ଯୋଦ୍ଧା
ଯୋଦ୍ଧା
ଆମେ ଚିକିତ୍ସକ ନବ କୋଭିଡର ଆଗ ଧାଡି
ଯୋଦ୍ଧା ବୀର ସୈନିକ
ନିବାରିବୁ ଆମେ ରୋଗ ମହାମାରୀ ରହିଅଛୁ
ନିଜେ ସଦା ସତର୍କ ।
ଯାଉଅଛି ବ୍ୟାପି ରୋଗ ସଙ୍କ୍ରମଣ ସାରା
ଭୂମଣ୍ଡଳ ଏହି ବେମାରୀ
ଭୂତାଣୁ ତାହାର ବଦଳାଏ ରୂପ ନବ
ପ୍ରଜଜନେ ଘାତକ ଭାରି ।
ସାଧାରଣ ଥଣ୍ଡା ହୁଏ କାଶ ଜ୍ୱର ପୁଣି
ଘୋଳାବିନ୍ଧା ତଣ୍ଟିରେ ବ୍ୟଥା
ରୋଗ ଚିକିତ୍ସାରେ କଲେ ଅବହେଳା
ହୁଏ ସଙ୍କ୍ରମିତ ଶ୍ୱାସ କଳିକା ।
ଅମ୍ଳଜାନ ଭାଗ କମିଯାଏ ଯେଣୁ
ରୋଗୀର ହୁଅଇ ଅକାଳ ମୃତ୍ୟୁ
ସାଙ୍ଘାତିକ ହୁଏ ଥିଲେ ବହୁମୂତ୍ର ବ୍ୟାଧି
ଜଟିଳତା କାରଣ ହେତୁ ।
ନାହିଁ ନିରାମୟ ନିର୍ଦ୍ଦିଷ୍ଟ ଔଷଧି
ଚାଲୁଅଛି ବିଶ୍ୱେ ଅନୁସନ୍ଧାନ
ତତ୍ପରତା ସହ କରାଯାଉଅଛି ନବ
ଉଦ୍ଭାବିତ ଟୀକାକରଣ ।
ଦୃତ ସଙ୍କ୍ରମଣ ରୋକାଯିବା ପାଇଁ ଲୋଡ଼ା
ଭାଗିଦାରୀ ସଚେତନତା
ଭିଡ଼ ଗହଳିକୁ ନଯିବା ଉଚିତ
ଆଚରଣ ବିଧି ମାନି ଚଳିବା ।
ଘୋଡାଇ ରଖିବା ପାଟି ମୁହଁ ନାକ
ନିରାପଦ ଅଟେ ଗୃହେ ରହିବା
ଚାଲି ଚାଲି ଯାଇ ନିକଟ ବଜାରୁ
ଅତି ଆବଶ୍ୟକ ଦ୍ରବ୍ୟ କିଣିବା ।
ଦୂରତା ନିଶ୍ଚୟ ବଜାୟ ରଖିବା
ପରସ୍ପର ଠାରୁ ଆମେ ସମସ୍ତେ
ସଂସର୍ଗ କାରଣୁ ବ୍ୟାପୁଅଛି ବ୍ୟାଧି
ଏଣୁ ଏଡ଼ାଇବା ସ୍ପର୍ଶ ବିହିତେ ।
ସାବୁନ ଲଗାଇ ବାରମ୍ବାର ଆମେ
ହାତଧୋଇ ପରିଷ୍କାର ରଖିବା
ବାହାରୁ ଜିନିଷ ଘରକୁ ଆଣିଲେ
ପାଣି ବିଶୋଧକେ ଧୋଇ ରଖିବା ।
ଲୋଡୁଅଛୁ ଆମେ ଜନ ସହଯୋଗ
ପାଳିବା ଆଦର୍ଶ ବିଧି ନିର୍ଦ୍ଦେଶ
ନଚେତ୍ ଭୋଗିବ ସମାଜ ଦୁର୍ଦ୍ଦଶା
ଜିଣି ପାରିବନି ଯୁଦ୍ଧ ଭାରତ ।
ନିଜର ଜୀବନ ପରିବାର ସୁଖ
ଜଳାଞ୍ଜଳି ଦେଇ ରଣ ସମ୍ମୁଖେ
କରୁଛୁ ସଂଗ୍ରାମ ଭୁଲି ଦିନରାତି
ଜନହିତ ପାଇଁ ପାଳୁ କର୍ତ୍ତବ୍ୟେ ।
ସବୁ ସ୍ତରେ ହେଲେ ଉଦ୍ୟମ ସଫଳ
ରୋଗ ମହାମାରୀ ଦୂର ହୋଇବ
ମାନବତା ନିଶ୍ଚେ ଜିଣିବ ଯୁଦ୍ଧରେ
ମଣିଷ ମୁହଁରେ ହସ ଖେଳିବ ।
