ଆମ ଭିତରେ କିଛି ଅଛି
ଆମ ଭିତରେ କିଛି ଅଛି
ସେଦିନ ବି ଥିଲା କୁମାର ପୂର୍ଣ୍ଣିମା, କୁଆଁରୀ ମାନଙ୍କର ଏକ ଖାସ ଦିନଟିଏ । ନାଚ, ଗୀତ, ମଉଜ ମଜଲିସ ସହ ନିଜକୁ ସଜେଇ ହେବାର ଏକ ସୁନ୍ଦର କ୍ଷଣଟିଏ । ନିର୍ମଳ ଆକାଶରେ ଜହ୍ନମାମୁଁ ଖିଲିଖିଲି ହସରେ ପୃଥିବୀ ପୃଷ୍ଠକୁ ଶୀତଳ ଜ୍ୟୋତ୍ସ୍ନା ପରଷି ଦେବାର ଏକ ସ୍ମୃତିପୂର୍ଣ ସାୟଂକାଳର ଏକ ମନୋରମ ମୁହୂର୍ତ୍ତ୍ୱଟିଏ ।
ସବୁଦିନ ପରି ସେଦିନ ମଧ୍ୟ ମୁଁ ସନ୍ଧ୍ୟାରେ ଆମ ଅଗଣାର ପିଣ୍ଢାରେ ତଳକୁ ଗୋଡ଼ ଲମ୍ବାଇ ବସିଥିଲି । ଆଉ ତା ପରଦିନ ପୂଜାଛୁଟି ପରେ କଲେଜକୁ ଯିବାକଥା ମନେ ମନେ ଭାବୁଥିଲି । ଠିକ ଏହି ସମୟରେ ଶେଫାଳୀ ଆମ ଘରକୁ ଆସିଲା । ଶେଫାଳୀ ଆମ ଗାଁ'ର ଝିଅ, ଏକା ସାଙ୍ଗରେ କଲେଜରେ ପାଠ ପଢୁଥିଲୁ । ମୋଠୁଁ ଦୁଇ ବର୍ଷ ତଳେ ପଢୁଥିଲେ ମଧ୍ୟ, ପ୍ରତିଦିନ ଗୋଟିଏ ବସରେ ଯାଉଥିଲୁ ସାଙ୍ଗ ହୋଇ କଲେଜକୁ । ଭାରି ଭଲ ଝିଅଟିଏ । ସରଳ ତଥା ସଂସ୍କାରି ହେବା ସହ ପାଠ ମଧ୍ୟ ଭଲ ପଢୁଥିଲା ସେ । ରୂପରେ ଯେତିକି ସୁନ୍ଦର, ଗୁଣରେ ମଧ୍ୟ ଖୁଉବ ଭଲ । ମୋଟାମୋଟି ଭାବରେ ଉତ୍ତମ ଚାଲିଚଳନର ଅଧିକାରିଣୀ ସେ ।
ଶେଫାଳୀ ସହ ହାଇସ୍କୁଲ ଜୀବନରୁ ମୋର ମିଳାମିଶା ସବୁକିଛି । ଏକା ସାଙ୍ଗରେ ଯିବା ଆସିବା । ତାର ସବୁ ସୁବିଧା ଅସୁବିଧା ମୁଁ ବୁଝୁଥିଲି । ପାଠ ହେଉ କି ଶାଠ, ତାର ପ୍ରତ୍ୟେକଟି ସମସ୍ୟାର ସମାଧାନ ମୁଁ ହିଁ କରୁଥିଲି । ଆମ ଘର ଲୋକେ ଏବଂ ତା ଘର ଲୋକେ ଆମର ଏ ମିଳାମିଶାକୁ ସ୍ୱୀକୃତି ଦେଇଥିଲେ ମଧ୍ୟ ।
ଶେଫାଳୀର ମୋ ପ୍ରତି ଧୀରେ ଧୀରେ ଭରସା ଓ ବିଶ୍ବାସ ବଢ଼ି ବଢ଼ି ଚାଲିଥାଏ । ଆମେ ଦୁହେଁ ନିଜ ନିଜର କ୍ୟାରିୟର ଗଢ଼ିବାରେ ଲାଗିଥାଉଁ । ସମ୍ପର୍କରେ ଆବିଳତା ନ ଥାଏ ଆଦୌ । ଆମ ଦୁହିଁଙ୍କର ସମ୍ପର୍କ ନିବିଡ଼ରୁ ନିବିଡ଼ତର ହେଉଥାଏ । ରାଗରୁଷା ମୁହଁ ଫୁଲାଫୁଲି ବି ଥାଏ । ପୁଣି ତତ୍କ୍ଷଣାତ ମିଶି ଯାଇ ପୂର୍ବସ୍ଥିତିକୁ ଆସିଯିବାର କ୍ଷମତା ମଧ୍ୟ ଥାଏ, ଆମ ଭିତରେ ।
ସେଦିନ ମଧ୍ୟ ଥିଲା ଆଜିପରି କୁମାର ପୂର୍ଣିମାର ସନ୍ଧ୍ୟା ସମୟ । ଶେଫାଳୀ ଆସିଥିଲା ଆମ ଘରକୁ । କୁଆଁର ପୁନେଇର ସାଜସଜ୍ଜା ଭିତରେ ଖୁବ ସୁନ୍ଦର ଦିଶୁଥିଲା ସେ । ମୋତେ ଦେଖିଦେଇ ହସିଦେଲା, ଆହୁରି ସୁନ୍ଦର ଦିଶୁଥିଲା ତା ହସହସ ମୁହଁରେ । ମୁଁ କିଛି ବୁଝିବା ଆଗରୁ ମୋତେ ଘର ଭିତରକୁ ଟାଣିନେଲା । ମୋ ପଢ଼ାଘରକୁ ସିଧା । ମୁଁ କିଛି ବୁଝି ପାରୁ ନ ଥିଲି । ଖାଲି ଏତିକି ଭାବୁଥିଲି, ତା ପରଦିନ କଲେଜ ଯିବା ବିଷୟରେ କଥା ହେବା ପାଇଁ ବସିଛି ବୋଧହୁଏ ।
ମୋ ପଢ଼ାଘରେ ଥିବା ଦୁଇଟି ଚୌକିରେ ବସିଲୁ ସାମ୍ନାସାମ୍ନି । ହଠାତ ସେ ଗମ୍ଭୀର ହୋଇଗଲା । ତା ଫୁଲପରି ମୁହଁଟି ମଳିନ ପଡ଼ିଗଲା ପରି ମନେ ହେଲା । କିଛି କହୁ ନ ଥାଏ । ମୁଁ ଆସନ୍ତାକାଲି କଲେଜ ଯିବାକଥା ହେବାପାଇଁ ଆସିଛୁ ତ । ଯିବା, ସବୁଦିନ ଯେମିତି ସାତଟାରେ ଘରୁ ବାହାରୁଥିଲା ସେମିତି ବାହାରିବା କହିଲି । କାନ୍ଦି ପକାଇଲା । ବହୁତ ଅନୁରୋଧ ପରେ କହିଲା, "କାଲିଠୁଁ ମୋ କଲେଜ ଯିବା ବନ୍ଦ ।" ଏତିକି କହି ଆହୁରି ଜୋରରେ କାନ୍ଦିଲା । ମୁଁ କିଛି ବି ବୁଝିପାରିଲି ନାହିଁ ।
ପ୍ରକୃତରେ ସେହି ମୁହୂର୍ତ୍ତଟା ମୋ ପାଇଁ ଥିଲା ଏକ ପରୀକ୍ଷାର ମୁହୂର୍ତ୍ତ । ପ୍ରକୃତରେ ତା ପରଦିନ ବାହାଘର ପ୍ରସ୍ତାବ ନେଇ ଦେଖି ଆସିବାର ଥିଲା, ଆଉ ଯେତେଦୂର ସମ୍ଭବ, ସେମାନେ ରାଜି ହେଇଯିବାର ବି ଥିଲା । ଯଦି ବାହାଘର ପକ୍କା ହୋଇଗଲା, ଶେଫାଳୀର କଲେଜ ପଢ଼ା ବନ୍ଦ ।
ମୋ ହୃଦୟରେ ଯାହା ବି ଥାଉ ମୁଁ ହସିଦେଇ ତାକୁ କହିଲି, "ଆରେ ପାଗେଳି, ଏଇଟା ତ ଖୁସି ଖବର, କାନ୍ଦିବାର କଣ ଅଛି । ଆଜି ନ ହେଲେ କାଲି ତ ବାହାଘର ହେବ ।ଭଲଘର ପ୍ରସ୍ତାବ ଆସିଲେ ତ ରାଜି ହୋଇଯିବା କଥା ।" ସେ କୋହ ଭରା କଣ୍ଠରେ କହିଲା, "ନା, ମୁଁ ବାହା ହେବିନି, ତୁମେ ମୋର ସବୁ ସମସ୍ୟାର ସମାଧାନ କର, ଏଇଟା ବି କର, ପ୍ଲିଜ । ସେ ବାହା ଫାହା ମୋ ଦ୍ୱାରା ହେବନି, ମୋର ପାଠ ପଢ଼ିବାର ଅଛି, ଚାକିରୀ କରିବାର ଅଛି ।" ପ୍ଲିଜ, ପ୍ଲିଜ କହି ମୋ ହାତ ଧରି କାକୁତି ମିନତି ହେଲା ।
ମୁଁ ତାର ଅନେକ ସମସ୍ୟାର ସମାଧାନ କରିଛି ସତ, କିନ୍ତୁ ସେଥର ଏପରି ଏକ ସମସ୍ୟା ଆଣି ମୋ ପାଖରେ ଥୋଇଲା ଯେ, ତାର ସମାଧାନର ରାସ୍ତା ହିଁ ମୋ ପାଖରେ ନ ଥିଲା । ମୋର ଲବ୍ଧଜ୍ଞାନର ଉପଯୋଗ କରି ବହୁତ ବୁଝାଇଲି, ସେ ବୁଝିଲା ନାଇଁ ମୋଟେ । ଶେଷରେ କାନ୍ଦି କାନ୍ଦି କହିଲା, "ଆମ ଦୁହିଜଣଙ୍କର ବାହାଘର ଗୋଟିଏ ଦିନରେ ହେବ, କେହି ବି ଆଗ ବାହା ହେବାର ନାହିଁ ।" ଏତିକି କହି ଦୌଡ଼ି କରି ଆମ ଘରୁ ଚାଲିଗଲା ସେଦିନ ।
ମୁଁ ରାତିସାରା ଆଉ ଶୋଇ ପାରିଲି ନାହିଁ । ଖାଲି ଶେଫାଳୀ କଥା ଭାବୁଥିଲି । ଗୋଟିଏ ଦିନରେ ବାହାଘର କଥା କାହିଁକି କହିଲା । ସେ ମୋତେ ବାହା ହେବାକୁ ଚାହୁଁ ନାହିଁ ତ । ସେଇଟା କଣ ସମ୍ଭବ । ସେ ସିନା ଝିଅପିଲା, ବାହା ହୋଇ ଶାଶୁ ଘରକୁ ଯିବ । ମୋତେ ତ ପାଠ ପଢ଼ି ଚାକିରୀ କରି ଦୁଇ ପଇସା ରୋଜଗାର କରିବାକୁ ପଡ଼ିବ । ଆମ ଦୁଇଜଣଙ୍କ ଭଲପାଇବା ଯେ ଏମିତି ବାହାଘର ଆଡ଼କୁ ଯିବ, ଏହା ମୋ କଳ୍ପନାର ବାହାରେ ଥିଲା ।
ସେ ଯାହାହେଉ, ତା ପରଦିନ ମୁଁ ବି କଲେଜ ଗଲିନି, ତାକୁ ବୁଝାଇ ସୁଝାଇ ରାଜି କରାଇଲି । ସେ ରାଜି ହେଲା । ବାହାଘର ସେଇଠି ହେଲା ମଧ୍ୟ । ବାହାଘର ଦିନ ମୁଁ ତାକୁ ତା ସ୍ବାମୀ ସହ ବେଦୀରେ ଦେଖି ମନେ ମନେ ହସୁଥିଲି ଆଉ ଭାବୁଥିଲି "ଆମ ଭିତରେ କିଛି ଅଛି କି ।"
ସେ ଦିନର କଥା ମନେ ପକେଇ ପ୍ରତ୍ୟେକ କୁମାର ପୂର୍ଣ୍ଣିମା ଦିନ ଶେଫାଳୀ ସହ ମୋର ସମ୍ପର୍କର ସ୍ମୃତି ରୋମନ୍ଥନ କରେ । ଆଜି ବି କରୁଛି ।

