Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Rozalini Mishra

Classics

5.0  

Rozalini Mishra

Classics

ଆଲୋକର ସନ୍ଧାନେ

ଆଲୋକର ସନ୍ଧାନେ

6 mins
178


     ସେଦିନ ମନ୍ଦିରାର ରେପ୍ ହୋଇଥିଲା। ତା ବେହୋସ ଦେହରେ ଗୋଟିଏ ନିର୍ବାଚନ ପୋଷ୍ଟର ଗୁଡେଇ ଅଟୋରିକ୍ସା ଵାଲାଟେ ତାକୁ ଗଟର କଡରୁ ଉଠାଇ ଆଣିଥିଲା।

        ସବୁଥର ପରି ମୁଁ ତା ଆସିବା ବାଟକୁ ଚାହିଁଥିଲି। ମୁଁ ଆଲୁଅ ଲିଭାଇ ମୋ ଝରକାର ପର୍ଦ୍ଦା ଫାଙ୍କରୁ ତାକୁ ଦେଖିବାକୁ ଚେଷ୍ଟା କରୁଥିଲି। ଅଟୋରିକ୍ସା ତାକୁ ପଇସା ମାଗି ନଥିଲା। ବାସ୍ ..ଘର ଆଗରେ ଓହ୍ଲେଇ ଦେଇ ଚାଲି ଯାଇଥିଲା ତା ବାଟରେ। ମନ୍ଦିରା ତା ଘର ଭିତରକୁ ଚାଲିଯିବା କ୍ଷଣି ମୋ ମନଟା ଉଦାସ ହୋଇଗଲା। ତାର ଅବସ୍ଥା ଦେଖି ହୃଦୟଟା ଖିନଭିନ ହୋଇଗଲା। ମୁଁ ଅନ୍ଧାରରେ ମୁହଁ ଜାକି ଶୋଇଯିବାକୁ ଚେଷ୍ଟା କଲି।

       ମନ୍ଦିରା ସହ ମୋର ପ୍ରଥମ ପରିଚୟ ଜଣେ ପଡୋଶୀ ହିସାବରେ। ଗୋଟିଏ ବସ୍ତିରେ ଆମ ଦୁହିଁକର ଘର। ବିଲକୁଲ ସାମ୍ନାସାମ୍ନି। ରାସ୍ତା ଏପାଖ ଆଉ ସେପାଖ। ମନ୍ଦିରାର ଘର ଆଗରେ ଗଙ୍ଗଶିଉଳି ଗଛଟିଏ। ସକାଳୁ ଉଠି ମନ୍ଦିରା ତଳେ ଝଡି ପଡିଥିବା ଗଙ୍ଗଶିଉଳି ଫୁଲ କିଛି ସଂଗ୍ରହ କରେ ଠାକୁରଙ୍କ ଉଦ୍ଦେଶ୍ୟରେ। ସେ ଫୁଲ ପାଇଁ ବାହାରକୁ ଆସିବା କ୍ଷଣି ମୁଁ ବ୍ରସରେ ପେଷ୍ଟ ଲଗେଇ ଦାନ୍ତ ଘଷିବା ବାହାନାରେ ଘରୁ ବାହାରି ଆସେ ପଦାକୁ। ଅଭିପ୍ରାୟ ମନ୍ଦିରାକୁ ଖାଲି ଟିକେ ଦେଖିବା । ଆଉ ମନ୍ଦିରା ବି ଫୁଲ ଗୋଟାଉ ଗୋଟାଉ ଟିକେ ହସିଲା ଚାହାଣୀରେ ଚାହିଁଦିଏ ମୋତେ। ମନଟା ପୁରି ଉଠେ ମୋର। ଆଉ କ'ଣ ଦରକାର କି ?

       ମନ୍ଦିରାକୁ ଦେଖିବାକୁ ମୋତେ ଭଲଲାଗେ। ସନ୍ଧ୍ୟାରେ କାମରୁ ଫେରି ମୁଁ ଅନ୍ଧକାର ଘରର ଝର୍କା ଆଢୁଆଳରେ ରହି ଅପେକ୍ଷା କରେ ତାକୁ। ରାତି ଆଠଟା ପାଖାପାଖି ସେ ଘରକୁ ଫେରେ ତା କାମ ସାରି। ମୁଁ ଝରକାର ପର୍ଦ୍ଦା ଅଳ୍ପ ଆଡେଇ ଦେଖିନିଏ ତାକୁ। ସେ କିନ୍ତୁ ମୋତେ ଦେଖି ନପାରି ମୋ ଘରଆଡେ ଖୋଜିଲା ଖୋଜିଲା ଆଖିରେ ଚାହେଁ। ତା ପରେ ପଶିଯାଏ ତା ଘର ଭିତରକୁ। ତା ଘର ଭିତରୁ ବେଳେବେଳେ ଶୁଣାଯାଏ ତା ମଦୁଆ ସ୍ୱାମୀର ଗାଳି ଗୁଲଜ, ଦୁମଭୁସ ଆବାଜ ଆଉ ଜିନିଷ ପତ୍ର ଫୋପାଡା କଚଡାର ଶବ୍ଦ।

      ମନ୍ଦିରା ବିବାହିତା। ଦେଖିବାକୁ ବହୁତ ସୁନ୍ଦରୀ। ବସ୍ତିରେ ବସବାସ କରୁଥିବା ଝିଅ ମାନଙ୍କ ଭିତରେ ଏମିତି ସୁନ୍ଦର ଝିଅଟିଏ ଖୁବ କ୍ଵଚିତ ଦେଖିଛି ମୁଁ। ସକାଳର ନିତ୍ୟକର୍ମ ପରେ ମନ୍ଦିରା ବାହାରି ଯାଏ ତା କାମରେ ଆଉ ମୁଁ ବି ବାହାରିଯାଏ ମୋ କାମରେ। ମନ୍ଦିରାର ସ୍ୱାମୀ ଦିନରାତି ଘରେ ଶୋଇଥାଏ। ମନହେଲେ କୁଆଡେ ଯାଏ ନହେଲେ ନାହିଁ। ମନ୍ଦିରାର ରୋଜଗାର ତା ଠାରୁ ଛଡେଇ ନିଏ। ମାରପିଟା ବି କରେ। ଯାହାକୁ କୁହନ୍ତି ଘୋଡା ମଦୁଆ ନିକମା ପୁରୁଷଟାଏ। ନା ....ନା ....ଏଭଳି ଅମଣିଷ ମାନଙ୍କୁ ପୁରୁଷ କୁହାଯାଇ ପାରେନା। ପୁରୁଷ ଜାତିର ଅପମାନ ହେବ। ସେ ଯେ ପୁରୁଷ ନାଁ ରେ ଗୋଟେ କଳଙ୍କ କହିଲେ ଠିକ ହେବ।

        ଧୀରେଧୀରେ ଭଲପାଇ ବସିଥିଲି ମୁଁ ମନ୍ଦିରାକୁ। ମନକୁ ଯେତେ ଲଗାମ ଦେଲି ସେ ଶୁଣିଲାନି। ବହୁତ ବୁଝେଇଲି.... ମନ୍ଦିରା ଜଣେ ବିବାହିତା ...ତା ପିଛା ଛାଡ୍ ... ତଥାପି ମୋ ମନ ବୁଝିଲାନି। ଓଲଟି ମୋତେ ବୁଝେଇଲା ...." ଭଲ ପାଇବାର ଅର୍ଥ କ'ଣ ଖାଲି ବିବାହ, ପ୍ରାପ୍ତି, ଭୋଗ ? ନୁହେଁ ନା ? ଭଲ ପାଇବା ତ ଗୋଟେ ସ୍ବର୍ଗୀୟ ଅନୁଭବ। ମୁଁ ତ ଖାଲି ସେଇ ସ୍ବର୍ଗୀୟ ସୁଖକୁ ଅନୁଭବ କରୁଛି ଦୂରରେ ରହି। ଅସୁବିଧା କୋଉଠି ?


  

      ମନ୍ଦିରା ମୋତେ ଦେଖି ହସେ କାହିଁକି ? ମୁଁ ବାହାରେ ନଥିଲେ ଖୋଜିଲା ଖୋଜିଲା ଆଖିରେ ସବୁଆଡେ ଚାହେଁ କାହିଁକି ? ରାସ୍ତାରେ ଘାଟରେ ଦେଖିଦେଲେ ସରୁ ହସ ଧାରେ ତା ଓଠରେ ଖେଳିଯାଏ କାହିଁକି ? ଆଉ ମୁହଁରେ ମୁହଁ ପଡିଗଲେ ଲାଜରେ ତଳକୁ ମୁହଁ ପୋତିଦିଏ କାହିଁକି ? ସେ ବି କ'ଣ ମୋତେ ମନେ ମନେ ଭଲପାଏ ? କେଜାଣି ?

      ଯେଉଁଦିନ ତା ସ୍ବାମୀ ତାକୁ ପିଟିଥାଏ ସେଦିନ ଚୁଲି ଜଳେନି ମନ୍ଦିରାର ଘରେ। ତା ସ୍ବାମୀ ମଦ ଢୋଲେ ପିଇ ଶୋଇଯାଏ ଆଉ ଦିନରୁ ରାତିଯାଏ ଖଟି ଖଟି ବି ମନ୍ଦିରା ଭୋକରେ ଆଉଟୁ ପାଉଟୁ ହେଉଥାଏ। ବହୁତ କଷ୍ଟ ହୁଏ ମୋ ମନକୁ। ସାହାଯ୍ୟର ହାତ ବଢ଼େଇଲେ ମନ୍ଦିରା ମନା କରେ। ମୁଁ ବି ତା ସ୍ୱାଭିମାନରେ ଆଘାତ ଦେବାକୁ ଚାହେଁନି। କେବେକେବେ ଜବରଦସ୍ତି କିଛି ସାହାଯ୍ୟ କରିଦେଲେ କୃତଜ୍ଞତାରେ ମୁଣ୍ଡ ନଇଁଯାଏ ତାର।

         ଆଜିକାଲି ମନ୍ଦିରା ମୋ ଠାରୁ ସାହାଯ୍ୟ ନେବାକୁ ନିଜକୁ ଅସହଜ ମନେ କରେନା ଆଉ। ବେଳେବେଳେ ତା ଦୁଃଖ କହି କାନ୍ଦି ପକାଏ ମୋ ଆଗରେ। ସେ ଯେ ମୋ ଆଡ଼କୁ ଧିରେ ଧିରେ ଢଳିବାକୁ ଆରମ୍ଭ କରିଛି ବୁଝିପାରେ ମୁଁ। କାହିଁକି ବା ନ ଢଳିବ ? ସ୍ନେହ, ସହାନୁଭୂତି, ଆଦର, ବିଶ୍ୱାସ ପାଇଲେ ଜୀବଜନ୍ତୁ ବି ପୋଷା ମାନି ରହି ଯାଆନ୍ତି ଆଉ ମନ୍ଦିରା ତ ସରଳ ନିରୀହ ମଣିଷଟିଏ।

      ଦିନେ ସାହସ କରି ମନ୍ଦିରାକୁ ପଚାରିଲି , " ମୁଁ ତୋତେ ବହୁତ ଭଲ ପାଏ। ଯଦି ତୁ ବି ମୋତେ ସେତିକି ଭଲପାଉ ତାହେଲେ ଚାଲ ଏ ଜାଗା ଛାଡି ଚାଲିଯିବା। ମୁଁ ତୋତେ ଏ ନର୍କରୁ ଦୂରକୁ ନେଇଯିବି। ବହୁତ ଦୂରକୁ।"  ଉତ୍ତରରେ ସେ କହିଲା, " ନା ... ମୁଁ କୁଆଡେ ଯିବିନି। ସେ ଯେତେ ଖରାପ ହେଲେ ବି ମୋ ସ୍ୱାମୀ ନା । ମୁଁ ତାଙ୍କୁ ଏଠି ଏ ବସ୍ତିରେ ଲୋକହସା ହେବାକୁ ଛାଡ଼ିଦେଇ ଯାଇ ପାରିବିନି। ଭଲ ପାଇବାର ମାନେ କ'ଣ ଏଇଆ ? ବେଶୀ ଭଲ ପାଇବା ତ ତ୍ୟାଗରେ ଥାଏ। " 

  

ଇସ୍ କେତେ ସୁନ୍ଦର ଚିନ୍ତାଧାରା .... କମ ପାଠ ପଢିଲେ ବି କେଡେ ବୁଝିବାର ଝିଅଟିଏ  

    ମନ୍ଦିରା ପାଇଁ ମୋ ମନ ଭିତରେ ଥିବା ଭଲ ପାଇବାଟା ଆଉ ଟିକେ ବଢିଗଲା ଏ ଘଟଣା ପରେ।


     ସେଦିନ ବସ୍ତିକୁ କିଛି କୁଜିନେତା ଆସିଥିଲେ ନିର୍ବାଚନ ପ୍ରଚାର ପାଇଁ ଲୋକ ଗୋଟେଇବାକୁ। ଗାଡ଼ିରେ ବସେଇ ନେବେ ପୁଣି ଗାଡ଼ିରେ ବସେଇ ଆଣି ଛାଡ଼ିଦେବେ। ଖାଇବା ପିଇବା ମାଗଣା । ପୁଣି ତା ଉପରେ ମୁଣ୍ଡପିଛା ପାଞ୍ଚ ଶହ ଟଙ୍କା ଲେଖାଏଁ । ବସ୍ତିର ବହୁତ ଲୋକ ବାହାରିଲେ ଯିବା ପାଇଁ। ମନ୍ଦିରା କିନ୍ତୁ ଯିବାକୁ ଚାଁହୁନଥିଲା ସେ ଜାଗାକୁ। ତା ସ୍ବାମୀ ତାକୁ ଏକରକମ ଠେଲିଠେଲି ନେଇ ଗାଡି ଭିତରେ ବସେଇ ଦେଲା । କହିଲା , ' ମାଗଣା ଖାଇ ପିଇ ଟଙ୍କା ପାଁଶହ କମେଇବୁ । ତୋତେ କ'ଣ ପଇସା ଗନ୍ଧଉଛି କି ? ଯାଃ ... ଯାଃ ...।

       ନିର୍ବାଚନ ପ୍ରଚାର ସରିଲା ପରେ ଖାଇବା ପିଇବା ଆଉ ଟଙ୍କାବଣ୍ଟା ସବୁ ସରୁସରୁ ରାତି । ମନ୍ଦିରା ଚାରିଆଡକୁ ଆଖି ବୁଲେଇଲା । କାହିଁ ... କେହି ତ ଦିଶୁ ନାହାନ୍ତି ତା ବସ୍ତି ଲୋକ ସବୁ ଚାଲିଗଲେଣି ନା କ'ଣ ? ଏଠି ଯୋଉମାନେ ଅଛନ୍ତି ସେ ତ ସେମାନଙ୍କ ଭିତରୁ କାହାକୁ ବି ଜାଣିନି। କ'ଣ କରିବ ଏବେ ସେ ? ଏତେ ରାତିରେ କୁଆଡେ ଯିବ ଭାବିଭାବି କାନ୍ଦକାନ୍ଦ ହୋଇଗଲା ମନ୍ଦିରା । ଜଣେ ନେତା ପୋଷକଧାରୀ ବ୍ୟକ୍ତିଙ୍କୁ ପଚାରିଲା ତାଙ୍କ ବସ୍ତି ଯାଏ ଯିବାକୁ ଥିବା ଗାଡି ଅଛି ନା ଚାଲିଗଲାଣି । ତାକୁ ଅସହାୟ ଅବସ୍ଥାରେ ଦେଖି ନେତା ଜଣଙ୍କ ତା ମୁଣ୍ଡରୁ ଗୋଡ଼ ଯାଏ ଆଖି ବୁଲେଇ ଆଣିଲେ ଭଲ କରି। ଆଉ  କହିଲେ , " ଛକ ଉପରେ ଗାଡି ଥୁଆ ହୋଇଛି । ସମସ୍ତେ ସେଠି ଅପେକ୍ଷା କରିଛନ୍ତି। ତୁ ଚାଲି ଯା ସେଠାକୁ।" ମନ୍ଦିରା ଆସି ଛକ ପାଖରେ ଠିଆ ହେଲା। କାହିଁ... କେହି ତ ନାହାନ୍ତି ....ଚାରିଆଡେ କିଟି କିଟି ଅନ୍ଧାର। ଜହ୍ନ ଆଲୁଅରେ ସେ ଦେଖିଲା ଚାରିଜଣ ମଣିଷ ତା ଆଡ଼କୁ ମାଡି ଆସୁଛନ୍ତି। ଆଖି ପିଛୁଳାକେ ସେମାନେ କାବୁ କରିନେଲେ ମନ୍ଦିରାକୁ। ଚିଲ୍ଲେଇବାକୁ ଚାହିଁକି ବି ଚିଲ୍ଲେଇ ପାରି ନଥିଲା ସେ। ଆଉ ତା ପରେ ଯାହା ଘଟିଗଲା ତାହା ବୋଧେ ମନ୍ଦିରା ଜୀବନର ସବୁଠାରୁ ବଡ଼ ଦୁର୍ଘଟଣା। ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ସେ ପଡିଥିଲା ଗଟର କଡରେ। ଅଟୋରିକ୍ସା ଵାଲାଟିଏ ତାକୁ ଉଠାଇ ଆଣିଥିଲା ସେଠାରୁ ତା ଦେହରେ ରାସ୍ତା କଡରେ ପଡିଥିବା ନିର୍ବାଚନ ପୋଷ୍ଟରରୁ ଗୋଟେ ଗୁଡେଇ ଦେଇ।

       ମୁଁ ଘର ଭିତରେ ଅନ୍ଧାର କରି ଝର୍କା ପାଖରେ ବସିଥିଲି ତାକୁ ଅପେକ୍ଷା କରି। ଅନ୍ଧାର ନକଲେ ତା ସ୍ବାମୀ ଯଦି ଜାଣିଦିଏ ଯେ ମୁଁ ତା ସ୍ତ୍ରୀକୁ ଝର୍କା ଫାଙ୍କରେ ଉଣ୍ଡୁଛି ବୋଲି ତାହେଲେ ପିଟିପିଟି ଦରମରା କରିଦେବ ସେ ମନ୍ଦିରାକୁ। ମୋ ପାଇଁ ତାର କିଛି କ୍ଷତି ହେଉ ଏ କଥା ମୁଁ କେବେବି ଚାଁହୁନଥିଲି। ଘଣ୍ଟା ର କଣ୍ଟା ଆଠ ରୁ ଯାଇ ନଅ ରେ ଆଉ ନଅ ରୁ ଯାଇ ଦଶ ରେ ପହଞ୍ଚିଲା। କିନ୍ତୁ ମନ୍ଦିରା ଫେରୁ ନଥିଲା। ଆଉ ଫେରିଲା ତ ପୁଣି ଏ ଅବସ୍ଥାରେ। ଗୋଟେ ଅଟୋରିକ୍ସା ଵାଲା ସହାୟତାରେ। ପ୍ରଥମେ ତ କିଛି ବୁଝିପାରିଲିନି ମୁଁ। କିଛି ସମୟ ପରେ ଘରୁ ଶୁଭିଲା ମନ୍ଦିରା ମଦୁଆ ସ୍ୱାମୀର ବିକଟାଳ ରଡି। ପିଟିପିଟି ଘରୁ କାଢ଼ିଦେଲା ସେ ମନ୍ଦିରାକୁ। ଚୁଟି ଘୋଷଡି ଆଣି ଠିଆ କରିଦେଲା ରାସ୍ତାରେ ଆଉ କହିଲା , " ଏକେ ତ ବାଞ୍ଝ ସେଥିରେ ପୁଣି ଦୋଚାରୁଣୀ କୁଳଟା । କୋଉ ଖୁସିରେ ତୋତେ ମୁଁ ଘରେ ରଖିବି ? ମୋ ବଂଶରକ୍ଷା ତ କରିପାରିଲୁନି ଆଜିଯାଏ ଆହୁରି ଇଜ୍ଜତ ମହତ ସବୁ ରାସ୍ତାରେ ଫୋପାଡ଼ି ଦେଇ ଆସିଛୁ। ମୁଁ ଏ ବସ୍ତି ଲୋକଙ୍କୁ କେମିତି ମୁଁହ ଦେଖେଇବି ? ବାହାର ମୋ ଘରୁ ।"

    ଛାତି ଭିତରଟା ବିଦାରି ହୋଇଗଲା ମୋର। ଭିତରେ ଥାଇ ଦେଖିଲି ତା ସ୍ବାମୀ ତାକୁ ଏକା ଛାଡ଼ିଦେଇ ଘର ଭିତରେ ପଶି କବାଟ କିଳିଦେଲା। ଏକା ଏକା ରାସ୍ତାରେ ଠିଆ ହୋଇ କାନ୍ଦିଲା ବହୁତ ମନ୍ଦିରା। ଦେହ ଯାକ କଞ୍ଚାମାଂସ ଭକ୍ଷୀ ଶୃଗାଳ କୁକୁର ମାନଙ୍କର କାମୁଡ଼ା ରାମ୍ପୁଡା ଚିହ୍ନ। ଧୀରେ ଧୀରେ ଅନ୍ଧାର ଆଡକୁ ଆଗଉଥିଲା ସେ। ମନରେ ଶଙ୍କା ପଶିଗଲା ମୋର। ମନ୍ଦିରା ଯେ ପୁଣି ଥରେ ଶୃଗାଳ କୁକୁର ମାନଙ୍କର ଆକ୍ରମଣର ଶିକାର ନ ହେବ ସେ କଥା କିଏ କହିବ ? ମୁଁ ବି ଧୀରେ ଧୀରେ ଘରୁ ବାହାରି ତା ପଛେ ପଛେ ଗଲି। ସେ ଚାଲିଚାଲି ଯାଇ ବସିଲା ବସ୍ତି ଶେଷ ପାଖ ବରଗଛ ମୂଳରେ। ମୁଁ ଚୁପଚାପ ଯାଇ ଠିଆ ହେଲି ତା ପାଖରେ। ମୋତେ ଦେଖି ଚମକି ପଡିଲା ସେ। ମୁଁ ତା ଆଡେ ହାତ ବଢ଼େଇଲି ଆଉ କହିଲି, " ମନ୍ଦିରା ମୁଁ ମାନୁଛି ତ୍ୟାଗ ରେ ବି ଭଲପାଇବା ଅଛି। କିନ୍ତୁ ବର୍ତ୍ତମାନ ସମୟ ଆସିଛି ସେ ' ତ୍ୟାଗ' କୁ ତ୍ୟାଗ କରିବାର। ସେ ବି ବୋଧେ ଚାଁହୁଥିଲା ସେ ଚିରାଚରିତ ' ତ୍ୟାଗ' ରୁ ମୁକ୍ତି। ସେ ମୋ ହାତ ଉପରେ ହାତ ରଖି ଉଠି ଠିଆ ହେଲା। ଅନ୍ଧାରର ବକ୍ଷରେ ଆମେ ଆଗେଇ ଚାଲିଲୁ ଏକ ନୂତନ ଆଲୋକର ସନ୍ଧାନରେ।


 (ମୋର ଏହି ଗଳ୍ପଟି ଗାଳ୍ପିକ ଅଜୟ ମହଲା ସାରଙ୍କ ଦ୍ୱାରା ଦିଆଯାଇଥିବା ଗଳ୍ପାଂଶକୁ ନେଇ ଲେଖା ଯାଇଛି। ଅଜୟ ମହଲା ସାରଙ୍କ ପ୍ରତିଟି ଗଳ୍ପର ମୁଁ ଜଣେ ମୁଗ୍ଧ ପାଠିକା। ତାଙ୍କ ଦ୍ୱାରା ଦିଆଯାଇଥିବା ଗଳ୍ପାଂଶଟି ମୋତେ ଟିକେ ନିଆରା ଲାଗିଲା ଅନ୍ୟଗୁଡିକ ଅପେକ୍ଷା)


Rate this content
Log in

More oriya story from Rozalini Mishra

Similar oriya story from Classics