ତୁମ ବିନା ପ୍ରଭୁ
ତୁମ ବିନା ପ୍ରଭୁ
ତୁମ ବିନା ପ୍ରଭୁ ପତର ହଲେନା
ବହେ ନାହିଁ ଯେ ମଳୟ
ତୁମ୍ଭ ବିନା ସୃଷ୍ଟି ସ୍ଥିତି ଅସମ୍ଭବ
ତୁମେ ଯେ ଶାନ୍ତି ଆଳୟ |
ତୁମେ ଅଛ ବୋଲି ଆହେ ମହାପ୍ରଭୁ
ପ୍ରକୃତି ଯେ ମନ ମୋହେ
ତୁମରି ସୃଷ୍ଟିର ଝର୍ଝର ଝରଣା
ସଭିଙ୍କର ମନ ମୋହେ ।
ତୁମ ପାଇଁ ପ୍ରଭୁ ବିଶ୍ଵ ବିମଣ୍ଡିତ
ଫୁଲ ଯେ ସୁବାସ ଦିଏ
ତୁମ ଭାବନା ମନ ଓ ଚେତନାକୁ
ସଦା ମହକାଉ ଥାଏ |
ତୁମ ବିନା ନାହିଁ ମୋହର ଅସ୍ତିତ୍ୱ
ତୁମେ ତ ଅଟ ସର୍ବସ୍ଵ
ତୁମ ବିନା ପ୍ରଭୁ ମଣିଷ ଜୀବନ
ହୋଇ ଯାଇଥାଏ ନିଃସ୍ବ |
ତୁମେ ବିନା ପ୍ରଭୁ ସବୁ ଥାଇ ଦୀନ
ତୁମେ ଜୀବନ ଆଧାର
ତୁମେ ଅଛ ବୋଲି ହେ କଳା ଠାକୁରେ
ମନରେ ସୁଖ ଅପାର ।
ତୁମେ ଅଛ ବୋଲି ମୋ ବିଶ୍ୱାସ ଦିଏ
<p>ବେଦନା ରେ ଯେ ମଲମ
ତୁମ ବିନା ଲାଗେ ଅସହାୟ ଖାଲି
ତୁମେ ଯେ ପବିତ୍ର ଧାମ ।
ତୁମ ଅଛ ବୋଲି ସମସ୍ୟା ଘେରରେ
ସୁପଥ ଇସାରା ମିଳେ
ତୁମ ବିନା ପ୍ରଭୁ ପଥଭ୍ରଷ୍ଟ ହୁଏ
ଜୀବନ ଦୁଃଖରେ ଜଳେ ।
ମଣିଷ ଜନମ ଦେଇଛ ପ୍ରଭୁ ହେ
ବିବେକ ବୁଦ୍ଧି ଦେଇଛ
ତୁମେ ନଥିଲେ ଯେ ଏ ଜନମ ପ୍ରଭୁ
ହୋଇ ଯାଇଥାଏ ତୁଚ୍ଛ |
ତୁମ ବିନା ପ୍ରଭୁ ଜୀବନ ଯେ ହୀନ
ମିଳେନି ମନରେ ଶାନ୍ତି
ତୁମେ ଅଛ ବୋଲି ପୁନେଇ ଆଲୋକ
ଜୀବନୁ କଟଇ ଭ୍ରାନ୍ତି ।
ମଣିଷ ଜୀବନ ଦେଇଛ ଯଦି ହେ
ସଫଳ ଯେ କରି ଦିଅ
ତୁମ ଉପସ୍ଥିତି ମନ ଗହନରେ
ସର୍ବଦା ଯେ ଦେଉଥାଅ |
ତୁମରି ପ୍ରେମର ବରଷା କର ହେ
ମୋର ମନ ଚେତନା ରେ
ତୁମ ଅନୁଭବେ ରଙ୍ଗ ଭରୁ ଥାଉ
ତୁମକୁ କେବେ ନ ଭୁଲେ ।