ଯୁଗେ ଯୁଗେ ସତ୍ୟ
ଯୁଗେ ଯୁଗେ ସତ୍ୟ
କଳାରେ ଉତ୍କର୍ଷ ଉତ୍କଳ ପ୍ରଦେଶ
ଜଗତରେ ପଡ଼େ ହୁରି
ଏକାମ୍ର ନଗରୀ ଆମ ରାଜଧାନୀ
ଜଗନ୍ନାଥ ଧାମ ପୁରୀ।
ଚାରୁଚିତ୍ର ଶୋଭା ବଡ ମନଲୋଭା
କୋଣାର୍କେ ସୂର୍ଯ୍ୟ ମନ୍ଦିର
ମଙ୍ଗଳମୟୀ ମା ନାମ ତା ମଙ୍ଗଳା
ରହିଛି କାକଟପୁର।
ଧଉଳି ଗିରିଶ ପବିତ୍ର ଶିଖର
ଶୋଭନୀୟ ଶାନ୍ତି ସ୍ତୁପ
ବୈତରଣୀ ତୀରେ ନାଭି ଗୟା ଦେଶେ
ଧୋଇଯାଏ ଯେତେ ପାପ।
ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା
ଗାଏ ଖାରବେଳ କୀର୍ତ୍ତି
ଦୟାନଦୀ ତୀର ଓଡ଼ିଆ ବୀରର
ବଜାଏ ବୀଜୟ ଗୀତି।
ବାରବାଟୀ ଦୁର୍ଗ ହରି ଅରି ଗର୍ବ
ବୀର ଦରପରେ ଠିଆ
ସାଧବ କୁମର ନୈଯାତ୍ରା ବିହାର
ଥରାଏ ସଭିଙ୍କ ହିଆ।
କଟକ ସହର ତାରକସି କାମ
ପିପିଲି ହାଟ ଚାନ୍ଦୁଆ
ରଘୁରାଜପୁର ପଟ୍ଟଚିତ୍ର କାମ
ଜଗତେ କରିଛି ନାଆଁ।
ପାରଳାଖେମୁଣ୍ଡି ଗଜଦନ୍ତ କାମ
ସମ୍ବଲପୁରର ଶାଢ଼ୀ
ବେଲଗୁଣ୍ଠା ଠାର ପିତ୍ତଳ ବାସନ
ରହିଅଛି ଆଗଧାଡି।
ଓଡିଶୀର ଛନ୍ଦ ମୋହିନିଏ ମନ
ବିଶ୍ବେ ଅଦ୍ୱିତୀୟ ସେହି
ପୁରୀ ଘୋଷଯାତ ପୃଥିବୀ ବିଖ୍ୟାତ
ଝୁମିଯାଏ ପୁରା ମହୀ।
ବରଗଡ଼ ଧନୁ ଯାତରା ପ୍ରସିଦ୍ଧ
ବଡ଼ ଖୋଲା ରଙ୍ଗମଞ୍ଚ
ଧନ୍ୟ ନରନାରୀ ଉତ୍କଳର ସୂରି
ଗଉରବ ଅପହଞ୍ଚ।
ରାଜଧାନୀ ବୁକେ କେଦାର ଗଉରୀ
ରାଜାରାଣୀର ସ୍ଥାପତ୍ୟ
କଳା କାରୀଗର ଉତ୍କଳ କୁମର
ଯୁଗେ ଯୁଗେ ଏହା ସତ୍ୟ।