ପରୀ କାହାଣୀ
ପରୀ କାହାଣୀ
ଛୋଟ ବୟସର ହୋଇଥାଏ । ରାତିରେ ଖାଇସାରିବା ପରେ ଆମେ ଚାରି ଭାଇଭଉଣୀ ବସିଥାଉ । ସବୁଦିନ ପରି ସେଦିନ ବି ଆମର ପ୍ରିୟ ଜେଜେମା ଆମ ପାଖକୁ ଆସି ବସିପଡ଼ିଲେ । ଆମର ଖୁସି କହିଲେ ନ ସରେ । ଆଜି ପୁଣି ଏକ ନୂଆଁ କାହାଣୀ ଶୁଣାଇବେ । ଜେଜେମା ଆସିବାକ୍ଷଣି ଆମେ ତାଙ୍କର ଚାରିଆଡ଼େ ଘେରିଯାଇ ବସି ପଡ଼ିଲୁ । ଉତ୍ସାହ ଆଉ ଉଦ୍ଦୀପନାରେ ତାଙ୍କୁ ନୂଆଁ କାହାଣୀଟେ କହିବା ପାଇଁ ଗୁହାରୀ କଲୁ । ଜେଜେମା ହସି ହସି କହିଲେ ଗୋଟିଏ ଛୋଟିଆ ପରୀ କାହାଣୀ ।
ଛୋଟ ଗରୀବ ଝିଅଟିଏ । ନଈକୂଳରେ ବସି, ହାତରେ ବନିଶୀ ଧରି ମାଛ ମାରୁଥାଏ । ସବୁଦିନ ମାଛ ମାରି, ତାକୁ ବିକ୍ରି କରି ଗରୀବ ବାପା ମାଆଙ୍କୁ କିଛିଟା ସହଯୋଗ କରେ । ଦିନକର କଥା, ନଈକୂଳରେ ସବୁଦିନ ପରି ମାଛ ମାରୁଥାଏ । ହଠାତ ଏକ ସୁନ୍ଦର ମାଛଟିଏ ବନିଶୀର କଣ୍ଟାରେ ଲାଗିଲା । ତାକୁ ଝିଅଟି ଦେଖି ଖୁସି ହୋଇଗଲା । ଏତିକି ବେଳେ ମାଛଟି ମଣିଷ ସ୍ୱରରେ କହିଲା, "ମୋତେ ଛାଡ଼, ମୋତେ ଛାଡ଼" । ଝିଅଟି ଆଶ୍ଚର୍ଯ୍ୟ ହୋଇଗଲା । ତଥାପି ଧୈର୍ଯ୍ୟର ସହ ତାକୁ କଣ୍ଟାରୁ ଯତ୍ନରେ କାଢ଼ି ନଈରେ ଛାଡିଦେଲା । ନଈରେ ଯେମିତି ଛାଡ଼ିଛି, ମାଛଟି ସୁନ୍ଦରୀ ପରୀଟିଏ ହୋଇ କୂଳକୁ ଆସି ଠିଆ ହେଲା, ଝିଅଟିର ସାମ୍ନାରେ । ଝିଅଟି ଡରିଗଲା, କାନ୍ଦିବାକୁ ଲାଗିଲା । ଜଳପରୀ କହିଲା, "ଡର ନାହିଁ, ମୁଁ ତୁମର କିଛି ବି କ୍ଷତି କରିବି ନାହିଁ" । ଝିଅଟି ଆଉ କାନ୍ଦିଲା ନାହିଁ । ବଲ ବଲ କରି ପରୀକୁ ଚାହିଁଥାଏ । ପରୀଟି ତା ପାଖରେ ବସିପଡ଼ିଲା, ଝିଅକୁ କୋଳରେ ଧରି କହିଲା, "ତୁମକୁ ଆଉ ମାଛ ମାରିବାକୁ ପଡ଼ିବ ନାହିଁ, ତୁମେ ପାଠ ପଢ଼ିବ, ଶିକ୍ଷିତ ହୋଇ ବଡ଼ ମଣିଷ ହେବ" । ଝିଅଟି କହିଲା, "ମୁଁ ତ ଗରୀବ ଝିଅ, ଟଙ୍କାପଇସା କେଉଁଠୁ ପାଇବି ଯେ ପାଠ ପଢ଼ିବି" ? ପରୀ ସାଙ୍ଗେ ସାଙ୍ଗେ ବହୁତ ଟଙ୍କାପଇସା, ସୁନାରୂପା ଭର୍ତ୍ତି ଥିବା ଗୋଟିଏ ମୁଣି ଝିଅକୁ ଧରାଇଦେଇ ପାଣି ଭିତରେ ଅଦୃଶ୍ୟ ହୋଇଗଲା । ଝିଅଟି ଆନନ୍ଦରେ ଘରକୁ ଯାଇ, ବାପାମାଆଙ୍କୁ ସବୁକଥା କହିଲା । ସେହି ଦିନଠୁଁ ସେମାନେ ଖୁସିରେ ରହିଲେ ।
ଜେଜେମା କାହାଣୀଟି କହିସାରି ଆମକୁ ଶୋଇବାକୁ କହି ନିଜେ ମଧ୍ୟ ଶୋଇବାକୁ ଗଲେ ।।
