STORYMIRROR

Lopamudra Parida

Drama Action

4  

Lopamudra Parida

Drama Action

ଆଲଜିମେରିଆ

ଆଲଜିମେରିଆ

6 mins
233

ସାରସ୍ବତ ପ୍ରଣାମ ନେବେ 


ଗଳ୍ପ ଶୀର୍ଷକ: ଆଲଜିମେରିଆ 
______________________
ଲୋପାମୁଦ୍ରା ପରିଡା 

"ଖଟ ବାଡାରେ କିଏ ଚୁଡି ଟାଙ୍ଗେ କହିଲ? ପୁଣି ପାଣିକାଚରୁ ମୁଠେ । ଯେତେକ ଅବାଗିଆ କାମ ସବୁ ୟାର । ହେ ସେପଟୁ ଏ ବହି ଦିଟା ଆଣି ଏଠି କିଏ ରଖିଲା? ଦେଖୁନ ଖଟ ଯାକ ଆମର କେମିତି ବର ଓହଳ ।ଯେଝା ଲୁଗା ପଟା ଯେଝା ଥାକରେ ଚଉତିକି ରଖିବନି? ନାଃ ।ଯୋଉଠା ଜିନିଷ ଯୋଉଠୁ କାଢିବ ସେଇଠି ରଖିବ ,ସେ ଅଭ୍ଯାସ ଆଜି ଯାଏ ହେଲାନି । ଆଜୁରୁବାଜୁରୁ ଘର ପରି ପଙ୍କ ରେ ଗୋବୋର ଲିପା ।ଏଠି ସେଠି ଖେଳେଇ ପକେଇବାକୁ କଣ ଭଲ ଲାଗେ କେଜାଣି?"

ବିରକ୍ତିରେ ଏମିତି କହୁଥିବା ଅନିକେଶଙ୍କର ହାତ ଦିଟି କିନ୍ତୁ ସଜାଡି ଚାଲିଥିଲେ ପୁରା ଘରକୁ ଥରକୁ ଥର । ଏ ମୁଣ୍ଡରୁ ସେମୁଣ୍ଡ ଖଟ ଝାଡି, କୁସନ ପିଲୋ ସବୁ ସେଟ୍ କରି , ବହି ଥାକରୁ ଧୂଳି ପୋଛି।  ଝରକା କାଚ ବାଟ ଦେଇ ଚାହିଁଲେ ତଳ ସରୁଗଳି ମୂଳକୁ ଟିକି ଝାଡଣଟି ଝାଡୁ ଝାଡୁ ଅନିକେଶ ।

ଦିଶୁଥିଲା ତାଙ୍କୁ ସୁଚେତାଙ୍କ ହାତ ଗେଟ୍ ପାଖରୁ । କିଏ ଦିଟି ଗଳି ଚାହିଁ ଥିଲେ ସେପଟୁ କୋତରା କଳାମସିହା ହାତ ବଢେଇ । କୋଳରେ କଅଁଳା ପିଲାଟେକୁ ଗାମୁଛାରେ ବାନ୍ଧି ଝୁଲେଇଥିବା ସ୍ତ୍ରୀ ଲୋକଟେ ବି ଦିଶିଲା । ସିଏ ମୁଣ୍ଡରେ ନାଲି ରିବନ ଆବଶ୍ୟ ଭିଡିକି ବାନ୍ଧିଥିଲା ହେଲେ ମୁହଁହାତ ରେ କଳା ବୋଳା ପାଉଁଶିଆ ଧାପ ଧାପ ଚମ । ଇ ହି.... କି ଅସନା ସେ ଛୁଆ ସବୁ ,କି ଅପରଛନିଆ। ଶିଙ୍ଘାଣି ସଲବଲ ।ବାମକାନ୍ଧ ରେ ଝୁଲେଇଛି ଗୋଟେ ମୁଣି । ମେରୁନ ରଙ୍ଗ ଥିଲା ବୋଧେ କେବେ ସେ ଝୁଲା । ଏବେ ମସିହା କଳାସିଆ ପରସ୍ତ ତଳୁ ଅଳପକି ମେରୁନିଆ ଦିଶୁଛି ସିଲେଇ କୋଣ ସବୁରୁ ଛିଟିକି । କଣ ରଖିଥିବ କେଜାଣି ସେଥିରେ ?ରୁଟି? ପାଉଁରୁଟି? ନା ଗୋଟାଗୋଟି କପଡାରୁ ମେଞ୍ଚେ? ଏମାନଙ୍କ ଦେହହାତ ଯାହା ହଉ ଆଖି ଗୁଡା ରଡ ପରି ଧପ୍ ଧପ୍  ,କିନ୍ତୁ ପେଜୁଆ, ଗହିରିଆ କଳା ଗାତ ଘେରା ।

"ଆଖି ରେ ଧରିବ ତାର ପୋଷେ ପୋଷେ ଚାଉଳ, ଟିକି ଝିଅ ବଉଳ " ଗୁଣୁଗୁଣେଇଲା ତାଙ୍କ ଓଠ ଚାରିଦିନ ଭୋକିଲା ।

ଏଇତ ଦିଶୁଛି ସୁଚେତା ଙ୍କ ଲମ୍ବିଆସିଥିବା ହାତ ତାରି ପଟକୁ ଗେଟ୍ ର ଲୁହା ରେଲିଂ ଦେଇ।କଣ ବଢଉଛନ୍ତି ପଲିଥିନ ଜରିରେ ତାକୁ ଭରି ଭରିକି ? କଣ ଥିବ ସେଥିରେ ? ବାସି ତରକାରୀ? ରାତି ରୁଟି ? ନା କନ୍ଥା ରେ ପକାଇବାକୁ ଥାକମରା ପୁରଣା ପିନ୍ଧା ଲୁଗା ସବୁ ?

 ଏମାନଙ୍କୁ ନେଇ ଦରଦ ଭରା ମନଟେ ତାଙ୍କର ମୂଳରୁ , ହେଲେ ଏ ସବୁ ଗୁଡା ଯେ ପିଲା ଚୋରଣୀ ସିଏ କଣ ମାନିବେ କି !

ଦିନରେ କଳା କନା ବୁଲେଇ ନିଅନ୍ତି ଏମାନେ ବୋଲି ପରା ଦୈନିକ ଖବର କାଗଜ ସବୁରେ ବାହାରେ ।ସୁଚେତା କୋଉ ପଢନ୍ତି ଯେ ଜାଣିବେ ! କହିବେ ସେ ସମ୍ବାଦ ବାଲା ସବୁ ଟିଭି ଆଉ କାଗଜ ବାଟେ ଡରାନ୍ତି, ମନର ଦମ୍ଭ, ବିଶ୍ବାସ ଭାଙ୍ଗନ୍ତି ।ସେଇଥିପାଇଁ ଏବେ କାଳେ ମାନବିକତା କମୁଛି ।ମଣିଷ ମଣିଷ କୁ ଭରସି ପାରୁନି ।ମୁଜି ହେଇ ଚାରିକୋଣରେ କାନ୍ଥ ଚଉହଦିରେ ପଡିରହୁଛି ବନ୍ଦୀ ପରି ।ଈଶ୍ବର ବଡଲୋକ ।ସିଏ ସବୁଠି ସବୁ ଚଳାନ୍ତି, ସବୁଠି ଥାନ୍ତି ।ତେଣୁ ଏ ଦୈନିକ ଖବର କାଗଜ ସବୁ ଘରେ ପଢିବା ଛାଡି ଆଉ ସବୁ ପ୍ରକାର ଯାବତୀୟ ସଫାସଫି କାମରେ ଘସାପିଟା ହେଇ ସରନ୍ତି ।

କିଏ ବୁଝେଇବ ବୁଝାଅ ।କିରେ କାଗଜଟା ପଢିଲେ, ନିଉଜ୍ ଟା ଦେଖିଲେ ସିନା ଦେଶବିଦେଶ  ଖବର ଟବର ଜାଣନ୍ତ ।ମୂର୍ଖ କୋଉଠିକାର ।

ଆଉ ଏଇ ଦାନ ଧରମ କଥା ରେ କଣ ପୂଣ୍ଯ ହୁଏ ।ହାତ ଗୋଡ ଅଛି ଖଟି ଖାଉନାହାନ୍ତି!  ପଚାରିଲେ ସୁଚେତା କହିବେ, ହେଁ ଯାହା ନିଜକୁ ରୁଚେନା ତାହା କଣ ପରକୁ ଦେଇହୁଏ? ନା । ସେମିତି କର୍ମ ଫଳ ତ ରହିଛି କି ନାହିଁ ।କିଏ କାମ ଦଉଛି ୟାଙ୍କୁ? କିଛି ଚୋରଠକଙ୍କ କାମ ପାଇଁ ବିଚରା ଭୋକିଲା ମୁହଁ ରେ କଣ ଦାନା ଦବନି?

ସିଏ ସକାଳୁ ତାଙ୍କର ସନ୍ଥ, ଗରିବ, ଭୀକାରି, ଗାଈ ଗୋରୁ, ଚଢେଇ, ପିମ୍ପୁଡି ଙ୍କ ପାଇଁ ଅଲଗା କି ସଜସଜ ଖାଦ୍ଯ ବ୍ଯବସ୍ଥା କରି ରଖନ୍ତି ।ନିଜେ ରାତି ଖାଇବା ତକ ପରମତୃପ୍ତି ରେ ଖାନ୍ତି।ଆଶ୍ଚର୍ଯ୍ୟ ଚରିତ୍ର ।ଯୋଉ କାମଟାରେ ମନ ଦେଲେ ସେଇଥେରେ ହଜିଲେ ।ଆଉ ସବୁ ଏଣେ ପଡିଥାଉ ।ନିଘା ନାହିଁ ।ବହିପାଠ, ନୀତି ବାଣୀ ସବୁ କୁ ଜୀବନ ରେ ସତ କରିବାର ପଣ ।କିଓ ବହି କଥା ବହି ପୃଷ୍ଠା ରେ ସିନା ସାଜେ, ଜୀବନେ ଲଗେଇଲେ ଆଉ ଚାଲିପାରିବ ଟି ! ହାତେ ମାପି ଟିପିଏ ଚାଲିବା ବେଳକାଳରେ ପୁଣି ।

ଚଉଆଖିଆ ନୁହେଁ ବୋଲେ ଏଯାଏ ଖୁଣ୍ଟା ଶୁଣନ୍ତି ।ହେଲେ ମନ ସଦା ପ୍ରଫୁଲ୍ଲ । ହାତେ ଓଢଣା କାନ ଯାଏ ଟାଣୁଥାନ୍ତି ଏ ବୟସେ । ଶାଶୁ ହେଲେଣି ହେଲେ, ସଂଠଣା ସେଇ ଷୋଳବୟସି । କହନ୍ତି ଯାହା କରନ୍ତି ଆଗେ, ମାନନ୍ତି ।ତାଙ୍କ ଭାବନା ଦୁନିଆରେ ସିଏ ଥାନ୍ତି । ନା କାହାରିକି କଷ୍ଟ ଦିଅନ୍ତି ନା ସହିପାରନ୍ତି ।

କହିବେ, ଦେଇଥିଲେ ପରା ପାଇ ।କାହାକୁ ଯଦି ନ ଦବା,କାହା ପାଇଁ କିଛି ନ କରିବା ....ଆମ କୁ ଆମ ପିଲାଙ୍କୁ କେବେ କିଛି ଦରକାର ହବନି କଣ ? ସେତେବେଳେ ଈଶ୍ବର କୋଉ ବେଶରେ ,କୋଉ ବାଟରେ ହେଲେ ଉଭାହେଇ ସାହା ହେବେ ... ପିତମାତ ସୁକୃତି ବଳେ ସନ୍ତାନ ହୁଏ ସୁଖୀ ।ଈଶ୍ବର କାଳେ ସବୁ କରି କରାଉଥାନ୍ତି ଆଉ ଆମେ ସବୁ କାଳେ ସୂତା ବନ୍ଧା ପିତୁଳି ।ନାଚୁଛେ ତା'ଇଶାରା ରେ ଥେଇ ଥେଇ ।

ହେଇ ଦେଖ ତାଙ୍କ ସହ ପୁଣି କଣ ଭାବ ପିରତି ଯୋଡି ଦୁଃଖ ସୁଖ ହେଲେଣି ।ଏ ସ୍ତ୍ରୀ ଲୋକଙ୍କୁ ପାରି ହବକି ଆଗେ !ଏତେ ଗପ କୋଉଠି ଲୁଚେଇଥାନ୍ତି କେଜାଣି । ଅନିକେଶ ଛାତରୁ ଥାଇ ହୁରୁଡେଇଲେ ସେମାନଙ୍କୁ ।

_ ହେ ଚାଲ ଚାଲ ଏଠୁ ।ଗେଟ୍ ଆଗରୁ ଉଠ ।ମଇଳା ହାତରେ ଛୁଆଁ ଛୁଇଁ କରନି ।ଚାଲ ।ଚାଲ ଏଠୁ ସବୁ ।ଗୋଟେ ପ୍ରହସନ ଲାଗିଛି ।

ଇଛ୍ଛା ହଉଥିଲା ଚାରିବାଲଟି ଚୂନପାଣି ଦାଣ୍ଡ ରେ ଓଜାଡି ଦିଅନ୍ତେ ।ହେଲେ ଏବେ ମଣିଷ ଈଶ୍ବର ପୁତ୍ର ଓ ସଭିଁଏ ସମାନ ଉପରେ ବକ୍ତୃତା ଘୋଷା ଶୁଣିବାକୁ ପଡିବ ।ସିଏ ବି କଣ କରିବେ ଏକୁଟିଆ ମଣିଷ ଘରୁ ବାଟ ଯାଏ ,ଯାହାକୁ ଟିକେ କଥା ହବାକୁ ଭେଟିଲେ ଦଣ୍ଡେ ଜୀଇଁ ଗଲେ ବୋଲି ଜାଣ ।

ରିଟାର୍ଡ ପରେ ଏବେ ଆଉ କଣ ବା କାମ! ଗେର୍ ଗେର୍ ହବା କଣ ଗୋଟେ କାମରେ ଯାଏ? ଯୋଉ ଘର ଗହଳିରେ ଫାଟୁଥିଲା , ଯୋଉ ଫୋନ ଅହର୍ନିଶୀ ବାଜୁଥିଲା ସିଏ ଯେମିତି ଚେତା ହରେଇ ପଡିଛି ।ଆଉ ତମେ ଯଦି କାହା ସାଙ୍ଗେ କଥା ହବାକୁ ଫୋନଟେ କଲ, ତାଙ୍କ ପାଖରେ ସମୟ ନାଇଁ ।ସମସ୍ତେ ତରତର ।ଯିଏ କାମରୁ ଅବସର ପାଇଲା ସିଏ ଯୁଗଟେ ପଛକୁ ପେଲାହେଲା । ଆଉ ଦିଶିବନି ।ହଜିଯିବାକୁ ହେବ ସ୍ମୃତି ରୁ ।

ଏଇ ଅବସର ବ୍ଯବସ୍ଥା ଟି ହି ଅଡୁଆ ।କିରେ ମୁଁ ତ ଭାବିପାରୁଛି, କରିପାରୁଛି, କାର୍ଯ୍ୟକ୍ଷମ ଅଛି, ସଜଫୁଲ ପରି ଅଛି ..... ପାରୁଛି । କଣ ନା ଷାଠିଏ ହେଲା ।ଏଁ ହନ୍ତାନି କି ଆଉ । ଅଣଷଠି ପରେ ତ ଷାଠିଏ ହବ ହି ।ଗଣିବା ଶିଖିବାକୁ କିଏ କହୁଥିଲା କି ,ଯେ ଯାଏ ଯିଏ ପାରୁଥିବ ..କରୁଥିବ .... କହିଥିଲେ କଣ ଟା ଭାସି ଯାଇଥାନ୍ତା ଭଲା ।ଏଇ ,...ଏଇ ଅବସର ବ୍ଯବସ୍ଥା ଟି ହି ଅବେଳେ ବୁଢା, ରୋଗୀ, ଅଦରକାରୀ, ଅଛମର କରି ଠିଆ କରେଇ ଦଉଛି ନା ।ନହେଲେ ଲକ୍ଷ୍ମୀ ଆସିବା ଯାଏ, ଠନ୍ ଠନ୍ ଗୋପାଳ ବାଣ୍ଟୁଥିବା ଯାଏ ପରା ସବୁ ଆପଣାର ।ନିଜ ଜନ୍ମକଲା ପିଲେ ତ ରାତାରାତି ବଦଳି ଯିବେ ଆଉ ।କୋଉଠି କେମିତି ବିଲକ୍ଷଣ ଦେଖିବାକୁ ମିଳିବ ।ହଅ ଆମେ ବି କୋଉ ବାନ୍ଧି ହେଇ ରହିବାକୁ ଭଲ ପାଉ ଯେ ତାଙ୍କ ପାଦରେ କର୍ତ୍ତବ୍ୟ, ଦାୟିତ୍ୱ ପରି ମୋଟାଳିଆ ଶିଙ୍କୁଳି ପକାନ୍ତୁ ?ଦେ ଉଡନ୍ତୁ ।ସଂସ୍କାର ଭିତରେ ଉଡନ୍ତୁ ।ସେତିକି । ବୟସ ବେଳେ ତ ସମସ୍ତେ ଉଡନ୍ତି, ନୂଆ କଥା କଣ ? ପାଦର ବେଢୀ ସବୁଠି ଅଡୁଆ ।କାହାକୁ ଘର ଘାସ ଜୀବନ ସୁହାଏ ଭଲା, ସମସ୍ତେ ଚଢେଇ ହବାର, ବାଦଲ ହେବାର, ବିଜୁଳି ସେ ପାରେ ଛୁଇଁ ଆସିବାର ମଧୁପ୍ରହେଳିକା ରେ ପହଁରୁଥାନ୍ତି ।କିଏ ପାରେ କିଏ, ଫେରେ ।

ପଦ୍ମ ର ମୁଦା କଳିକା ଭିତରେ ଭ୍ରମର ପରି ଛାଟିପିଟି ଜୀବନ ଟେ ।ସବୁ ଥାଇ କିଛି ନ ଥିଲା ପରି ।

କାନ୍ଥ ଆଲମାରୀରୁ ପୁରାହାତ ସାଟ୍ ଟା କାଢି ଗଳେଇ ପକେଇ ତରତର ପାଦରେ ବାହାରିଗଲେ ଅନିକେଶ ଛକ ମୁଣ୍ଡ ଯାଏ । ଚପଲଟା ଗୋଟେ ପାଦରୁ ଗଳି ପଡୁ ପଡୁ ରହିଲା ।ଘରର ଯାବତୀୟ କଥା ତ ଥାଏ, ହେଲେ ଏବେ ସେ ସବୁ କରିବାର ଆଗ୍ରହ ମାନ୍ଦା ।ପଛପଟୁ ଗେଟ୍ ଟା ଡାକିଲା, କେଁ ଏଁ ।

ଓହୋ ଏ ବାଟ ଯାକ କି ଖରା ।ପାଦପ ଟେ ବଞ୍ଚିଛି କି ଆଗେ । ଠକ୍ କରି ପ୍ରାଣ ପଳେଇବ ।ତରବରରେ ପାଦ ପକେଇ ଟିଲୁଆଇ ( ଟିଲୁ ଭାଇ ) ପାନ ଦୋକାନ ତଳକୁ ଗଳିଗଲେ ଅନିକେଶ । ଏଇ ପାନ ଦୋକାନ ସବୁରେ କେତେ ଗଳ୍ପ, କବିତା ଚର୍ଚ୍ଚା ଧରୁଥିଲା ରେ ଆଗେ ।ଆହା କି ଦିନ ସବୁ ଥିଲା ରେ ! ଏବେ ତ ଅଧାପାନ୍ତରିଆ ଜୀବନ ମୁଠେ କୁ ଗପ ର ଶେଷ ଭାଗ ପରି ସାରିବା କଥା ।ମୋଡାଣି ଗୋଟେ ଚମକେଇ ଦେଇ ବୁଲି ନ ଯିବ କିଏ କହିବ । ସ୍ମିତହସଟେ ଫୁଟି ଖେଳେଇ ଗଲା ଅଳ୍ପେଇକି ଅନିମେଷ ଙ୍କ ଓଠରେ । କୋଉ ମୋଡଣି କୁ ଆଉ ସିଏ ଚାହିଁଛନ୍ତି , ପଚାରିଲେ ଥିରେ କି ନିଜକୁ । ପାନ ଦୋକାନ କାନ୍ଥ ରେ ଟଙ୍ଗା ଆଇନାରେ ନିଜକୁ ପାଇ ଥରେ ନିଜର ସାଉଁଳିଆ ନିଶକୁ ଆଉ ସାଉଁଳେଇ ଆଣି ଖୁସିଟେ ହେଇ ବରାଦ କଲେ, " ଦେଲୁରେ ଦିଟା ମିଠା ପାନ । ଭଲକରି ମସଲା ଦେଇ ଦେ ।"

ଟୁଲୁ _ କିନ୍ତୁ ଆପଣ ତ ଜର୍ଦା ଦିଆ କଡା ....... ଆଜି ଆପଣ କାଇଁ ଏକା ଆସିଲେ । ଆପଣଙ୍କ ବନ୍ଧୁ କାହିଁ ଗଲେ କି ସାରେ ?

ତା କଥା କୁ ଅଧା ଶୁଣା କରି ଅନିକେଶ ଫେରେଇଲେ ଉତ୍ତର ..

_ ଆଜି ମିଜାଜ୍ ଟା ମିଠା ରେ ,ତୁ ବୁଝିବୁନି । ଦେ ଭାଙ୍ଗିଦେ।

ପୁଣି ଖରା ଧାସ ରେ ଚିଡି ଯାଇ କହିଲେ ,

ଆହୁରି ଆହୁରି ଗଛ କାଟ....ରାସ୍ତା ତିଆର....ଜଂଗଲ ସବୁ କାଟି ପଦା କରି ଦିଅ....ପାହାଡ ପର୍ବତ ସବୁ ଭଗ୍ନ କର .....ସମୁଦ୍ର କୁ ଅଳିଆ ରେ ଭରି ଦିଅ | ଯାଉ ଏ ପୃଥୀବି ରସାତଳ କୁ |ହେଇ ଯାଉ କକ୍ଷ ଚ୍ୟୁତ ...ବିଲିନ ହେଇ ଯାଉ ମହାକାଶ ରେ ...ଆସୁ ଗୋଟେ ପରେ ଗୋଟେ ପ୍ରାକୃତିକ ବିପଦା |ଧ୍ବସ ହେଇ ଯାଉ ନା ସବୁ କିଛି |ତା ପରେ ବୋଧେ ରେ ମଣିଷ ତୋର ବୋଧ ହେବ ......ଯେ କିଏ ଦାୟୀ ଆମ ଉତ୍ତର ପୁରୁଷ ର କଷ୍ଟ ପାଇଁ .....କିଛି ତ ବିଚାର କର ....ଇଶ୍ବର ପରା ମଣିଷ କରି ଗଢିଛନ୍ତି |ଏବେ ବି ସମୟ ଅଛି, ଗଛ ଲଗାଅ.....ଗଛ ଲଗାଅ । ନୋହିଲେ ତ୍ରାହି ତ୍ରାହି ଡାକ ।

ମିଠା ପାନ ଦିଟା ସହ କଡା ପାନରୁ ଦିଟା ବଢେଇ ଦଉ ଦଉ ହସୁଥିଲା ଟିଲୁ ଏ ଭସା ମୂଲ୍ୟଶୂନ୍ଯ କଥାରେ ।କିଏ ଶୁଣୁଛି ଯେ ବୁଢାବାବୁ କହୁଛନ୍ତି କେଜାଣି?ବୁଢାବାବୁ ଆଜିକାଲି ଏମିତି ।କହୁଥାନ୍ତି ଆକାଶ ମୁହାଁ ।

ଆନନ୍ଦରେ ଖଣ୍ଡେ କଳରେ ଜାକି ନେଇ ପଇସା ଦେବେ ବୋଲି ପକେଟରେ ହାତ ପୁରେଇ ଛାତି ପକେଟ ଠୁ ପ୍ଯାଣ୍ଟ ଗୋଡ ବାଁ ଡାଁ  ପକେଟ ଯାଏ ହାତ ମାରି ଆସିଲେ । ତାଙ୍କ ମୁହଁ ବିକଳ ଦିଶିଲା ।ସିଏ ଟୁଲୁ ମୁହଁ କୁ ଚାହିଁଲେ ।

_ କଣ ହେଲା? ବଟୁଆ ଭୁଲିଗଲେ କି ହଉ ହେଲା ।ଆର ଥରକୁ ନେଲେ ଦେଇଦେବେନି ନା । ଆଜିକ ମୋ ତରଫରୁ ହଉ । ସେମିତି ହସ ହସ ମୁହଁ ରେ ଚୂନବୁଡା ମୋଟାଳିଆ ଅଗଛେଚା ସାହାଡା କାଠି ଟାକୁ ପାନପତରିଆ ଫାଳେ ଉପରେ ବୁଲଉ ବୁଲଉ କହିଲା ଟିଲୁ ।

ପକେଟରେ ହାତ ପୁରେଇ ମୁଣ୍ଡ ହଲେଇ ବାହାରି ଆସୁ ଆସୁ ତାଙ୍କ ହାତରେ କିଛି ବାଜିଲା।ଠିଆ ହେଇ କାଢିଆଣିଲେ କାଳେ ପଇସା ହେଇଥିବ ।ଶୁଝିଦେବେ ।

ଦୂରରୁ ତାଙ୍କୁ ଖୋଜି ଖୋଜି ଆସୁଥିଲା ସିପ, ବାର ତେର ବର୍ଷ ର ଗଜା ଟୋକାଟା ।ଏଇ କାମଦାମ, ବୋଲହାକ, ଘରସଜଡା ସହ ଗୋଡେ ଗୋଡେ ଜଗିବାକୁ ହୁଏ ତାକୁ ଅନିକେଶଙ୍କୁ । ଆଉ କହିବାକୁ ହୁଏ, ଗୋଟେ ମିଠା ମିଛ ଯେ ........।ଏତିକି କାମ ତାର । 

ବଡ ବଡ ପାଦ ପକେଇ ପାଖକୁ ଆସି କହିଲା, " ବୁଢାବାବୁ ଆପଣଙ୍କୁ ଖୋଜି ଖୋଜି ମୁଁ ନୟାନ୍ତ ।ମାଆ ତେଣେ ବ୍ଯସ୍ତ ହେଲେଣି ପରା କେଣେ ଗଲେ ଆପଣ ବୋଲି। ଆସନ୍ତୁ ଚଞ୍ଚଳ ।କହି ଅନିକେଶଙ୍କ ହାତ ଧରିଲା ସିପ ।

 ଅନିକେଶଙ୍କ ହାତରେ ଥିଲା ଲାଲି ପାଣି କାଚରୁ ପଟେ ପକେଟରୁ । ହସୁଥିଲେ ସେଇଟିକୁ ଚାହିଁ ଏକ ଆର୍ଶିବାଦ ପରି ହସ ।ବୁଲିପଡି ଟୁଲୁକୁ ଚାହିଁ କହିଲେ,  " କେଡେ ଭୁଲା ମନ ମୋର ଦେଖଛ ବାପା ।ମାଆ ତମର ପାଣିକାଚ ମୁଠେ ବରଦ କରିଥିଲେ ।ଭୁଲିଯାଇଛି ।ହେଇପରା ମାପଟା ପକେଟରେ ଧରି ବୁଲୁଚି ।ଯାଏ ।ନହେଲେ ଆଜି ପୁଣି ଜେରା କରି କହିବେ " ଭୁଲିଗଲ ଟି ? ମୁଁ ଜାଣିଥିଲି ପରା । " ଆଜି ନେଇଯିବା ଯେମିତି ହେଲେ ।

ଲାଜ ଲାଜ ଶାନ୍ତ ହସଟି ଫୁଲ ପରି ହସୁଥିଲା ଅନିକେଶଙ୍କର ଚେହେରାରେ ।

ସୁଚେତା କିନ୍ତୁ ଫେରିସାରିଥିଲେ ଆରପାରିକୁ ତିନି ବର୍ଷ ଆଗରୁ ।

ସିପ ଓ ଟିଲୁ ଆଖି ରୁ ଲୁହ ପୋଛୁଥିଲେ ତଳ ମୁହାଁ ହୋଇ ।ଓଠରେ ତାଙ୍କର ବି ହସଟେ ଥିଲା ଲେସି ହେଇ ।


______________________________


ଲୋପାମୁଦ୍ରା ପରିଡା 

ପାନାଥୁର 

ବାଙ୍ଗାଲୋର 





Rate this content
Log in

Similar oriya story from Drama