ଆଖିର ଲୁହ ନା ରାକ୍ଷୀର ଲୁହ
ଆଖିର ଲୁହ ନା ରାକ୍ଷୀର ଲୁହ


ଭାଇ " ହଁ ମୁ ସତ କହୁଛି ଏ ବର୍ଷ ଆଖିର ଲୁହରେ ରାକ୍ଷୀ ଭିଜୁଛି ସେଥିପାଇଁ ରାକ୍ଷୀ ପଠେଇନି। ଯଦି ସମ୍ପର୍କର ଡୋର ଏମିତି ସ୍ନେହ ମମତାରୁ ହଟି ସମ୍ପତି ଘର ବାଡ଼ି ଜାଗାରେ ପହଞ୍ଚିବ ସେଠି ଏ ସାମାନ୍ୟ ରେଶମ ସୂତା ଟା କଣ ତାକୁ ବାନ୍ଧି ରଖି ପାରିବ"। ସମୃଦ୍ଧିର କଥାରେ ବେଶ କିଛିଟା ଗମ୍ଭୀର ଦେଖା ହେଲେ ପିତାମ୍ବର।ଘରର ବଡ଼ ପୁଅ ହିସାବରେ ଆଜି ଯାଏ ସବୁ ଦାୟିତ୍ୱ ସୁଚାରୁ ରୁପେ ତୁଲେଇ ଆସୁଛନ୍ତି ,ଆଉ ଆଜି ମୁହଁରେ ଜବାବ ଦେଇଦେଲା ସାନ ଭଉଣୀ। ଭାବିଥିଲେ ବାପାଙ୍କ ପରେ ବରଗଛ ସାଜି ସମସ୍ତଙ୍କୁ ନିଜ ଛାଇ ତଳେ ସୁରକ୍ଷିତ ରଖିବେ। ପୈତୃକ ସମ୍ପତିରୁ କିଛି ଅଂଶ ବିକିବାକୁ ଚାହିଁ ସମୃଦ୍ଧିର ଦସ୍ତଖତ ମାଗିଥିଲେ । ମୋ ବାପାଙ୍କ ସମ୍ପତ୍ତି ମୁଁ ଚାହିଁଲେ ଦସ୍ତଖତ କରିବି ନ ହେଲେ ନାହିଁ। ତୁମେ କଣ ଭାବିଛ ସବୁ ବେଳେ ସାନ ହୋଇ ରହିଥିବି ଆଉ ତୁମଠୁ ଗାଳି ଶୁଣି କାନ୍ଦୁଥିବି କଇଁ କଇଁ।ଏବେ ମୋପିଲାଙ୍କ ପାଇଁ ମୁଁ ମାଆ ,ଯଥେଷ୍ଟ ବଡ଼ ହେଲେଣି ସେମାନଙ୍କର ବୁଝିବା ବୟସ ହେଲାଣି ,ଭଲ ମନ୍ଦ କଣ ବୁଝି ପାରୁଛନ୍ତି। ତୁମେ ଆଉ ମୋତେ ଛୋଟ ଛୋଟ କଥାରେ ନାକ କାନ୍ଦୁରି ଭାବି କନ୍ଦେଇ ପାରିବ ନାହିଁ।
ଏତେ ସବୁ କଥା ହେଉଥିଲେ ଭାଇ ଭଉଣୀ ଫୋନରେ। ସମୟ ଟା ଟିକେ ରହିଯିବ ପରି ଲାଗୁଥିଲା ସେଇଠି।
ବାଡ଼ିରେ ଆମ୍ବ ଜାମୁକୋଳି ପଣସ ପିଜୁଳି ସବୁ ଗଛ ଭର୍ତ୍ତି। ସ୍କୁଲରୁ ଆସିଲେ ଏକା ଡିଆଁରେ ବାଡ଼ିରେ ହାଜର ସବୁ।ଏମାନେ ଦୁଇ ଭାଇ ଗୋଟେ ଭଉଣୀ ଆଉ ଗାଁ ଟା ସାରା ପିଲା ମାଙ୍କଡ଼ ଭଳି ଗଛରେ ଝୁଲୁଥିବେ।କିଏ ବାଉଁଶଟେ ଧରି ଥିବ ଆଉ କିଏ ଦେଖୁ ଦେଖୁ ଗଛ ଉପେରେ।"ଏ ଭାଇ ଦେଖୁନୁ ସିଏ ସବୁ ଆମ୍ବ ତା ଗାମୁଛାରେ ପୁରେଇଛି ।ତାକୁ ଟିକେ କହ , " ସାନଭଉଣୀ ର କଥାରେ ସେଇଠି ହଟହଟା ଲାଗିଯାଅନ୍ତି ,ଛଡେଇ ଆଣି ଦିଟା ଆମ୍ବ ତା ହାତରେ ଧରେଇ ଦିଅନ୍ତି। ସେତେବେଳେ ବାପା ଚାକିରୀ କରୁଥିଲେ କୋଲକାତାରେ ।ଆସିବା ବେଳକୁ ଭଳିକି ଭଳି ମିଠା ମିକ୍ସଚର ଆହୁରି କେତେ କଣ ଜିନିଷ ଘରକୁ ନେଇ ଆସୁଥିଲେ। ସମୃଦ୍ଧିର ମାଆ ବିଶାଖା ଦେବୀ ସବୁ ଛୁଆଙ୍କୁ ସମାନ ଭାବରେ ବାଣ୍ଟିବା ପରେ ସାଇପଡ଼ିଶା ଛୁଆଙ୍କୁ ଦେଇଥାନ୍ତି।
ମନେ ଅଛି ସେଦିନ ଝୁଲଣ ପୂର୍ଣ୍ଣିମାକୁ ଦିନଟେ ଅଛି ଠାକୁର ସଜେଇ ହୋଇ ଦୋଳିରେ ଝୁଲୁ ଥାନ୍ତି ବାପା ଆସି ପହଁଚିଲେ ହାତରେ ବ୍ୟାଗ ଟା ଭାଇ ଧରି ଧରି ଆସୁଥିଲା। ବାପା ପାଖକୁ ଡାକି କହିଲେ ଦେଖ ସମୁ ତୋ ପାଇଁ ରାକ୍ଷୀ ଆଣିଛି ,ଇସ କେତେ ବଡ଼ ବଡ଼ ସୁନେଲି ଜରି ତା ଉପେରେ ରଙ୍ଗୀନ ଭେଲଭେଟ ଫୁଲ ଭାଇ ତୋତେ ଏଇ ବଡ଼ ଫୁଲ ଟା ବାନ୍ଧିବି ।ଆଉ ଟିକୁଲୁକୁ ଏଇ ହଳଦିଆ ଟା।ସେଦିନ ରାତିରେ ଦୁଇ ଭାଇ ଖୁସିରେ ଗୋଡ଼ କଚାଡୁଥିଲେ କେମିତି ରାତିଟା ପାହିବ ସମୁ ରାକ୍ଷୀ ବାନ୍ଧିବ । ସକାଳୁ ଥାଳିରେ ସବୁ ସଜେଇ ସମୁ ରାକ୍ଷୀ ବାନ୍ଧି ମିଠା ଖୁଏଇ ଥିଲା , ଭାଇ ତାକୁ ଅଠାଣିଟେ ବଢ଼େଇ ଦେଇ କହିଲା ।ଏଇଟା ରଖିଥା ବଡ ହେଲେ ବେଶୀ ପଇସା ରୋଜଗାର କରିବି ତ ତୋତେ ମନପସନ୍ଦ ଜିନିଷ ଦେବି। କି ଖୁସି ସେ ଆଠଣି ପାଇ, ଆଜି ମନେ ପକେଇ ଲୁହ ଦିଥୋପା ଗଡି ଗଲା ସମୃଦ୍ଧିର।
ସାନଭାଇଟା ବେଶି ପାଠ ପଢିପାରିନି ବୋଲି ଦୋକାନରେ ବସିଲା। କେତେବା ରୋଜଗାର ତାର ,ଟିକେ ଦୟା ହେଲାନି ତା ଉପେରେ ସେଇଟା ବାପାଙ୍କର ଜାଗା କହି ତାକୁ ଆଉ ଘରୁ କିଛି ସମ୍ପତ୍ତି ଦେଲନି। ଏବେ ବହାରିଚ ଜମି ବିକ୍ରି କରି ପୁଅକୁ ପାଠ ପଢେଇବ। ଦସ୍ତଖତ କଲେ ସିନା ଜମି ବିକ୍ରି ହବ।
ଏହି ସମୟରେ ସମୃଦ୍ଧିର ପୁଅ ସାନୁ ପାଟି କରି କହିଲା ମାମା ଦେଖିବ ଆସ ରୋହିତ ଭାଇ (ବଡ ଭାଇ ପୁଅ) ଙ୍କୁ ଲିଟିଲ ଦିଦି(ସାନଭାଇ ଝିଅ ) ରାକ୍ଷୀ ବାନ୍ଧି ଫେସବୁକରେ ଫୋଟୋ ଛାଡିଛନ୍ତି।
ସମୃଦ୍ଧି ସେ ଫୋଟ ଭିତରେ ନିଜକୁ ଦେଖିବାକୁ ଚେଷ୍ଟା କରୁଥାନ୍ତି ହେଲେ ସବୁ କିଛି ଅସ୍ପଷ୍ଟ ଦେଖା ଯାଉଥିଲା ଆଖିର ଲୁହରେ ...ଭାଇର ହାତ ......ଆଉ ......ରାକ୍ଷୀ...