ଯୋଡ଼ାଏ ଆଖି
ଯୋଡ଼ାଏ ଆଖି
ଜାଣେନି କାହିଁକି
ତୋ ଚକା ଆଖିକୁ
ଚାହିଁଦେଲେ ଥରେ
ଭାରି ନିଜର ନିଜର ଲାଗେ।
ତୋ ପରି କେହିବି
ଲାଗେନି କେବେବି
ତୁ ଯେ ମୋ ଆତ୍ମାର
ତତେ ନିଜ ପରିବାର ଭାବେ।
ଭାରି ନିଜର ନିଜର ଲାଗେ।
ତତେ ସଜେଇବି
ଶବ୍ଦର ସମ୍ଭାରେ
ଭାଷା ଅଳଙ୍କାରେ
ଏତେ ଜ୍ଞାନ ବୁଦ୍ଧି ମୋର କାହିଁ!
ଭକ୍ତି ପୁଷ୍ପ ବିନା
ଭାବ ଧୂପ ବିନା
ଆଉ କି ଯାଚିବି
ସାରା ସଂସାର ମାଲିକ ତୁହି।
ଏତେ ଜ୍ଞାନ ବୁଦ୍ଧି ମୋର କାହିଁ!
ସଂସାର ସାଗରେ
ଜନନୀ ଜଠରେ
ଘଟରୁ ଘଟକୁ
ନିରନ୍ତର ସଦା ଭ୍ରମୁ ଥାଇ,
ଭୂଇଁ ଛୁଉଁ ଛୁଉଁ
ମାୟା, ମୋହେ ବନ୍ଧା
'ମୋର', 'ମୋର' କହେ
ବୃଥା ଅହମିକା ସଂଗେ ନେଇ।
ନିରନ୍ତର ସଦା ଭ୍ରମୁଥାଇ।
ତୁ ଯଦି ଚାହିଁବୁ
ଦୂର କରିଦେବୁ
କଳୁଷ କାଳିମା
ପାବନ କରିବୁ ମନ ମୋର,
ଜଟିଳ ଗଣିତ
ଏ ସଂସାର ପାଠ
ଡୁବାନି ମୋତେରେ
ବିରାଜ ଆନନ୍ଦେ ହୃଦେ ମୋର।
ପାବନ କରିକି ମନ ମୋର।।