JITENDRA KUMAR KONHAR

Others

2  

JITENDRA KUMAR KONHAR

Others

ନିଷ୍ପତ୍ତି -୨

ନିଷ୍ପତ୍ତି -୨

2 mins
8.0K


ନିଷ୍ପତ୍ତି-୨

କେତେ ପୂଜା ପାଠ କେତେ ଓଷା ଉପବାସ କଲା ପରେ ଠାକୁରେ ହରି ଆଉ ବିମଳା କୋଳକୁ ପୁଅଟିଏ ଦେଇଛନ୍ତି। ସତରେ କେତେ ଖୁସି ସ୍ୱାମୀ ସ୍ତ୍ରୀ ଦୁହେଁ। ଅଣ୍ଟି ରେ ଟଙ୍କାଟିଏ ନାହିଁ ତଥାପି ପୁଅ ଜନ୍ମ ଖୁସିରେ ଗାଁ ଟା ଯାକ ଲୋକଙ୍କୁ ଭୋଜି ଭାତ ଖୁଆଇଲେ। ପୁଅକୁ ଟିକେ ନ ଦେଖିଲେ ସେମାନଙ୍କୁ ଜମା ବି ଭଲ ଲାଗେନି। ସେଥିପାଇଁ ତ ବାପା ହରି ଦୂର ଜାଗାକୁ କାମ ପାଇଁ ଯାଇଥିଲେ ମଧ୍ୟ ଯେତେ ରାତି ହେଲେ ବି ଘରକୁ ଫେରି ଆସେ। ପୁଅକୁ ଟିକିଏ ଦେଖିବ ଆଉ ଟିକେ ଗେଲ କରିବା ବୋଲି। ପୁଅଟା ତାର ଏବେ ଧୀରେ ଧରେ ବଡ ହେଲାଣି। ଆଉ ବର୍ଷ କେଇଟା ପରେ ସ୍କୁଲ ଯିବ । ଭଲ ପାଠ ପଢିବ ଆଉ ହାକିମ ହେବ। ହରି ତା ସ୍ତ୍ରୀ ବିମଳାକୁ କୁହେ ଦେଖିବ ଆମ ପୁଅ ଦିନେ ଆମ ନା' ରଖିବ। ହେଲେ କଣ ହୋଇଛି କେଜାଣି ଏଇ କିଛି ଦିନ ହେଲା ହରି ପୁଅର ଦେହ ବହୁତ ଖରାପ। କେତେ ଗୁଣି ଗାରେଡି କଲେଣି। ଦେହ ଭଲ ହେବାର ଜମା ନା' ନେଉ ନାହିଁ। ଶେଷରେ ଡାକ୍ତର ବାବୁଙ୍କ ପାଖକୁ ଗଲେ । ଡାକ୍ତର ବାବୁ କହିଲେ ପୁଅର ଅପରେସନ ହେବ। ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କିନ୍ତୁ ସେ ସମ୍ପୂର୍ଣ୍ଣ ଭଲ ହେବ କି ନା ସେଇଟା କହି ହେବନି। କିନ୍ତୁ ଆଶା ଭଲ ହୋଇଯିବ। ଆଉ ଯଦି ଶୀଘ୍ର ଚିକିତ୍ସା ଆରମ୍ଭ ନ କର ତେବେ ତୁମ ପୁଅ ବେଶି ହେଲେ ଆଉ ଗୋଟିଏ ମାସ.....। ବାପା ମା କଣ କରିବେ ଜାଣି ପାରୁ ନ ଥାନ୍ତି। ମୁଣ୍ଡ ତାଙ୍କର ଘୁରେଇ ଯାଉ ଥାଏ। ଏତେ ଟଙ୍କା କୋଉଠୁ ଆଣିବେ। ପାଞ୍ଚଶହ କି ହଜାରେ ନୁହଁ ଏକା ଥରକୁ ଦୁଇ ଲକ୍ଷ ଟଙ୍କା। ଜମି ବାଡ଼ି ବିକ୍ରି କରି ନିଜର ଏକ ମାତ୍ର ଘର ବନ୍ଧା ପକାଇ ଧାର କରଜ କରି ମାତ୍ର ତିରିଶି ଚାଳିଶ ହଜାର ଟଙ୍କା ହେଲା। ଆହୁରି ଏତେ ଟଙ୍କା କୁଆଡୁ ଆଣିବେ। ଶେଷରେ ସ୍ଵାମୀ ସ୍ତ୍ରୀ ଦୁହେଁ ନିଷ୍ପତ୍ତି ନେଲେ ନିଜର ଗୋଟିଏ ଗୋଟିଏ କିଡନୀ ବିକ୍ରି କରିବେ ଆଉ ପୁଅର ଚିକିତ୍ସା କରିବେ। ସେମାନେ ସେମିତି ହିଁ କଲେ। ପୁଅ ତାଙ୍କର ଏବେ ଭଲରେ ଅଛି। ରାତିରେ ପୁଅ ଶୋଇଗଲା ପରେ ପୁଅ ମୁଣ୍ଡକୁ ଆଉଁସି ଦେଉ ଦେଉ ହରି ବିମଳାକୁ କହୁଥାଏ ," ଦେଖିବ ବିମଳା ଆମ ପୁଅ ଆମକୁ କେବେବି ହତାଦର କରିବନି। ବାପା ମାଙ୍କର ତ୍ୟାଗକୁ ସେ ବୁଝିବ। ଆମ ବୃଦ୍ଧ କାଳର ସାହାରା ହେବ। ପୁଅକୁ ନେଇ ଏକ ସୁନ୍ଦର ଭବିଷ୍ୟତର କଳ୍ପନା କରି ହରି ଆଉ ବିମଳା ଖୁସି ହୋଇ ଉଠୁଥିଲେ....।


Rate this content
Log in