ଯୁଗ ସମ୍ଭବ ଶ୍ରୀହରି
ଯୁଗ ସମ୍ଭବ ଶ୍ରୀହରି
ଧରମର ହାନି ହୁଏ ଯେତେବେଳେ
ଯୁଗ ସମ୍ଭବ ଶ୍ରୀହରି ।
ଜନମ ନିଅନ୍ତି ଏ ଧରାଧାମରେ
ନିଜସ୍ବ ଶରୀର ଧରି ।୧।
ଦୁଇଟି ଉଦ୍ଦେଶ୍ଯ ତାଙ୍କ ଜନମର
ପରିତ୍ରାଣ ସାଧୁଙ୍କର ।
ଦୁଷ୍କୃତ ବିନାଶ ଧର୍ମ ସଂସ୍ଥାପନ
ଘେନି ବହନ୍ତି ଶରୀର ।୨।
ସତ୍ଯ ଯୁଗେ ହୋଇ ମୀନ ଅବତାର
ପ୍ରଳୟ ଜଳରୁ ବେଦ ।
ଉଦ୍ଧାର କରିଲେ ବେଦବରେ ଦେଲେ
ମନୁଁ ଦୂର କଲେ ଖେଦ ।୩।
କଚ୍ଛପାବତାର ହୋଇଲେ ଶ୍ରୀହରି
ଦେବାସୁର ସର୍ବେ ମିଳି ।
ମନ୍ଥିଲେ ମନ୍ଦର ପୃଷ୍ଠରେ ତାଙ୍କର
ଅମୃତ ଆସିଲା ଗଳି ।୪।
ଯଜ୍ଞ ବରାହର ରୂପକୁ ଧରିଲେ
ଦନ୍ତାଗ୍ରେ ଧରଣୀ ଧରି ।
ସମୁଦ୍ର ଗରଭୁ କରିଲେ ଉଦ୍ଧାର
ହିରଣ୍ୟାକ୍ଷ ବଧ କରି ।୫।
ହିରଣ୍ୟକଶିପୁ ଦୈତ୍ଯକୁ ମାରିଲେ
ଭକ୍ତ ପ୍ରହଲାଦ ଛଳେ ।
ନରସିଂହରୂପୀ ଶରଣ ଶ୍ରୀହରି
ମୁଁ ତୁମରି ପାଦ ତଳେ ।୬।
ବାମନ ରୂପରେ ବଳିକୁ ଛଳିଲେ
ତିନି ପାଦ ଭୂମି ମାଗି ।
ବଳିକୁ ପାତାଳେ ଚାପିଲେ ଅଛନ୍ତି
ବଳି ଦୁଆରକୁ ଜଗି । ୭।
ସପ୍ତବିଂଶ ବାର ନିକ୍ଷତ୍ରି ପୃଥିବୀ
ପର୍ଶୁରାମ ଅବତାରେ ।
କରିଲେ ଶ୍ରୀହରି ଧର୍ମ ସଂସ୍ଥାପନ
ଏହି ଧରଣୀ ବକ୍ଷରେ ।୮।
ଶ୍ରୀରାମ ରୂପରେ ଅଯୋଧ୍ୟା ନଗରେ
ତ୍ରେତୟାରେ ଜନ୍ମ ହୋଇ ।
ରାବଣକୁ ମାରି ବିଭୀଷଣେ ରାଜା
କଲେ ଲଙ୍କାଗଡେ ସେହି ।୯।
ବଳରାମ ରୂପେ ହେଲେ ଅବତାର
ଦ୍ଵାପର ଯୁଗେ ଶ୍ରୀହରି ।
କୃଷ୍ଣ ବଳରାମ ଏକଇ ସ୍ବରୂପ
ମନେଥିବ ହେତୁକରି ।୧୦।
ଯଜ୍ଞେ ପଶୁବଧ ନିବୃତ୍ତ କରିଲେ
ହୋଇ ବୁଦ୍ଧ ଅବତାର ।
ଜୀବେଦୟା ସଙ୍ଘ ଶକ୍ତି ମହାମନ୍ତ୍ର
କଲେ ଶ୍ରୀହରି ପ୍ରଚାର। ୧୧।
କଳ୍କୀ ଅବତାର ହୋଇବେ ଶ୍ରୀହରି
କଳିଯୁଗ ହେବ ଶେଷ ।
ମ୍ଳେଚ୍ଛ ବିନାଶିବେ ସୁଜନେ ରଖିବେ
ଧରା ହୋଇବ ଉଶ୍ୱାସ ।୧୨।
କଳିରେ ଶ୍ରୀହରି ଦାରୁ ମୂର୍ତ୍ତି ହୋଇ
ଭାଇ ଭଉଣୀ ସହିତ ।
ବିଜେ କରିଛନ୍ତି ଶ୍ରୀନୀଳକନ୍ଦରେ
ତୋଷନ୍ତି ଭକତ ଚିତ୍ତ ।୧୩।
ମାନବୀୟ ଲୀଳା କରନ୍ତି ଶ୍ରୀହରି
ବସି ନିତ୍ଯ ନୀଳାଚଳେ ।
ଚରଣେ ତାଙ୍କର ପଶିବା ଶରଣ
ରହିବା ମନ ନିଶ୍ଚଳେ ।୧୪।
