JITENDRA KUMAR KONHAR

Inspirational

2.5  

JITENDRA KUMAR KONHAR

Inspirational

ସମ୍ପର୍କ ମରୀଚିକା

ସମ୍ପର୍କ ମରୀଚିକା

5 mins
13.5K


ଦୁଇ ହଜାର ଏଗାର ମସିହା ଥିଲା ମୋ ପାଇଁ ଖୁସିର ସମୟ। କାରଣ ମୋର ଶିକ୍ଷା ସହାୟକ ଭାବରେ ଶିକ୍ଷକତା ଜୀବନ ଆରମ୍ଭ ହୋଇଥିଲା। ଶିକ୍ଷା ସହାୟକ ଭାବରେ ଚାକିରୀ ଜୀବନ ସହ ପାଠ ପଢା ବି ଚାଲିଥାଏ। ମନ ବେଶ ଖୁସି ଥିଲା। ନିଜ ଘର ଠାରୁ ପ୍ରାୟ ୪୦ କି.ମି ଦୁରରେ ମୋ ସ୍କୁଲ। ଦରମା ୪୦୦୦/- ଟଙ୍କା। ସେଇଥିରୁ ପୁଣି ଇପିଏଫ କଟିକି ୩୫୨୦/- ଟଙ୍କା ମିଳେ। ଯେମିତି ସେମିତି ଅଳ୍ପ ଦରମା ହେଲେ ବି ସମୟ ସ୍ରୋତରେ ଜୀବନ ଆଗକୁ ମାଡି ଚାଲିଥାଏ। ଆଶା ଆଗାମୀ ଛ ବର୍ଷର ଅପେକ୍ଷାକୁ । କାରଣ ଛଅ ବର୍ଷରେ ଚାକିରୀ ନିୟମିତ ହେବ ଆଉ ଭଲ ଦରମା ମଧ୍ୟ ମିଳିବ।

୨୦୧୮ ମସିହାରେ ଚାକିରୀ କାଳକୁ ସାତ ବର୍ଷ ପୁରି ଆଠ ବର୍ଷ ଚାଲିଲାଣି। ଶୁଣିବାକୁ ମିଳୁଥାଏ ଚାକିରି ନିୟମିତ ହେବାର ଖବର ଆସିବ ଏଇ ଗ୍ରୀଷ୍ମ ଅବକାଶ ଭିତରେ। ତେଣୁ ମନ ଭାରି ଖୁସି ଥାଏ। କାରଣ ଦୀର୍ଘ ଛଅ ବର୍ଷ ଅପେକ୍ଷାର କଷ୍ଟ ଜଣେ ପ୍ରକୃତ ଅନୁଭବୀ ହିଁ ବୁଝିପାରେ। ମୋର ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟର ଭୂବନେଶ୍ୱର ସେଣ୍ଟର ଠାରେ ବି.ଏଡ. ଟ୍ରେନିଙ୍ଗ ଏଇ ଗ୍ରୀଷ୍ମ ଛୁଟିରେ ଥିବାରୁ ୧୨ ଦିନ ପାଇଁ ଯିବାକୁ ଥାଏ। ଟ୍ରେନିଙ୍ଗରେ ଜମା ଛୁଟି ନାହିଁ। ତେଣୁ ଭୟ ଥାଏ ଏଇ ଭିତରେ ଯଦି ନିୟମିତ ଅର୍ଡର ଆସିଯିବ ମୁଁ ସ୍କୁଲରେ ଜୋଏନ କରି ପାରିବି ନାହିଁ। କାରଣ ଅର୍ଡର ପାଇବାର ସାତ ଦିନ ଭିତରେ ଜଏନ କରିବାକୁ ହୋଇଥାଏ। ତେଣୁ ଭଗବାନଙ୍କୁ ଡାକୁଥାଏ ଟ୍ରେନିଙ୍ଗ ସରିଯାଉ ଆଉ ନିୟମିତ ଅର୍ଡର ଆସୁ। ଠିକ ସେୟା ବି ହେଲା ମୋ ଟ୍ରେନିଂ ସରିବା ପରେ ଅର୍ଡର ବାହାରିଲା। ହେଲେ ଏ କଣ ଦେଖିଲା ବେଳକୁ ନିୟମିତ ଅର୍ଡର ଲିଷ୍ଟରେ ମୋ ନା' ହିଁ ନାହିଁ। ମୁଣ୍ଡ ଉପରେ ଯେମିତି କିଏ ଗୋଟେ ଓଜନିଆ ଜିନିଷଟେ ଥୋଇ ହେଲା ପରି ମନେ ହେଲା। କଣ କରିବି କିଛି ବୁଝି ପାରୁନ ଥାଏ। ଭୁବନେଶ୍ୱରରୁ ଫୁଲବାଣୀ ଭାରି ମନ ଦୁଃଖରେ ନିଜ ଘରକୁ ଫେରିଲି। ନିୟମିତ ଅର୍ଡର ପାଇବାର ଦୁଇଦିନ ଭିତରେ ମୋର ଅନ୍ୟ ଶିକ୍ଷକ ବନ୍ଧୁ ମାନେ ନିଜ ନିଜ ବିଦ୍ୟାଳୟରେ ନିୟମିତ ଶିକ୍ଷକ ଭାବରେ ଜୋଏନ କଲେ। ହେଲେ ମୁଁ ନିର୍ବାକ ହୋଇ ରହିଥାଏ ନିଜ କଷ୍ଟକୁ ଆଦରି।

ସାଙ୍ଗମାନେ ସବୁ ଫୋନ କରୁଥାନ୍ତି ମୋ ବିଷୟରେ ଜାଣିବାକୁ। କାହିଁକି ମୋର ରେଗୁଲାର ହୋଇପାରିଲାନି ଜାଣିବାକୁ। ହେଲେ ମୁଁ କାହା ଫୋନ ରିସିଭ କରୁ ନଥାଏ। କେଉଁ ମୁହଁରେ ଆଉ କଣ ଅବା କହିଥାନ୍ତି। ଛାତି ଭିତରେ ବହୁତ କଷ୍ଟ ଲାଗୁଥାଏ। ଶେଷରେ କେତେ ଜଣଙ୍କୁ ମିଛ ମଧ୍ୟ କହିଲି ଯେ ମୋର ରେଗୁଲାର ହୋଇଯାଇଛି। ଅଫିସ ଯାଇ ବୁଝିଲା ବେଳକୁ ଜାଣିବାକୁ ପାଇଲି ମୋ ସ୍କୁଲର କିଛି କାଗଜପତ୍ରର ଅସୁବିଧା ଅଛି। ସେ ସବୁ ଠିକ ହେଲେ ହିଁ ରେଗୁଲାର ଅର୍ଡର ମିଳିବ। ତେଣୁ ଯଥା ଶିଘ୍ର କାଗଜ ପତ୍ର କାମ କରି ରିପୋର୍ଟ ଦେବାକୁ ଅଫିସରୁ ପରାମର୍ଶ ଦେଲେ।

ହେଲେ ସେତିକି କାମ କରିବାକୁ ମୋତେ ଅତି କମରେ ୧୦,୦୦୦/- ଟଂକାର ଆବଶ୍ୟକତା ଥିଲା। ଭୁବନେଶ୍ୱର ଟ୍ରେନିଙ୍ଗ ଯାଇ ପାଖରେ ଥିବା ସବୁ ପଇସା ସରି ଯାଇଥିଲା। କ'ଣ କରିବି କିଛି ଜାଣି ପାରୁ ନଥାଏ। ଘରେ ବି କାହାକୁ ଏ ଅସୁବିଧା ବିଷୟରେ କହିନଥାଏ। ମନେ ମନେ ଭାବୁଥାଏ ଆଗ ସମସ୍ୟାର ସମାଧାନ କରିବି ତାପରେ କହିବି। ନହେଲେ ଘର ଲୋକେ ଅଯଥା ମୋତେ ନେଇ ଚିନ୍ତା କରିବେ। ନିଜକୁ ଦୃଢ କରିବାକୁ ଚେଷ୍ଟା କରୁଥାଏ। ହେଲେ ବେଳେ ବେଳେ ବହୁତ ଦୁର୍ବଳ ପଡିଯାଉଥାଏ। ଇଛା ହେଉଥାଏ ଆତ୍ମହତ୍ୟା କରିଦେବି। ଆଉ ବଞ୍ଚିବିନି। ଜାଣେ ଆତ୍ମହତ୍ୟା ମହାପାପ। ତେଣୁ ମନକୁ ସାକାରାତ୍ମକ କରିବାକୁ ଚେଷ୍ଟା କଲି। ଆଉ ନିଶ୍ଚୟ କଲି ଯେ ହାରିଗଲେ ପଛେ ହାରଯିବି କିନ୍ତୁ ଲଢ଼ିବି ନିଶ୍ଚିତ।

ମୁଁ ସାହାଯ୍ୟ କରିବାକୁ ଭଲପାଏ କିନ୍ତୁ କାହକୁ ନିଜ ପାଇଁ ସାହାଯ୍ୟ ମାଗି ପାରେନି। ତଥାପି ଭାବିଲି ସାଙ୍ଗ ମାନଙ୍କ ପାଖରୁ ସାହାଯ୍ୟ ନେଇଯିବି। ଆମେ ୮ ରୁ ୯ ଜଣ ସାଙ୍ଗ ଗୋଟେ ଗ୍ରୁପ କରିଥାଉ ଆଉ କିଛି କିଛି ପଇସା ପ୍ରତି ମାସରେ କଲେକ୍ସନ କରି ବ୍ୟାଙ୍କରେ ଜମା କରୁଥାଉ। କାହା ସହିତ ତ କଥା ହୋଇ ପାରୁ ନଥାଏ। ତେଣୁ ସାଙ୍ଗ ମାନଙ୍କୁ ନେଇ ଥିବା ଆମ ହୁଆଟ୍ସଆପ ଗ୍ରୁପରେ କିଛି ଟଙ୍କା ଜରୁରୀ ସାହାଯ୍ୟ କରିବାକୁ କହି ମେସେଜ ପଠାଇଲି। ଆଶା ଥିଲା ଯଦି ପ୍ରତି ସାଙ୍ଗ ଅତିକମରେ ୫୦୦/- ଟଙ୍କା ସାହାଯ୍ୟ କଲେ ମୋ କାମ ହୋଇଯିବ ଆଉ ମୁଁ ରେଗୁଲାର ଅର୍ଡର ଶୀଘ୍ର ପାଇଯିବି। ହେଲେ ଦୁଇ ଦିନ ପରେ ମଧ୍ୟ କୌଣସି ସାଙ୍ଗ ଜଣେ ହେଲେ ବି କିଛି ରିପ୍ଲାଏ ଦେଲେ ନାହିଁ। ଆଶା ଭାଙ୍ଗିଗଲା। ସାଙ୍ଗ ମାନଙ୍କ ପାଖରୁ ବିଶ୍ୱାସ ପ୍ରାୟତଃ ତୁଟି ଯାଇଥିଲା। ଯେଉଁ ସାଙ୍ଗ ମାନଙ୍କୁ ଅତୀତରେ ମୁଁ ୨୦,୦୦୦/-ରୁ ୩୦,୦୦୦/- ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ କରିଥିଲି। ଆଜି କିଛି ଶହଟଙ୍କା ସାହାଯ୍ୟ ପାଇଁ ସେମାନଙ୍କ ପାଖରେ ମୋ ପାଇଁ ନ ଥିଲା। ଆଉ ମୋ ପାଖରୁ ଟଙ୍କା ଧାରରେ ନେଇଥିବା ସାଙ୍ଗ ମାନଙ୍କ ପାଖରୁ ଟଙ୍କା ଆଣିବାକୁ ଗଲା ବେଳକୁ ମଧ୍ୟ କିଛି ସାଙ୍ଗ ନାନା ବାହାନା କରି ମନା କରିଦେଲେ । ବୋଧେହୁଏ ସମୟ ସେମାନଙ୍କର ପରିଚୟ ମୋ ପାଖରେ ଆଣି ରଖିଦେଉଥିଲା। ପୁଣି ଥରେ ସେଇ ହୁଆଟ୍ସଆପ ଗ୍ରୁପରେ ମେସେଜ କଲି। ମେସେଜରେ ଲେଖିଲି "କେହି କିଛି ଉତ୍ତର ନ ଦେଇଥିବାରୁ ସବୁ ବନ୍ଧୁ ମାନଙ୍କୁ ମୋର ଧନ୍ୟବାଦ।" ତାପରେ ଜଣେ ଦି ଜଣ ବନ୍ଧୁ ରେପ୍ଲାଏ ଦେଲେ ଯେ ସେମାନେ ଅସମର୍ଥ ସାହାଯ୍ୟ କରିବାକୁ। ଜଣେ ସାଙ୍ଗ ବ୍ୟକ୍ତିଗତ ଭାବରେ ମେସେଜ କରି କହିଲା," ତୋର ଆକାଉଣ୍ଟ ନମ୍ବର୍ ପଠାଅ ମୁଁ କିଛି ଟଙ୍କା ସାହାଯ୍ୟ କରିବି। ମୋତେ ଭାରି ଖୁସି ଲାଗିଲା। ଭାବିଲି ଯାହା ହେଉ କେହି ଜଣେ ତ ନିଜ ଆଡୁ ସାହାଯ୍ୟ କରିବାକୁ କହିଲା। ମୁଁ ତାକୁ ମେସେଜେ କରି କହିଲି ,"ତୁମ ଦେଇ ଯେତିକି ସମ୍ଭବ ସେତକି ଟଙ୍କା ପଠାଅ।" ଆଉ ଆକାଉଣ୍ଟ ନମ୍ବର୍ ବି ତା' ପାଖକୁ ପଠାଇ ଦେଲି। ଆକାଉଣ୍ଟ ନମ୍ବର ପଠାଇବା ପରେ ମୋବାଇଲକୁ ଅନାଇ ଥାଏ କେତେବେଳେ ଟଙ୍କା ଡିପୋଜିଟର ମେସେଜ ଆସିବ ବୋଲି। ହେଲେ.... ପୁଣି ନିରାଶ। ଯେଉଁ ସାଙ୍ଗ ନିଜ ତରଫରୁ ସାହାଯ୍ୟ କରିବି ବୋଲି ଆକାଉଣ୍ଟ ନମ୍ବର୍ ମାଗିକି ନେଇଥିଲା ଦୁଇଦିନ ପରେ ମେସେଜ କଲା... "sorry ମୋ ଦେଇ ତୁମକୁ କିଛି ଟଙ୍କା ଦେବାକୁ ସମ୍ଭବ ହୋଇପାରୁ ନାହିଁ।" ମୋତେ ଭାରି କଷ୍ଟ ଲାଗିଲା। ମୁଁ ତ କହିନଥିଲି ତାଙ୍କୁ ମୋତେ ସାହାଯ୍ୟ କରିବାକୁ ନା। ନିଜେ ସାହାଯ୍ୟ କରିବାକୁ କହି..ଆକାଉଣ୍ଟ ନମ୍ବର୍ ମାଗି ପୁଣି ହାତ ଫେରାଇ ନେବା କେତେଦୂର ଯଥାର୍ଥ।

ମନେ ମନେ ନିଶ୍ଚୟ କଲି ନା ଏଥର ଏକା ହିଁ ଚାଲିବାକୁ ହେବ। ଆଉ କାହା ଭରସାରେ ନୁହେଁ । ଅମିତାଭ ବଚ୍ଚନଙ୍କ ଗୋଟିଏ ଗୀତ ମୋର ମେନେ ପଡି ଯାଉଥାଏ.... ଏକଲା ଚୋଲରେ... ଯଦି ତୋର ଡାକ ଶୁନୀ କୋଇ ନ ଆସେ ତୁମି ଏକଲା ଚୋଲରେ....। ସବୁ ପ୍ରଭୁ ସାଇନାଥଙ୍କ ଉପରେ ଛାଡି ଦେଇଥିଲି। ଆଉ ଏକା ଏକା ଚଲିବାକୁ ନିଷ୍ପତ୍ତି କଲି। ସେତିକି ଭିତରେ ଆଉ ଜଣେ ସାଙ୍ଗ ନିଜ ପାଖରେ ପଇସା ନଥାଇ ବି ଅନ୍ୟ ଲୋକ ପାଖରୁ ଧାର କରି ମୋ ପାଇଁ କିଛି ଟଙ୍କା ଯୋଗାଡ କରିଦେଲା। ମୁଁ ମଧ୍ୟ ନିଜେ କିଛି ଟଙ୍କା ଯୋଗାଡ କରି କାଗଜ ପତ୍ର କାମ କରିବାକୁ ଲାଗି ପଡିଲି। ସବୁ ଠିକ କରିବାକୁ ପ୍ରାୟ କୋଡିଏ ଦିନ ସମୟ ଲାଗିଗଲା। ସେଇ କୋଡିଏ ଦିନ ଭିତରେ କେତେ ଯେ ମାନସିକ ଚାପରେ ରହିଥିଲି ତାହା ଭଗଵାନ ହିଁ ଜାଣିଛନ୍ତି। ଆତ୍ମହତ୍ୟା ଭଳି ଚିନ୍ତା ବି ମୋ ମୁଣ୍ଡକୁ ଆସିଥିଲା। ମୋ ପାଇଁ ରହିଛନ୍ତି ବୋଲି ଭାବୁଥିବା ଅନେକ ହାତ ସେ ଦିନ ମୋ ହାତ ଛାଡି ଦେଇଥିଲେ। ସବୁ କାମ ସରିବା ପରେ ରିପୋର୍ଟ ସବୁ ଯାଇ ଅଫିସ ରେ ଦେଲି... ଆଶା ମୋର ବି ଏବେ ନିୟମିତ ଅର୍ଡର ଶୀଘ୍ର ମିଳିଯିବ ଆଉ ହସ ଭୁଲିଥିବା ଓଠ ପୁଣି ଥରେ ଟିକିଏ ହସି ଉଠିବ। ବାସ ସେଇ ସମୟକୁ ଅପେକ୍ଷା ଏକ ଚାତକର।

ସେଇ କଷ୍ଟ ସମୟ ମଧ୍ୟରେ ଗୋଟିଏ ଛୋଟ କବିତା ମଧ୍ୟଏକୁଟିଆ ଆଗକୁ ବଢ଼ିବା ପାଇଁ ଲେଖିଥିଲି... ବୋଧହୁଏ ନିଜକୁ ନିଜେ ବୁଝେଇବା ପାଇଁ...

"ଦେଖେନା ଆଉ ପଛକୁ

ଏକା ତୁ ଯା' ଚାଲି,

ସାଥିରେ କେହି ନ ଆସିଲେ

ଏକା ତୁ ଯା' ମାଡି।

ଭରସା ତୁ ରଖେ ନିଜ ଉପରେ

ଜିତିଯିବୁ ବାଜି ଏଇ ଜୀବନେରେ,

ପାଦ ଥରେ ବଢ଼ା ସାହସ କରି ତୁ

ଅଲଂଘ୍ୟ ଲଙ୍ଘିବୁ ନିଶ୍ଚେ ଦିନେ ତୁ।

କଣ୍ଟା ବି ଫୁଟିବ ରକତ ବୋହିବ

ତଥାପି ତୋତେରେ ଚାଲିବାକୁ ହେବ,

ଲଢ଼ୁଥିବୁ ତୁ ଜିତିବା ଯାଏଁ

ବିଜୟ ମୁକୁଟ ତୋର ଦିନେ ହେବ।

ହାରିବୁନି ଯେତେ ଆସିଲେ ବାଧା

ଆଖି କରିବୁନି କେବେ ତୁ ଓଦା,

ଲୋଡିବୁନି ଆଉ କାହାର ହାତ

ନିଜ ଭିତରେ ତୁ ନିଜେ ସମର୍ଥ।

ଦେଖେନା ଆଉ ପଛକୁ

ଏକା ତୁ ଯା' ଚାଲି,

ସାଥିରେ କେହି ନ ଆସିଲେ

ଏକା ତୁ ଯା' ମାଡି।"

ଜିତେନ୍ଦ୍ର କୁମାର କହଁର

କଲାଡି, ଫୁଲବାଣୀ

ଦୂରଭାଷ-୯୪୩୯୫୪୨୫୨୧


Rate this content
Log in

Similar oriya story from Inspirational