Subhalaxmi Nayak

Drama

4  

Subhalaxmi Nayak

Drama

ଆଦର୍ଶ ଦାମ୍ପତ୍ୟ

ଆଦର୍ଶ ଦାମ୍ପତ୍ୟ

3 mins
888


"ପୁଷ୍ପା! ପୁଷ୍ପା! ଶୁଣୁଛ କି ଆଜିଠାରୁ ଆରମ୍ଭ ହେଲା ମ ଫେବୃଆରୀ ମାସର ପାର୍ବଣ।"ବଡ଼ ପାଟିରେ କହି ଉଠିଲେ ସରୋଜ ବାବୁ। କାନିରେ ହାତ ପୋଛି ପୋଛି ରୋଷେଇ ଘରୁ ବାହାରି ଆସିଲେ ପୁଷ୍ପା ଦେବୀ। ବିରକ୍ତ ହେଲା ଭଳି ପ୍ରତ୍ୟୁତ୍ତର ଦେଲେ, "ତୁମର କାମଧନ୍ଦା କିଛି ନାହିଁ? ସେ ନିଆଁଲଗା ମୋବାଇଲ୍ ଧରି ଦିନରାତି କେଞ୍ଚୁଥାଅ। ଏଠି ଦୋଳି ଗୋଟିଏ ଲଗେଇଛ ତ, ମୁଁ ଝୁଲୁଛି ବସି, ଡାକିଲା ମାତ୍ରେ ମୋର ପ୍ରାଣପ୍ରିୟ ଦୌଡ଼ି ଆସିବି, ଆଉ ଦୁହେଁ ବସି ପ୍ରେମାଳାପ କରିବା ନା କ'ଣ?" ଏମିତି ଗାଳି ଶୁଣି ସରୋଜ ବାବୁ ଟିକିଏ ମନଦୁଃଖ କରିଲା ଭଳି ମୁହଁ କରି କହିଲେ, "ହଁ, ବାହାଘରର ଛବିଶି ବର୍ଷ ପରେ କାଇଁ ଆଉ ଆମକୁ ପଚାରିବ? ଖାଲି ବାହାନା ଖୋଜିବ ଆମ ଠାରୁ ଏତିକି କହିଛନ୍ତି ପୁଣି ପୁଷ୍ପା ଦେବୀ କହି ଉଠିଲେ, "କି ଅଦ୍ଭୁତ ଲୋକ କି ତୁମେ? ମୁଁ ଯାହା କରୁଥିଲି, ତୁମେ ତ ଧୈର୍ଯ୍ୟ ଧରି ବସିପାରିବନି କିଛି ସମୟ। ପ୍ରତି ୫ ମିନିଟ୍ ପରେ "ପୁଷ୍ପା ଏଇଟା ହେଲା", "ପୁଷ୍ପା ସେଇଟା କ'ଣ?","ପୁଷ୍ପା କ'ଣ କରୁଛ"ଚାଲିଥିବ ତୁମର ମୁଁ ଥୟ ଧରି ତୁମ ପାଇଁ କିଛି କରିବାକୁ ଦେଲେ ତ!

ଛାଡ଼ ସେକଥା କ'ଣ କହୁଥଲ କୁହ, ଆଗ ଶୁଣେ। ତାପରେ ଯାହା।" ସରୋଜ ବାବୁ କହିଲେ ଯେ ଫେବୃଆରୀ ମାସରେ ଆଜିକାଲି ପିଲାଏ ପ୍ରେମର ପର୍ବ ପାଳନ କରୁଛନ୍ତି। ଫେବୃଆରୀ ୭ ରୁ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ପ୍ରେମୀ ଯୁଗଳ, ଦମ୍ପତି ସମସ୍ତେ ପରସ୍ପରଙ୍କୁ କିଛି ନା କିଛି ଉପହାର ଦେଇ ଅଭିନବ ଭାବରେ ତାଙ୍କର ପ୍ରେମ ଜାହିର କରୁଛନ୍ତି। ଆମ ବେଳେ ତ ଏଗୁଡ଼ା ନ ଥିଲା। ତେଣୁ ମୁଁ ଏଇ ବର୍ଷ ତୁମ ପାଇଁ କିଛି କରିବାକୁ ଇଚ୍ଛା କରୁଛି। ଏତିକି କଥା ଶୁଣି ନ ଶୁଣିଲା ପରି ଉଠିଗଲେ ସେଠୁ ପୁଷ୍ପା ଦେବୀ। ଆଉ କହିଲେ, "କାମ ନାହିଁ ଏ ବୃଦ୍ଧ କାଳରେ ବାଲ୍ୟ ଲୀଳା କରିବାକୁ ମନ ହେଉଛି! ପୁଅ-ବୋହୂ, ଝିଅ- ଜ୍ୱାଇଁ, ନାତି-ନାତୁଣୀ ଏଗୁଡ଼ା ଦେଖି କ'ଣ ଭାବିବେ। ଛିଃ ଛିଃ ଏଗୁଡ଼ା ଏ ବୟସରେ ହେବନି ମୋ ଦେଇ ମନେ ମନେ କହି ପୁଣି ରୋଷେଇ ଘରକୁ ଫେରିଗଲେ। ସରୋଜ ବାବୁ ମନରେ କିନ୍ତୁ ପରନ୍ତୁ, କିଏ କ'ଣ ଭାବିବ ନ ବିଚାରି ଅଣ୍ଟା ଭିଡ଼ିଲେ ସନ୍ଧ୍ୟାରେ ଯାହା ବି ହେଉ ଏଇ ବର୍ଷ ଆଜି ଦିନରେ ହିଁ କିଛି ଗୋଟାଏ ପାର୍ଟି କରିବି, ପୁଷ୍ପା ଦେବୀଙ୍କୁ ଉପହାର ସହିତ ଚମକେଇ ଦେବା। କିଛି ନାହିଁ ସାନ ନାତୁଣୀକୁ କହି ଦେଲେ, କାମରେ ସାହାଯ୍ୟ କରିବ। ହଁ, କିଛି ହାତଗୁଞ୍ଜା ନେବ ପାର୍ଟି ପାଇଁ ବି ଆଉ ଯାହା ପାଇଁ ହେଉଛି, ତାକୁ ନ ଜଣେଇବା ପାଇଁ ବି। ମନେ ମନେ ଚିନ୍ତା କରି ସାନ ନାତୁଣୀକୁ ଧରି ସବୁ କାମ ଠିକ୍ ସମୟରେ ସାରିଦେଇ ଅପେକ୍ଷା କରି ରହିଲେ, ସନ୍ଧ୍ୟା ସମୟକୁ। ସନ୍ଧ୍ୟାରେ ସଞ୍ଜବତୀ କାମ ସରୁ ସରୁ ସମସ୍ତଙ୍କୁ ଆଦେଶ ଦେଲେ, ଆଜି ଗୋଟିଏ କାମ ଅଛି। ଘରୁ ବାହାରକୁ କେହି ଯିବନି। ଆଉ କିଛି ସମୟ ପରେ ସମସ୍ତେ ଏକାଠି ହେବା ଡାଇନିଂ ଟେବୁଲ୍ ପାଖରେ। ଏତିକି କହି ଠରାଠରି ହୋଇ ସରୋଜ ବାବୁ ଆଉ ତାଙ୍କ ନାତୁଣୀ ପଳେଇଗଲେ ନିଜ ନିଜ ଶୋଇବା ଘରକୁ। ୧୫ ମିନିଟ୍ ପରେ ସମସ୍ତେ ଡାଇନିଂ ଟେବୁଲ୍ ପାଖରେ ଅପେକ୍ଷାରତ ଯେ କ'ଣ କାମ କହିବେ ସରୋଜ ବାବୁ। ସରୋଜ ବାବୁ ଆଉ ତାଙ୍କ ସାନ ନାତୁଣୀ ଭିତରୁ ଅନେକ ଉପହାର ଆଉ ଗୋଟିଏ ବଡ଼ କେକ୍, ବଡ଼ ଛେନାପୋଡ଼ଟେ ଧରି ବାହାରି ଆସିଲେ ଡାଇନିଂ ଟେବୁଲ୍ ଉପରେ ଥୋଇଦେଇ କହିଲେ, "ସରପ୍ରାଇଜ୍!" ଆଜି ପରା ଫେବୃଆରୀ ୭ ତାରିଖ ଗୋଲାପ ଫୁଲ ଦିବସ। ଆଜି ଠାରୁ ଆରମ୍ଭ କରି ୧୪ ତାରିଖ ଯାଏଁ ଯାହା ଯାହା ପାଳନ କରିବେ ଏ ମଡର୍ଣ୍ଣ ଛୁଆମାନେ, ଆମେ ଆଜି ସନ୍ଧ୍ୟାରେ ସବୁ ପାଳନ କରିବା। କାଇଁ ନା ସମସ୍ତେ ସମସ୍ତଙ୍କ କାମରେ ବ୍ୟସ୍ତ। ହୁଏତ ସବୁଦିନ ସମୟ ନ ହୋଇ ପାରେ। ଏତିକି କହି ସରୋଜ ବାବୁ ପୁଷ୍ପା ଦେବୀଙ୍କୁ ଗୋଲାପଟିଏ ଦେଇ ତାଙ୍କୁ "ହ୍ୟାପି ରୋଜ୍ ଡ଼େ" କହିଲେ। ଏମାନଙ୍କର ଏସବୁ ବ୍ୟବସ୍ଥା କଥା ଆଗରୁ ଜାଣି ଦେଇଥିଲେ ପୁଷ୍ପା ଦେବୀ। କାଇଁ ନା ଦୀର୍ଘ ଛବିଶି ବର୍ଷର ସମ୍ପର୍କରେ ସିଏ ଜାଣି ସାରି ଥିଲେ, ସରୋଜ ବାବୁଙ୍କ ମନକୁ କିଛି ଜୁଟିଛି ଯଦି ସିଏ କିଛି କରିବେ ମାନେ, ସିଏ ନିଶ୍ଚୟ କରିବେ। ତେଣୁ ସିଏ ମଧ୍ୟ ନିଜ ବାରିରୁ ଗୋଲାପ, ରଜନୀଗନ୍ଧା ଆଦି ଫୁଲ ତୋଳି ନିଜ ହାତରେ ତୋଡ଼ାଟିଏ ବନେଇ, ତାଙ୍କ ହାତ ତିଆରି ଗାଜର ହାଲୁଆ, ରସାବଳି ସରୋଜ ବାବୁ ଭଲ ପାଆନ୍ତି ବୋଲି ରୋଷେଇରେ ତିଆରି କରି ସଜବାଜ ହୋଇ ରହିଥିଲେ। ଏବେ ଝିଅ,ବୋହୂ ସାଙ୍ଗରେ ମିଶି ସିଏ ସରୋଜ ବାବୁଙ୍କୁ ଚମକେଇ ଦେଲେ। ଦୁହେଁ ଦୁହିଁଙ୍କୁ ଅନେଇ ରହିଥାଆନ୍ତି। ନାତିନାତୁଣୀ ସବୁ ଜୋରରେ ହସି ଉଠିଲେ। ଜେଜେ ତୁମେ କ'ଣ ଜେଜେମାକୁ ଚମକେଇବାକୁ ପାର୍ଟି ଦେବାକୁ ଲୁଚେଇ ଲୁଚେଇ କାମ କରୁଥିଲ? ଏଇ ଦେଖ ଏବେ କିଏ ଚମକିଲେ। ବାସ୍ ସମସ୍ତେ ହସି ଉଠିଲେ। ଖୁସିରେ କେକ୍ କାଟି ପାର୍ଟି କରି ସମସ୍ତେ ପୁଣି ନିଜ ନିଜ କାମରେ ଲାଗିଗଲେ। ସରୋଜ ବାବୁ ଆଉ ପୁଷ୍ପା ଦେବୀ ତାଙ୍କ ଶୋଇବା ଘରକୁ ଯିବାବେଳେ ଶୁଣି ପାରୁଥିଲେ, ନାତିନାତୁଣୀ କଥା ହେଉଛନ୍ତି, "ଦେଖ ତ! ଜେଜେମା ଆଉ ଜେଜେ ଆମର କେତେ ରୋମାଣ୍ଟିକ। ଉଭୟ ଉଭୟଙ୍କୁ ସରପ୍ରାଇଜ୍ ଦେଇ ବି ଦେଲେ। ଆମ ସମୟର ପିଲାମାନେ ଦୁଇ ଦିନ ବି ଏଙ୍ଗେଜଡ୍ ହୋଇ ରହି ପାରୁ ନାହାଁନ୍ତି। ଆଉ ଜେଜେମା ଜେଜେ ଛବିଶି ବର୍ଷ ବିତିଯାଇଥିଲେ ବି ତାଙ୍କ ଭିତରେ ଭଲପାଇବା କମିନି। ପରିବାର ସହିତ ରହି, ପରିବାର ଭିତରେ ରହି ଆମମାନଙ୍କୁ ସାଙ୍ଗରେ ରଖି ସେମାନେ ନିଜ ପ୍ରେମର ଅଭିବ୍ୟକ୍ତି କରିପାରୁଛନ୍ତି। ଏଇ ତ ଅସଲ ପ୍ରେମ। ଆଦର୍ଶ ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ଉଦାହରଣ ଆମେମାନେ ତାଙ୍କ ପାଖରୁ ଶିଖିବା କଥା। କେମିତି ପାରିବାରିକ ଜୀବନ ସହିତ ଦାମ୍ପତ୍ୟ ଜୀବନକୁ ସରଳ ଭାବରେ ସମାନ୍ତରାଳ କରି ଜୀବନ ବିତାଇ ଚାଲିବା। ଏଇ ତ ଅସଲ ଜୀବନ।


Rate this content
Log in

Similar oriya story from Drama