ଆସ୍ଥା
ଆସ୍ଥା
ଧନ ଦେଇ ବସ୍ତୁ ମିଳିଯାଇପାରେ ସୁଖ ନୁହେଁ । ଅଜସ୍ର ଅଗଣିତ ଥାଇ ବି ଏଇ ଦେଖୁନ ଆମ ସାମ୍ନା ଘର ମଣିଷ ଦିଟି କେତେ ଏକା !
ହଁ ଭାଇ ଯାହା ପରିସ୍ଥିତି ହେଲାଣି ଆମେ ଭୟକୁ ପୋଷିବା କଣ ଭୟ ବଳୟ ଭିତରେ ଜୀଇଁଛୁ ଯାହା ।ଆଖିରୁ ଲୁହ ଛାତିରୁ କୋହ ବି ଦୂରରୁ ଢାଳୁଛେ ସାନ୍ତ୍ବନା ଦବାକୁ କାହା ପାଇଁ ଭରସା କାନ୍ଧଟେ ଦବାକୁ ବି ପାଦ ଚଳୁନି । ଘୋର ଅନ୍ଧକାରରେ ମୁଦି ମୋଡି କାକୁସ୍ଥ ହେଲାପରି ବୋଧ ହଉଛି ସିନା ।
ଦୀର୍ଘକାଳର ସେଇ ସେଇ ଆଲୋଚନା ସବୁ,.... ସବୁ ଯୁଗରେ । ତେବେ ବି ଯୁଗ ଗଡୁଛି କେମିତି ?
*****
ସମୁଦ୍ର କୂଳିଆ ନୂଆ ଗଢିଉଠୁଥିବା ସହର ଭିତରେ ଛୋଟ ଗ୍ରାମୀଣ ବଜାରର ଦୃଶ୍ୟ । ଛୋଟିଆ ମନ୍ଦିର ପାଖକୁ ଲାଗି ନୁଆଁଣିଆ ଚାଳିଆ ଦୋକାନ ଘରରୁ ଧାଡିଟେ । ଧାଡିଟେ ବୋଇଲେ ହେଇ ହେଇ ଚାରିରୁ ଛଅଟି । ଏଇ ଯେମିତି ପୂଜାଜିନିଷର ଗୋଟେ ,ବରାଗୁଗୁନିର ଗୋଟେ ,ଖିଲିପାନ ସପ୍ ଗୋଟେ ଆଉ ଦିଟି କାଚମାଳି ଦୋକାନ । ଆଉ ଗୋଟେ ବସାଉଠା କରୁଥିବା ଦିଟି ପଟା ବେଞ୍ଚ ପଡିଥିବା ଆଗନ୍ତୁକ ପାନ୍ଥଶାଳାର ଛୋଟ ମଡେଲ କହିପାରିବା । ସେଇଠି ଦେଶ ବିଦେଶର ଖବରଟବରର ପଞ୍ଚାୟତ । ବାପ ହାତ ଧରି ବୁଲି ଆସିଥିବା ଚାରି ବରଷର କୁନି ପୁଅଟିଏ । ପୋଲାଙ୍ଗ ତେଲରୁ ଟିପେ ମାରି ମାଆ ତାର ପାଆରିକି କୁଣ୍ଢେଇ ଦେଇଛି ମୁଣ୍ଡ । ଭାଙ୍ଗ ପକା ସଫା ସାଟଟିଏ ଗଳେଇଛି । ଗପରେ ମାତିଥିବା ବଡ ମାନଙ୍କ କଥା ତା ' କୁନି ମୁଣ୍ଡରେ ଢୁକୁନି । ବଲବଲ କରି ଆଁ ମେଲେଇ ଚାହିଁ ଚାହିଁ ଢୋକୁଛି ଯାହା ।
"ବାପା, ଭୋକ " ।ଚାରିଥର କହିଲାଣି ।
ଦି' ପଇସା କାଢି ଧୋତି ଖୋସଣୀରୁ ଗପବ୍ଯସ୍ତ ମଣିଷଟି ବଢେଇ ଦେଇ ହାତ ଆଙ୍ଗୁଳି ଠାରି ଦିଏ ଧାଡିକ ଦୋକାନ ଆଡେ । କେତେ କେତେ ଜାତୀୟ ସମସ୍ଯାର ଆଲୋଚନାରେ ମଗ୍ନ ଥିଲା ବେଳେ ପିଲାଟିଏର ଏ ଅସହଣୀ ଭୋକ ! ଧେତ୍ ।
ହାତ ମୁଠାରୁ କୋହଳେଇ ଖୁଆ ଖସେଇ ଆଣି ଉଡିଗଲା ସେ ପବନ ଡେଣା ପିନ୍ଧି ।
ନିତିଆ ସାହୁ ଶଙ୍ଖମାଳି ଦୋକାନରେ ଆଖି ତାର ଲାଖିଗଲା । ମୁଣ୍ଡହଲା କାଗଜ ହାତୀ, ଘୋଡା, ଓଟ, ଟୁଂ ଟୁଂ କରି ମୁଣ୍ଡ ଦୋହଲଉଥିଲେ, ସିଏ ବି ଟୁଂ କରି ହଲେଇଦେଲା । ତା' ପାଖକୁ ପାଟଫୁଲି ,ଗଙ୍ଗାମାଟି ଟେଳା, ସୋଲର ଝୁଲା ପାଟଳ ଗୋଲାପି ଅଳତା ହଳଦୀମଖା କରମଙ୍ଗା । ତାର ମନେ ପଡିଲା ଝୁଲଣାରେ ତା ସାନଭଉଣୀର ମୁହଁ । ଗାଦିଗୁରୁଦେବ ହରଡବାଡି ,ବୋଉ'ଲୋ ତା' ଆଖି ବୁଜି ହେଇଗଲା । କସରା ବଳଦ ମୁହଁ ଦିଶିଲା । ତୁଳସୀ ମାଳି, ଶଙ୍ଖମାଳି ଦେଖି ଜେଜୀ ଆଉ ବୋଉ ହସିଲାପରି ଲାଗିଲା ।
ସିଏ କିନ୍ତୁ ସଭା ଉପର ଥାକରୁ ମାଟିର ଗଢା କଳାମୁରତି କାଳିଆ ସାଆନ୍ତେଙ୍କୁ ପଇସାଟେ ଦେଇ କିଣିଲା , ଆଉ ପଇସାକର ପାଖ ଗୁଡିଆଠୁ ମକାଖଇ ଆଞୁଳେ ଶୁଖିଲା ଖଲିପତରରେ ଖରିଦ କଲା । ବାପା ବସିଥିବା ଥାନକୁ ଫେରି ଆସି ତାଙ୍କ ନିଘାକୁ ଟିକେ ପାଖକୁ ଗୋଟେ ଚଉପାଢୀରେ ବସିପଡି ଆଗରେ ଜଗାକୁ ବସେଇଦେଲା । ମକାଖଇରୁ ଗୋଟିଏ ଜଗା ପାଟିରେ ଦେଇ ଗୋଟିଏ ନିଜ ପାଟିକୁ ନେଲା ।ଏମିତି ଏମିତି ତାର ଖଲି ସରିଲା ।
ପାଖରେ ବସିଥିବା ଆଲୋଚକ ମଣ୍ଡଳୀ ଏ ଦୃଶ୍ୟ ଦେଖି ଆକ୍ତାମାକ୍ତା ହେଲେ । ଭିଡରୁ ତା'ବାପା ଉଠିଆସି ପୁଅର ମୁଣ୍ଡକୁ ସାଉଁଳି ଦେଇ କାଖେଇନେଲେ ।
ପରମ ତୃପ୍ତିରେ ଘରକୁ ଫେରୁଥିଲେ ବାପପୁଅ । ଆହାଃ ବିଶ୍ବାସେ ଭରା ମନଟି ସତରେ କେଡେ ହାଲୁକା ।
*****
ଆକାରରେ ବିକାର ଆସିପାରେ ମାତ୍ର ଆତ୍ମାରେ ନୁହେଁ । ଯିଏ ଚିନ୍ତନ ଦର୍ଶନ, ଶ୍ରବଣ,ଜ୍ଞାନ ମାଧ୍ୟମ ଦେଇ ବୁଝିବା ସମ୍ଭବ ନୁହେଁ ସେଇ ଈଶ୍ବର ହିଁ ସର୍ବସ୍ବ ।
ବସ୍ତୁ ପାଇଁ ଆଜିର ମଣିଷ ବନତା ବିକତା ।ଘେରିଥିବା ଚିନ୍ତାର ଚକ୍ରବ୍ଯୁହରୁ ମୁକ୍ତ କରିପାରେ ସେଇ ଟିକକ ଆସ୍ଥା ଦୃଢ ହେଉ ।
