STORYMIRROR

Sunanda Mohanty

Drama Classics Others

3  

Sunanda Mohanty

Drama Classics Others

ଆଶାବରୀ

ଆଶାବରୀ

3 mins
193


ସମେସ୍ତେ କୁହନ୍ତି ଆପଣ ବଡ ଭାଗ୍ୟବାନ କଲ୍ୟାଣୀ ଗୁରୁମା, କାରଣ କଣ ପଚାରିଲେ କୁହନ୍ତି ଚାକିରି ଭିତରେ ସବୁ କାମ ସାରିଦେଇଛନ୍ତି। ପୁଅ ଝିଅଙ୍କୁ ବିବାହ ଦେଇ କର୍ତ୍ତବ୍ୟ ସମ୍ପାଦନା କରିଛନ୍ତି। ଏଥର ସ୍ୱାମୀ ସ୍ତ୍ରୀ ଦୁହେଁ ଖାଲି ତୀର୍ଥ କରିଯିବେ ତ କଲ୍ୟାଣୀ ଗୁରୁମା ଉପରକୁ ହସିଦେଇ ଶୁନ୍ୟ ଆଖିରେ ଶୁନ୍ୟତା ଭିତରେ ଶୁନ୍ୟ ପଟଳରେ କଳା ମଚମଚ ମୁଗୁନି ପଥରର କୃଷ୍ଣ ମୂର୍ତ୍ତୀଙ୍କୁ ଥରେ ଦେଖିନେଇ ବିରସ ବଦନରେ ଶୁନ୍ୟକୁ ଚାହାନ୍ତି, ତାଙ୍କ କେତେକ ସାଙ୍ଗ ଓ ତାଙ୍କ ବଡ ଯାଆ, ବଡ଼ ନଣନ୍ଦମାନେ ନାତି ନାତୁଣୀଙ୍କ ବିବାହ ଦେଖିସାରିଲେଣି ।ଏମିତିକି ଅଣନାତି ଅଣନାତୁଣୀ ଦେଖି ଆନନ୍ଦରେ କାଳାତିପାତ କରୁଥିଲା ବେଳେ ତାଙ୍କ ଝିଅର ଏଵେ ବାହାଘର ପାଞ୍ଚ ବର୍ଷରେ ଝିଅ ଟିଏ ହୋଇଛି କିନ୍ତୁ ପୁଅର ଏଯାଏଁ କିଛି ହୋଇନି ବୋଲି କେଉଁଠି ନା କେଉଁଠି କଲ୍ୟାଣୀଙ୍କ ମନରେ ଶୂନ୍ୟସ୍ଥାନ ଟିଏ ଛପି ଛପି ଉଙ୍କି ମାରେ l

    କଣାସ ଗାଦିବ୍ରହ୍ମ ପୀଠରେ ମାନସିକ କରି ଆସିଥିଲେ କଲ୍ୟାଣୀ । ପ୍ରଭୁ ହେ ପୁଅର ପୁଅ କି ଝିଅ ଟିଏ ହେଲେ ନାତି ବା ନାତୁଣୀର ଚୁଟି ପକାନ୍ତି ଏଠାରେ। ତାଙ୍କ ପୁଅର ଏଇଠି ଚୁଟି ପଡିଥିଲା। ତା ପୁଅର ବି ପଡନ୍ତା ଭାବି ଠାକୁରଙ୍କ ଛଡ଼ା ତୁଳସୀ ଓ ବିଭୁତି ଆଣି ଦେଇଥିଲେ ପୁଅ ବୋହୁଙ୍କୁ। କାହିଁ କିଛି ତ ଖୁସି ଖବର ନାହିଁ। କେମିତି କେମିତି ଲାଗେ ମନଟା କଲ୍ୟାଣୀଙ୍କର ।ସାକ୍ଷୀଗୋପୀନାଥ ମନ୍ଦିରରେ ପଶିଯାଆନ୍ତି ବେଳ ଅବେଳରେ। ମନକଥା ଜଣାନ୍ତି ଠାକୁରଙ୍କୁ। ନିଜ ସ୍ୱାମୀ ପୁଅ ହୋଇ ଦାଦାଙ୍କ ଅଂଶ କୁ ଆସିଥିବାର ଭୟ ଓ ଆଶଙ୍କା ଜାଗେ ମନରେ ହେଲେ କାହ୍ନୁଙ୍କ ମୁରୁକି ହସର ଚେତନା ଓ ଚୈତନ୍ୟ ଭିତରେ ଭାସିଉଠେ କହ୍ନେଇଙ୍କ ବାଲ୍ୟରୂପ ମାନ କହେ ଝିଅର ଝିଅ ନାତୁଣୀ ସାଙ୍ଗକୁ ପୁଅର ପୁଅ ନାତୀଟିଏ ପାଇଗଲେ ଅରମାନ ମେଣ୍ଟୀଯାଆନ୍ତା । ପୁଣି ଲାଜ ଲାଜ ହୋଇ କହ୍ନେଇଙ୍କୁ ମାଗି ବସନ୍ତି କେତେ କଥା । ଏଇ ଯେମିତି ତୁମେ ନାତି ହୋଇ ଆସନ୍ତନି ପ୍ରଭୁ କୋଳେଇ ନିଅନ୍ତି।ଜୀବନର ପ୍ରକୃତ ସତ୍ୟ ଉପଲବ୍ଧି କରୁ କରୁ ପ୍ରାଣ ଯାଆନ୍ତା ମୋହର ଅଜାମିଳ ତରିଗଲା ପରି। ବାଲ୍ମୀକି ରାମାୟଣ ଲେଖିଲା ପରି ହୋଇଯାଆନ୍ତା ମୋ ଆଶା ପରିପୂର୍ଣ୍ଣ ତ ପୁଣି ନିରାଶା ଓ ହତାଶା ଛାଇଯାଏ। ମନକୁ ମନ କଲ୍ୟାଣୀ କହୁଥାନ୍ତି, ମୁଁ ପାପୀ ଟା, କେତେ ପାପ କରିଛି ପ୍ରଭୁ ମୋ ଜଣା ଅଜଣା ରେ ମୋ କୋଳକୁ ନାତି ହୋଇ ତୁମ୍ଭେ କାହିଁ ଆସିବ ବା ନାତି ଟିଏ ଦେଖିବାର ସୌଭାଗ୍ୟ କାହିଁକି ଦେବ କହି ପ୍ରଭୁଙ୍କ ନିକଟରେ କ୍ଷୋଭ ପ୍ରକାଶ କରନ୍ତି l

     ସେଦିନ ଜନ୍ମାଷ୍ଟମୀ ଥାଏ। ବୋହୂକୁ ନେଇ ମନ୍ଦିର ଯାଇଥାନ୍ତି କଲ୍ୟାଣୀ। ସିଂହଦ୍ୱାର ସାମ୍ନାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ତ ବସିଗଲେ ଶାଶୁ ବୋହୁ ଦୁହେଁ ଆଗଧାଡିର ଦୁଇଟି ସିଟ ରେ। ହଠାତ କୋଉଠୁ ପିଲାଟିଏ କୃଷ୍ଣ ଙ୍କ ଆଣ୍ଠୁଆ ଗୋପାଳ ବେଶ ସାଜି ଆସି ବସିଗଲା କଲ୍ୟାଣୀଙ୍କ କୋଳରେ ଆଉ ପୁଣି ଯାଇ ବସିଗଲା ବୋହୁ କୋଳରେ। ଅଚିହ୍ନା ନାହିଁ କେଡେ ସୁନ୍ଦର ତୃପ୍ତିରେ ତୋ ମାଆ କାହାନ୍ତି ପଚାରିବାରେ ବୋହୁ ମୁଁହକୁ ଅନେଇ ହସିଦେଇ ତା ଆଡକୁ ହାତ ଠାରି ଦେଉଥାଏ, ତ କଲ୍ୟାଣୀଙ୍କ ଦେହ ଶୀତେଇ ଉଠିଲା। କିଛି ସମୟ କୋଳରୁ କୋଳ ହୋଇ ବୋଧହୁଏ ନିଜ ବାପାମାଆ ପାଖକୁ ଫେରିଗଲା ପିଲାଟି ହେଲେ ତାକୁ ଖୋଜିଲେ ବହୁତ କଲ୍ୟାଣୀ । ପଚାରିଲେ ଥୋକେ ଲୋକଙ୍କୁ ଗୋପାଳ ବେଶ ହୋଇ ଆସିଥିବା ପିଲାମାନେ କୁଆଡେ ଗଲେ? ସମେସ୍ତେ ମନା କରୁଥିଲେ ଗୋପାଳ ବେଶଧାରୀ କୌଣସି ପିଲା ଆସିନାହାଁନ୍ତି ବା ସେମିତି କୌଣସି କାର୍ଯ୍ୟକ୍ରମ ଆୟୋଜନ ହୋଇନାହିଁ ଶୁଣି ଶାଶୁ ବୋହୁ ପରସ୍ପର କୁ ଆଶ୍ଚର୍ଯ୍ୟ ରେ ଚାଁହୁଥିଲେ l

   ସେଦିନ ରାତିରେ ଖାଇବା ପାଇଁ ବଢ଼ବଢ଼ି ହେବାପରେ ବୋହୂଟି ଖାଇପାରିନଥିଲା। ତା ମୁଣ୍ଡ ବିନ୍ଧୁଥିଲା, ବାନ୍ତି ଲାଗୁଥିଲା, କଲ୍ୟାଣୀ କିନ୍ତୁ ଖୁସିରେ ଖାଇଥିଲେ ସକାଳୁ ଖୁସି ଖବର ଶୁଣିବେ ଭାବି ବୋହୂକୁ ହସ୍ପିଟାଲ ନେଇଯାଇଥିଲେ ତା ଆରଦିନ ସକାଳୁ। ଆଶା ପୂରଣ ହେବାକୁ ଯାଉଥିବାର ଖବର ପାଇ ହାତଯୋଡୁଥିଲେ କହ୍ନେଇଙ୍କୁ। ମନେ ପକାଉଥିଲେ ଜନ୍ମାଷ୍ଟମୀର ଗୋପାଳ ବେଶଧାରୀ ବାଳକଙ୍କୁ ଆଖିରୁ ଝରି ଆସୁଥିଲା ଅଶ୍ରୁ । ପୋଛି ଦେଉଥିଲା ବୋହୁ ଆତ୍ମତୃପ୍ତିରେ ଦୁହେଁ ହସୁଥିଲେ, ଆକାଶରେ ବାଦଲ ଗୁଡା ଜମା ବିରହୀଣୀ ଲାଗୁନଥିଲେ, କି ବାଦଲ ଗୁଡିକ ଛଳନା ନଥିଲା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama