପରେ ସ୍ଥିତି ଆଉ ସଂଗ୍ରାମ କୋଳରେ ସୁନ୍ଦର ଝିଅଟିଏ। ନା’ ତାର କଳ୍ପନା। ବେଶ ହସ ଖୁସିରେ ଗଡି ଚାଲେ ସେମାନଙ୍କର ସଂସାର ରଥ। ଝିଅ କଳ୍ପନାକୁ ନେଇ ସେମାନେ ବେଶ ଖୁସି। ସଂଗ୍ରାମର ଜୀବନ ତ ତା ଝିଅ ଭିତରେ ହିଁ ଥାଏ। ସ୍ଥିତି ଏ ସବୁ ଦେଖି ଭଗବାନଙ୍କୁ ଧନ୍ୟବାଦ ଦେଉଥାଏ। ଏତେ ଭଲ ଜୀବନ ସାଥି ଆଉ ଏତେ ସୁନ୍ଦର ଝିଅଟିଏ କୋଳକୁ ଦେଇଥିବାରୁ। ସମୟ ସ୍ରୋତରେ ଜୀବନ ହସ ଖୁସିରେ ଗଡ଼ି ଚାଲିଥାଏ। ଦେଖୁ ଦେଖୁ ପାଂଚ ବର୍ଷ ବିତି ଗଲାଣି। ହେଲେ ସ୍ଥିତି ଆଉ ସଂଗ୍ରାମକୁ ପାଂଚ ଦିନ ପରି ଲାଗୁଥାଏ। କେତେ ଜଲଦି ଯେ ସମୟ ବିତି ଯାଉଛି ସେମାନେ ଜାଣି ପାରୁନଥିଲେ। ଦିନେ ସନ୍ଧ୍ୟା ସମୟରେ କବାଟ ପାଖରେ କାହାର ଅସ୍ୱାଭାବିକ ଧଡ଼ ଧଡ଼ ଶବ୍ଦରେ ଚମକି ପଡିଲେ ସ୍ଥିତି ଆଉ ସଂଗ୍ରାମ। ସ୍ଥିତି ଯାଇ କବାଟ ଖୋଲନ୍ତେ ଦେଖିବାକୁ ପାଏ ଆଗରେ ଠିଆ ହୋଇଛି ଜେଲ ଫେରନ୍ତା ମନୋଜ। ରକ୍ତ ମୁଖା ହୋଇ ସେ ଠିଆ ହୋଇଥାଏ। ସ୍ଥିତି ରାଗିକି କୁହେ, ତୁମେ ଏଠି ପୁଣି କଣ କରିବାକୁ ଆସିଛ? ଶିଘ୍ର ଚାଲିଯାଅ ଏଠୁ ନ ହେଲେ ମୁଁ ପୁଲିସ ଡାକିବାକୁ ବାଧ୍ୟ ହେବି।ସ୍ଥିତିର ପାଟି ଶୁଣି ସଂଗ୍ରାମ ଦୌଡ଼ି ଆସେ। ମନୋଜକୁ ଦେଖି ସଂଗ୍ରାମ ରାଗିଯାଏ। ସେ ମନୋଜକୁ ଯାଇ ଧୋକା ଦେବା ପାଇଁ ଉଦ୍ୟତ ହେଲା ବେଳକୁ ମନୋଜର ପାଟିରୁ ଶୁଭେ ସମ୍ପୁର୍ଣ୍ଣା। ସଂଗ୍ରାମର ପାଦ ଅଟକି ଯାଏ ସମ୍ପୁର୍ଣ୍ଣା ଶୁଣି। ସମ୍ପୁର୍ଣ୍ଣା ଘର ଭିତରକୁ ଆସେ। ସ୍ଥିତି ବି ଚକିତ ଥାଏ ଏ ସବୁ ଦେଖି। ସ୍ୱାମୀ ସ୍ତ୍ରୀ ଦୁହେଁ ଏଠି କି ନାଟକ ଚଲାଇଛ। ଜଲଦି ଚାଲି ଯାଅ ଏଠାରୁ। ନ ହେଲେ କିଛି ଭଲ ହେବନି କହିଦେଉଛି, ସଂଗ୍ରାମ ଚିତ୍କାର କରି ଉଠେ। ଠିକ ସେତିକି ବେଳକୁ ପୋଲିସ ବାବୁ ଭିତରକୁ ପଶି ଆସନ୍ତି। ସ୍ଥିତି କିଛି ବୁଝି ପାରୁନ ଥାଏ କଣ ହେଉଛି ଏ ସବୁ। ସମ୍ପୁର୍ଣ୍ଣା କୁ ମନୋଜ ସେ ବାହାଘର ଦିନର ସତ କଥା କହିବାକୁ କୁହେ। ସତ କଥା ପୁଣି କଣ? ସବୁ ତ ଆମ ସାମ୍ନାରେ, କୁହେ ସ୍ଥିତି। ମନୋଜ କୁହେ, ନା ସ୍ଥିତି ତୁମେ ପୁରା ସତ ଜାଣିନ। ଶୁଣ ଏଇ ସମ୍ପୁର୍ଣ୍ଣା ମୁହଁରୁ। ମନୋଜ ସମ୍ପୁର୍ଣ୍ଣାକୁ ସତ କଥା କହିବା ପାଇଁ ପୁଣି ପାଟି କରି କୁହେ। ସମ୍ପୁର୍ଣ୍ଣା ମନୋଜର ପାଟି ଶୁଣି ଚମକି ଉଠେ ଆଉ କାନ୍ଦି କାନ୍ଦି କୁହେ, ମୋତେ କ୍ଷମା କରି ଦିଅନ୍ତୁ। ମୁଁ ମନୋଜ ର ସ୍ତ୍ରୀ ନୁହେଁ। କିଛି ଟଙ୍କା ଲୋଭରେ ମୁଁ ସେଇ ଦିନ କେବଳ ଅଭିନୟ କରିଥିଲି। ସ୍ଥିତି ମୁଣ୍ଡକୁ କିଛି ପଶୁ ନ ଥାଏ। ସ୍ଥିତି ପଚାରି ଉଠେ ସମ୍ପୁର୍ଣ୍ଣାକୁ କିଏ ସେ କାହା ପାଇଁ ତମେ ଏମିତି କଲ? ଝିଅ ଟିଏ ହୋଇ ଆଉ ଗୋଟିଏ ଝିଅର ଜୀବନ ସହିତ କେମିତି ଏମିତି କରି ପାରିଲ? ମନୋଜ ସ୍ଥିତି ପାଟିରୁ କଥା ଛଡାଇ ଆଣି କହେ, ସେ ଆଉ କେହି ନୁହଁ ସ୍ଥିତି ସେ ତୁମ ସ୍ଵାମୀ ସଂଗ୍ରାମ ଆଉ କେହି ନୁହେଁ। ସ୍ଥିତିର ପାଦ ତଳୁ ମାଟି ଖସିଯାଏ। ସେ ବିଶ୍ୱାସ କରି ପାରେନି। ସଂଗ୍ରାମ କୁହେ ନା ସ୍ଥିତି ଏ ସବୁ ମିଛ। ମୁଁ ଏମିତି କରି ପାରିବିନି କେବେ। ସ୍ଥିତି କୁହେ, ମୋର ତୁମ ଉପରେ ଭରସା ଅଛି ସଂଗ୍ରାମ। ତୁମେ ବ୍ୟସ୍ତ ହୁଅନି। ମନୋଜ କୁହେ, ସଂଗ୍ରାମ ଝିଅ ମୁଣ୍ଡ ଉପରେ ହାତ ରଖି କହିପାରିବ ସେ ଦୋଷୀ ନୁହେଁ ବୋଲି। ସ୍ଥିତି କୁହେ ନିଶ୍ଚୟ କହି ପାରିବେ କାହିଁକି ନୁହେଁ। ସ୍ଥିତି ସଂଗ୍ରାମକୁ କୁହେ, କହି ଦିଅ ସଂଗ୍ରାମ ଆଉ ସମସ୍ତଙ୍କ ମୁହଁ ବନ୍ଦ କରିଦିଅ। ଝିଅ କଳ୍ପନା କୁ ଆଣି ସଂଗ୍ରାମ ଆଗରେ ଠିଆ କରିଦିଏ ସ୍ଥିତି। ହେଲେ ସଂଗ୍ରାମ ନିର୍ବାକ। ଯେମିତି ସ୍ଥାଣୁ ପାଲଟି ଯାଇଥିଲା ସେ। ସଂଗ୍ରାମ କୋହ ଭରା କଣ୍ଠରେ କୁହେ, ନା ମୁଁ ପାରିବିନି ମୋ ଝିଅ ମୁଣ୍ଡରେ ହାତ ରଖି ପାରିବିନି। କାରଣ ମୁଁ ଭୁଲ କରିଛି ସ୍ଥିତି। ମୁଁ ତୁମ ସମସ୍ତଙ୍କର ଦୋଷୀ। ସ୍ଥିତି ନିଜ ଆଖି ଆଉ ଆଉ କାନକୁ ବିଶ୍ୱାସ କରି ପାରେନି। ହଁ ସ୍ଥିତି ମୁ ତୁମକୁ କଲେଜ ଟାଇମରୁ ହିଁ ଭଲ ପାଇ ବସିଥିଲି। ତୁମ ସହ ପ୍ରଥମ ଦେଖାର ସ୍ମୃତି ଆଜିବି ମୋ ଛାତି ତଳେ ସାଇତି ହୋଇ ରହିଛି। ହେଲେ ତୁମକୁ ଭଲପାଏ ବୋଲି କହିବାକୁ କେବେ ସୁଯୋଗ ପାଇ ପାରିଲିନି। ହେଲେ ଯେତେବେଳେ ତୁମର ଖବର ପାଇଲି। ତୁମର ବାହାଘର ଠିକ ହୋଇ ସାରିଥିଲା। ମୁଁ ତୁମକୁ ଏତେ ପାଖରେ ପାଇ କେବେ ହରାଇବାକୁ ଚାହୁଁ ନ ଥିଲି। ତେଣୁ ଟିଭିରେ ଆସୁଥିବା ଏକ କ୍ରାଇମ ସିରିଏଲରୁ ଉପାୟ ପାଇଲା ପରେ ସମ୍ପୁର୍ଣ୍ଣା କୁ କିଛି ଟଙ୍କାର ଲୋଭ ଦେଖାଇ ମୁଁ ଏମିତି ଏକ ଚକ୍ରବ୍ୟୁହର ରଚନା କରିଥିଲି। ମୋତେ ଯାହା ଦଣ୍ଡ ଦେବା କଥା ଦିଅ। ମୁଁ ସବୁଥିରେ ରାଜି। ସେ ଜେଲ ଦଣ୍ଡ ହେଉ ଅବା ଫାଶି ଦଣ୍ଡ। ସ୍ଥିତି କୁହେ, ବାଃ ସଂଗ୍ରାମ ଭଲ ଉପହାରଟିଏ ଦେଲ ତୁମେ ବିଶ୍ୱାସଘାତ ରୂପରେ। ଝିଅ କଳ୍ପନାକୁ ଧରି ସ୍ଥିତି କାନ୍ଦି କାନ୍ଦି ଘର ଛାଡ଼ି ଚାଲି ଯିବାକୁ ବାହାରି ପଡ଼ିଲା। ସଂଗ୍ରାମ ଯେତେ ସ୍ଥିତି ଆଉ ମନୋଜକୁ କ୍ଷମା ମାଗିବା ପାଇଁ ଚେଷ୍ଟା କଲେ ବି କେହି ଶୁଣିଲେନି। ପୋଲିସ ବାବୁ ଆଗେଇ ଆସିଲେ ସଂଗ୍ରାମକୁ ନେବା ପାଇଁ। ହାତକଡ଼ି ପଡିଗଲା ସଂଗ୍ରାମ ହାତରେ। ଝିଅ କଳ୍ପନା କାନ୍ଦୁଥାଏ। ସ୍ଥିତି ଆଖିରେ ବି ଧାର ଧାର ଲୁହ।


     ସଂଗ୍ରାମକୁ ପୋଲିସ ବାବୁ ଟାଣି ଟାଣି ନେଇ ଯାଆନ୍ତେ ମନୋଜ କହିଲା, ମିଛରୁ ଆରମ୍ଭ ସମ୍ପର୍କ ବେଶି ଦିନ ରୁହେନି ସଂଗ୍ରାମ। ମୁଁ ତୁମକୁ ଜେଲ ପଠାଇବିନି। ତୁମେ ତ ଥିବ କିନ୍ତୁ ତୁମ ସାଥିରେ କେହି ନ ଥିବେ। ତୁମେ ପ୍ରତି କ୍ଷଣ ଛଟପଟ ହେବ। ଅନ୍ୟକୁ କଷ୍ଟ ଦେଇ ଆଜି ପର୍ଯ୍ୟନ୍ତ କେହି ଭଲରେ ରହିନାହାନ୍ତି ସଂଗ୍ରାମ। ମନୋଜ ପୋଲିସ ବାବୁଙ୍କ ଆଡକୁ ଅନାଇ କୁହେ, ମୁଁ କେସ ଉଇଥଡ୍ର କରି ନେଉଛି ପୋଲିସ ବାବୁ। ସଂଗ୍ରାମ ଆଉ ସମ୍ପୁର୍ଣ୍ଣାକୁ ଛାଡି ଦିଅନ୍ତୁ। ମୁଁ ଖାଲି ଚାହୁଁଥିଲି ସତ ସାମ୍ନାକୁ ଆସୁ ଆଉ କିଛି ନୁହେଁ। ସେଥିପାଇଁ ତ ଜେଲରୁ ଫେରିଲା ପରେ ମୁଁ ପ୍ରଥମେ ସମ୍ପୁର୍ଣ୍ଣାକୁ ଖୋଜିଥିଲି। ସମ୍ପୁର୍ଣ୍ଣାକୁ ପାଇଲା ପରେ ମୁଁ ତା ପାଟିରୁ ସବୁ ସତ କଥା ଶୁଣି ନିଜକୁ ବିଶ୍ଵାସ କରି ପାରିନଥିଲି। ମୁଁ ସଂଗ୍ରାମକୁ ଜେଲ ପଠେଇବାକୁ ଚାହେଁନି। କିନ୍ତୁ ତଥାପି ମୁଁ ତାକୁ କେବେ କ୍ଷମା କରି ପାରିବିନି। ଏଇ ଜନ୍ମରେ ତ ନୁହେଁ। ପୋଲିସ ବାବୁ ସଂଗ୍ରାମ ଆଉ ସମ୍ପୁର୍ଣ୍ଣାକୁ ଛାଡିଦେଲେ ସତ କିନ୍ତୁ ସଂଗ୍ରାମ ପୁରା ଏକୁଟିଆ ହୋଇଯାଇଥିଲା। ନା ସ୍ଥିତି ନା ଝିଅ କଳ୍ପନା ନା ମନୋଜ କେହି ବି ତା ସାଥିରେ ଥିଲେ। ସେ ସ୍ଥିତି ଆଉ କଳ୍ପନାର ବିଚ୍ଛେଦକୁ ସହ୍ୟ କରି ପାରୁନଥିଲା। ନିଜକୁ ଭାରି ଦୋଷୀ ଦୋଷୀ ମନେ କରୁଥିଲା। ଛାତି ଭିତରଟା ତାର ଯେମିତି ଅସହ୍ୟ ଯନ୍ତ୍ରଣା ରେ ଭରି ଯାଇଥିଲା। କିଛି ସମୟ ଭିତରେ ତାର ଚାରି ପାଖରେ କେବଳ ଶୂନ୍ୟସ୍ଥାନ ଥିଲା। ସ୍ଥିତି ବାଟ ଭାଙ୍ଗି ଯାଇ ସାରିଥିଲା। ମନୋଜ ବି ଫେରି ଯାଇଥିଲା ନିଜ ଜୀବନକୁ। ସଂଗ୍ରାମ ଭାରି ଅସହାୟ ଆଉ ଏକୁଟିଆ ଏକୁଟିଆ ମଣୁଥିଲା ନିଜକୁ। ସେ ନିଜ ଆଗରେ ଦୋଷୀ ହୋଇଯାଇଥିଲା। ନିଜକୁ ନିଜେ ସେ ନିଜ ଭୁଲ ପାଇଁ କ୍ଷମା କରି ପାରୁନଥିଲା। 


     ତେଣୁ ଘରେ ଏକୁଟିଆ ଥିଲାବେଳେ ସଂଗ୍ରାମ ଭାବୁଥିଲା ଆଉ କିଛି ନୁହଁ ସେ ଆତ୍ମହତ୍ୟା କରିଦେବ। ଏ ଜୀବନ ଆଉ ରଖିବନି....। ଠିକ୍ ଏଇ ସମୟ ଭିତରେ ସେ ଚନ୍ଦ୍ର କିରଣ ରୁ ସାକାରାତ୍ମକ ଭାବନା ପାଇଥିଲା ଆଉ ଆତ୍ମହତ୍ୟା ଆଉ ଜୀବନ ନାମକ ଦୋ ଛକିରେ ଛନ୍ଦି ହୋଇ ଯାଇଥିଲା। ଶେଷରେ ସେ ନିଷ୍ପତ୍ତି ନେଲା... ସେ ଆତ୍ମହତ୍ୟା କରିବ। ଆଉ ବଂଚିବନି। ଆତ୍ମହତ୍ୟା କରିବା ପାଇଁ ଘର ଭିତରକୁ ଯାଇ ସେ ଫାଶି ଦଉଡି ଭାବରେ ସ୍ଥିତିର ଲୁଗାକୁ ଫ୍ୟାନରେ ଝୁଲାଇ ସାରିଥାଏ। ଜୀବନର ଶେଷ ପାଦ ମୃତ୍ୟୁର କୋଳକୁ ବଢ଼ିଲା ବେଳକୁ ତାର ବହୁତ ମନେ ପଡେ ସ୍ଥିତି ଆଉ ଝିଅ କଳ୍ପନା କଥା । ସେ ଛୋଟ ପିଲା ପରି କାନ୍ଦି ଉଠେ। ନିଜକୁ ନିଜେ ଗାଳି କରି ନିଜ ଭୁଲ ପାଇଁ ସେ ଅନୁତାପ କରୁଥାଏ। ଷ୍ଟୁଲ ଉପରେ ସେ ଚଢ଼ିଗଲା ନିଜକୁ ଫାଶିରେ ଝୁଲାଇବା ପାଇଁ। ତାର ମୁଣ୍ଡ ଘୁରେଇ ଯାଉ ଥାଏ। ବାରମ୍ବାର ମନେ ପଡି ଯାଉଥାଏ ସ୍ଥିତି ଫୋନ ନ ଉଠାଇବା…ତାରା ଲୁଚି ଯିବା…ଲାଇଟ ଚାଲି ଯିବା ଇତ୍ୟାଦି। ଆଖିରେ ତାର ଅସରନ୍ତି ବୋହି ଯାଉଥିବା ଲୁହ। ଏମିତି ଭାବିଲା ବେଳକୁ ଝରକା ଦେଇ ପଶି ଆସୁଥିବା ଚନ୍ଦ୍ର କିରଣରେ ପୁଣି ଅଟକି ଯାଏ। ସତେ ଯେମିତି ସେ ଚନ୍ଦ୍ର କିରଣ ବାରମ୍ବାର କହୁଥାଏ ସଂଗ୍ରାମକୁ ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହେଁ ବୋଲି। ସେ କିଛି ସମୟ ନିଜକୁ ସ୍ଥିରଚିତ୍ତ ଭାବରେ ରଖିଲା। ଏଥର ସଂଗ୍ରାମର ନିଷ୍ପତି ବଦଳି ଯାଇଥିଲା। ସଂଗ୍ରାମ ନିଜକୁ ନିଜେ କୁହେ ନା ସେ ସେ ଆତ୍ମହତ୍ୟା କରିବନି। ସେ ବଞ୍ଚିବ କିନ୍ତୁ ନିଜ ପାଇଁ ନୁହଁ କାରଣ ସେ କେବେବି ନିଜକୁ ନିଜେ କ୍ଷମା କରି ପାରିବନି। ସେ ବଞ୍ଚିବ ଅନ୍ୟ ମାନଙ୍କ ପାଇଁ। ତିନୋଟି ଜୀବନକୁ ସେ ନଷ୍ଟ କରିଛି ନା ସେ ଏବେ ତିନିଶହ ଜୀବନକୁ ସଜାଡ଼ିବ। ସମାଜରେ ଥିବା ଅନେକ ସ୍ଥିତି ଆଉ ମନୋଜ ପରି ଅନେକ ମଣିଷ ଙ୍କ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିବ ଆଉ ସେମାନଙ୍କ ମୁହଁରେ ହସ ଫୁଟାଇବ। ତେବେ ଯାଏଁ ସେ ନିଜକୁ ନିଜେ ତା କ୍ଷମା କରି ପାରିବନି କିନ୍ତୁ ଶାନ୍ତିରେ ଟିକିଏ ମୃତ୍ୟୁ ର କୋଳରେ ଶୋଇ ପାରିବ। ସେ ଷ୍ଟୁଲ ଉପରୁ ତଳକୁ ଓହ୍ଲାଇ ଆସିଲା। ଝରକା ପାଖକୁ ଯାଇ ଆକାଶର ଚନ୍ଦ୍ରକୁ ଦେଖି ମନେ ମନେ ଭାବୁଥିଲା ଆତ୍ମହତ୍ୟା ତାର ଏକ ଭୁଲ ନିଷ୍ପତ୍ତି ଥିଲା ଆଉ ଏକ ଦୀର୍ଘ ନିଶ୍ଵାସ ନେଇ ସ୍ଥିତି ଆଉ କଳ୍ପନାକୁ ହୃଦୟରେ ସାଇତି ରଖି ନୂଆ କର୍ତ୍ତବ୍ୟ ସହ ନୂଆ ଦୁନିଆରେ ପାଦ ଦେବା ପାଇଁ ନିଜକୁ ଅନ୍ତରରୁ ପ୍ରସ୍ତୁତ କରୁଥିଲା।

      



Rate this content
Log in

More oriya story from JITENDRA KUMAR KONHAR

Similar oriya story from Thriller