(୧୫)*ଉପନ୍ୟାସର ପୃଥିବୀ ଲିଲିପୁଟ*
(୧୫)*ଉପନ୍ୟାସର ପୃଥିବୀ ଲିଲିପୁଟ*
ଗପ କହିବାର ମଜା ଏବଂ ଶୁଣିବାର ମଜା ଅଲଗା ଅଲଗା । କାହାଣୀ ଉପନ୍ୟାସ ର ହେଉ ଅବା ଲୋକକଥା ।କହି ଜାଣିଲେ ଉଭୟ ଆକର୍ଷଣର କେନ୍ଦ୍ର ବିନ୍ଦୁ , ନଚେତ୍ ପରିଶ୍ରମ ଅନ୍ୟଥା। ବିଭିନ୍ନ ଦେଶରେ ଗପ କହିବା ବେଳେ , ସେଇ ଦେଶ ମାନଚିତ୍ର ଦେଖିଲେ ଉତ୍ସାହ ବଢିଯାଏ କାଳେ । କହିବା ଓ ଶୁଣିବା ଲୋକର । ଜଣାପଡେ ସେ ଦେଶର ଲୋକଙ୍କ ଜୀବନ ଶୈଳୀ , ଭାଷା , ଆଚାର ବ୍ୟବହାର , ଖାଦ୍ୟ ପାନୀୟ , ଏମିତି କେତେ କ'ଣ ଦୈନନ୍ଦିନ କାରବାର ।
ଲିଲିପୁଟ ସେହିପରି ଏକ କାଳ୍ପନିକ ପୃଥିବୀ , ଭାରି ଆପଣାର ଲାଗେ ତଥାପି । ମନେହୁଏ ଏଇ ଯେମିତି କୋଶେ ଦୂର , ତା ସହିତ ସଂପର୍କ ଭାବନାର । ହୋଇପାରେ ସେ ଗାଲିଭରର ସ୍ବପ୍ନର ଦୁନିଆ , ସେଠି ପ୍ରତ୍ୟେକ ଜିନିଷର ଅନୁଭୂତି ନୂଆ ନୂଆ । ସବୁକିଛି ଅଦ୍ଭୁତ ଅଜବ , ସତରେ ସେ ଦୁନିଆର ସବୁକିଛି ଗଜବ ।
ଔପନ୍ୟାସିକ ଜନାଥନ୍ ସୁଇଫ୍ଟଙ୍କ ରଚନାରେ ଲିଲିପୁଟ ଗୋଟେ ଅନନ୍ୟ ପୃଥିବୀ , ତା' କଥା ପଡ଼ିଲେ , ହୋଇଯାଏ ଅନେକ କଥା ମନେ ମନେ ଭାବି । ଗାଲିଭରର ଲିଲିପୁଟ ମନେହୁଏ , କଳ୍ପନା ନୁହେଁ ବାସ୍ତବତାର ସ୍ପର୍ଶ ରେ ନିର୍ମିତ ଯେମିତି , ସବୁକିଛି ପୃଥିବୀ ସହ ସାମଞ୍ଜସ୍ୟ , କି ଦିନ କି ରାତି । କେବଳ ଯାହା ଅଧିବାସୀ ମାନେ ଆକାରରେ ଛୋଟ ଛୋଟ । ବାକି ସବୁ ସେଇ ପୃଥିବୀର ନାଟ ।
ଗାଲିଭର ସେଠାରେ ପହଞ୍ଚିଲା ପରେ , କେତେ କ'ଣ ଘଟିଛି ଘଟଣା ତା' ସାଥିରେ । ଖଟା ମିଠା ଭଲ ମନ୍ଦ ରେ ପଥ ଭରପୁର , କେବେ କଷ୍ଟ ଭରା କେବେ ସୁରୁଖୁର । ମନ ଚୋରି ହୋଇଯାଏ ସେ କାହାଣୀ ରେ । ମଣିଷ ନିଜର ହୋଇ ରହେନା ନିଜଠାରେ । ରୋମାଞ୍ଚିତ ହୁଏ ଦେହ ମନ , ଜଣେ ଜାଣି ପାରେନା ଏହି ସତ୍ୟ ନା ସ୍ବପ୍ନ ।
ଲିଲିପୁଟ୍ ଅରଣ୍ୟ ପଥରେ ରେ ଚାଲୁ ଚାଲୁ ଦିନେ ଗାଲିଭରକୁ ଭାରି ଶୋଷ ଲାଗେ । ଅରଣ୍ୟ ର ନିମ୍ନାଂଶରେ ନଦୀ ନାଳ ଅଥବା ଝରଣା ଥିବ ଭାବି ସେ , ଆଉ ଏକ ପଥ ଧରେ । ଚାଲିବା ବାଟରେ ପଡିଯାଏ ଥରେ । ଜଳ କିନ୍ତୁ ତଥାପି ମିଳେନା । ବାଧ୍ୟ ହୋଇ ସେ ଥକ୍କା ମାରି ବସିପଡେ ପଥ ଧାରେ । କିଛି ସମୟପରେ ,ସେ ପୁଣି ଚାଲିବାକୁ ଆରମ୍ଭ କରେ ।
ହଠାତ୍ ତାକୁ କିଛି ଗୋଟେ ଶବ୍ଦ ଶୁଭେ , ଛିଡ଼ା ହୋଇ ମନେ ମନେ ସେ କିଛି ଭାବେ । ଚଉଦିଗେ ଆଖି ପକାଏ ,କାନ ଡେରେ । ବଡ଼ ଗଛଟେ ଦେଖେ ଅଳ୍ପ ଦୂରେ । ଗଛରେ ମହୁମାଛି ର ଅନେକ ଗୁଡ଼ିଏ ଵସା , ବଢିଲା ତା'ର ମନରେ ଆଶା । ମହୁମାଛିଙ୍କୁ ତଡି ମହୁ ଖାଇବାର ଏବଂ ଶୋଷ ମାରିବାର ।
କିନ୍ତୁ ଏ କ'ଣ , ସେ ଯେବେ ମଧୁ ପିଇବାକୁ ଉଦ୍ୟମ କଲା , ସେଇଟା ମଧୁ ନ ଥିଲା । କ'ଣ ଥିଲା କେଜାଣି , ସେ ଚିତ୍କାର କଲା ପାଣି ପାଣି । ଦଉଡିଲା ଏକ ମୁହାଁ ହୋଇ ଟିକେ ଦୂରରେ ଥିବା ଗାଆଁ ଆଡ଼କୁ , ଛୋଟ ପଖୋରୀଟେ ଦେଖି ଡିଆଁ ମାରିଦେଲା ତା' ଭିତରକୁ । ଚେତା ଯେମିତି ବୁଡିଗଲା କିଛିକ୍ଷଣ ପାଇଁ ତା'ର, ମଧୁ ମନେ କରିଥିଲା ଯାହାକୁ ସେ ଥିଲା ଗୋଟେ ପ୍ରକାର ବିରୁଡିର ଜହର ।
ହୋସ ଆସିଲା ବେଳକୁ ସେ ପୋଖରୀର ମାଛ ସବୁ ମରି ଯାଇଥିଲେ , ଗାଆଁ ଲୋକେ ତା ଚାରିପାଖେ ଘେରି ବସିଥିଲେ । ସେ ଉଠି ହେଲା , କେଇପାଦ ଏପଟ ସେପଟ ହେଲା ପରେ ପୁଣି ଥରେ ଜଳପାନ କରିବାକୁ ତା'ର ମନହେଲା । ପେଟେ ଜଳ ପିଇଲା । ଏବେ ତାକୁ ସବୁ ମାୟା ଲାଗୁଥିଲା , ଏଠାରୁ କେମିତି ମୁକୁଳିବ ମନେ ମନେ ଉପାୟ ପାଞ୍ଚୁଥିଲା । ଧିରେ ଧିରେ ତା ମନକୁ ପାପ ଛୁଇଁଲା , ଘରକୁ ଫେରି ପାରିବ କି ନାହିଁ ଜାଣି ପାରୁ ନଥିଲା ।
ଗାଲିଭର ନିଜ ଭାଗ୍ୟକୁ ଆଦରି , ଆଗକୁ ଚାଲୁଥିଲା ଆହୁରି ଆହୁରି । ହଠାତ୍ ଦେଖାହେଲା ଜଣେ ସନ୍ୟାସୀ ଙ୍କ ସହ । ଆକାରରେ ସେ ବି କେଉଁ କାମକୁ ନୁହଁ । ତଥାପି ଭାବିଲା କିଛି ପଚାରିବ ବୋଲି , ସନ୍ୟାସୀ ଏଥର ଯାହା କହିଲେ ସେ ପାରିଲାନି ଭୁଲି । ତା'ର କୁଆଡେ ବିବାହ ହେବ ଏ ରାଜ୍ୟ ର ରାଜକୁମାରୀ ସହିତ , ସେ ଲିଲିପୁଟରେ ପହଞ୍ଚିଛି ସେଇଥିପାଇଁ ତ । ଗାଲିଭାରର ଅକଲ ହେଲା ଗୁଡୁମ୍ ସନ୍ୟାସୀ ଙ୍କ କଥା ଶୁଣି , ଅନ୍ୟଥା ହେବାର ନାହିଁ ତାଙ୍କ ସେ ବାଣୀ । ଗାଲିଭର ଠିକ୍ କଲା ସେଇଠି ଆଜି ରାତି ରହିଯିବ , ସୂରୁଜ ଉଇଁଲେ ତେଣିକି ବାକି କଥା ଦେଖାଯିବ ।
ଲିଲିପୁଟର ଦୁନିଆ ସତରେ ବଡ଼ ରୋମାଞ୍ଚକର , ସଭିଏଁ ମନେହୁଅନ୍ତି ସେଠାରେ ଅତି ଆପଣାର । ମୁଗ୍ଧ ପଲକର ପୁଲକରେ ବିତିଯାଏ ସମୟ। ଜଣା ପଡେନା କେତେ ବେଳେ ହୁଏ ସୂର୍ଯ୍ୟାସ୍ତ କେତେ ବେଳେ ଉଦୟ । ଆକାଶୀ ମାୟାରେ ବିଭୋର , କୁହୁଡି ର ଅନ୍ଧାର । ଚେତନା ଲୁଚକାଳି ଖେଳେ ଯେଉଁଠି ,ଲିଲିପୁଟର ରାଇଜ ସେଇଠି।
