ଯୋଡିଏ ଆଖି
ଯୋଡିଏ ଆଖି
ବିନ୍ଦୁରୁ ଅଧିବୃତ୍ତକୁ
ଅଧିବୃତ୍ତରୁ ପୂର୍ଣ୍ଣବୃତ୍ତକୁ
ପରିସୀମାର ପରିବ୍ୟାପ୍ତିକୁ
" ପରିଧି " କୁହନ୍ତି କି ?
ନିଜଠୁ ଶୂନ୍ୟକୁ
ଶୂନ୍ୟରୁ ପୁଣି ନିଜଯାଏ
ଗୋଲଟାକୁ " ଜୀବନ " କୁହନ୍ତି କି ?
ଟୋପା ଟୋପା ଲୁହରୁ
ହୃଦୟର ହସ ଯାଏ ରାସ୍ତାକୁ
" ସପନ " କୁହନ୍ତି କି ?
ଏଇ ସବୁକୁ ଏକାଠି କରି
ଯିଏ ଆଞୁଳିରେ ବାଢିଦିଏ
ସେଇ ଯୋଡିଏ ଆଖି
"ତୁମର "
ମୋ ସହ ମୋ ସବୁକିଛି ବି
" ତୁମର "
ମୋର ଏତେ ପ୍ରଶ୍ନର ଉତ୍ତର
ଖୋଜା ଲୋଡା ନାହିଁ,
କେବଳ ତୁମର ଦୁଇ ଆଖି ହିଁ
ମୋର ପାଥେୟ ।
ଧଳା ଧଳା ବଡ ଗୋଲଦୁଇଟି ଭିତରେ,
କଳା ଡୋଳାର ଶକ୍ତି
ତୁମର ଚଲାଏ,
ଚଲାଏ ପାଦକୁ ମୋର ।।
