ଯୋଡାଏ ଆଖି
ଯୋଡାଏ ଆଖି


ଅସହାୟତା ର ମୋକ୍ଷ ପ୍ରାପ୍ତିରେ
ଚାହିଁ ରହିଥାଏ ତା'ର ସେ ଯୋଡାଏ ଆଖି ,
ଆଖିଏ ଲୋତକ ଫେଣ୍ଟି ରଖିଦିଏ
କହିବାକୁ ନିଃସଙ୍ଗ ହୃଦୟର ଅନେକ କିଛି ବାକି ,
ସ୍ବପ୍ନ ର ରଙ୍ଗ ମହଲରୁ ତା'ର
ସବୁକିଛି ଚୋରି ହୋଇଯାଏ ଦିନ ଆଲୁଅରେ
ସ୍ଥିତପ୍ରଜ୍ଞ ହୋଇ ଅନେଇ ରହିଥାଏ ସେ
ଦୁଇ ଆଖିପତା ମେଲି ନୀତି ବିଜନ ବେଳାରେ ,
ଦୁର୍ଭାଗ୍ୟ ତା' କପାଳରେ ହାତ ବୁଲାଏ
ତମାମ ଜୀବନ ହାତରେ ଆଞ୍ଜୁଳାଏ ଜଂଜାଳ ନେଇ
ଜୀବନ ନାଆଟି ପିଟି ହୁଏ ବାଲିପଠାରେ
&
nbsp; ସଂସାର ସାଗରର ବିଶାଳତାରେ ବାଟବଣା ହୋଇ ,
ହସେ ତାତ୍ସଲ୍ୟରେ ନିୟତି ତା ଉପରେ
ତା ବାଲ୍ୟକାଳକୁ ଅହରହ ତଳିତଳାନ୍ତ କରି
ନିର୍ମମ ସମୟର ପ୍ରଚଣ୍ଡ ଘୂର୍ଣ୍ଣିଝଡ ରେ
ବେଳେ ବେଳେ ସେ ହଜିଯାଏ ବି ଆର୍ତ୍ତନାଦ କରି ,
ଭାରି ବିକଳ ଦିଶେ ତା'ର ସେ ଯୋଡାଏ ଆଖି
ପରସ୍ତ ପରସ୍ତ ଦୀର୍ଘଶ୍ଵାସ ଛାଡୁଥିବା ନିଶ୍ଚଳ ମୁହଁରେ
ମନେହୁଏ ଯିଏ କନ୍ଦାଉଛି ତାକୁ ଲହୁର ଅଶ୍ରୁରେ
ଦିନେ ସେ ବି କାନ୍ଦୁଥିବ ଲୁଚିଲୁଚି ଅନ୍ଧାର ରାତିରେ ।