Bibhu Samanta

Drama Classics

4  

Bibhu Samanta

Drama Classics

ଆଇନା ଭାଙ୍ଗିବା ପରେ

ଆଇନା ଭାଙ୍ଗିବା ପରେ

7 mins
322


ମହାନାୟକ ବିଜୟମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ।


ଗାଁ ଦାଣ୍ଡରେ ହାଫ ପ୍ୟାଣ୍ଟ ଆଉ ଗଞ୍ଜି ପିନ୍ଧି ସାଇକେଲ ଚକ ଗଡେଇଲା ବେଳୁ ମୁଁ ଜାଣେ ବେଣୁ ଭାଇଙ୍କୁ। ତାଙ୍କ ନୂଆ ଚକଚକିଆ ସାଇକଲ ମୋ ପାଖକୁ ଆଣି କହିବେ,"କିରେ ବୁଲୁ, ସର ଖୁଡି କଣ ପଖାଳ ସାଙ୍ଗେ ଶୁଖୁଆ ପୋଡା ଦଉନି କି? ତୁ କଣ ସବୁବେଳେ ପଛରେ? ଆ, ଆଜି ସଞ୍ଜବେଳେ ଘର ଆଡ଼େ ତୋତେ ଦଣ୍ଡ ବୈଠକ ଶିଖେଇଦେବି ଦେଖିବୁ, କେମିତି ତୋତେ ମୁଁ ଫାଷ୍ଟ କରେଇଦେବି।" ମୁଁ ଦେଖୁଥାଏ ରାଲେ ସାଇକେଲରେ ମୋତେ ଅତିକ୍ରମ କରିଥିବା ପଞ୍ଚହତା ମରଦ ଟେ। ଗାଁ ସେ ମୋରମ ରାସ୍ତାରେ ତା ସାଇକେଲଟା ଖୁବ ମାନେ। 

କୋଉଠି କାହା ପିଲାକୁ ରାସ୍ତା ରେ ଦେଖିଲେ ଚକଲେଟ କି ବିସ୍କୁଟ କିଣି ଦିଏ, ନହେଲେ ତା ସାଇକେଲ ରେ ବସେଇ ଘେରାଏ ବୁଲେଇ ଆଣେ।


ଆମ ସାହିର ଶେଷମୁଣ୍ଡରେ ବେଣୁ ଭାଇର ଘର। ଜଙ୍ଗଲ ଝାଟିର ବାଡ଼ ଘେରା ଭିତରେ, ସଫା ସୁତୁରା ଚାଳ ଘର ଟିଏ। ତା ଉପରକୁ ମାଡିଥିବା, ବୋଇତାଳୁ ଡଙ୍କଟିଏ। ଏମିତି ଲାଗେ ଯେମିତି ସେ ଆକାଶକୁ ଥଟ୍ଟା କରୁଛି। ଆଉ କହୁଛି," ତୁ କଣ ଭାବୁଛୁ , ମୁଁ ଆଶ୍ରାରେ ବଞ୍ଚିଛି? ନା.. ମୋ ସବୁଜ ପତ୍ରରେ ଘରକୁ ଢାଙ୍କି ରଖିଛି। ଦିନେ ସେ ମତେ ସହାରା ଦେଇଥିଲା ଆଜି ମୁଁ ତାକୁ ସୁରକ୍ଷା ଦେଉଛି। ଲଗା କେତେ ଜୋର ଲଗେଇବୁ, ମୋ ଉପରେ ମୋର ଯଥେଷ୍ଟ ଭରସା ଅଛି।" ଅଗଣାରେ ବୁଲୁଥାନ୍ତି ଗଞ୍ଜା ସବୁ। ରବିବାର ହାଟ ଗଞ୍ଜା ଲଢ଼େଇରୁ ଜିତିକି ଆଣିଛି ବେଣୁ ଭାଇ। ପରିବାର କହିଲେ, ସୁଲି ବଡ଼ବୋଉ ଆଉ ବେଣୁ ଭାଇ। ପହଲା ବଡବାପା ଅନେକ ଦିନ ଆଗରୁ ଚାଲି ଗଲେଣି। ସେତେବେଳେ ବୋଧେ ବେଣୁ ଭାଇ ଏଇ କଖାରୁ ଲତା ପରି ଆଶ୍ରୟ ଟିଏ ଖୋଜୁଥିବେ। କାନ୍ଥରେ ଥିବା ରେଡ଼ିଓ ରୁ ଶୁଭୁଥିବ ଜୀବନଟା ହେଁ ସିନା ଧୂଳି ବାଲିଘର... ବିଜୟ ମହାନ୍ତିଙ୍କ "ଜଗା ହାତେ ପଘା" ଫିଲିମର। ଆଉ ସୁର ଧରି ବେଣୁ ଭାଇ ଗାଇ ଚାଲି ଥିବ ତା ସାଂଗ କୁ।


ମୋର ମନେ ଅଛି ମୁଁ ଦଶମ ପରୀକ୍ଷା ଦେଲାବେଳେ, ବେଣୁ ଭାଇ ଯାଇଥିଲେ ଆମ ପାଖକୁ। ଆମ ଗାଁ ଠୁ ପନ୍ଦର କିଲୋମିଟର ଦୂର, ସାଇକେଲ ନେଇ। ସେଇ ଡହ ଡହ ଖରାବେଳ ଟାରେ। ମୋତେ ବୁଝେଇଲେ, ବୁଝିଲୁ ବୁଲୁ, "ଏ ପାସ ଫେଲ କିଛି ନାଇଁ ମ। ଅସଲ ପାଠ ସିଏ ଯାହା କାମରେ ଲାଗେ। ଦେଖୁନୁ ଫକିରା ଦାଦା ପୁଅକୁ, ଏତେ ପାଠ ପଢିଲା, ହେଲେ ଆଜି ଯାଏ ଚାକିରୀ ଟେ ବି ପାଇଲାନି। ଆଉ ଆମ ବିଶୁ କକେଇ କୁ ତ ଜାଣୁ। ସେ ପାଠ ପଢିନି ସୁନା ହେଲେ ଦେଖିଛୁ କେମିତି ସାଇକେଲ ଖରାପ ହେଲେ ସଜାଡି ଦିଏ। ତୁ ନିର୍ଭୟରେ ପରୀକ୍ଷା ଦେ। ଯାହା ହେବ ଦେଖା ଯିବ।" ବେଣୁ ଭାଇ କଥା ମୋତେ ଅନେକ ଆସ୍ୱସ୍ତି ଦେଲା। ମୁଁ ପାସ କଲି ଭଲ ନମ୍ବରରେ। ଜୀବନରେ ଏମିତି ଡରି ଡରି କାମ କଲେ କାମ ଭୁଲ ହୁଏ। ବେଣୁ ଭାଇ ର ଖୋଲା ମନ ଆଉ ନିର୍ଭୀକତା ଆଗରେ ମୁଁ ବିସ୍ମିତ। ତା ବ୍ୟକ୍ତିତ୍ୱ ବି ସେମିତିକା। ଗାଁର ଭି ସି ଆର ରେ ବିଜୟ ମହାନ୍ତି ଙ୍କୁ ଦେଖିଲେ ଲାଗେ ଆମ ବେଣୁ ଭାଇ ବୋଲି। ଏକଥା ଖାଲି ମୁଁ ନୁହେଁ, ଗାଁ ର ପ୍ରାୟେ ଲୋକ କହନ୍ତି। ଦିନେ ପୋଖରୀ ତୁଠରେ କହିଲି ତାଙ୍କୁ ଏ କଥା। ସେ ଏକ ସଶବ୍ଦ ପ୍ରାଣଛୋଳ ହସି କହିଲେ, "ନାଇଁ ମ। ବହୁତ ଯାତ୍ରା ଦେଖିଛି, ହେଲେ ତୋ ପରିକା ପାର୍ଟିଏର ତା ଦେଖିନି।"ଡୋରା ଫିଲିମ ର ଡାଇଲଗ। 


ପ୍ରତି ବର୍ଷ ରଜରେ ବାଗୁଡି ଖେଳରେ ଆମ ଗାଁକୁ ଜିତାଏ ବେଣୁ ଭାଇ। ଦେହରେ ତାର ଅମାପ ବଳ, ଏକ ନିଶ୍ୱାସେ ବୁଡିକି ପୋଖରୀ ଏପଟରୁ ସେପଟ ପହଁରିଯାଏ। ତାକୁ କିଏ ବା ପାରିବ। କେତେ ପୁରସ୍କାର ପାଇଛି ସେ। ପିଲାଙ୍କ ସାଙ୍ଗେ ପିଲା ବଡ଼ଙ୍କ ସାଙ୍ଗେ ବଡ଼। ସେ ସବୁଠି ଥାଏ। ବେଲବୁଡ଼ ବେଳକୁ ପିଲାଙ୍କ ସାଙ୍ଗେ ଆମ୍ବ ତୋଟାରେ କ୍ରିକେଟ ଖେଳୁଥିବ। ସଞ୍ଜ ବେଳକୁ ଦେଉଳ ଆଗରେ ଝାଞ୍ଜ ଧରି ହରିନାମ ଗାଉଥିବ। ଅନେକ ଅଭିଯୋଗ ତା ର ଦିଅଁ ଙ୍କ ପାଖେ। ତଥାପି ନିରୋଳା ପାଇଲେ କାନ୍ଦି କାନ୍ଦି ଆତ୍ମନିବେଦନ କରେ। ସବୁବେଳେ ଗାଉଥାଏ ସିଂହାଦୁଆର ରେ ପାଦ ଦଉ ଦଉ.... ପୁଣି ମନେ ପଡ଼ିଯାଏ ବିଜୟ ମହାନ୍ତିଙ୍କ କଥା। ମୁଁ ପୁଣି ଦେଖେ ତାଙ୍କୁ ବେଣୁ ଭାଇ ଭିତରେ। ମୁଁ ଦିନେ ପଚାରିଲି, "ତୁମକୁ ବିଜୟ ମହାନ୍ତି କେମିତି ଲାଗନ୍ତି ବେଣୁ ଭାଇ?" ସେ କହିଲେ, "କାହିଁକି ପଚାରିଲୁ?" ମୁଁ କହେ, "ତମ ଚରିତ୍ର ସେଇ ପରି ଲାଗେ।" ସେ ହସି କହିଲେ, "ହଁ ତୁ ଠିକ କହିଲୁ। ମତେ ଭାରି ଭଲ ଲାଗନ୍ତି ବିଜୟ ମହାନ୍ତି। ତାଙ୍କ କଥା ସବୁ ରାତିରେ ଶୋଇଲା ବେଳେ ବି ମୋର ମନେ ପଡେ। ଆଉ ମୁଁ ବୁଝେ,ବିଜୟ ଗୋଟେ ପ୍ରାପ୍ତି ନୁହେଁ , ଗୋଟେ ନିଶା, ଯାହା ମୋତେ ଆକ୍ରାନ୍ତ କରି ରଖିଚି।"


ସମସ୍ତେ ଆମେ ଜାଣୁ ବେଣୁ ଭାଇ କେମିତି ପାଗଳ ବିଜୟ ମହାନ୍ତିଙ୍କ ପାଇଁ। ସେ ବର୍ଷ ଡ୍ରାମା ହେଲା ଆମ ଗାଁ ରେ। ବେଣୁ ଭାଇ ହେଲା ଖଳନାୟକ ସେଥିରେ। ତାଙ୍କର ଅଭିନୟ ଥିଲା ଚମତ୍କାର। ବିଶେଷ କରି ସଂଳାପ ଶୈଳୀଟି ଅନେକ ଙ୍କୁ ଚକିତ କଲା। ସେ ପାଇଲେ ଅନେକ ପୁରସ୍କାର। ଡ୍ରାମା ସିନା ସରିଗଲା,ହେଲେ ଆରମ୍ଭ ହେଲା ବେଣୁ ଭାଇ ଜୀବନ ରେ ନୂଆ କାହାଣୀଟେ। ତାର ନାୟିକା ହେଲା ତୁଳସୀ ଅପା। ଡ୍ରାମା ରେ ସେ ଥିଲା ହିରୋଇନ । ଏବେ ସେ ବେଣୁ ଭାଇର ହିରୋଇନ। ଆମେ ଦେଖୁ, ଦିହେଁ ଦିହିଁ ଙ୍କୁ ଦେଖି ହସା ହସି ହୁଅନ୍ତି। ଆଖିରେ ଆଖିରେ କଥା ହୁଅନ୍ତି। ବେଣୁ ଭାଇ ଏବେ ଆଗ ପରି ଏତେ ଜୋରେ ପାଟି କରେନି ହସେନି, କି ପିଲାଙ୍କ ସାଙ୍ଗେ ମିଶି ଖେଳେନି। ଖାଲି ଅଗଣାରେ ଶୋଇ ଆକାଶ କୁ ଦେଖି ହସୁଥାଏ ମନେ ଆଉ ଶୁଣେ ତା ରେଡ଼ିଓ ରୁ "କୋଟିଏ ତାର ରୁ ମିଳେ ଗୋଟିଏ ଜହ୍ନ...."ଏମିତି କେତେ ଦିନ ଚାଲିଲା। ଦିନେ ଶୁଣିଲୁ, ତୁଳସୀ ଅପା ର ବାହାଘର ଠିକ ହୋଇଗଲା ଆର ଗାଁ ରେ। ଠାକୁରାଣୀ ଚଉତରା ଉପରେ ଖୁବ ଜୋରରେ କାନ୍ଦିଲା ବେଣୁ ଭାଇ ସେଦିନ। ତା ପର ଠୁ ସେ ଗାଁ ରେ ଆଉ ଦିଶି ଲାନି ସେ। ଗାଁ ତା ବିନା ନିରାଶ ନୀରବ। କିଏ କାହିଁ ମନେ ରଖିବ ଯେ? ଏଠି ଏମିତି କେତେ ପ୍ରେମ ଝଡ଼ ପରି ଆସି ଚାଲିଯାଏ, ଆଉ ଗଲା ପରେ ଛାଡି ଯାଏ ଜଳିବା ପାଇଁ ଅନେକ ଚିହ୍ନ। ଯାହା ଛାତି ଭିତର ଟାକୁ କୋରି ପକାଏ। ଭଙ୍ଗ ହୃଦୟ ଟା ଗାଏ "ଏ ଭଙ୍ଗା ଗଢ଼ା ସପନ, ଛାତି କୁ କରେ ପାଷାଣ, ଏ ବାଟଘାଟ, ଏ ଫୁଲହାଟ, ଆଜି କାହିଁ ଲାଗେ ସବୁ ସମାନ। ଏଇ ବୋଧେ ପ୍ରେମ...."


ଦିନେ ଭେଟିଲି ବେଣୁ ଭାଇଙ୍କୁ ବାଦାମବାଡ଼ି ବସ ଷ୍ଟାଣ୍ଡରେ ଏକ ଭିନ୍ନ ରୂପରେ। ଅନେକ ବର୍ଷ ପରେ, ଏବେ ଚୁଟି ସବୁ ପାଚିବା ଆରମ୍ଭ କରୁଥିଲା ତାଙ୍କର। ବୟସର ଛାପ ତାଙ୍କ ଦେହରେ। ହାତରେ ଟିକେଟ ବହି ଓ କଲମ, ପଇସା ଗଣିବାରେ ବ୍ୟସ୍ତ ସେ। ମୁଁ ଦେଖୁ ଦେଖୁ ଚିହ୍ନି ଦେଲି। ମୁଁ ପ୍ରଣାମ କରିବାରୁ କହିଲେ, "ବାବୁ କୁଆଡେ ଯିବ?" ମୁଁ କହିଲି, "କଣ ବେଣୁ ଭାଇ ମୋତେ ଚିହ୍ନି ପାରୁନ? ମୁଁ ବୁଲୁ..." ସେ ଚଷମା ଖୋଲି ଦେଖିଲେ ମୋତେ ସାଙ୍ଗେ ସାଙ୍ଗେ କୁଣ୍ଢେଇ ପକେଇଲେ। କହିଲେ, "କେତେ ବଡ଼ ହେଇ ଗଲୁଣି ତୁ। ପୁରା ବଦଳି ଯାଇଛୁ। ଆଉ କଣ ତୋତେ ଚିହ୍ନି ହଉଛି? କେମିତି ଅଛୁ? କଣ କରୁଛୁ?" ଏକ ଥରେ ସବୁ ପ୍ରଶ୍ନ ଗୁଡା଼ ଢାଳିଦେଲେ ସେ ମୋ ଉପରେ। ମୁଁ କହିଲି "ଏଇଠି ପଢୁଛି, ଛୁଟିରେ ଘରକୁ ଯାଉଛି। ସେ ନେଇ ମତେ ବସ ରେ ବସେଇଲେ। ସେ ବସ ଟି ଆମ ଗାଁ ପାଖ ଦେଇ ଯାଏ। ସେ କହିଲେ, ଆ ଯିବା । ଛକରେ ଓହ୍ଲେଇ ଚାଲିଯିବୁ ଘରକୁ। ଗାଡି ମିଳି ଯିବ ସେଇଠୁ।" ମୁଁ ଯାଇ ବସ ରେ ବସିଲି। ବସ ଚାଲିଲା, ମୁଁ ବସିଥାଏ ଦୁଆର ପାଖ ସିଟ ଟାରେ। ବେଣୁ ଭାଇ ଟିକେଟ କାଟି ସାରି ଆସି ମୋ ପାଖେ ଠିଆ ହେଲା। ବେସି ଭିଡ଼ ନଥିଲା ସେଦିନ। ପଚାରିଲା ସବୁ କଥା। ଗାଁ କଥା, ଘର କଥା । ମୁଁ କହିଲି ,"ବେଣୁ ଭାଇ କେବେ ଠୁ ଗାଁ କୁ ଯାଇନ ତମେ। ଚାଲୁୁନ ଥରେ"। ସେ କହିଲେ, "ଗାଁ କୋଉ ଆଉ ମତେ ମନେ ରଖିଛି ଯେ ମୁଁ ଯିବି?" ମୁଁ କହିଲି, "ନା ,ବେଣୁ ଭାଇ ଗାଁ ର ସବୁ ଭଲ ମନ୍ଦରେ ତମେ ଥିଲ। ଏବେ ବି ବାଗୁଡି ଖେଳ ହେଲେ ପିଲାଏ ତମକୁ ମନେ ପକାନ୍ତି। ଜାଣିଛ, ଆମ ଗାଁ ଆଉ କେବେ ସେ ସୁଜନପୁର ଠାରୁ ଜିତିନି ସେବେଠୁ। ତମେ ଥିଲେ ସିନା... । ଆଉ ସେମିତି ଡ୍ରାମା ତା କେବେ ବି ହୋଇନି। ସେଦିନ ନାଟକକୁ ଆଜି ଯାଏ ମନେ ରଖିଛନ୍ତି ଲୋକେ। ବେଣୁ ଭାଇ, ଗାଁ ଅନେକ ବଦଳି ଯାଇଛି ସତ। କିନ୍ତୁ ଗାଁ ଲୋକ ଙ୍କ ମନରେ ତାଙ୍କ ବିଜୟ ମହାନ୍ତି , ତାଙ୍କ ବେଣୁ, ଏବେ ବି ସେମିତି ଅଛି।" ବେଣୁ ଭାଇ ପୁଣି ହସିଲା, ଆଉ କହିଲା, "ବୁଝିଲୁ ନା ବୁଲୁ, ଦି ହୋଲ ପ୍ରୋବ୍ଲେମ ଇଜ ମନୀ, ମାନେ ଟଙ୍କା। ସେ ନଥିଲା ବୋଲି ତୁଳସୀ ମତେ ଛାଡି ଚାଲିଗଲା, ଆଉ ମା କଥା ବି ବୁଝି ପାରିଲି ନାହିଁ। ସେ ବି... । କଣ ଆଉ କରିଥାନ୍ତି। ପାଠ ରେଖା ଟି ହାତରେ ନାହିଁ ମୋର।" ଏଇ ବସ ରେ ସମୟ କାଟି ଯାଉଛି। ଦି ପଇସା ରୋଜଗାର ବି ହେଇ ଯାଉଛି"। "ବେଣୁ ଭାଇ ବାହା ହେଲଣି ନା ନାଇଁ?" ସେ କହିଲେ,"ମା ଯିବା ଆଗରୁ ସେ କାମ ସାରି ଦେଇ ଗଲା। ଆମେ ଭୁବନେଶ୍ୱର ରେ ରହୁଛୁ। କେବେ ଆସେ ଛୁଟି ହେଲେ ଘର ଆଡ଼େ।" କଥା ହଉ ହଉ ରାସ୍ତା କେତେବେଳେ ସରିଗଲା ଜଣା ପଡ଼ିଲାନି। ମୁଁ ଛକ ପାଖରୁ ଆଉ ଗୋଟେ ଗାଡି ପାଇଗଲି ଘର ଯାଏ। ବେଣୁ ଭାଇ ଠୁ ବିଦାୟ ନେଲି ସିନା, ତା କଥା ଗୁଡା ଏବେ ବି କାନରେ ବାଜୁଥାଏ ମୋର। 


ଲକଡାଉନ ପରେ ବସ ଚାଲିବା ବନ୍ଦ ହୋଇଗଲା । ମାଲିକ ଆଉ ଦରମା ଦେଇ ପାରିଲାନି। ବେଣୁ ଭାଇ ଆଉ ତା ପରିବାର ଆସିଲେ ଗାଁକୁ। ତାଙ୍କ ପୁରୁଣା ଘର କୁ। ତାକୁ ସଜାଡି ପରିଷ୍କାର କରି ରହିଲେ ସେମାନେ। ବାଡ଼ିରେ ଭେଣ୍ଡି ବାଇଗଣ ସବୁ ଫସଲ କଲେ। ବେଣୁ ଭାଇ ଏବେ ମୁଣ୍ଡରେ ଗାମୁଛା ଭିଡି ପୁଣି ଗାଁ ମାଟିରେ ନିଜକୁ ମାଟି କରି ସୁନା ଫସଲ ଫଳେଇଲା। ମୁଁ ବି ଗାଁରେ ଏବେ। ଦେଖେ ସେଇ ମଣିଷ ତାକୁ କେମିତି ଜୀବନ ଯୁଦ୍ଧରେ ଅବିରାମ ଭାବେ ସଂଗ୍ରାମ କରି ଚାଲିଛି। ନିଜେ ବଞ୍ଚି ଅନ୍ୟକୁ ପୋଷଣ କରୁଛି। ସତରେ କହିଲେ, ବେଣୁ ଭାଇ ମୋ ନଜରରେ କୋଉ ହିରୋ ଠୁ କମ ନୁହେଁ।

ସମୟ ପାଇଲେ ଯାଏ ତା ଘରକୁ ଯାଇ ଶୁଣି ଆସେ ବିଜୟ ମହାନ୍ତି ଙ୍କ ସଂଳାପ ରୁ କିଛି। ପୁରୁଣା ହେଉ କି ନୂଆ, କିନ୍ତୁ ବେଣୁ ଭାଇ କହିଲେ ଶୁଣିବାକୁ ବଢିଆ ଲାଗେ। ସେ ବେଳେ ବେଳେ ଗାଆନ୍ତି "ହାତ ଥିଲେ ଭାତ ମିଳିବ ଗୀତ ଟା। ଗୀତ ତା ଠିକ ତାଙ୍କ ଜୀବନ ସହ ମେଳ ଖାଇଯାଏ।"


ସେଦିନ ସେ ବାଡ଼ିରେ କାମ କରୁଥିଲେ ସକାଳୁ। ମୁଁ ଯାଇଥିଲି ତାଙ୍କ ପାଖକୁ। ସେ ସେମିତି କାମ କରୁଥିଲେ କହିଲେ, "କଣ କିରେ ବୁଲୁ! ଆଜି କଣ ସକାଳୁ ଚାଲି ଆସିଲୁ, ରାତିରେ ନିଦ ହଉନି କି ତୋତେ?" ମୁଁ କହିଲି," ବେଣୁ ଭାଇ କାଲି ରାତିରେ...." ସେ କହିଲେ," କଣ ହେଲା କହୁନୁ।" ମୁଁ ମୁଁହ ତଳକୁ କରି କହିଲି, ବିଜୟ ମହାନ୍ତି ଚାଲିଗଲେ। କଥା ଶୁଣି, ସେ ପଡି ଯାଉଥିଲେ,ମୁଁ ତାଙ୍କୁ ଧରି ନେଲି। ସେ କହିଲେ, ସତ କହୁଛୁ ବୁଲୁ? ମୁଁ କହିଲି ,"ହଁ, କାଲି ଏକ ହସ୍ପିଟାଲରେ ତାଙ୍କ ମୃତ୍ୟ ହେଇଗଲା।" ମୁଁ ତାଙ୍କୁ ମୋବାଇଲ ରେ ନ୍ୟୁଜଟି ଦେଖେଇଲି। ଆଖିରେ ଲୁହ ଭର୍ତି ହେଇଗଲା ତାଙ୍କର। କେବେ ବି ତାଙ୍କୁ କାନ୍ଦିବାର ଦେଖିନି ମୁଁ। କେତେ ସମୟ ଯାଏ, ସେ ସେମିତି ଗୁମ ମାରି ବସିଲେ। ମୁଁ ବୁଝେଇଲି ତାଙ୍କୁ, ସେ କହିଲେ ମୋତେ,"କେବେ ଆଇନା ଭାଙ୍ଗିବା ଦେଖିଛୁ ବୁଲୁ? ଆଇନା ସିନା ନୂଆ ହୁଏ ହେଲେ... ନୂଆ ଆଇନା ରେ ନିଜ ମୁହଁ ତା କାହିଁ ପୁରୁଣା ଦିଶେ। ବିଜୟ ମୋ ସେହି ଆଇନା.. ଆଉ ସେ ଆଇନା ପ୍ରେମରେ ମୁଁ। ଜୀବନରେ ସବୁବେଳେ ବଂଚିବା ଶିଖେଇବା ଲୋକଟା କଣ ଏମିତି କଟି ପକେଇ ଯାଇ ପାରେ?" ତାଙ୍କ କଥା ଅଧା ବୁଝିହେଲା, ଅଧା ହେଲାନି। ବାଡିରୁ ଉଠିଯାଇ ଘରେ ନିଜକୁ କବାଟ ବନ୍ଦ କରିଦେଲେ ସେ, ଆଉ ଗାଉଥିଲେ କାନ୍ଦି କାନ୍ଦି.... "ସମୟ କହୁଛି ତୁଟାଇ ମୋହ, ବେଳ ଥାଉ ଥାଉ ଲେଉଟି ଯାଅ। କାଳେ କୁହୁଡି ହେବ। ବାଟ ଦେଖା ନ ଯିବ,କାଳେ ମେଘ ଢାଙ୍କି ଦେବ ଚନ୍ଦ୍ରଉଦି଼ିଆ....." ରୂପେଲି ପରଦାର ଅଭିନେତା ଟିଏ ଏମିତି ବାନ୍ଧି ରଖିପାରେ ତା ଦର୍ଶକ ମାନଙ୍କୁ। ତାଙ୍କରି ଚରିତ୍ର ଭିତରେ ନିଜକୁ ଖୋଜି ପାଏ ମଣିଷ। ବିଜୟ ମହାନ୍ତି ଠିକ ସେମିତି ଅଭିନେତା ଜଣେ। ଯାହା ଭିତରେ ବେଣୁ ଭାଇ ନିଜକୁ ଦେଖୁଥିଲା। ସେଦିନ ସେ ପିଣ୍ଡା ଉପରେ ବସି ଅନୁଭବ କରୁଥିଲି, "ମମତାର ଡୋରି "ଛିଣ୍ଡେଇ "ରୂପା ଶଗଡ଼ିର ସୁନା କନିଆଁ " "ଲକ୍ଷ୍ମଣରେଖା" ଡେଇଁଗଲା ପରେ "ପଞ୍ଜୁରୀ ଭିତର ସାରୀ" ଟା ଛଟପଟ ହେଉଥିଲା ତା "ଜଗନ" ଭାଇ ପାଇଁ। ଆଉ ଏମିତି କେତେ ବେଣୁ ଭାଇ ଆଉଟୁ ପାଉଟୁ ହୁଅନ୍ତି, ଭୁଲି ହୁଏନା ର "ସମସେର ଚାଚା" ନହେଲେ ଭୀଷ୍ମ ପ୍ରତିଜ୍ଞା ର "କିଶନ ମାଝୀ" କୁ। ଯୁଗର "ମହାନାୟକ" ର ବିୟୋଗରେ ଏ ଜାତି ପୁଣି ପ୍ରତୀକ୍ଷା କରେ ସେଇ ଆତ୍ମାର ଆଉ ଏକ ରଙ୍ଗମଞ୍ଚରେ, ଭିନ୍ନ ଏକ ରୂପରେ।


Rate this content
Log in

Similar oriya story from Drama